Unknown

 

 

 

 

 

 

 

 

 

ଓଡ଼ିଆ ସାହିତ୍ୟ ପ୍ରକାଶ

(ପ୍ରଥମ ଭାଗ)

ପଣ୍ଡିତ ବିନାୟକ ମିଶ୍ର

 

ଭୂମିକା

 

ସମୁଦ୍ରର ଉପରେ ଭାସିଲେ ଭାସିବା ଲୋକର ଚକ୍ଷୁକୁ ସମୁଦ୍ର-ଗର୍ଭର ମୁକ୍ତା ଦିଶେ ନାହିଁ-। ମୁକ୍ତା ନ ଚିହ୍ନିଥିଲେ ସମୁଦ୍ରରେ ବୁଡ଼ିବା ଲୋକ ମଧ୍ୟ ମୁକ୍ତା ଆହରଣ କରି ପାରେ ନାହିଁ । ଏଣୁ ମୁକ୍ତା ଯେଉଁମାନେ ଆହାରଣ କରନ୍ତି ସେମାନେ ପୂର୍ବରୁ ସମୁଦ୍ରରେ ବୁଡ଼ିବା ଓ ମୁକ୍ତା-ଚିହ୍ନିବା ପ୍ରଣାଳୀ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଶିଖି ଥାଆନ୍ତି । ସେପରି ପାଠକ କେବଳ ଗଳ୍ପ ଜାଣିବା ପାଇଁ ସାହିତ୍ୟ ପଢ଼ିଲେ ସାହିତ୍ୟର ସୌନ୍ଦର୍ଯ୍ୟ ଉପଭୋଗ କରି ପାରେ ନାହିଁ । ସାହିତ୍ୟ-ସୌନ୍ଦର୍ଯ୍ୟର ଲକ୍ଷଣ ଜାଣି ଗଭୀର ଭାବରେ ଆଲୋଚନା କଲେ ସାହିତ୍ୟ-ସୌନ୍ଦର୍ଯ୍ୟର ଅନାୟାସରେ ସେ ଉପଲବ୍‍ଧି କରିପାରେ । ଏହି ଲକ୍ଷଣ ଅଭିଜ୍ଞ ସାହିତ୍ୟିକମାନେ ଅଳଙ୍କାର-ଶାସ୍ତ୍ରରେ ଲିପିବଦ୍ଧ କରିଥାଆନ୍ତି ।

 

ସଂସ୍କୃତ ସାହିତ୍ୟ-ସୌନ୍ଦର୍ଯ୍ୟର ଲକ୍ଷଣମାନ କାବ୍ୟନିର୍ଣ୍ଣୟ, କାବ୍ୟାଦର୍ଶ, କାବ୍ୟପ୍ରକାଶ, ଏକାବଳୀ, ସାହିତ୍ୟ-ଦର୍ପଣ ପ୍ରଭୃତି ବହୁ ଅଳଙ୍କାର-ଶାସ୍ତ୍ରରେ ସମାବେଶ କରା ଯାଇଅଛି । ସଂସ୍କୃତ ସାହିତ୍ୟରୁ ଓଡ଼ିଆ ସାହିତ୍ୟର ଉତ୍ପତ୍ତି ଘଟି ଥିବାରୁ କାରଣର ଅନେକ ଗୁଣ କାର୍ଯ୍ୟରେ ଅଛି । ଏଣୁ ଓଡ଼ିଆ ସାହିତ୍ୟର ସୌନ୍ଦର୍ଯ୍ୟ ଚିହ୍ନିବା ପାଇଁ ସଂସ୍କୃତ ଅଳଙ୍କାର-ଶାସ୍ତ୍ର ଅନୁସାରେ ବାମଣ୍ଡାର ରାଜା ସାର୍ ବାସୁଦେବ ସୁଢ଼ଳଦେବ ଓଡ଼ିଆରେ ‘ଅଳଙ୍କାର ବୋଧୋଦୟ’ ଲେଖିଥିଲେ । ତାହାଙ୍କ ପୂର୍ବରୁ ଉପେନ୍ଦ୍ରଭଞ୍ଜ ‘ରସପଞ୍ଚକ’ରେ କେବଳ ରସ ଓ ନାୟକନାୟିକାଙ୍କର କେତେକ ଲକ୍ଷଣ ଦେଇଥିଲେ-। ସୁଢ଼ଳଦେବ ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରି ପାରି ନାହାନ୍ତି । ତଦୀୟ ଯୋଗ୍ୟାତ୍ମକ ସଚ୍ଚିଦାନନ୍ଦ ତ୍ରିଭୁବନଦେବ ‘ଅଳଙ୍କାର-ବୋଧୋଦୟ’ ଅପେକ୍ଷା ଉନ୍ନତତର ‘ଅଳଙ୍କାର-ସାର’ ପ୍ରକାଶ କରିଥିଲେ । ତତ୍ପରେ ପଣ୍ଡିତ ତ୍ରିପାଠୀଙ୍କ ‘ଅଳଙ୍କାର ଚନ୍ଦ୍ରିକା’ ଓ ପଣ୍ଡିତ କୁଳମଣି ଦାଶଙ୍କ ‘ଅଳଙ୍କାର ତରଙ୍ଗିଣୀ’ ପ୍ରକାଶିତ ହୋଇଅଛି । କିନ୍ତୁ ଆଧୁନିକ ଓଡ଼ିଆ ସାହିତ୍ୟ ପ୍ରାଚୀନ ସାହିତ୍ୟଠାରୁ ଅନେକ ଲକ୍ଷଣରେ ପୃଥକ୍ ହୋଇ ପଡ଼ିଥିବାରୁ ଆଧୁନିକ ସାହିତ୍ୟର ଉପଯୋଗୀ ହେବାଭଳି ଖଣ୍ଡିଏ ଅଳଙ୍କାର-ଶାସ୍ତ୍ରର ପ୍ରୟୋଜନ ଅଛି । ସେଥିପାଇଁ ପ୍ରଥମ ଚେଷ୍ଟାରେ ଏହି ‘ଓଡ଼ିଆ ସାହିତ୍ୟ ପ୍ରକାଶ’ ସଂକଳନ କରାଗଲା । ପାଠକମାନଙ୍କର ଯତ୍‍କିଞ୍ଚିତ୍ ଉପକାରରେ ଲାଗିବ ବୋଲି ଆଶା କରାଯାଏ ।

 

କଲିକତା

ଶ୍ରୀ ବିନାୟକ ମିଶ୍ର

ତା ୨୨/୩/୧୯୪୭

 

Image

 

ସୂଚୀପତ୍ର

 

୧.

କାବ୍ୟସ୍ୱରୂପ (ପ୍ରଥମ ପରିଚ୍ଛେଦ)

୨.

ଚରିତ୍ର (ଦ୍ୱିତୀୟ ପରିଚ୍ଛେଦ)

୩.

ଛନ୍ଦ (ତୃତୀୟ ପରିଚ୍ଛେଦ)

୪.

ରସ (ଚତୁର୍ଥ ପରିଚ୍ଛେଦ)

୫.

ଶୈଳ (ପଞ୍ଚମ ପରିଚ୍ଛେଦ)

୬.

ଶବ୍ଦାଳଙ୍କାର (ଷଷ୍ଠ ପରିଚ୍ଛେଦ)

୭.

ଅର୍ଥାଳଙ୍କାର (ସପ୍ତମ ପରିଚ୍ଛେଦ)

୮.

ଦୋଷ (ଅଷ୍ଟମ ପରିଚ୍ଛେଦ)

Image

 

ପ୍ରଥମ ପରିଚ୍ଛେଦ

କାବ୍ୟ ସ୍ୱରୂପ

 

ପ୍ରାଚୀନ କାଳରେ ଗଦ୍ୟ ଓ ପଦ୍ୟ ଉଭୟ ସାହିତ୍ୟକୁ କାବ୍ୟ କରୁଥିଲେ (କାବ୍ୟସ୍ୟହି ଦ୍ୱିଧା ରୂପଂ ଗଦ୍ୟଂ ପଦ୍ୟଂ ତଥୋଭୟଂ) । ଅଲୌକିକ ଚମତ୍କାର ଓ ଆନନ୍ଦଳନକ ବାକ୍ୟାବଳୀକୁ କାବ୍ୟ କୁହା ଯାଉଥିଲା (ଅଲୌକିକ ଚମତ୍କାରିତ୍ୱେନ ସହୃଦୟ ମନୋରମା ଅର୍ଥା ସ୍ତୈର୍ବ୍ୟବଚ୍ଛିନ୍ନା ବିଲକ୍ଷଣୀ କୃତା ପଦାବଳୀ । ପଦସମୂହଃ କାବ୍ୟଂ) । କିନ୍ତୁ ବାକ୍ୟାବଳୀ କିପରି ଅଲୌକିକ ଚମତ୍କାର ଓ ଆନନ୍ଦ ଜନକ ହୁଏ ତାହା ନ ଜାଣିଲେ କାବ୍ୟର ପରିଚୟ ପାଇବା କଠିନ । ଏଣୁ ରସ, ଗୁଣ, ଅଳଙ୍କାର ପ୍ରଭୃତି ଯେଉଁ ଯେଉଁ ଲକ୍ଷଣ ଥିଲେ ବାକ୍ୟାବଳୀ ଅଲୌକିକ ଚମତ୍କାର ଓ ଆନନ୍ଦ ଜନକ ହୁଏ ତାହା ପ୍ରାଚୀନ ଅଳଙ୍କାରିକମାନେ ନିର୍ଦ୍ଦେଶ କରି ଅଛନ୍ତି । ସେ ସମସ୍ତ ଆଲୋଚନା କଲେ ତାହାର ସାରକଥା ନିମ୍ନୋଦ୍ଧୃତ ଇଂରେଜୀ ଉକ୍ତିଠାରୁ ଭିନ୍ନ ନୁହେଃ–

 

“We dwell between two mysteries, a soul within and an ordered universe without, so among us are granted to dwell certain men of more delicate intellectual fibre than their fellows men whose minds have, as it were, filaments to intercept, apprehend, conduct and translate home to us stray messages between these two mysteries”.*

 

“ଦିଓଟି ନିଗୂଢ଼ ରହସ୍ୟ–ରାଜ୍ୟ ଅଛି–ଗୋଟିଏ ଅନ୍ତରର ଆତ୍ମା ଓ ଅପରଟି ବାହାରର ଶୃଙ୍ଖଳାବଦ୍ଧ ସୃଷ୍ଟି । ଏହି ଦୁଇରାଜ୍ୟ ମଧ୍ୟରେ ଆମ୍ଭେମାନେ ବାସ କରୁଁ । ଆମ୍ଭମାନଙ୍କ ମଧ୍ୟରେ କେତେ ଜଣ ସୁକ୍ଷ୍ମ–ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଜନ୍ନନ୍ତି । ସମାଜର ଅନ୍ୟାନ୍ୟ ବ୍ୟକ୍ତିଙ୍କଠାରୁ ସେମାନଙ୍କ ବୁଦ୍ଧି ସୂକ୍ଷ୍ମତର । ଦୁଇ ନିଗୂଢ଼ ରହସ୍ୟ ରାଜ୍ୟ ମଧ୍ୟରେ ସଂବାଦମାନ ଆତଯାତ ହେଉ ଅଛି, ଉକ୍ତ ସୂକ୍ଷ୍ମ ବୁଦ୍ଧିସମ୍ପନ୍ନ ବ୍ୟକ୍ତିମାନେ ନିଜ ପ୍ରତିଭା–ବଳରେ ଆତଯାତ ସଂବାଦମାନଙ୍କ ମଧ୍ୟରୁ ଗୋଟିଏ ଗୋଟିଏ କରଗତ କରି ହୃଦୟଙ୍ଗମ କରନ୍ତି ଓ ଆମର ହୃଦୟଙ୍ଗମ ହେବା ଭଳି ଭାଷାରେ ଲେଖି ଆମ ନିକଟକୁ ପଠାନ୍ତି ।”

 

ଏହାର ସାର କଥା ଏହି ଯେ, ଜୀବାତ୍ମା ଓ ବିଶ୍ୱସୃଷ୍ଟି ମଧ୍ୟରେ ଥିବା ନିତ୍ୟ ସମ୍ବନ୍ଧକୁ କବି ହୃଦୟଙ୍ଗମ କରି ପ୍ରାଣସ୍ପର୍ଶୀ ଭୀଷାରେ ତାହା ଆମ୍ଭମାନଙ୍କୁ ଦିଏ । ଇନ୍ଦ୍ରଧନୁର ଶୋଭା ଦେଖି ଶୈଶବରେ, ଯୌବନରେ ଓ ବାର୍ଦ୍ଧକ୍ୟରେ ସମାନ ଭାବରେ ହୃଦୟ ଆନଦରେ ନାଚି ଉଠୁଥିବାରୁ କବି କହିଲେ ଯେ, ମନୁଷ୍ୟଠାରେ ଅପରିବର୍ତ୍ତନଶୀଳ ଏକ ନିତ୍ୟ-ପଦାର୍ଥ ଅଛି (The child is the father of man) । ଏହିପରି ଅନେକ ତଥ୍ୟ କବିମାନେ ଅନୁଭବ କରନ୍ତି ଓ ସେଗୁଡ଼ିକ ମୂର୍ତ୍ତମନ୍ତ କରି ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥାପିତ କରନ୍ତି ।

 

ନରନାରୀଙ୍କ ପ୍ରତି ଆମର ଗଭୀର ଅନୁରାଗ ଅଛି । ସେମାନଙ୍କ ଜୀବନ, ମନୋବୃତ୍ତି, ରିପୁ ଓ ପରସ୍ପର ସମ୍ପର୍କ ଜାଣିବା ପାଇଁ ଆମର ପ୍ରବୃତ୍ତି ଜନ୍ମେ । ଆମେ ଚିନ୍ତା କରୁ, ଅନୁଭବ କରୁଁ ଓ କଳ୍ପନା କରୁଁ । ବାସ୍ତବ ଜଗତ ପ୍ରତି ଆମର ମମତା ଅଛି । କଳ୍ପନାରେ ମଧ୍ୟ ଆମେ ସ୍ୱର୍ଗ ଗଢ଼ୁଁ । ଆମେ ଯାହା ଚିନ୍ତା କରୁଁ, କଳ୍ପନା କରୁ ଓ ଅନୁଭବ କରୁ ତାହା ଅନ୍ୟ ନିକଟରେ ପ୍ରକାଶ କରିବା ପାଇଁ ଆମ ଅନ୍ତରରେ ପ୍ରେରଣା ଜାତ ହୁଏ । ସୌନ୍ଦର୍ଯ୍ୟ–ସୃଷ୍ଟି କରିବା ପାଇଁ ମନୁଷ୍ୟର ମଧ୍ୟ ପ୍ରବୃତ୍ତି ଅଛି । ନିଜର ଅଭିବ୍ୟକ୍ତରେ ବା ଭାଷାରେ ମଧ୍ୟ ସୌନ୍ଦର୍ଯ୍ୟ ଫୁଟାଇବାପାଇଁ ସେ ଯତ୍ନକରେ । ଏଣୁ ଯେଉଁ ଚିନ୍ତା, ଅନୁଭୂତି ଓ କଳ୍ପନାର ଅଭିବ୍ୟକ୍ତିରେ ସୌନ୍ଦର୍ଯ୍ୟର ସୃଷ୍ଟି ଥାଏ ତାହାକୁ ସାହିତ୍ୟ କହନ୍ତି-। ସୌନ୍ଦର୍ଯ୍ୟ ବିଭିନ୍ନ ଆକାରରେ ସୃଷ୍ଟି ହୁଏ (introduction to the study of literature by William Henry Hudson).

 

ଆଧୁନିକ ଯୁଗରେ ପଦ୍ୟରେ ଚିତ୍ରିତ ଅନୁଭୂତିକୁ କାବ୍ୟ କୁହାଯାଏ ଏବଂ ପଦ୍ୟ ଓ ଗଦ୍ୟ ଉଭୟ ଚିତ୍ରକୁ ସାହିତ୍ୟ କହନ୍ତି । କିନ୍ତୁ ଏଥିରେ ‘କାବ୍ୟ’ ସାହିତ୍ୟ-ଅର୍ଥରେ ବ୍ୟବହୃତ ।

 

ସାହିତ୍ୟକୁ ପ୍ରଥମେ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ–ପଦ୍ୟ ଓ ଗଦ୍ୟ । ଛନ୍ଦୋବଦ୍ଧ ରଚନାକୁ ପଦ୍ୟ ଓ କଥିତ ଭାଷାର ବାକ୍ୟରୀତି ଅନୁସାରେ ଲିଖିତ ଅନୁଭୂତିକୁ ଗଦ୍ୟ କହନ୍ତି । ପଦ୍ୟରେ ସତ୍ୟ ସହିତ କଳ୍ପନା-ବଳରେ ଆନନ୍ଦର ସଂଯୋଗ ଘଟେ, ଗଦ୍ୟରେ ଯୁକ୍ତି ସତ୍ୟର ଅବଲମ୍ବନ ।

 

ପଦ୍ୟ ଓ ଗଦ୍ୟ ପ୍ରତ୍ୟେକ ପୁଣି ଦୁଇ ପ୍ରକାର–ଶ୍ରାବ୍ୟ ଓ ଦୃଶ୍ୟ । ଯେଉଁ ପଦ୍ୟ ବା ଗଦ୍ୟକୁ କେହି ପାଠ କରୁଥିଲେ ନିକଟରେ ଥିବା ଶ୍ରୋତାମାନଙ୍କର ତାହା ହୃଦୟଗ୍ରାହୀ ହୁଏ ତାହାକୁ ଶ୍ରାବ୍ୟକାବ୍ୟ କହନ୍ତି । ଯାହା ଶୁଣିଲେ ଶ୍ରୋତାର ହୃଦୟଙ୍ଗମ ନୋହି ରଙ୍ଗମଞ୍ଚରେ ସେହି ପଦ୍ୟ ବା ଗଦ୍ୟର ଅଭିନୟ ଦେଖିଲେ ହୃଦୟଙ୍ଗମ ହୁଏ ତାହାକୁ ଦୃଶ୍ୟ–କାବ୍ୟ କହନ୍ତି ।

 

ପଦ୍ୟ କାବ୍ୟକୁ ଛ ଭାଗରେ ବିଭକ୍ତ କରାଯାଏ–ମହାକାବ୍ୟ, ଖଣ୍ଡକାବ୍ୟ, କୋଷକାବ୍ୟ, ଗୀତି-କାବ୍ୟ, ନାଟ୍ୟକାବ୍ୟ ଓ ଗୀତାକାବ୍ୟ ।

 

ଗଦ୍ୟ ସାହିତ୍ୟକୁ ମଧ୍ୟ ଛ ଭାଗରେ ବିଭକ୍ତ କରାଯାଏ–ଉପନ୍ୟାସ, ଗଳ୍ପ, ଉପାଖ୍ୟାନ, ନାଟକ, ଜୀବନ–ଚରିତ ଓ ପ୍ରବନ୍ଧ ।

 

ପଦ୍ୟ-ନାଟ୍ୟ-କାବ୍ୟ ଓ ଗଦ୍ୟ-ନାଟକ ଉଭୟ ଦୃଶ୍ୟ କାବ୍ୟର ଅନ୍ତର୍ଗତ । ଅନ୍ୟାନ୍ୟ ସମସ୍ତ ପଦ୍ୟ ଓ ଗଦ୍ୟ ଶ୍ରାବ୍ୟକାବ୍ୟର ଅନ୍ତର୍ଗତ ।

 

ମହାକାବ୍ୟ–(Epic poem)– (୧) ସଂସ୍କୃତ ଅଳଙ୍କାରଶାସ୍ତ୍ର ଅନୁସାରେ କୌଣସି ଦେବତାର କିଂବା ସଦବଂଶଜାତ ଅଶେଷ ଗୁଣ ସମ୍ପନ୍ନ କୌଣସି ରାଜାର ଅଥବା ଏକ ବଂଶୋଦ୍ଭବ ବହୁ ରାଜାଙ୍କର ବୃତ୍ତାନ୍ତକୁ ଅବଲମ୍ବନ କରି ମହାକାବ୍ୟ ରଚିତ ହୁଏ । (୨) ଏହା ନାନା ସର୍ଗରେ ବିଭକ୍ତ ହୁଏ । (୩) ସର୍ଗ ସଂଖ୍ୟା ଅଷ୍ଟାଧିକ ହୁଏ; ଊଣା ହେଲେ ତାହାକୁ ମହାକାବ୍ୟ କୁହାଯାଏ ନାହିଁ । (୪) ଏଥିରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଚତୁର୍ବର୍ଗ ଫଳ ବର୍ଣ୍ଣିତ ହୁଏ । (୫) ଆହୁରି ମଧ୍ୟ ନଗର, ବନ, ଶୈଳ, ଉପବନ, ପ୍ରଭାତ, ମଧ୍ୟାହ୍ନ, ସନ୍ଧ୍ୟା, ରାତ୍ରି, ଶୀତ, ଗ୍ରୀଷ୍ମ, ବର୍ଷା, କ୍ରୀଡ଼ା, ମନ୍ତ୍ରଣା, ଯୁଦ୍ଧ ପ୍ରଭୃତି ନାନା ବିଷୟ ଏକ ବା ବିଭିନ୍ନ ଛନ୍ଦରେ ବର୍ଣ୍ଣିତ ହୁଏ । (୬) ଅନ୍ୟାନ୍ୟ ସାମାନ୍ୟ ସାମାନ୍ୟ ନାୟକ-ନାୟିକାଙ୍କ ବୃତ୍ତାନ୍ତ ମଧ୍ୟ ଏଥିରେ ରହେ । (୭) ବୀଭତ୍ସ, ରୌଦ୍ର, ପ୍ରଭୃତି ବିଭିନ୍ନ ହୀନ ରସମାନଙ୍କର ବର୍ଣ୍ଣନା ଏଥିରେ ରହିଲେ ମଧ୍ୟ ଆଦି, ବୀର, କରୁଣ ଓ ଶାନ୍ତ ରସ ପ୍ରଧାନ ଭାବରେ ବର୍ଣ୍ଣିତ ହୋଇଥାଏ । (୮) କବି କିଂବା ବର୍ଣ୍ଣନୀୟ ବିଷୟ ଅଥବା ନାୟକ-ନାୟିକାଙ୍କ ନାମ ଅନୁସାରେ ଏହାର ନାମକରଣ ହୁଏ ।

 

ଏହି ଲକ୍ଷଣମାନଙ୍କ ମଧ୍ୟରୁ ଅନେକ ଥିବାରୁ ଓଡ଼ିଆ ରାମାୟଣ, ମହାଭାରତ ପ୍ରଭୃତି ମହାକାବ୍ୟଶ୍ରେଣୀର ଅନ୍ତର୍ଗତ । ବିଚିତ୍ର ରାମାୟଣ, ବୈଦେହୀଶବିଳାସ ପ୍ରଭୃତି ସର୍ଗରେ ବିଭକ୍ତ ନୋହି ଛନ୍ଦରେ ବିଭକ୍ତ ହୋଇ ଥିଲେ ମଧ୍ୟ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବେ । ଓଡ଼ିଆ ରାମାୟଣ ବା ମହାଭାରତ ମଧ୍ୟ ସର୍ଗରେ ବିଭକ୍ତ ନୁହେ । ରାମାୟଣ କାଣ୍ଡ ଓ ଅଧ୍ୟାୟରେ ଏବଂ ମହାଭାରତ ପର୍ବ ଓ ଅଧ୍ୟାୟରେ ବିଭକ୍ତ ।

 

ଇଂରେଜୀ ସାହିତ୍ୟ ଅନୁସାରେ ମହାକାବ୍ୟରେ କୌଣସି ଗୋଟିଏ ପୂର୍ଣ୍ଣାଙ୍ଗ ମହତ୍ କର୍ମର ବର୍ଣ୍ଣନା ରହିବ । ଅନ୍ୟାନ୍ୟ କ୍ଷୁଦ୍ର କର୍ମର ବର୍ଣ୍ଣନା ରହିବ; କିନ୍ତୁ ଏହି କର୍ମଗୁଡ଼ିକ ମହତ୍ କର୍ମରୁ ବିଚ୍ଛିନ୍ନ ନୋହି ତାହାର ଅଙ୍ଗରୂପେ ପ୍ରତିଭାତ ହେଉ ଥିବ । ଅର୍ଥାତ୍ ସାମାନ୍ୟ ସାମାନ୍ୟ ନାୟକ-ନାୟିକାଙ୍କ ବିଭିନ୍ନ କର୍ମମାନ କୌଣସି ପ୍ରଧାନ ନାୟକର ମହତ୍ କର୍ମସାଧନରେ ନିୟୋଜିତ ହୋଇଥିବ । ଗୋଟିଏ ସାମାନ୍ୟ ନାୟକର କର୍ମ ସରିଲେ ଅନ୍ୟ ଏକ ସାମାନ୍ୟ ନାୟକ କର୍ମ ଆରମ୍ଭ କରିବ ନାହିଁ । ଏପରି କ୍ରମିକ ବର୍ଣ୍ଣନା କଲେ କର୍ମମାନ ପରସ୍ପର ସଂଶ୍ଳିଷ୍ଟ ଥିଲାପରି ଜଣାପଡ଼େ ନାହିଁ । ନାୟକ ନାୟିକାଙ୍କ ଜନ୍ମ-ଦୃଶ୍ୟ ପ୍ରଥମେ ବର୍ଣ୍ଣନା ନ କରି ସେମାନଙ୍କ ଜୀବନର ମଧ୍ୟ ଦୃଶ୍ୟଠାରୁ ବର୍ଣ୍ଣନା କଲେ ପ୍ରଧାନ ନାୟକ ଓ ସାମାନ୍ୟ ନାୟକମାନଙ୍କ କର୍ମମାନ ପରସ୍ପର ଠାରୁ ବିଚ୍ଛିନ୍ନ ହେଲା ପରି ଜଣା ଯାଇ ସମସ୍ତଙ୍କ କର୍ମ ଏକ ଲକ୍ଷ୍ୟ-ସାଧନରେ ଅଗ୍ରସର ହେଉଥିଲା ପରି ଜଣା ଯାଏ । ପାଠକର ମନୋରଞ୍ଜନ ପାଇଁ ଅବସ୍ଥାନୁସାରେ କର୍ମର ବିଚିତ୍ରତା ମହାକାବ୍ୟରେ ବର୍ଣ୍ଣିତ ହେବା ଉଚିତ । ଏଥିରେ କୌଣସି ବ୍ୟକ୍ତି-ବିଶେଷର ବା ଜାତି-ବିଶେଷର ଭାଗ୍ୟ-ଗତି ବର୍ଣ୍ଣିତ ନୋହି ପୃଥିବୀର ସମଗ୍ର ମନୁଷ୍ୟ-ଜାତିର ଭାଗ୍ୟ-ଗତି ବର୍ଣ୍ଣିତ ହେବା ଉଚିତ ।

 

ଉପରୋକ୍ତ ଲକ୍ଷଣମାନ ମିଲିଟନଙ୍କ କାବ୍ୟରେ (Milton’s Paradise-Lost) ଦେଖାଯାଏ । ସେ ଆଦି ନରନାରୀଙ୍କ ପ୍ରଥମ ଉତ୍ପତ୍ତିଠାରୁ ଆରମ୍ଭ ନ କରି ସେମାନଙ୍କ ଜୀବନର ମଧ୍ୟ ଦୃଶ୍ୟଠାରୁ ବର୍ଣ୍ଣନା ଆରମ୍ଭ କରି ଅଛନ୍ତି । ମନୁଷ୍ୟ-ଜାତିର ଉଚ୍ଛେଦ ସାଧନ ପାଇଁ ନରକର ସମଗ୍ର ଯୁକ୍ତ ଶକ୍ତିର ଉଦ୍ୟମ ଓ ତାହାକୁ ନିଷ୍ଫଳ କରିବା ପାଇଁ ସର୍ବ ଶକ୍ତିମାନଙ୍କର ବାଧା–ପ୍ରଦାନ ମିଲିଟନ ବର୍ଣ୍ଣନା କରି ଗଳ୍ପକୁ ଅମୂଳ-ଚୂଳ ମନୋହର କରି ପୂର୍ଣ୍ଣାଙ୍ଗ କରି ଅଛନ୍ତି । ଏହିପରି ସେ କୌଣସି ବ୍ୟକ୍ତି-ବିଶେଷର ବା ଜାତି-ବିଶେଷର ଭାଗ୍ୟ-ଗତି ବର୍ଣ୍ଣନା କରି ନାହାନ୍ତି ।

 

ଶ୍ରୀରାମଙ୍କ ଜନ୍ମ ରାମାୟଣର ଆରମ୍ଭରେ ବର୍ଣ୍ଣିତ । ଏହାଛଡ଼ା ଇଂରେଜୀ ମହାକାବ୍ୟର ଅନ୍ୟାନ୍ୟ ଲକ୍ଷଣ ରାମାୟଣରେ ଦେଖାଯାଏ, ପିଶାଚ-ସ୍ୱଭାବର ସମାଜ-ବିଶୃଙ୍ଖଳା ପାଇଁ ଉଦ୍ୟମ ଓ ଦେବ ସ୍ୱଭାବର ତାହା ପ୍ରତି ବାଧା-ପ୍ରଦାନ ରାମାୟଣରେ ବର୍ଣ୍ଣିତ ହୋଇ ଥିବାରୁ ଏହା ବ୍ୟକ୍ତି ବିଶେଷ ବା ଜାତି-ବିଶେଷରେ ସୀମା ବଦ୍ଧ ନାହିଁ । ଏପରି ବର୍ଣ୍ଣନାକୁ ଅପ୍ରସ୍ତୁତ-ପ୍ରଶଂସାଳଙ୍କାର (allegorical language) କହନ୍ତି । ବିଶ୍ୱ-ସୃଷ୍ଟି ପରି ମାନବ-ସମାଜ ଶୃଙ୍ଖଳାବଦ୍ଧ ହେବା ଉଚିତ-ଏହି ଅନୁଭୂତିକୁ କବି ରାମାୟଣରେ ଚିତ୍ର କରି ଅଛନ୍ତି ।

 

ଖଣ୍ଡକାବ୍ୟ–କୌଣସି ନାୟକର ଜୀବନର ଗୋଟିଏ ଘଟନା ବା କାର୍ଯ୍ୟକୁ ଅବଲମ୍ୱନ କରି ଯେଉଁ କାବ୍ୟ ରଚିତ ହୁଏ ତାହାକୁ ଖଣ୍ଡକାବ୍ୟ କହନ୍ତି । ମେଘଦୂତରେ ଯକ୍ଷର ବିରହ ଘଟନାଟି କେବଳ ବର୍ଣ୍ଣିତ ହୋଇଥିବାରୁ ଏହା ଖଣ୍ଡକାବ୍ୟ । ପ୍ରାଚୀନ କାଳରେ ପୁରାଣମାନଙ୍କରୁ କବିମାନେ ଖଣ୍ଡକାବ୍ୟର ବିଷୟ ବସ୍ତୁ ସଂଗ୍ରହ କରୁଥିଲେ । ତତ୍ପରେ ଇତିହାସ ଓ କିମ୍ବଦନ୍ତୀରୁ ସଂଗ୍ରହ କଲେ ଅଥବା କଳ୍ପନାରୁ ଗଢ଼ିଲେ । ଖଣ୍ଡକାବ୍ୟରେ ମହାକାବ୍ୟର ଆଂଶିକ ଲକ୍ଷଣ ଥାଏ । ଚନ୍ଦ୍ରଭାଗା, ନନ୍ଦିକେଶରୀ, ଯଯାତିକେଶରୀ, ଲାବଣ୍ୟବତୀ, ପ୍ରେମ ସୁଧାନିଧି ପ୍ରଭୃତି ସମସ୍ତ କାବ୍ୟ ଏହି ଶ୍ରେଣୀର ଅନ୍ତର୍ଗତ । କୌଣସି ଖଣ୍ଡକାବ୍ୟର ସର୍ଗ ସଂଖ୍ୟା ଆଠରୁ ଅଧିକ ନୁହେ । କିନ୍ତୁ ଲାବଣ୍ୟବତୀ, ପ୍ରେମ ସୁଧାନିଧି ପ୍ରଭୃତିରେ କେବଳ ପ୍ରେମରସର ଚିତ୍ର ଥିବାରୁ ଓ ଏ ଗୁଡ଼ିକ ସର୍ଗରେ ବିଭକ୍ତ ନୋହି ଅଷ୍ଟାଧିକ ଛାନ୍ଦରେ ବିଭକ୍ତ ହୋଇଥିବାରୁ ଏଗୁଡ଼ିକୁ ଖଣ୍ଡକାବ୍ୟ କୁହାଯାଏ । ଏଗୁଡ଼ିକର ବିଷୟ-ବସ୍ତୁ କଳ୍ପନା-ପ୍ରସୂତ ।

 

ଆଧୁନିକ ଯୁଗରେ ମହାକାବ୍ୟ ବା ଖଣ୍ଡକାବ୍ୟର ଆଦର ଅନେକ ଦେଶରେ ନାହିଁ । କିନ୍ତୁ ଯେଉଁ ଦେଶର ଭାଷା ଅପରିମାର୍ଜ୍ଜିତ ସେହି ଦେଶରେ ମହାକାବ୍ୟ ବା ଖଣ୍ଡକାବ୍ୟର ଆଦର ନ ବଢ଼ିଲେ ଭାଷାର ଶ୍ରୀବୃଦ୍ଧି ଘଟେ ନାହିଁ । କେଉଁ ଶବ୍ଦ ସଙ୍ଗେ କେଉଁ ଶବ୍ଦ ଯୋଜନା କଲେ ଭାଷାର ସୌଷ୍ଟବ ବଢ଼େ ଓ ଭାଷା କବିତାର ଉପଯୋଗୀ ହୁଏ, ତାହା କବି ଜାଣେ । କବିତାର ଭାଷା ପାଠକର ସ୍ମୃତି-ପଟରେ ଶୀଘ୍ର ଅଙ୍କିତ ହୋଇ ଯାଏ । ସେହି ଭାଷାକୁ ପାଠକ ଗଦ୍ୟ ରଚନାରେ ବ୍ୟବହାର କଲେ ଗଦ୍ୟରେ ଭାଷା ଶ୍ରୂତିମଧୁର ହୁଏ । ଓଡ଼ିଆ ଭାଷା ବର୍ତ୍ତମାନ ଅପରିମାର୍ଜ୍ଜିତ, ଏଣୁ ଓଡ଼ିଶାରେ ବର୍ତ୍ତମାନ ମହାକାବ୍ୟ ବା ଖଣ୍ଡକାବ୍ୟର ଚର୍ଚ୍ଚା ଊଣା ହେବା ଉଚିତ ନୁହେ ।

 

ଉପନ୍ୟାସ–ମହାକାବ୍ୟ ବା ଖଣ୍ଡକାବ୍ୟର ବିଷୟ-ବସ୍ତୁ-ଠାରୁ ଉପନ୍ୟାସର ବିଷୟ-ବସ୍ତୁ ଭିନ୍ନ ନୁହେ । ମହାକାବ୍ୟ ଓ ଖଣ୍ଡକାବ୍ୟ ପଦ୍ୟରେ ଏବଂ ଉପନ୍ୟାସ ଗଦ୍ୟରେ ରଚିତ ହେଉଥିବାରୁ ଉପନ୍ୟାସକୁ ଏକ ସ୍ୱତନ୍ତ୍ର ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଏ । ଏହା ପ୍ରାଚୀନ କାଳରେ ଐତିହାସିକ ବା କିମ୍ବଦନ୍ତୀ ମୂଳକ ଘଟନାକୁ ଅବଲମ୍ବନ କରି ରଚିତ ହେଉଥିଲା ଅଥବା ଶୁଦ୍ଧ କଳ୍ପନାରୁ ପ୍ରସୂତ ହେଉଥିଲା । କି ଉପନ୍ୟାସ, କି ଖଣ୍ଡକାବ୍ୟ, କି ମହାକାବ୍ୟ, ସବୁଥିରେ ପ୍ରାଚୀନ କାଳରେ କୌଣସି ରାଜା ବା ରାଜପୁତ୍ର ପ୍ରଧାନ ନାୟକ ରୂପେ ଅଭିନୟ କରୁଥିଲେ । କିନ୍ତୁ ଆଧୁନିକ ଯୁଗରେ ଦେଶର ବା ସମାଜର କୌଣସି ପ୍ରତ୍ୟକ୍ଷ ବିଶିଷ୍ଟ କର୍ମୀର କୌଣସି ଗୋଟିଏ ବିଶିଷ୍ଟ କର୍ମକୁ ଅବଲମ୍ବନ କରି କ୍ଷୁଦ୍ର ଉପନ୍ୟାସ ଅଥବା ବିଭିନ୍ନ ବିଶିଷ୍ଟ କର୍ମକୁ ଅବଲମ୍ବନ କରି ବୃହତ୍ ଉପନ୍ୟାସ ରଚିତ ହୁଏ । ଦୁର୍ବଳ ଉପରେ ପ୍ରବଳର ଅତ୍ୟାଚାର, ସମାଜର କୁସଂସ୍କାର ପ୍ରଭୃତି ଦେଶଗତ ବା ସମାଜଗତ ଅନୁଭୂତିମାନଙ୍କୁ ଭାଷାଶିଳ୍ପୀ ଭାଷାରେ ଚିତ୍ର କରେ । ତହିଁରେ ବ୍ୟକ୍ତି ବିଶେଷର ଅନୁଭୂତିକୁ ପୂର୍ଣ୍ଣଚିତ୍ରର ଅଙ୍ଗରୂପେ ମଧ୍ୟ ଯୋଜନା କରିଥାଏ । ବ୍ୟକ୍ତି ବିଶେଷର ଅନୁଭୂତି ୰କବିବର ରାଧାନାଥଙ୍କ କାବ୍ୟମାନଙ୍କରେ ଅନେକ ସ୍ଥାନରେ ଚିତ୍ରିତ । ଯଥା : –

 

“ସହିବାରୁ ସିନା ହୀରକ ଦାରୁଣ

ଅୟୋଘନ ଘାତ-ଦୁଃଖ

ଅବତଂସ-ଛଳେ ଲଭଇ ସୁନ୍ଦରୀ–

କପୋଳ ଚୁମ୍ବନ-ସୁଖ ।” (ଯଯାତିକେଶରୀ)

 

“ଏସନ ତନୟା ପାଇ ରାଣୀଙ୍କର

କିପାଇଁ ମଳିନ ମୁଖ

ଯା ଲାଗି ଜଗତେ ଯେତେ ସୁଖ, ସେହି

ଦିଏ ପୁଣି ତେତେ ଦୁଃଖ ।” (ପାର୍ବତୀ)

 

ଏପରି ଅନୁଭୂତିଗୁଡ଼ିକ ସର୍ବକାଳରେ ଓ ସର୍ବଦେଶରେ ସର୍ବଜନ ସିଦ୍ଧ । ଦୁଃଖ ବିନା ସୁଖ ନାହିଁ ଓ ସୁଖ ମଧ୍ୟ ଦୁଃଖର କାରଣ ପ୍ରଭୃତି ସତ୍ୟଗୁଡ଼ିକ କାବ୍ୟ ଉପନ୍ୟାସ ପଢ଼ି ଭଲରୂପେ ହୃଦୟଙ୍ଗମ କରି ପାରିଲେ ପାଠକର ସ୍ୱଭାବ ମହତ୍ ହୁଏ । ଏଥିପାଇଁ ସାହିତ୍ୟକୁ ମହତ୍ ସ୍ୱଭାବର ଧାତ୍ରୀସ୍ୱରୂପ କହନ୍ତି (literature is the nurse of noble natures) ।

 

ମିଥ୍ୟାର ଶତ ଆବରଣ–ତଳରୁ ସତ୍ୟ ଫୁଟି ବାହାରି ପଡ଼େ–ଏହି ସୂକ୍ଷ୍ମ ସତ୍ୟଟି ଛ’ ମାଣ ଆଠଗୁଣ୍ଠରେ ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ରରେ ପ୍ରମାଣିତ । କାମନା ଧ୍ୱଂସର କାରଣ-ଏହା ତନ୍ତିଆଣୀ ସାରିଆର ଜୀବନରେ ପ୍ରମାଣିତ । ଭଗବାନଙ୍କ ନିର୍ଦ୍ଦେଶ ବୁଝି ନ ପାରି ଅବଳା-ଜାତି ମାତୃତ୍ୱର ଲାଳସାରେ ସର୍ବସ୍ୱ ବଳି ଦେଇ ପାରନ୍ତି, ତାହା ମଧ୍ୟ ସାରିଆର ଚରିତ୍ରରେ ପ୍ରତିଫଳିତ । ଏହିପରି ଅନେକ ସତ୍ୟ ଛ’ମାଣ ଆଠଗୁଣ୍ଠରେ ସ୍ୱତଃ ମୂର୍ତ୍ତିମନ୍ତ । ରାଧାନାଥଙ୍କ ପରି ଫକୀର ମୋହନ ସତ୍ୟର ପ୍ରତ୍ୟକ୍ଷ ଉପଦେଷ୍ଟା ନୁହନ୍ତି; ସେ କେବଳ ପ୍ରକାଶକ । ଅର୍ଥାତ୍ କାର୍ଯ୍ୟରୂପରେ ସତ୍ୟ ମୂର୍ତ୍ତିମନ୍ତ ହୋଇଅଛି ।

 

ଶିଶୁ ଜୀବନ୍ତ ପକ୍ଷୀ-ଶାବକ ବା ପଶୁ-ଶାବକ ଦେଖିଲେ ଯେପରି ଆନନ୍ଦରେ ନାଚି ଉଠେ ପିତୁଳା ଦେଖି ସେପରି ହୁଏନାହିଁ । ଯାହା ସହିତ ପ୍ରାଣର ଯେତିକି ସମ୍ବନ୍ଧ ଥାଏ । ତାହା ପ୍ରତି ପ୍ରାଣ ତେତିକି ଆକୃଷ୍ଟ ହୁଏ । ପିତୁଳାର କେବଳ ରୂପ ଅଛି, କିନ୍ତୁ ପକ୍ଷୀ ଶାବକ ବା ପଶୁ-ଶାବକର ପ୍ରାଣ ଥିବାରୁ ଶିଶୁ ତାହା ପ୍ରତି ବେଶୀ ଆକୃଷ୍ଟ ହୁଏ । ଏହିପରି ଯେଉଁ ସତ୍ୟ ସ୍ୱତଃ ମୂର୍ତ୍ତିମନ୍ତ ହୋଇ ବାସ୍ତବ ଆକାରରେ ଉଦ୍‍ଭାସିତ ହେଉଥାଏ ତାହା ପାଠକକ ପ୍ରାଣକୁ ସ୍ପର୍ଶ କରେ ।

 

ମାଟିର ମଣିଷରେ ଶିଳ୍ପୀ ଉପଦେଷ୍ଟ ରୂପେ ଦଣ୍ଡାୟମାନ ହୋଇ ଥିବାରୁ ଶିଳ୍ପ-ସୌନ୍ଦର୍ଯ୍ୟ ଉଜ୍ଜ୍ୱଳ ହୋଇ ପାରି ନାହିଁ, ଏଥିରେ ତ୍ୟାଗର ଚିତ୍ରଟି ମଧ୍ୟ ଜ୍ୱଳନ୍ତ ହୋଇ ନାହିଁ । ଅନ୍ଧକାରରେ ପ୍ରଦୀପର ଆଲୋକଟି ଯେପରି ଉପଲବ୍‍ଧ ହୁଏ ସୂର୍ଯ୍ୟାଲୋକରେ ସେପରି ଉପଲବ୍‍ଧ ହୁଏ ନାହିଁ-। ତଦ୍ରୃପ କ୍ଳେଶ ମଧ୍ୟରେ ସନ୍ନିହିତ ସୁଖ ପ୍ରତି ବିମୁଖ ହେଲେ ତ୍ୟାଗର ମୂର୍ତ୍ତି ଜାଜ୍ୱଲ୍ୟମାନ ହୁଏ-। କିନ୍ତୁ ବରଜୁର ତ୍ୟାଗ ସେପରି ନୁହେ ।

 

କୋଷକାବ୍ୟ–ବିଭିନ୍ନ ବିଷୟରେ ରଚିତ ବିଭିନ୍ନ ପଦ୍ୟର ଏକତ୍ର ସମାବେଶକୁ କୋଷକାବ୍ୟ କହନ୍ତି । ଏଥିରେ ଖଣ୍ଡ ଗୀତି କବିତା, ଚତୁର୍ଦ୍ଦଶପଦୀ ଓ ସାଧାରଣ କବିତା ଥାଏ । ଗୀତି-କବିତାର ପରିଚୟ ପରେ ଦିଆଯିବ । ବ୍ରହ୍ମଜ୍ଞ ମଧୁସୂଦନ ଇଂରେଜୀ Sonnet ର ଅନୁକରଣରେ ଚତୁର୍ଦ୍ଦଶପଦୀ କବିତା ରଚନା କଲେ । ଏଥିରେ ଚତୁର୍ଦ୍ଦଶ ଚରଣ ଥିବାରୁ ପଡ଼ିଆରେ ଏହାକୁ ଚତୁର୍ଦ୍ଦଶପଦୀ କୁହା ଯାଉଅଛି । ଏଥିରେ କୌଣସି ବିଷୟର ସାଧାରଣ ବର୍ଣ୍ଣନା ଆଠ ଚରଣରେ, ନରମ-ବର୍ଣ୍ଣନା (Climax) ଚାରି ଚରଣରେ ଓ କବିଙ୍କ ଉପସଂହାର ଦୁଇ ଚରଣରେ ବର୍ଣ୍ଣିତ ହୁଏ । ବିଭିନ୍ନ ଚତୁର୍ଦ୍ଦଶପଦୀ କବିତାର ଗୁଚ୍ଛକୁ ମଧୁସୂଦନ ଗାଥା ନାମରେ ଅଭିହିତ କରି ଅଛନ୍ତି । ପ୍ରାଚୀନ କାଳରେ ବୌଦ୍ଧଧର୍ମର ନୀତିଶିକ୍ଷାମୂଳକ ପଦ୍ୟ ଗଳ୍ପକୁ ଗାଥା କହୁଥିଲେ । ମଧୁସୂଦନଙ୍କ ଚତୁର୍ଦ୍ଦଶପଦୀ କବିତାରେ ମଧ୍ୟ ନୀତି-ତତ୍ତ୍ୱ ଅଛି । ଏଣୁ ‘ଗାଥା’ ନାମର ସାର୍ଥକତା ଥିଲେ ମଧ୍ୟ ବିଭିନ୍ନ ଚତୁର୍ଦ୍ଦଶପଦୀ-କବିତା ସନ୍ନିବେଶିତ ବସନ୍ତଗାଥା କୋଷକାବ୍ୟ-ଶ୍ରେଣୀର ଅନ୍ତର୍ଭୁକ୍ତ । ଏହିପରି କୁନ୍ତଳାକୁମାରୀଙ୍କ ଅର୍ଚ୍ଚନା ଓ କବି ପଦ୍ମଚରଣ ପଟ୍ଟନାୟକଙ୍କ ପଦ୍ମପାଖୁଡ଼ାକୁ କୋଷକାବ୍ୟ କୁହାଯାଏ ।

 

ମହାଯାତ୍ରା ଖଣ୍ଡିଏ ଅସମ୍ପୂର୍ଣ୍ଣ କାବ୍ୟ । (୧) କିନ୍ତୁ ବୃକ୍ଷର ଏକ ଅଙ୍ଗ ଦେଖି ତାହାର ପୂର୍ଣ୍ଣାଙ୍ଗ ମନୁଷ୍ୟ ଯେପରି ଉପଲବ୍‍ଧି କରିପାରେ ସେପରି କାବ୍ୟର ଏକ ଅଙ୍ଗ ପଢ଼ି କାବ୍ୟ-ସମାଲୋଚନା କାବ୍ୟର ପୂର୍ଣ୍ଣାଙ୍ଗ ଧାରଣା କରିପାରେ । (୨) ମହାଯାତ୍ରାର ନିର୍ମିତ ଅଙ୍ଗଟିରୁ ଜଣା ପଡ଼େ ଯେ ତାହାର ପୂର୍ଣ୍ଣାଙ୍ଗ କୌଣସି ଜଣେ ପ୍ରଧାନ ନାୟକର ବୃତ୍ତାନ୍ତର ପ୍ରତିମୂର୍ତ୍ତି ହୋଇ ନ ଥାଆନ୍ତା । ଏହି ପ୍ରଧାନ ଲକ୍ଷଣର ଅଭାବରୁ ମହାଯାତ୍ରା ମହାକାବ୍ୟ ନୁହେ । (୩) ଏଥିରେ ବିଭିନ୍ନ ବିଷୟ ପରସ୍ପରଠାରୁ ବିଚ୍ଛିନ୍ନ ଭାବରେ ବର୍ଣ୍ଣିତ ହୋଇଥିବାରୁ ଏହାକୁ କୋଷକାବ୍ୟ କହିବା ଉଚିତ ।

 

ଗୀତିକାବ୍ୟ–ନୃତ୍ୟ ବା ବାଦ୍ୟର ତାଳର ଅନୁରୂପ ଛନ୍ଦରେ ସଙ୍ଗୀତର ମୂର୍ଚ୍ଛନା ସହ କୌଣସି ଏକ ଦୀର୍ଘ ଅନୁଭୂତି ବା ଏକ ରସର ବିଭିନ୍ନ ଅନୁଭୂତି ଖଣ୍ଡ କବିତାରେ ରଚିତ ହୋଇ ଏକତ୍ର ସମାବେଶ ଘଟିଲେ ତାହାକୁ ଗୀତିକାବ୍ୟ କହନ୍ତି । ବିଭିନ୍ନ ଅନୁଭୂତି ବିଭିନ୍ନ–ଖଣ୍ଡକବିତାରେ ଚିତ୍ରିତ ହେଲେ ମଧ୍ୟ ଏକ ବିଷୟମୂଳକ ହୋଇଥିଲେ ସେ ଗୁଡ଼ିକର ଏକତ୍ର ସମାବେଶରେ ଗୀତିକାବ୍ୟ ହୁଏ । ବିଭିନ୍ନ ବିଷୟକ ହେଲେ ତାହା କୋଷକାବ୍ୟ ନାମରେ ପରିଚିତ ହୁଏ । କୁନ୍ତଳାକୁମାରୀଙ୍କ ପ୍ରେମଚିନ୍ତାମଣି । ଖଣ୍ଡିଏ ଗୀତିକାବ୍ୟ । ଏଥିରେ ପ୍ରେମଛଡ଼ା ଅନ୍ୟ ବିଷୟ ନାହିଁ ଓ ପ୍ରତ୍ୟେକ କବିତାରେ ସଙ୍ଗୀତର ମୂର୍ଚ୍ଛନା ଅଛି ।

 

ପୂର୍ବେ ଗୀତିକାବ୍ୟ ଚଉତିଶା ନାମରେ ଅଭିହିତ ହେଉଥିଲା । ଏଥିରେ ଚଉତ୍ରିଶଟି ସ୍ତବକ ସନ୍ନିବେଶିତ ହେଉଥିଲା ଓ ପ୍ରଥମ ସ୍ତବକର ପ୍ରତ୍ୟେକ ଚରଣର ଆଦ୍ୟରେ ‘କ’, ଦ୍ୱିତୀୟ ସ୍ତବକର ପ୍ରତ୍ୟେକ ଚରଣର ଆଦ୍ୟରେ ‘ଖ’-ଏହିପରି କ୍ରମାନ୍ୱୟେ ଚଉତ୍ରିଶଟି ବ୍ୟଞ୍ଜନ ବ୍ୟବହୃତ ହେଉଥିଲା । ଏହି ଚଉତିଶାରେ କରୁଣ-ରସର ଦୀର୍ଘ ଅନୁଭୂତି ଚିତ୍ରିତ ହେଉଥିଲା ।

 

ଆଧୁନିକ ଗୀତି କବିତାରେ ସଙ୍ଗୀତର ମୁର୍ଚ୍ଛନା ପ୍ରୟୋଜନୀୟ ଅଙ୍ଗ ନୁହେ । ଯେ କୌଣସି ଗୋଟିଏ ଅନୁଭୂତି ଅଳ୍ପସଂଖ୍ୟକ ସ୍ତବକରେ ଅପ୍ରସ୍ତୁତ-ପ୍ରଶଂସାଳଙ୍କାରରେ (Allegorica language) ଚିତ୍ରିତ ହୁଏ ବ୍ରହ୍ମର୍ଷି ମଧୁସୂଦନଙ୍କ ‘ନଦୀ ପ୍ରତି’ କବିତାରେ ନଦୀର ଗତି ରୂପରେ ମନୁଷ୍ୟର ଜୀବନଗତି ବର୍ଣ୍ଣିତ ହୋଇଅଛି । ଜ୍ଞାନୀନ୍ଦ୍ର ବର୍ମୀଙ୍କ ‘ବ୍ୟଥିତ ଆଷାଢ଼’ କବିତାରେ ସମାଜରେ ମୂଲ୍ୟବାନ୍‍ ବ୍ୟକ୍ତିର ଅନାଦର–ଏହି ଅନୁଭୂତିଟି ରୂପାୟିତ ହୋଇଅଛି । ଏହି କବିତାରେ ବର୍ଣ୍ଣନା କରା ଯାଇଅଛି ଯେ, କୃଷି-କାର୍ଯ୍ୟରୁ ଫେରି କୃଷକ ଯେପରି ଉଦର-ଜ୍ୱାଳା ମେଣ୍ଟାଇ ପାରେ ସେଥିପାଇଁ ତାହାର କନ୍ୟା ଦ୍ୱାର ଦ୍ୱାର ଚାଉଳ ଧାର ମାଗିଲା, କିନ୍ତୁ ବିଳାସରତ କୌଣସି ବ୍ୟକ୍ତି ତାହାର ପ୍ରାର୍ଥନା ଶୁଣିଲେ ନାହିଁ ।

 

ଏହିପରି ଗୀତି-କବିତାର ସାଧାରଣ ବର୍ଣ୍ଣନାରେ ବିଶେଷ ଅର୍ଥ ପ୍ରତିଭାତ ହୁଏ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏପରି ନାହିଁ ।

 

ଗଳ୍ପ–ଏହା ଗଦ୍ୟ ଭାଷାରେ ରଚିତ ହୁଏ ଏବଂ କ୍ଷୁଦ୍ର ଓ ବୃହତ ଭେଦରେ ଦୁଇ ପ୍ରକାର । ଗଳ୍ପ ବଡ଼ ହେଲେ ତାହାକୁ ଉପନ୍ୟାସ କୁହା ଯାଏ ନାହିଁ । ଉପନ୍ୟାସରେ ଘଟନା ବୈଚିତ୍ର୍ୟ ବା ବିଭିନ୍ନ ରସ ଥାଏ । ଏଣୁ ତହିଁରେ ଧାରାବାହିକ ବର୍ଣ୍ଣନା ନ ଥାଏ । ଛ’ମାଣ ଆଠଗୁଣ୍ଠ, ମାମୁ, ଲଛମା ପ୍ରଭୃତିରେ କୌଣସି ଏକ କର୍ମ ଧାରାବାହିକ ଭାବରେ ବର୍ଣ୍ଣିତ ନୁହେ । ବିଭିନ୍ନ କର୍ମ ଏକ ପ୍ରଧାନ କର୍ମର ବିଭିନ୍ନ ଅଙ୍ଗରୂପେ ବର୍ଣ୍ଣିତ ହୋଇଥିବାରୁ ତହିଁରେ ବିଚିତ୍ରତାର ସୃଷ୍ଟି ହୋଇ ଅଛି । କିନ୍ତୁ ‘ଧରମ ଝିଅ’ରେ ଏକ ରସର ଉନ୍ମାଦନା ଧାରାବାହିକ ଭାବରେ ବର୍ଣ୍ଣିତ ହୋଇ ଥିବାରୁ ଏହାକୁ ଉପନ୍ୟାସ କୁହା ନ ଯାଇ ଗଳ୍ପ କୁହାଯାଏ । ଆତ୍ମଚରିତ ରୂପେ ଏହି ଗଳ୍ପଟି ଲିଖିତ । ଅଳସ ଜୀବନ ମନ୍ଦ ଆଚରଣର କାରଣ, ବଡ଼ ଲୋକଙ୍କ ଅନୀତି ସମାଜରେ ଲୁଚିଯାଏ–ଏହିପରି ଅସଂଖ୍ୟ ଅନୁଭୂତି ଚିତ୍ର ଏଥିରେ ଅଛି । କିନ୍ତୁ ‘ବ୍ୟଥିତ ଆଷାଢ଼’ କବିତାରେ ଚିତ୍ରିତ ଅନୁଭୂତି ପରି ଏହି ସମସ୍ତ ଅନୁଭୂତି ଦେଶ ଓ କାଳରେ ସୀମାବଦ୍ଧ । ସମୟ ଆସିପାରେ, ଯେତେବେଳେ ଏପରି ଅନୁଭୂତି ଦେଶରୁ ବା ସମାଜରୁ ଲୁପ୍ତ ହୋଇଯିବ । କିନ୍ତୁ ‘ନଦୀପ୍ରତି’ କବିତାରେ ଯେଉଁ ଅନୁଭୂତି ଚିତ୍ରିତ ହୋଇ ଅଛି ତାହା ଦେଶ ଓ କାଳରେ ସୀମାବଦ୍ଧ ନୁହେ । ଯେଉଁ ରଚନାରେ ମନୁଷ୍ୟ ହୃଦୟର ଚିରନ୍ତନ ସତ୍ୟ ଫୁଟିଉଠେ ତାହା ସର୍ବଦେଶରେ ସର୍ବ କାଳରେ ସ୍ଥାୟୀ ହୋଇ ରହେ । ‘ଧର୍ମ-ଝିଅ’ ରେ ସେପରି ନାହିଁ ।

 

ମନୁଷ୍ୟ ଯେଡ଼େ ଅତ୍ୟାଚାରୀ ହେଉ ପଛକେ ତାହାର ହୃଦୟ କନ୍ଦରରୁ ଅତ୍ୟାଚାରର ଅସ୍ପଷ୍ଟ ନିଷେଧ-ବାଣୀ ସ୍ଫୁରୁଥାଏ । ଏହିପରି ଯେତେ ସୂକ୍ଷ୍ମ ସତ୍ୟ ଅଛି ସେଗୁଡ଼ିକୁ ନ ଫୁଟାଇଲେ କବି ପ୍ରତିଭାର ବିଶେଷ ପରିଚୟ ମିଳେ ନାହିଁ । ଉପେନ୍ଦ୍ରଭଞ୍ଜ କହି ଅଛନ୍ତି- “ବୃଦ୍ଧ ହେଲେ ବାଳକେ ତିଆରି କହଇ ବାଣୀ” ଆମ୍ଭେମାନେ ମଧ୍ୟ ପ୍ରତ୍ୟକ୍ଷ କରୁଁ ଯେ, ବେଶ୍ୟା ନିଜ ଗର୍ଭଜାତ କନ୍ୟାକୁ ବେଶ୍ୟା-ବୃତ୍ତି ଗ୍ରହଣ କରିବା ପାଇଁ ସୁଯୋଗ ଦେବାର ଅଭିଳାଷ କରେ ନାହିଁ । ନିଜ ସତୀତ୍ୱ ରକ୍ଷା ନ କରିଥିଲେ ମଧ୍ୟ କନ୍ୟାର ସତୀତ୍ୱ ରକ୍ଷା ପାଇଁ ମାତାର ପ୍ରାଣ ବ୍ୟାକୁଳ ହେବା ସ୍ୱାଭାବିକ । ଏଣୁ ବାସନ୍ତୀର ମାତା ନିଜ କନ୍ୟାର ଅବୈଧ ପ୍ରଣୟ ସମର୍ଥନ କରି ନିଜ ସ୍ୱାମୀଙ୍କ ସଙ୍ଗେ କଳହ କରି ଥିବାରୁ ନାରୀ ହୃଦୟର ଚିରନ୍ତନ ସତ୍ୟଟି ଲୁଚି ଗଲା । ଶ୍ରୀନାଥ ବାବୁ ବିବାହିତ ଜାଣିଶୁଣି ବାସନ୍ତୀ ସଂଗ୍ରାମ ଶୂନ୍ୟ ଚିତ୍ତରେ ଅନଳକୁ ଡେଇଁବାରେ ଶିଳ୍ପ-କୃତିତ୍ୱର ଉତ୍‍କର୍ଷ ସାଧିତ ହୋଇ ନାହିଁ । ଏହିପରି ଧର୍ମ-ଝିଅରେ ତ୍ରୁଟି ଦେଖାଯାଏ ।

 

ଗୀତି–କବିତାରେ ଅନୁଭୂତି ଚିତ୍ର କରିବା ଯେପରି କଠିନ କ୍ଷୁଦ୍ର ଗଳ୍ପରେ ଚିତ୍ର କରିବା ମଧ୍ୟ ସେପରି କଠିନ । ବ୍ୟକ୍ତି ବିଶେଷଙ୍କ ଚରିତ୍ର ସମ୍ବନ୍ଧରେ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ପଣ୍ଡାଙ୍କ ହୃଦୟରେ ଯେଉଁ ଅନୁଭୂତି ଜନ୍ମି ଅଛି ତାହା ସେ ‘ଶନିଦୃଷ୍ଟି’ ଓ ଅନ୍ୟାନ୍ୟ କେତେକ ଗଳ୍ପରେ ଚିତ୍ର କରିଅଛନ୍ତି ।

 

ଶ୍ରଦ୍ଧେୟ ରାଜ କିଶୋର ରାୟଙ୍କ ‘ଶିଳା ଓ ଶୈଳ’ ନାମକ କ୍ଷୁଦ୍ର ଗଳ୍ପରେ ଚିରନ୍ତନ ସତ୍ୟ ମୂର୍ତ୍ତିମନ୍ତ ହୋଇଅଛି । କେଉଁ ଅମର ଶିଳ୍ପୀଙ୍କ କର–ସ୍ପର୍ଶମଣି ବାଜି ଗୋଡ଼ରେ ଫିଙ୍ଗି ଦେବା ଭଳି ଖଣ୍ଡିଏ ପଥରରେ ମୋହିନୀ ଶକ୍ତି ବିକଶି ଉଠିଥିଲା ତାହା କେହି ଜାଣେ ନାହିଁ, ଶିଳ୍ପ-ମଧୁପ ତହିଁରୁ ମଧୁ ଖୋଜୁ ଥିଲେ । କିନ୍ତୁ ତାହାଙ୍କର ପତ୍ନୀ ତହିଁରୁ ମାତୃତ୍ୱର ମାଦକତା ପାନ କରି ପ୍ରାଣ ହରାଇଲେ । ମୂକ ଶିଳ୍ପୀ ଯଦି ମାତୃତ୍ୱର ଲାଳସା ଜନ୍ମାଇ ପାରିଲା ମୁଖର ଶିଳ୍ପ କଅଣ କରି ନ ପାରେ ? ଶିଳା-ଶିଳ୍ପୀ ଯଦି ଶିଳାର ସୌନ୍ଦର୍ଯ୍ୟ ଫୁଟାଇ ଶିଳା ପ୍ରତି ମନୁଷ୍ୟର ଚିତ୍ତ ଆକର୍ଷଣ କରି ପାରେ ତେବେ ଭାଷା ଶିଳ୍ପୀ ମନୁଷ୍ୟର ସୌନ୍ଦର୍ଯ୍ୟ ଫୁଟାଇ ମର୍ତ୍ତ୍ୟକୁ ସ୍ୱର୍ଗରେ ପରିଣତ କରି ନ ପାରେ କି ? ଲାଳସାର ମାଦକତା ମନୁଷ୍ୟର ସର୍ବନାଶର କାରଣ ନୁହେ କି ?

 

ଗୀତା–ଗୁରୁ-ଶିଷ୍ୟଙ୍କ ପ୍ରଶ୍ନୋତ୍ତର-ଛଳରେ ପୂର୍ବେ ଦାର୍ଶନିକ ତତ୍ତ୍ୱର ବ୍ୟାଖ୍ୟା ଓଡ଼ିଆ ପଦ୍ୟରେ ଲିଖିତ ହେଉଥିଲା । ଅର୍ଜ୍ଜୁନ-ଗୀତା, ବିରାଟ-ଗୀତା ପ୍ରଭୃତି ଅନେକ ଅଛି । ଆଧୁନିକ ଯୁଗରେ ଏପରି ରଚନା ନାହିଁ ।

 

ଉପାଖ୍ୟାନ–ଶିଶୁମାନଙ୍କ ଶିକ୍ଷା ପାଇଁ ଯେଉଁ ସବୁ ଗଳ୍ପ ରଚିତ ହୁଏ ତାହାକୁ ଉପାଖ୍ୟାନ କହନ୍ତି ।

 

ପ୍ରବନ୍ଧ–ମନୁଷ୍ୟର ଅନୁଭୂତିର ସାରତ୍ୱ ବା ଅସାରତ୍ୱ ଯୁକ୍ତି ଦ୍ୱାରା ପ୍ରତିପାଦିତ ହୋଇ ଗଦ୍ୟରେ ଲିପିବଦ୍ଧ ହେଲେ ତାହାକୁ ପ୍ରବନ୍ଧ କହନ୍ତି । ବିବିଧ ପ୍ରବନ୍ଧ, ପ୍ରବନ୍ଧ-ସୋପାନ ପ୍ରଭୃତି ଏହି ଶ୍ରେଣୀରେ ଅନ୍ତର୍ଗତ । ଏହା ଉନ୍ନତ ସାହିତ୍ୟର ପରିଚାୟକ ।

 

ଜୀବନ ଚରିତ–କୌଣସି ମହାପୁରୁଷ ବା ପ୍ରତିଭାଶାଳୀ ବ୍ୟକ୍ତିଙ୍କ ଜୀବନ-ବୃତ୍ତାନ୍ତ ଧାରାବାହିକ ଭାବରେ ଯହିଁରେ ବର୍ଣ୍ଣିତ ଥାଏ ତାହାକୁ ଜୀବନ ଚରିତ କହନ୍ତି । କବିବର ରାଧାନାଥଙ୍କ ଜୀବନୀ ଓ ଫକୀର ମୋହନଙ୍କ ଆତ୍ମ ଚରିତ ଏହି ଶ୍ରେଣୀର ଅନ୍ତର୍ଗତ ।

 

ନାଟକ–କାବ୍ୟ ଓ ଉପନ୍ୟାସରେ ନାୟକନାୟିକାଙ୍କ କାର୍ଯ୍ୟ–ସ୍ଥଳର ଭୌଗୋଳିକ ବିବରଣ, ଋତୁ ପ୍ରଭୃତିର ପ୍ରାକୃତିକ ଦୃଶ୍ୟ ଓ ନାୟକ ନାୟିକାଙ୍କ ଅନୁଭାବ, ଅର୍ଥାତ ଭାବ ପ୍ରକାଶକ ଅଙ୍ଗ ଭଙ୍ଗି କବି ନିଜେ ଅଳଙ୍କାର ଭାଷାରେ ବର୍ଣ୍ଣନା କରେ କିନ୍ତୁ ନାଟକରେ ଭୌଗାଳିକ ବିବରଣ ଓ ପ୍ରାକୃତିକ ଦୃଶ୍ୟ ପଟରୁ ଏବଂ ନାୟକ ନାୟିକାଙ୍କ ଅନୁଭାବ ଅଭିନେତାମାନଙ୍କ ଅଭିନୟରୁ ଦର୍ଶକମାନେ ଉପଲବଧି କରନ୍ତି, ଏଣୁ ନାଟକକୁ ଦୃଶ୍ୟ-କାବ୍ୟ କହନ୍ତି ।

 

ନାଟକରେ ନାୟକ–ନାୟିକାଙ୍କ ବେଶଭୂଷା ବର୍ଣ୍ଣନା କରିବାର ପ୍ରୟୋଜନ ହୁଏ ନାହିଁ । କେବଳ ନାୟକମାନଙ୍କ, ନାୟିକାମାନଙ୍କ ଓ ନାୟକ ନାୟିକାମାନଙ୍କ ମଧ୍ୟରେ ପରସ୍ପର କଥୋପକଥନ ନାଟକରେ ଉଲ୍ଲେଖ କରାଯାଏ ।

 

ପ୍ରାଚୀନ କାଳରେ ଅଭିନୟକୁ ଆଙ୍ଗିକ, ବେଶ ଭୂଷାକୁ ଆହାର୍ଯ୍ୟ ଓ କଥୋପକଥନକୁ ବାଚିକ କହୁଥିଲେ । କୌଣସି ନାଟକ ପାଞ୍ଚ ଅଙ୍କରୁ ଊଣା ଅଥବା ଦଶ ଅଙ୍କରୁ ଅଧିକ ହେଉ ନ ଥିଲା । ତହିଁରେ ଆରମ୍ଭରେ ନାନ୍ଦୀ, ପ୍ରସ୍ତାବନା ଓ ବିଷ୍କୁମ୍ଭକ ପ୍ରୟୋଜନୀୟ ହେଉଥିଲେ । ପୁଣି ସୂତ୍ରଧାର, ନଟ, ନଟୀ, ବିଦୂଷକ ଓ କଞ୍ଚୁକୀ ନାମରେ ପାତ୍ର ପାତ୍ରୀଙ୍କର ପ୍ରୟୋଜନ ମଧ୍ୟ ହେଉଥିଲା-

 

ଅଭିନୟ ନିର୍ବିଘ୍ନରେ ସମାପ୍ତ ହେବା ନିମନ୍ତେ ଯେଉଁ ବ୍ୟକ୍ତି ପ୍ରାରମ୍ଭରେ ରାଜା ଓ ବ୍ରାହ୍ମଣମାନଙ୍କର ମଙ୍ଗଳ କାମନା କରୁଥିଲା ତାହାକୁ ନାନ୍ଦୀ କୁହା ଯାଉଥିଲା । ପ୍ରାଚୀନ କାବ୍ୟମାନଙ୍କର ପ୍ରାରମ୍ଭରେ ଆଶୀଃ, ନମସ୍କ୍ରିୟା ଅଥବା ବସ୍ତୁ ନିର୍ଦ୍ଦେଶ କରିବାର ପ୍ରଥା ଥିବାରୁ ନାଟକମାନଙ୍କରେ ନାନ୍ଦୀ ରଖା ଯାଉଥିଲା । ଆଧୁନିକ ନାଟକରେ ଏହାର ପ୍ରୟୋଜନ ନାହିଁ ।

 

ନାନ୍ଦୀ ଉତ୍ତାରୁ ନଟ, ନଟୀ ଓ ସୂତ୍ରଧାର ରଙ୍ଗମଞ୍ଚରେ ପ୍ରବେଶ କରି ନାଟକର ବର୍ଣ୍ଣିତ ବିଷୟ ସୁଚାଇ ଯେଉଁ କଥୋପକଥନ କରୁଥିଲେ ତାହାକୁ ପ୍ରସ୍ତାବନା କୁହା ଯାଉଥିଲା । ଏହାଦ୍ୱାରା ଦର୍ଶକମାନଙ୍କର କୌତୂହଳ ଉତ୍ତରୋତ୍ତର ବୃଦ୍ଧି କରିବା ପାଇଁ ଅବସର ରହୁ ନ ଥିବାରୁ ଆଧୁନିକ ନାଟକରେ ଏ ନିୟମ ପରିତ୍ୟକ୍ତ ହୋଇଅଛି । ଏହି ପ୍ରସ୍ତାବନା ମଧ୍ୟ ଉଦ୍‍ଘାତକ, କଥୋଦ୍‍ଘାତକ, ପ୍ରୟୋଗାତିଶୟ, ପ୍ରବୃତ୍ତିକ ଓ ଅବଳ ଗୀତ ନାମରେ ପାଞ୍ଚପ୍ରକାର ଥିଲା ।

 

ନଟ ମଧ୍ୟେ ମଧ୍ୟେ ରଙ୍ଗମଞ୍ଚରେ ଅବତୀର୍ଣ୍ଣ ହୋଇ କୌଣସି ‘ଅଭିନେତାର’ ଦୁର୍ବୋଧ୍ୟ ଉକ୍ତିର ଅଭିପ୍ରାୟ ଜଣାଇ ଦେଉଥିଲା । ତାହାକୁ ଉଦ୍‍ଘାତକ ପ୍ରସ୍ତାବନା କହୁଥିଲେ । ସୂତ୍ରଧାରର ଉକ୍ତି ବୁଝି ପାତ୍ର ପ୍ରବେଶ କଲେ ‘କଥୋଦ୍‍ଯାତ’ ପ୍ରସ୍ତାବନା ହେଉଥିଲା । ଏକ ପ୍ରସଙ୍ଗ ଉତ୍ତାରୁ ଏକ ଦୃଶ୍ୟରେ କୌଣସି ଅସମ୍ପୁକ୍ତ ପ୍ରସଙ୍ଗ ଉଠିଲେ ସୂତ୍ରଧାର ଉପସ୍ଥିତ ହୋଇ ତାହାର ଅବତାରଣା କରୁଥିଲା । ଏହାକୁ ‘ପ୍ରୟୋଗାତିଶୟ ପ୍ରସ୍ତାବନା’ କହୁଥିଲେ । ଉପସ୍ଥିତ କାଳ (ଶରତ ଋତୁ ପ୍ରଭୃତି) ଯେତେବେଳେ ସୂତ୍ରଧାର ବର୍ଣ୍ଣନା କରେ ସେତେବେଳେ ସେହି ବର୍ଣ୍ଣନା ଅନୁସାରେ ପାତ୍ରର ପ୍ରବେଶ କରିବାକୁ ‘ପ୍ରବୃତ୍ତିକ’ ପ୍ରସ୍ତାବନା କହୁଥିଲେ । ଯେତେବେଳେ ସଦୃଶ ବସ୍ତୁ ବା କଥା ଅଥବା ସ୍ମୃତିର ପ୍ରେରଣାରେ ପାତ୍ର ପ୍ରବେଶ କରୁଥିଲା ସେତେବେଳେ ତାହାକୁ ‘ଅବଳ ଗୀତ’ କହୁଥିଲେ ।

 

ସୂତ୍ରଧାରର ସଖା ନଟ ଓ ତାହାର ସ୍ତ୍ରୀ ନଟୀ ନାମରେ ପରିଚିତ । ପ୍ରଧାନ ନାୟକର ହାସ୍ୟ ରସ ଉଦ୍ଦୀପନକାରୀ ସଖା ‘ବିଦୂଷକ ଓ ରାଜାଙ୍କ ଅନ୍ତଃପୁରରେ ପ୍ରବେଶ କରିବାର ଅଧିକାର ଥିବା ବ୍ରାହ୍ମଣ ‘କଞ୍ଚୁକୀ’ ନାମରେ ଅଭିହିତ ହେଉଥିଲେ ।

 

ଆଧୁନିକ ଯୁଗରେ ସମାଜର ଅବସ୍ଥା ପରିବର୍ତ୍ତିତ ହୋଇଅଛି । ଏଣୁ ଆଧୁନିକ ନାଟକରେ ନଟ, ନଟୀ, ବିଦୂଷକ ପ୍ରଭୃତିର ଆଦୌ ପ୍ରୟୋଜନ ନାହିଁ । କେବଳ ଅଭିନେତାର ଦୃଷ୍ଟିର ଅନ୍ତରାଳରୁ ସ୍ଥଳେ ସ୍ଥଳେ କେତେକ କଥା ଶୁଣା ଯିବାର ପ୍ରୟୋଜନ ଅଛି ଓ ଏହାକୁ ପୂର୍ବ ପରି ଏବେ ମଧ୍ୟ ‘ନେପଥ୍ୟେ’ କୁହାଯାଏ । ବିଜନରେ ନିଜ ହୃଦୟରେ ଜାତ ଚିନ୍ତାକୁ ‘ସ୍ୱଗତ’ କହନ୍ତି-

 

ଜଗତରେ ସୁଖ-ଦୁଃଖ, ଆଲୋକ-ଅନ୍ଧକାର ପ୍ରଭୃତି ଦ୍ୱୈତ ପଦାର୍ଥ ଦେଖାଯାଏ । ଏଣୁ କୌଣସି ନାଟକର ଦୁଃଖ-ଦୃଶ୍ୟ ଉପସଂହାରରେ ସୁଖ-ଦୃଶ୍ୟରେ ପରିଣତ ହେଲେ ତାହାକୁ ସୁଖାତ୍ମକ (Commedy) କହନ୍ତି, ଯଦି ସୁଖ-ଦୃଶ୍ୟ ଉପସଂହାରରେ ଦୁଃଖ-ଦୃଶ୍ୟରେ ପରିଣତ ହୁଏ ତାହାକୁ ଦୁଃଖାତ୍ମକ (Tragedy) କହନ୍ତି ।

 

ପ୍ରାଚୀନ କାଳରେ କୌଣସି ନାଟକ ପାଞ୍ଚ ଅଙ୍କରୁ ଊଣା ହେଲେ ତାହାକୁ ନାଟିକା କୁହା ଯାଉଥିଲା । ଆଧୁନିକ ଯୁଗରେ ଅଙ୍କ ଅନୁସାରେ ବଡ଼ ସାନ ନିରୂପଣ ନ କରି ଅଭିନୟର ବ୍ୟାପକ କାଳ ଅନୁସାରେ ନିରୂପଣ କରିବା ଉଚିତ । ଦୁଇ ଘଣ୍ଟାରୁ ଊଣା ସମୟରେ ଯେଉଁ ଦୃଶ୍ୟ-କାବ୍ୟ ଅଭିନୀତ ହୋଇପାରେ ତାହାକୁ ନାଟିକା କହିଲେ ସମୀଚୀନ ହେବ ।
 

ଏକ ପ୍ରଧାନ କର୍ମର ବିଭିନ୍ନ ଅଙ୍ଗରୂପେ ବିଭିନ୍ନ ସାମାନ୍ୟ କର୍ମ ଥାଏ । ପ୍ରତ୍ୟେକ ସାମାନ୍ୟ କର୍ମର ବିଭିନ୍ନ ଅବସ୍ଥା ଥାଏ । ସାମାନ୍ୟ କର୍ମର ଏକ ଏକ ଅବସ୍ଥା ଏକ ଏକ ଦୃଶ୍ୟରେ ବର୍ଣ୍ଣିତ ହୁଏ । ବିଭିନ୍ନ ଦୃଶ୍ୟରେ ସାମାନ୍ୟ କର୍ମ ସମାପ୍ତ ହେଲେ ଗୋଟିଏ ଅଙ୍କ ହୁଏ । ହାସ୍ୟ–ରସୋଦ୍ଦୀପକ ଏକାଙ୍କିକା ନାଟିକାକୁ ପ୍ରହସନ (Farce) କହନ୍ତି ।

 

ନାଟକରେ ରସର ବିଚିତ୍ରତା ଓ ରୋମାଞ୍ଚତର ଘଟନାର ବର୍ଣ୍ଣନା ଥିଲେ ନାଟକ ସରସ ହୁଏ, ମଧ୍ୟେ ମଧ୍ୟେ ନୃତ୍ୟ ଗୀତର ପ୍ରୟୋଜନୀୟତା ମଧ୍ୟ ଅଛି ।

 

ନାଟ୍ୟକାବ୍ୟ–ପଦ୍ୟରେ ରଚିତ ନାଟକକୁ ନାଟ୍ୟକାବ୍ୟ କହନ୍ତି । ପ୍ରାଚୀନ କାଳରେ ଓଡ଼ିଆ ପଦ୍ୟରେ ରଚିତ ଗ୍ରାମ୍ୟ ନାଟ୍ୟ ଲୀଳା ବା ସୁଆଙ୍ଗ ନାମରେ ଅଭିହିତ ହେଉଥିଲା । ଆଧୁନିକ ଯୁଗରେ ବୈଷ୍ଣବପାଣି ବା ବାଳକୃଷ୍ଣଙ୍କ ଦ୍ୱାରା ରଚିତ ଗ୍ରାମ୍ୟ ନାଟ୍ୟ ଭିନ୍ନ ପ୍ରକାର ହୋଇଥିବାରୁ ଏ ଗୁଡ଼ିକୁ ଗୀତି-ନାଟ୍ୟ କୁହା ଯାଇପାରେ । କାରଣ, ଏଗୁଡ଼ିକର ବିଷୟ–ବସ୍ତୁ ସଙ୍ଗୀତରେ ବର୍ଣ୍ଣିତ । କାମପାଳ ମିଶ୍ରଙ୍କ ଅମିତ୍ରାକ୍ଷର ଛନ୍ଦରେ ରଚିତ ନାଟକକୁ ନାଟ୍ୟକାବ୍ୟ କହିଲେ ସମୀଚୀନ ହେବ । ଗଦ୍ୟ-ପଦ୍ୟ ମିଶ୍ରିତ ଭାଷାରେ କିଶୋର ଚନ୍ଦ୍ରାନନ ଚମ୍ପୁ ରଚିତ ହୋଇ ନ ଥିବାରୁ ଏହାକୁ ଚମ୍ପୁ ନ କହି ଏକାଙ୍କିକା ଗୀତି-ନାଟ୍ୟ କହିଲେ ଚଳେ ।

Image

 

ଦ୍ୱିତୀୟ ପରିଚ୍ଛେଦ

ଚରିତ୍ର

 

ସୃଷ୍ଟିର ଯାବତୀୟ କ୍ରିୟା-କଳାପ ପ୍ରତି ମନୁଷ୍ୟର ଆକର୍ଷଣ ଅଛି । ପଶୁ-ଶାବକର କ୍ରୀଡ଼ା ଦେଖି ଶିଶୁ ଶାନ୍ତ ହୁଏ, ପୁଷ୍ପ-ଲତାରେ ପୁଷ୍ପ ପ୍ରସ୍ଫୁଟିତ ହେବାର ଦେଖି ଯୁବତୀ ଆନନ୍ଦରେ ନାଚି ଉଠେ, ବୃକ୍ଷ ଦ୍ୱୟର ଯୁଦ୍ଧ ଦେଖି ଯୁବକ ଉତ୍‍ଫୁଲ୍ଲ ହୁଏ ଓ ବାୟା ଚଢ଼େଇର ଶିଳ୍ପ-କୌଶଳ ଦେଖି ବୃଦ୍ଧ ବିସ୍ମିତ ହୁଏ । ଏହି ସମସ୍ତ କ୍ରିୟାକଳାପର ଅନ୍ତରାଳରେ ଯେଉଁ ଶକ୍ତି ଅଛି ତାହାକୁ କବି ଉପଲବ୍‍ଧି କରି ‘ପ୍ରକୃତି’ ନାମରେ ଅଭିହିତ କରିଅଛି । ପ୍ରକୃତିର ନିୟମ ଜାଣି ମନୁଷ୍ୟ ସେହି ନିୟମର ଅନୁରୂପ କାର୍ଯ୍ୟ କରି ଆଜି ଖାଦ୍ୟ ଉତ୍ପାଦନ କରୁଅଛି, ରୋଗ ନିବାରଣ କରୁଅଛି, ଜଳକୁ ବରଫରେ ପରିଣତ କରି ପାରୁଅଛି ଓ ବିଜ୍ଞାନର ନାନାବିଧ ଉନ୍ନତି ସାଧନ କରି ପାରୁଅଛି । କବି ପ୍ରକୃତିର ସୌନ୍ଦର୍ଯ୍ୟ-ରାଜ୍ୟକୁ ପ୍ରଥମେ ଆଲୋକ ଦେଖାଇ ଥିବାରୁ ବିଜ୍ଞାନ ଆଜି ପ୍ରକୃତିର ଅକ୍ଷୟ ଭଣ୍ଡାର ଲୁଟି କରୁଅଛି ।

 

ଯେକୌଣସି ଲୋକ ଚନ୍ଦ୍ରର ସୌନ୍ଦର୍ଯ୍ୟ ଦେଖି ମୃଗ୍‍ଧ ହେବ, କିନ୍ତୁ ଜଣେ ଲୋକ ଅନ୍ୟ ଜଣକର ମୁଖ ଦେଖି ସହସା ମୁଗ୍‍ଧ ହୁଏ ନାହିଁ । ଯଦି ମୁଗ୍‍ଧ ହୁଏ ତେବେ ଦୃଷ୍ଟମୁଖ ସହିତ ଚନ୍ଦ୍ର, ପଦ୍ମ ପ୍ରଭୃତି କୌଣସି ଗୋଟିଏ ପ୍ରାକୃତିକ ବସ୍ତୁର ସାଦୃଶ୍ୟ ତାହାର ମନେ ପଡ଼େ, ଏହିପରି ମନୁଷ୍ୟ ସହିତ ପ୍ରକୃତିର ନିଗୁଢ଼ ସମ୍ପର୍କ ଅଛି । କବି ପ୍ରକୃତିର କେବଳ ବାହ୍ୟ ଶୋଭା ବା ମନୁଷ୍ୟର ରୂପ ଶୋଭା ସହିତ ପ୍ରାକୃତିକ ବସ୍ତୁର ରୂପ-ଶୋଭାର ସାଦୃଶ୍ୟ ଉପଲବ୍‍ଧି କରି ବର୍ଣ୍ଣନା କରେ ନାହିଁ । ସେ ପ୍ରକୃତି ସହିତ ମନୁଷ୍ୟର ସାମଞ୍ଜସ୍ୟ ଦେଖାଏ । କବିବର ରାଧାନାଥଙ୍କ ନିମ୍ନୋଦ୍ଧୃତ ପଦମାନଙ୍କରୁ ଏହି ସାମଞ୍ଜସ୍ୟ ବୁଝାଯାଏ :–

 

ମୀନ-ଆକର୍ଷଣ ଆଶେ ପୋତପାଳ

ତରଣୀରେ ଜାଳି ଦେଲେଣି ମଶାଲ

ଭବେ ପାପ-ମୂର୍ତ୍ତି ପରି ଅଟଇ ସେ,

ସ୍ପର୍ଶେ ମାରାତ୍ମକ, ରୂପେ ରମ୍ୟ ଦିଶେ;

ପାପ-ଗର୍ଭେ ଯେହ୍ନେ ପଡ଼ଇ ଅଜ୍ଞାନ,

ତରୀ-ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ; (ଚିଲିକା)

 

ରୂପ-ଶୋଭା ପ୍ରତି ଆକର୍ଷଣ କରାଇବା ପ୍ରକୃତିର କାର୍ଯ୍ୟ । କେବଳ ମୀନ ନୁହନ୍ତି; ମନୁଷ୍ୟ ମଧ୍ୟ ରୂପ-ଶୋଭାର ଅନଳରେ ଝାସ ଦିଏ । ପ୍ରକୃତି ପରିବର୍ତ୍ତନଶୀଳା ଓ ବିଚିତ୍ରତାମୟୀ; ମନୁଷ୍ୟ ମଧ୍ୟ ସେପରି । ଏହିପରି ମନୁଷ୍ୟ ପ୍ରକୃତିର କ୍ରୀଡ଼ା-ପୁତ୍ତଳିକା ।

 

ପ୍ରକୃତିର ଲୀଳାର ଅନ୍ତରାଳରେ ତାହାର ଆଉ ଗୋଟିଏ ନିସ୍ତରଙ୍ଗ ନିତ୍ୟ ସତ୍ତା ଅଛି । କବି ସେହି ସତ୍ତାକୁ ଅନୁଭବ କରି ଚିତ୍ର କଲେ ଯଥା : –

 

ବନ୍ଦାପନା ଅନ୍ତେ ବାଦିତ୍ର ଶବଦ

ଉଠିଲା କମ୍ପାଇ ମହୀ, ବିଷ୍ଣୁପଦ,

ତୀରେ ଗିରି-ଗୁହା ଯୋଗ ଦେଲେ ତହିଁ,

ସମୀର ନେଲା ତା ଦିଗେ ଦିଗେ ବାହି,

ସେ ଉତ୍ସବେ ହୋଇ ହରଷେ ଉତ୍ତାଳ

ଚିଲିକା ! ତୋ ବୀଚି ତହିଁ ଦେଲେ ତାଳ,

ସେ ଘୋର ଆଧ୍ୱାନେ ଭାଙ୍ଗି ଗଲା ଧ୍ୟାନ,

ଧ୍ୟାନ ସଙ୍ଗେ ଦୃଶ୍ୟ ହେଲା ଅନ୍ତର୍ଦ୍ଧାନ,

ଜାଣିଲି ସେ ସବୁ କଳ୍ପନା-କୌଶଳ

ଫେଡ଼ନ୍ତେ ନୟନ ଦେଖିଲି କେବଳ

ଅନନ୍ତ-ନୀଳିମା ଦ୍ୟୁତି-ବିଭାସିତ

ତୋ ଅମର ସତ୍ତା ଅଗ୍ରେ ବିରାଜିତ । (ଚିଲିକା)

 

କଳ୍ପନାର ପ୍ରଭାବରେ କବି ଚିଲିକାରେ ଅନେକ ଦୃଶ୍ୟ ଦେଖିଲେ । କଳ୍ପନା ଚାଲି ଯିବାରୁ ଚିଲିକାର ଅମର-ସତ୍ତା ଛଡ଼ା କବିଙ୍କ ଚକ୍ଷୁକୁ ଆଉ କିଛି ଦିଶିଲା ନାହିଁ ।

 

ବୌଦ୍ଧ ଦର୍ଶନ ଅନୁସାରେ କଳ୍ପନା ପରିତ୍ୟାଗ କଲେ ସୃଷ୍ଟିର ବିଚିତ୍ରତା ମନୁଷ୍ୟ ନ ଦେଖି କେବଳ ନିସ୍ତରଙ୍ଗ ଶୂନ୍ୟ ସୃଷ୍ଟି ଦେଖି ପାରିବ । ସାଂଖ୍ୟ ଦର୍ଶନ ଅନୁସାରେ ପ୍ରକୃତିର ବିଚିତ୍ରତା ପ୍ରତି ଆକୃଷ୍ଟ ନ ହେଲେ ମନୁଷ୍ୟ ପ୍ରକୃତିର ନିତ୍ୟ ନିସ୍ତରଙ୍ଗ ରୂପ ଦେଖି ପାରିବ ।

 

ବିଶ୍ୱର ଯାବତୀୟ ବସ୍ତୁରେ ପ୍ରକୃତି ବିରାଜିତ । ମନୁଷ୍ୟର ଚରିତ୍ରରେ ପ୍ରକୃତି ଅଭିବ୍ୟକ୍ତ ହୁଏ । ଚରିତ୍ର ମନୁଷ୍ୟର କ୍ରିୟା-କଳାପରେ ମୂର୍ତ୍ତିମାନ ହୁଏ । କିପରି କ୍ରିୟା-କଳାପରେ କିପରି ଚରିତ୍ର ପ୍ରକାଶ ପାଏ ତାହା ଜାଣିଲେ ବିଭିନ୍ନ ଚରିତ୍ରର ସାମଞ୍ଜସ୍ୟ ବିଶ୍ଲେଷଣ କରି ମନୁଷ୍ୟର ନିତ୍ୟ ପ୍ରକୃତି ନିରୂପଣ କରା ଯାଇପାରେ । ଯେଉଁ ଚରିତ୍ରରେ କବି ନିତ୍ୟ ପ୍ରକୃତି ଫୁଟାଇ ଥାଏ ସେହି ଚରିତ୍ର ଜନ-ସମାଜର ଆଦର୍ଶ ହୁଏ, ଏଣୁ ଆଧୁନିକ ଯୁଗରେ ପାଶ୍ଚାତ୍ୟ ସାହିତ୍ୟରେ ଚିତ୍ତର ଆଦର୍ଶବାଦ (Subjective Idealism) ଆଦୃତ ହେଉଅଛି ।

 

ଅସଂଖ୍ୟ ପ୍ରକାରର ଚରିତ୍ର ଅଛି । ପ୍ରତ୍ୟେକ ଚରିତ୍ରର ଲକ୍ଷଣ ନିର୍ଦ୍ଦେଶ କରିବା କଠିନ । ତଥାପି ଯେଉଁ କେତେ ପ୍ରକାର ଚରିତ୍ର ଅଧିକାଂଶ ଲୋକ ଅନୁଭବ କରନ୍ତି ସେହି କେତୋଟି ପ୍ରଧାନ ଚରିତ୍ରର ଲକ୍ଷଣମାନ ଆମ ଦେଶର ପ୍ରାଚୀନ ଆଳଙ୍କାରିକମାନେ ନିର୍ଦ୍ଦେଶ କରି ଅଛନ୍ତି । ଚରିତ୍ର ନାୟକ ନାୟିକାମାନଙ୍କୁ ଅବଲମ୍ବନ କରି ରହି ଥିବାରୁ ନାୟକନାୟିକାମାନଙ୍କ ଲକ୍ଷଣରୂପରେ ଚରିତ୍ର ଲକ୍ଷଣ ନିର୍ଦ୍ଦେଶିତ ହୋଇଅଛି ।

 

କାବ୍ୟରେ ଯେଉଁ ପ୍ରଧାନ ବ୍ୟକ୍ତିର ଚରିତ୍ର ଚିତ୍ରିତ ହୋଇଥାଏ ତାହାକୁ ପ୍ରଧାନ ନାୟକ ବା ନାୟିକା (Leading Character) କହନ୍ତି । ଅନ୍ୟାନ୍ୟ ବ୍ୟକ୍ତିମାନଙ୍କୁ ସାମାନ୍ୟ ନାୟକ ବା ନାୟିକା କୁହାଯାଏ । ନାୟକମାନେ ପ୍ରଧାନତଃ ଚାରି ଶ୍ରେଣୀରେ ବିଭକ୍ତ- ଧୀରୋଦାତ୍ତ, ଧୀର ପ୍ରଶାନ୍ତ, ଧୀରୋଦ୍ଧତ ଓ ଧୀର ଲଳିତ ।

 

ଦୃଢ଼ବ୍ରତ, କ୍ଷମାଶୀଳ, ଗାମ୍ଭୀର୍ଯ୍ୟଶାଳୀ, ଆତ୍ମଶ୍ନାଘାଶୂନ୍ୟ, ବିନୟୀ, ଏବଂ ହର୍ଷ ଓ ଶୋକରେ ଅବିଚଳିତ ନାୟକକୁ ଧୀରୋଦାତ୍ତ କହନ୍ତି । ଯଥା–ରାମାୟଣରେ ରାମ ଓ ମହାଭାରତରେ ଯୁଧିଷ୍ଠିର ।

 

ଆଧୁନିକ ଯୁଗରେ ଏପରି ଚରିତ୍ରର ବ୍ୟକ୍ତି ଦେଖିବା ବିରଳ । ମହାତ୍ମା ଗାନ୍ଧିଙ୍କୁ ଛାଡ଼ିଲେ ସମଗ୍ର ପୃଥିବୀରେ ଆଉ ଜଣେ ଧୀରୋଦାତ୍ତ ଚରିତ୍ର ସମ୍ପନ୍ନ ବ୍ୟକ୍ତି ପାଇବା ଦୁରୂହ । ପ୍ରାଚୀନ କାଳରେ କବି କପୋଳକଳ୍ପିକ ଆଦର୍ଶ ଚରିତ୍ର ଚିତ୍ର କରି ପାରୁଥିଲେ । କିନ୍ତୁ ଯାହା ଅବାସ୍ତକ ପ୍ରତୀତ ହୁଏ ତାହା ଆଧୁନିକ ସାହିତ୍ୟରେ ସ୍ଥାନ ପାଏ ନାହିଁ । ଯେଉଁ ସାହିତ୍ୟ ବର୍ତ୍ତମାନ କାଳ ମଧ୍ୟରେ ସୀମାବଦ୍ଧ ସେ ସାହିତ୍ୟର ପାଠକମାନେ କବି-କଳ୍ପନାକୁ ବାସ୍ତବ ରୂପରେ ଉପଲବ୍‍ଧି କରି ପାରନ୍ତି ନାହିଁ । ଏପରି ଚରିତ୍ର ବର୍ତ୍ତମାନ ସମାଜରେ ନ ଥିଲେ କବି-କଳ୍ପନା ଅତୀତ ସମାଜରେ ଚରିତ୍ର ରୂପେ ଚିତ୍ରି ପାରେ ।

 

ଶାନ୍ତ, ଧାର୍ମିକ, ପରୋପକାରୀ ସାଧାରଣ ନାୟକକୁ ଧୀରପ୍ରଶାନ୍ତ କୁହାଯାଏ । ପ୍ରାଚୀନ କାଳରେ କେବଳ ବ୍ରାହ୍ମଣ ଶ୍ରେଣୀରେ ଏହି ନାୟକ ଦେଖା ଯାଉଥିଲେ । ଆଧୁନିକ ଯୁଗରେ ଏପରି ଚରିତ୍ର ଯେ କୌଣସି ଶ୍ରେଣୀରେ ଦେଖାଯାଏ । ଯଥାଃ–ମାଟିର ମଣିଷରେ ଚଷା ବରଜୁ ।

 

ମାୟାବୀ, ଉଦ୍ଧତ, ଚଞ୍ଚଳ, ଅହଙ୍କାରୀ ଓ ଆତ୍ମଶ୍ନାଘୀ ନାୟକ ଧୀରୋଦ୍ଧତ ନାମରେ ଅଭିହିତ । ଛମାଣ ଆଠଗୁଣ୍ଠର ରାମଚନ୍ଦ୍ର, ମଙ୍ଗରାଜ ଏହି ଶ୍ରେଣୀରେ ଅନ୍ତର୍ଗତ ।

 

କିପରି ଚିତ୍ରିଲେ ଚରିତ୍ରର ଚରମ ରୂପ (Climax) ଫୁଟିବ ତାହା ଅନୁଭବ କରି ନ ଚିତ୍ରିଲେ ଚରିତ୍ର–ଚିତ୍ରଣ ହୃଦୟସ୍ପର୍ଶୀ ହୁଏ ନାହିଁ । ଗାଈ ନିମନ୍ତେ ତନ୍ତିଆଣୀ ସାରିଆ ଆତ୍ମହତ୍ୟା କଲା, ତଥାପି ରାମଚନ୍ଦ୍ର ମଙ୍ଗରାଜଙ୍କ ହୃଦୟ ବିଚଳିତ ହେଲା ନାହିଁ । ଏହି ବର୍ଣ୍ଣନାରେ ରାମଚନ୍ଦ୍ର, ମଙ୍ଗରାଜଙ୍କ ଚରିତ୍ରର ଚରମ ମୂର୍ତ୍ତି ପରିଷ୍ଫୁଟ ହୋଇଅଛି ।

 

ନିଶ୍ଚିନ୍ତ, ନମ୍ର ଓ ନୃତ୍ୟଗୀତାଦିରେ ଆସକ୍ତ–ଅର୍ଥାତ୍ ବିଳାସପ୍ରିୟ ନାୟକକୁ ଧୀର ଲଳିତ କୁହାଯାଏ । ଲାବଣ୍ୟବତୀ, ପ୍ରେମସୁଧାନିଧି ପ୍ରଭୃତିର ନାୟକମାନେ ଏହି ଶ୍ରେଣୀର ଅନ୍ତର୍ଗତ ।

 

ସ୍ତ୍ରୀ ଓ ପୁରୁଷ ମଧ୍ୟରେ ପରସ୍ପର ବ୍ୟବହାର-ରୀତିରୁ ଚରିତ୍ରର ଏକପ୍ରକାର ରୂପ ପ୍ରତିଭାତ ହୁଏ । ଏହି ବ୍ୟବହାର-ରୀତି ବିଭିନ୍ନ ହେବାରୁ ଚରିତ୍ର ମଧ୍ୟ ବିଭିନ୍ନ ହୁଏ । କିନ୍ତୁ ପ୍ରାଚୀନ ଅଳଙ୍କାରିକମାନେ ପ୍ରଧାନ ବ୍ୟବହାର ରୀତି ଅନୁସାରେ ଉପରୋକ୍ତ ପ୍ରତ୍ୟେକ ଶ୍ରେଣୀର ନାୟକକୁ ଚାରିଭାଗରେ ବିଭକ୍ତ କରି ଅଛନ୍ତି-ଦକ୍ଷିଣ, ଧୃଷ୍ଟ, ଅନୁକୂଳ ଓ ଶଠ ।

 

ଯେଉଁ ନାୟକର ଅନେକ ନାୟିକା ଥାଆନ୍ତି ଓ ସେ ସମସ୍ତଙ୍କ ପ୍ରତି ସମାନ ଭାବରେ ସ୍ନେହ ରଖିଥାଏ ତାହାକୁ ‘ଦକ୍ଷିଣ ନାୟକ’ କହନ୍ତି । ନାୟିକାମାନଙ୍କଠାରେ ଯେ ନିର୍ଲଜ୍ଜ ବ୍ୟବହାର କରେ ସେ ‘ଧୃଷ୍ଟ’ ନାମରେ ଅଭିହିତ ହୁଏ । ଅନ୍ୟ ନାରୀପ୍ରତି ଆସକ୍ତ ନୋହି କେବଳ ନିଜ ପତ୍ନୀଠାରେ ଆସକ୍ତ ହୋଇ ରହିବା ନାୟକ ‘ଅନୁକୂଳ’ ନାମରେ ପରିଚିତ । ଦୁରଭିସନ୍ଧି ରଖି ପ୍ରଣୟ କରିବା ନାୟକକୁ ‘ଶଠ ନାୟକ’ କହନ୍ତି ।

 

ଚରିତ୍ର ଅନୁସାରେ ନାୟିକାମାନେ ପ୍ରଥମେ ପ୍ରଧାନତଃ ତିନି ଶ୍ରେଣୀରେ ମଧ୍ୟ ବିଭକ୍ତ-ସ୍ୱୀୟା, ପରକୀୟା ଓ ସାମାନ୍ୟା ।

 

ସ୍ୱୀୟା–ଏମାନେ ନିଜ ପତି ପ୍ରତି ସର୍ବଦା ଅନୁରକ୍ତା । ପୁଣି ଏମାନେ ତିନି ଭାଗରେ ବିଭକ୍ତ । ବିନୟଗୁଣ ସମ୍ପନାକୁ ମୁଗ୍‍ଧା, ଧୃଷ୍ଟା ବା ନିର୍ଲଜ୍ଜ ସ୍ୱଭାବର ନାୟିକାକୁ ପ୍ରଗଳ୍‍ଭା ଓ ମଧ୍ୟମ ସ୍ୱଭାବର ନାୟିକାକୁ ମଧ୍ୟ କହନ୍ତି ।

 

ପରକୀୟା–ସ୍ୱାମୀ ଥାଉ ଥାଉ ପର ପୁରୁଷଠାରେ ଯେଉଁମାନେ ଆସକ୍ତି ଜନ୍ମେ ସେମାନଙ୍କୁ ପରକୀୟା କହନ୍ତି । ଏମାନେ ପରୋଢ଼ା ଓ କନ୍ୟକା ଭେଦରେ ଦୁଇ ପ୍ରକାର । ପୁଣି ପରୋଢ଼ା ଓ କନ୍ୟକା ପ୍ରତ୍ୟେକେ ଗୁପ୍ତା (ରକ୍ଷିତା), ବିଦଗ୍‍ଧା, (ରସିକା) ଓ ଲକ୍ଷିତା ଭେଦରେ ତିନି ପ୍ରକାର ।

 

ସାମାନ୍ୟା–ଏମାନେ ସାଧାରଣ ନାୟିକା ଓ ତିନି ଭାଗରେ ବିଭକ୍ତ । ଯେ ବକ୍ରୋକ୍ତି ହୃଦୟଙ୍ଗମ କରି ଓ କହି ପାରି ଗର୍ବ ଅନୁଭବ କରେ ତାହାକୁ ‘ବକ୍ରୋକ୍ତି ଗର୍ବିତା’ କହନ୍ତି । ପରପୁରୁଷ ସଂଭୋଗ କରି ଯେ ଅନୁତାପ କରେ ସେ ଅନ୍ୟ ‘ସଂଭୋଗ ଦୁଃଖିତା’ ନାମରେ ଅଭିହିତା ହୁଏ । ଯେ ମାନ ରକ୍ଷା କରୁବାକୁ ଅଭିଳାଷ କରୁଥାଏ ତାହାକୁ ‘ମାନବତୀ’ କହନ୍ତି ଓ ଏହି ମାନବତୀ ପୁଣି ଆଠ ଭାଗରେ ବିଭକ୍ତ : –

 

ସ୍ୱାମୀ ଯେଉଁ ସ୍ତ୍ରୀ ଗୁଣରେ ମୋହିତ ହୋଇ ତାହାର ବଶବର୍ତ୍ତୀ ହୋଇଥାଏ ତାହାକୁ ସ୍ୱାଧୀନ–ପତିକା କହନ୍ତି । ନିଜ ସ୍ୱାମୀଠାରେ ପରସ୍ତ୍ରୀର ଅନୁରାଗ-ଚିହ୍ନ ଦେଖି କୁପିତା ହେବା ନାୟିକାକୁ ‘ଖଣ୍ଡିତା’ କୁହାଯାଏ । ପର ପୁରୁଷ ପ୍ରତି ଆସକ୍ତା ହୋଇ ଯେଉଁ ସ୍ତ୍ରୀ କୌଣସି ସଂଙ୍କେତ ସ୍ଥାନକୁ ଅଭିସାର କରେ ତାହାକୁ ‘ଅଭିସାରିକା’ କହନ୍ତି । ଯେଉଁ ସ୍ତ୍ରୀ ପ୍ରତି ସଙ୍ଗେ କଳହ କରି ବିଚ୍ଛେଦ ହେତୁରୁ ଅନୁତାପ କରେ ସେ ‘କଳହାନ୍ତରିତା’ ନାମରେ ଅଭିହିତା ହୁଏ । ସଙ୍କେତ-ସ୍ଥଳରେ ନାୟକକୁ ନ ଦେଖି ହତାଶ ହେବା ନାୟିକାକୁ ‘ବିପ୍ରଲବ୍‍ଧା’ କହନ୍ତି । ଯେଉଁ ସ୍ତ୍ରୀ ସ୍ୱାମୀ ସହ ସଙ୍ଗମ ଆଶାରେ ବେଶଭୂଷା ପିନ୍ଧି ଓ ଶଯ୍ୟାଗୃହ ମଣ୍ଡନ କରି ନୈରାଶ୍ୟରେ ରାତ୍ରି ଯାପନ କରେ ସେ ‘ବାସକସଜ୍ଜା’ ନାମରେ ପରିଚିତା । ସ୍ୱାମୀ ପ୍ରବାସରେ ଥିବା ହେତୁରୁ ଯେଉଁ ସ୍ତ୍ରୀ ବିଷାଦରେ କାଳ ଯାପନ କରୁଥାଏ ତାହାକୁ ‘ପ୍ରୋଷିତ ଭର୍ତ୍ତୃକା’ କହନ୍ତି । ପ୍ରିୟର ଆଗମନକୁ ଅପେକ୍ଷା କରି ଯେଉଁ ସ୍ତ୍ରୀ କାତରା ତାହାକୁ ‘ବିରହୋତ୍କଣ୍ଠିତା’ କୁହାଯାଏ ।

 

ନାୟକ ଓ ନାୟିକାଙ୍କ ମଧ୍ୟରେ ପରସ୍ପରର ନିତ୍ୟ ବନ୍ଧନକୁ ବିବାହ କହନ୍ତି । ପ୍ରାଚୀନ କାଳରେ ଏହି ବିବାହ ସାତ ପ୍ରକାର ଥିଲା । କୌଣସି ବିବାହିତ ପୁରୁଷର ଶାସ୍ତ୍ର-ଜ୍ଞାନରେ ମୁଗ୍‍ଧ ହୋଇ ତାହାକୁ ଆହ୍ୱାନ କରି ଯଥାବିଧି ପୂଜା ସହକାରେ କୌଣସି ବ୍ୟକ୍ତି ନିଜ କନ୍ୟା ସମ୍ପ୍ରଦାନ କଲେ ତାହାକୁ ‘ବ୍ରାହ୍ମ ବିବାହ’ କହୁଥିଲେ । ଯଜ୍ଞରେ ନିଯୁକ୍ତ କୌଣସି ଋତ୍ୱିକ ବ୍ରାହ୍ମଣକୁ ପିତା କନ୍ୟା ସମ୍ପ୍ରଦାନ କଲେ ସେ ବିବାହ ‘ଦୈବ ବିବାହ’ ନାମରେ ଅଭିହିତ ହେଉଥିଲା । କନ୍ୟା-ପଣ ସ୍ୱରୂପ ବର ନିକଟରୁ ଗାଈ ପ୍ରଭୃତି ଗ୍ରହଣ କରି କନ୍ୟା ସମ୍ପ୍ରଦାନ କରିବାକୁ ‘ଆର୍ଷ ବିବାହ’ କହୁଥିଲେ । ବରଠାରୁ ଅର୍ଥ ଗ୍ରହଣ କରି ପିତା କନ୍ୟା ସମ୍ପ୍ରଦାନ କଲେ ତାହା ‘ଆସୁର’ ନାମରେ ଅଭିହିତ ହେଉଥିଲା । କୁଳ-ଧର୍ମ ରକ୍ଷା କରିବା ଅଭିପ୍ରାୟରେ ପିତା କନ୍ୟା ସମ୍ପ୍ରଦାନ କଲେ ତାହା ‘ପ୍ରାଜାପତ୍ୟ’ ନାମରେ ଅଭିହିତ ହେଉଥିଲା । ‘ଗାନ୍ଧର୍ବ-ବିବାହରେ’ ବର ଓ କନ୍ୟା ନିଜ ନିଜ ପସନ୍ଦ ଅନୁସାରେ ସଙ୍ଗୀ ଓ ସଙ୍ଗୀନୀ ନିର୍ବାଚନ କରି ବିବାହ କରନ୍ତି । ରାକ୍ଷସ ବିବାହରେ ବର ବଳପୂର୍ବକ କନ୍ୟା ହରଣ କରି ବିବାହ କରେ ।

 

ଭାରତ ବର୍ଷରେ ପ୍ରଜାପତ୍ୟ-ବିବାହ ବହୁ ପରିମାଣରେ ବର୍ତ୍ତମାନ ପ୍ରଚଳିତ । ଦରିଦ୍ର ପରିବାରର କନ୍ୟାର ଆସୁର ବିବାହ ମଧ୍ୟ ଦେଖାଯାଏ । ଗାନ୍ଧର୍ବ ବିବାହ କ୍ୱଚିତ୍ ପ୍ରଚଳିତ । ଅନ୍ୟାନ୍ୟ ବିବାହ ଲୁପ୍ତ ହେଲାଣି ।

 

କାଳର ପ୍ରଭାବରେ ସାମାଜିକ ରୀତିନୀତି ଓ ଆଥିକ ରୀତିନୀତି ପରିବର୍ତ୍ତିତ ହୁଏ । ଏଣୁ ସାମାଜିକ ବା ଆର୍ଥିକ ଅବସ୍ଥାର ପରିବର୍ତ୍ତନ ସଙ୍ଗେ ମନୁଷ୍ୟର ଯେଉଁ ବ୍ୟବହାର ପରିବର୍ତ୍ତିତ ହୋଇପାରେ ତହିଁରେ ଚରିତ୍ରର ନିତ୍ୟରୂପ ପ୍ରତିଭାତ ହୁଏ ନାହିଁ । କାବ୍ୟରେ ଗୋଟିଏ ଚରିତ୍ରର କୌଣସି ଗୋଟିଏ ମହତ୍ ଗୁଣ ଫୁଟାଇବା ପାଇଁ ଭାଷା-ଶିଳ୍ପୀର ଯଥେଷ୍ଟ ଅଭିଜ୍ଞତା ଥିବା ଆବଶ୍ୟକ । ଗୌଡ଼ବିଜେତା ନାଟକର ଅନନ୍ତ ସିଂହର ଚରିତ୍ରରେ ଦେଶଭକ୍ତି ଓ ରାଜଭକ୍ତି ଯେପରି ପରିଷ୍ଫୁଟ ହୋଇଅଛି ମୁକୁନ୍ଦ ଦେବ, ପୁରୁଷୋତ୍ତମ ଦେବ ପ୍ରଭୃତି ନାଟକର କୌଣସି ଚରିତ୍ରରେ କୌଣସି ମହତ୍ ଗୁଣ ସେପରି ପରିଷ୍ଫୁଟ ହୋଇ ନାହିଁ । ବିନା ଅପରାଧରେ ଅନନ୍ତ ସିଂହ ରାଜକାର୍ଯ୍ୟରୁ ଅନ୍ତର ହୋଇ ସୁଦ୍ଧା ଦେଶର ଗୌରବ ରକ୍ଷା ଓ ରାଜା ପ୍ରତାପରୁଦ୍ରଙ୍କ ମାନରକ୍ଷା ଲାଗି ଆତ୍ମୋତ୍ସର୍ଗ କରିଥିଲା । ସୁଦୀର୍ଘ କାଳ ଏକାକିନୀ ନାନା ଦୁର୍ଦ୍ଦଶାରେ ଦିନ ଯାପନ କରି ସୁଦ୍ଧା ସୀତା ରାବଣର ପ୍ରଲୋଭନରେ ଭୁଲି ନ ଥିବାରୁ ତାହାଙ୍କ ଚରିତ୍ରରେ ସତୀତ୍ୱ ଫୁଟିଲା । ଏହିପରି ଚରିତ୍ରରେ କୌଣସି ଗୋଟିଏ ଲକ୍ଷଣର ଚରମ ଚିତ୍ର ଫୁଟାଇ ନ ପାରିଲେ ଭାଷା-ଶଳ୍ପୀର ଶିଳ୍ପ-ନୈପୁଣ୍ୟ ପ୍ରକଟିତ ହୁଏ ନାହିଁ । କେଉଁଠାରେ କିପରି ଚରମ ଚିତ୍ର ଅଙ୍କନ କରିବାକୁ ହେବ ସେ ସମ୍ବନ୍ଧରେ କୌଣସି ସୂତ୍ର ନିର୍ଦ୍ଦେଶ କରାଯାଇ ନ ପାରେ ।

 

ଉପନ୍ୟାସ–ଲେଖକମାନେ ନାୟକମାନଙ୍କର ଚରିତ୍ର ସରଳ ରୀତିରେ ବାହ୍ୟ କ୍ରିୟାକଳାପରେ ଚିତ୍ରଣ କରି କାମ କ୍ରୋଧ ପ୍ରଭୃତି ରିପୁ, ଚିନ୍ତା ଓ ଅନୁଭୂତିକୁ ବିଶ୍ଳେଷଣ କରନ୍ତି, ବ୍ୟାଖ୍ୟା କରନ୍ତି, ସମାଲୋଚନା କରନ୍ତି ଏବଂ ନିଜର ସୁବିଚାର-ପୂର୍ଣ୍ଣ ମତାମତ ସେ ସମ୍ବନ୍ଧରେ ବ୍ୟକ୍ତ କରନ୍ତି । ଛମାଣ ଆଠଗୁଣ୍ଠରେ ରାମଚନ୍ଦ୍ର ମଙ୍ଗରାଜଙ୍କ ଦାସୀ ଚମ୍ପାର ଚରିତ୍ର ଏହି ରୀତିରେ ଚିତ୍ରିତ । ନାଟକରେ ଏହି ରୀତି ଅନୁସରଣ କରାଯାଇ ନ ପାରେ । ନାଟକରେ ନାୟକର କ୍ରିୟାକଳାପରେ ଓ କଥାରେ ତାହାର ଚରିତ୍ର ଅଭିବ୍ୟକ୍ତ ହୋଇପଡ଼େ । ଏକ ନାୟକକ ଚରିତ୍ର ଦ୍ୱାରା ଅନ୍ୟ ନାୟକର ଚରିତ୍ର ନାଟକରେ ବିଶ୍ଳେଷଣ ଓ ବ୍ୟାଖ୍ୟା କରାଯାଏ । ଏହି ନାଟକୀୟ ଛଟାରେ ଉପନ୍ୟାସରେ ମଧ୍ୟ ଚରିତ୍ର ଚିତ୍ରଣ କରାଯାଇ ପାରେ । ମାଟିର ମଣିଷରେ ବରଜୁ ଓ ଛକଡ଼ିର ଚରିତ୍ର କେତେକ ପରିମାଣରେ ନାଟକୀୟ ଛଟାରେ ଚିତ୍ରିତ ହୋଇଅଛି ।

Image

 

ତୃତୀୟ ପରିଚ୍ଛେଦ

ଛନ୍ଦ

 

ସ୍ପନ୍ଦନହୀନ ବସ୍ତୁ ଜଡ଼; ସ୍ପନ୍ଦନଶୂନ୍ୟ ମନୁଷ୍ୟ ମୃତ । ମନୁଷ୍ୟର ସ୍ପନ୍ଦନରୁ ତାହାର କର୍ମର ଅଭିବ୍ୟକ୍ତି ଜଣାପଡ଼େ । ସ୍ପନ୍ଦନ ସୃଜନ-ଶକ୍ତିରୁ ପ୍ରେରଣା ପାଏ । ଶୋଭା ସୃଷ୍ଟି କରିବା ସୃଜନ-ଶକ୍ତିର ସ୍ୱଭାବ । ଏଣୁ ସ୍ପନ୍ଦନରେ ମଧ୍ୟ କଳା ପ୍ରକାଶ ପାଏ । ଆୟାସଶୂନ୍ୟ ସ୍ୱାଭାବିକ ସ୍ପନ୍ଦନରେ ସ୍ଥାନର ଓ କାଳର ବ୍ୟବଧାନ ସମାନ ଥାଏ । ଯେତେବେଳେ କେହି ନିଶ୍ଚିନ୍ତହୋଇ ଆମୋଦରେ ସନ୍ଧ୍ୟା-କାଳରେ କୌଣସି ନଦୀ-କୂଳରେ ବା ପ୍ରାନ୍ତରରେ ବିହାର କରୁଥାଏ ସେତେବେଳେ ତାହାର ଏକ ପଦକ୍ଷେପ ପାଇଁ ଯେତିକି ସ୍ଥାନର ଓ ସମୟର ବ୍ୟବଧାନ ଲୋଡ଼ା ହୁଏ ଅନ୍ୟ ପଦକ୍ଷେପ ପାଇଁ ସେତିକି ଲୋଡ଼ା ହୁଏ । ଏହି ଗତି-ସ୍ପନ୍ଦନ ନେତ୍ର-ପ୍ରୀତିକର ହୁଏ । ଏଠାରେ ପଦର ସ୍ପନ୍ଦନ ଯେପରି ସମପରିମିତ ସ୍ଥାନ ଓ କାଳର ବ୍ୟବଧାନରେ ହେଉଥାଏ ତଦ୍ରୁପ କର, ଶିର ପ୍ରଭୃତି ଅନ୍ୟାନ୍ୟ ଅଙ୍ଗମାନଙ୍କର ସ୍ପନ୍ଦନ ନିୟମିତ ହେଉଥାଏ । ସୈନିକମାନଙ୍କ ଅଭିଯାନରେ ଗତିସ୍ପନ୍ଦନର ସୌନ୍ଦର୍ଯ୍ୟ ସ୍ପଷ୍ଟରୂପେ ପ୍ରକଟିତ ହୁଏ । ନୃତ୍ୟକଳାରେ ଶରୀରର ସ୍ପନ୍ଦନ-ସୌନ୍ଦର୍ଯ୍ୟ ସ୍ପଷ୍ଟରୂପେ ପ୍ରତିଭାତ ହୁଏ । ସ୍ଥାନ, କାଳ, ଅଙ୍ଗପ୍ରତ୍ୟଙ୍ଗ ପ୍ରଭୃତିର ପରସ୍ପର ନିୟମିତ ସମ୍ପର୍କ ବିଶିଷ୍ଟ ସ୍ପନ୍ଦନକୁ ସ୍ପନ୍ଦନ-ଶୃଙ୍ଖଳା (Rhyhm) କହନ୍ତି । ଏହି ଶୃଙ୍ଖଳାରେ କଳା ପ୍ରକାଶିତ ହୁଏ । କଳା ମନୁଷ୍ୟର ଉନ୍ନତିର ମୂଳ କାରଣ । ମନୁଷ୍ୟମାନେ ମିଳିମିଶି ସମାଜରେ ଶୃଙ୍ଖଳାବଦ୍ଧ ଜୀବନ ଅତିବାହିତ କଲେ ସମାଜର ଉନ୍ନତି ସାଧିତ ହୁଏ । ବ୍ୟକ୍ତିଗତ ଶୃଙ୍ଖଳାବଦ୍ଧ ଜୀବନ ମଧ୍ୟ ଶରୀରର ଉନ୍ନତି ବିଧାନ କରେ । ସୃଷ୍ଟିର ଯାବତୀୟ କ୍ରିୟାର ଶୃଙ୍ଖଳା ଅଛି । ଭାଷାର ମଧ୍ୟ ସ୍ପନ୍ଦନ ଶୃଙ୍ଖଳା ଅଛି; ଏଣୁ ଏହି ସ୍ପନ୍ଦନ ଶୃଙ୍ଖଳାକୁ ଅର୍ଥାତ୍ ଯେଉଁ ରୀତିରେ ପଦ ବିନ୍ୟାସ କଲେ ବାକ୍ୟ ଶ୍ରୂତିମଧୁର ହୁଏ ଏବଂ ଶ୍ରୋତା ବା ପାଠକର ଚିତ୍ତରେ ରସ ସଞ୍ଚାର ହୁଏ ତାହାକୁ ଛନ୍ଦ କହନ୍ତି ।

 

କଥା କହିବା ବେଳେ ଆମେ କୌଣସି କଥା ଅନର୍ଗଳ ଅଧିକ ସମୟ କହି ଯାଇ ପାରିବୁ ନାହିଁ । ନିଶ୍ୱାସ ବାୟୁ ଗ୍ରହଣ କରିବାପାଇଁ ମଧ୍ୟେ ଅର୍ଥ ବୋଧରେ ବ୍ୟାଘାତ ନ ଘଟିବା ସ୍ଥାନରେ ଆମେ ବିରାମ ଆବଶ୍ୟକ କରୁ । ଅର୍ଥବୋଧର ସୁବିଧା ପାଇଁ ବିରାମସ୍ଥାନମାନଙ୍କରେ ଚ୍ଛେଦ, ଅର୍ଦ୍ଧଚ୍ଛେଦ ଓ ପୂର୍ଣ୍ଣଚ୍ଛେଦ ପ୍ରଭୃତି ଚିହ୍ନ ନିର୍ଦ୍ଦେଶ କରାଯାଏ । ଯେତେବେଳେ ଏହି ବିରାମ ଚିହ୍ନଗୁଡ଼ିକ ପରିମିତ ସ୍ଥାନ ଓ କାଳର ବ୍ୟବଧାନରେ ବ୍ୟବହୃତ ହୋଇ ଅର୍ଥବୋଧର ଅସୁବିଧା ମଧ୍ୟ ଘଟାଏ ନାହିଁ ସେତେବେଳେ ଛନ୍ଦର ସୃଷ୍ଟିହୁଏ ।

 

ଯତି–‘ଗଦ୍’ ଧାତୁର ଅର୍ଥ-କହିବା । କହିବା ଭଙ୍ଗୀରେ ଯେଉଁ ବାକ୍ୟରେ ପଦ ବିନ୍ୟାସ କରାଯାଏ ତାହାକୁ ଗଦ୍ୟ କହନ୍ତି । ନିଶ୍ୱାସ-ଗ୍ରହଣ ପାଇଁ ମଧ୍ୟେ ମଧ୍ୟେ ସାମାନ୍ୟ ବିରାମ ନେଇ ବାକ୍ୟର ଶେଷରେ ସମ୍ପୂର୍ଣ୍ଣ ବିରାମ ନିଆଯାଏ । ଏହି ସମସ୍ତ ବିରାମ ଅର୍ଥ-ବୋଧ ସମ୍ବନ୍ଧରେ କୌଣସି ବାଧା ଦିଏ ନାହିଁ । ଯେଉଁ ବାକ୍ୟରେ ଅର୍ଥ ବୋଧକୁ ଲକ୍ଷ୍ୟ ନ ରଖି ପଦମାନଙ୍କର ଉଚ୍ଚାରଣ-କାଳର ପରିମାଣ ଅନୁସାରେ ବିରାମ ନିଆଯାଏ ତାହାକୁ ପଦ୍ୟ କହନ୍ତି । ପଦ୍ୟରେ ବିରାମ–ସ୍ଥାନକୁ ଯତି (Breath–house) କହନ୍ତି । ଅର୍ଥ–ବୋଧ ପାଇଁ ପଦ୍ୟସ୍ଥ ବାକ୍ୟର ଚ୍ଛେଦ ଯତି-ସ୍ଥାନରେ ରହିବ ବୋଲି କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ ।

 

୧.

“ମୋ ଜୀବନ ରକ୍ଷା ପାଇଁ ସେ ଯେଉଁ କଷ୍ଟ ଭୋଗ କରି ଯାଇଅଛନ୍ତି, ତାହା ବର୍ତ୍ତମାନ ସ୍ମରଣ କଲେ, ପ୍ରାଣରେ ଦାରୁଣ ଯନ୍ତ୍ରଣା ଉପସ୍ଥିତ ହୁଏ ।” (ଆତ୍ମଚରିତ)

 

 

୨.

ସ୍ତନ୍ୟ-ଦାନେ କେତେ ଦିନ ବଞ୍ଚାଇଲି

 

ତନୟର କ୍ଷୀଣ ପ୍ରାଣ **

 

ଚାହୁଁ ଚାହୁଁ ହୋଇ * ଗଲା ଅଭାଗାର *

 

ଜୀବନ-ଦୀପ ନିର୍ବାଣ * ।

 

ଉଚ୍ଚାରଣ ବେଳେ ସ୍ୱରର ଏକ ଝୁଙ୍କ ମଧ୍ୟରେ ପଦ୍ୟରେ ଯେତେ ସ୍ଥାନରେ ଅଳ୍ପ ଅଳ୍ପ ବିରାମ ନିଆଯାଏ ସେ ସ୍ଥାନକୁ ଅର୍ଦ୍ଧ-ଯତିର ସ୍ଥାନ କହନ୍ତି । ଦ୍ୱିତୀୟ ଉଦାହରଣରେ * ଗୋଟିଏ ତାରା ଚିହ୍ନଦ୍ୱାରା ଅର୍ଦ୍ଧ ଯତିର ସ୍ଥାନ ଚିହ୍ନିତ ହୋଇଅଛି । ଯେଉଁଠାରେ ଅପେକ୍ଷାକୃତ ବେଶୀ ବିରାମ ନିଆଯାଏ ତାହାକୁ ବିରାମ-ଯତିର ସ୍ଥାନ କୁହାଯାଏ ଓ ତାହା ଦ୍ୱିତୀୟ ଉଦାହରଣରେ ** ଦୁଇଟି ତାରା ଚିହ୍ନଦ୍ୱାରା ଚିହ୍ନିତ ହୋଇଅଛି । ପୁଣି ଅଳ୍ପ ଅଳ୍ପ ବିରାମ ନେଇ ଯେଉଁ ଠାରେ ସମ୍ପୂର୍ଣ୍ଣ ବିରାମ ନିଆଯାଏ ତାହା ପୂର୍ଣ୍ଣ ଯତି-ସ୍ଥାନ । ତାହା * ତାରା ଚିହ୍ନଦ୍ୱାରା ଦ୍ୱିତୀୟ ଉଦାହରଣରେ ଚିହ୍ନିତ । ଏକ ସ୍ୱରର ଝୁଙ୍କର ଆରମ୍ଭରୁ ବିରାମ-ଯତି ମଧ୍ୟରେ ଯେତେଗୁଡ଼ିଏ ବର୍ଣ୍ଣ ଉଚ୍ଚାରଣ କରାଯାଏ ସେ ସମସ୍ତଙ୍କ ସମଷ୍ଟିକୁ ଚରଣ କହନ୍ତି । ଏକ ଚରଣ ଉତ୍ତାରୁ ଆଉ ଏକ ବିରାମ-ଯତି ଅଥବା ପୂର୍ଣ୍ଣଯତି ଥିଲେ ତହିଁ ମଧ୍ୟରେ ଥିବା ବର୍ଣ୍ଣଗୁଡ଼ିକୁ ମଧ୍ୟ ଚରଣ କହନ୍ତି । ସ୍ୱର ଝୁଙ୍କର ଆରମ୍ଭରୁ ପୂର୍ଣ୍ଣଯତି ମଧ୍ୟରେ ଅକ୍ଷର ସମଷ୍ଟିକୁ ସ୍ତବକ କହନ୍ତି । ଅର୍ଦ୍ଧଯତି ଅନୁସାରେ ଏକ ଚରଣ ଯେତେ ଭାଗରେ ବିଭକ୍ତ ହୁଏ ସେହି ପ୍ରତ୍ୟେକ ଭାଗକୁ ପର୍ବ କହନ୍ତି । ପର୍ବ ଦୁଇ ଭାଗରେ ବିଭକ୍ତ ହେଲେ ପ୍ରତ୍ୟେକ ଭାଗକୁ ପର୍ବାଙ୍ଗ କହନ୍ତି ।

 

ପ୍ରଥମ ଉଦାହରଣରେ ଯେଉଁ ସବୁ ଚ୍ଛେଦ ବ୍ୟବହାର କରା ଯାଇଅଛି ସେ ସମସ୍ତ ଅର୍ଥ-ବୋଧର ସୁବିଧା ନିମନ୍ତେ । ଏଣୁ ସେହି ଚ୍ଛେଦ ଥିବା ସ୍ଥାନଗୁଡ଼ିକ ଅର୍ଥ-ଯତିର ସ୍ଥାନ ଓ ଚ୍ଛେଦଗୁଡ଼ିକୁ ଅର୍ଥ-ଯତି-ଚିହ୍ନ କୁହା ଯାଇ ପାରେ, କିନ୍ତୁ ଦ୍ୱିତୀୟ ଉଦାହରଣରେ ବ୍ୟବହୃତ ଚିହ୍ନଗୁଡ଼ିକ ଅର୍ଥ–ବୋଧର ସୁବିଧା ନ ଜନ୍ମାଇ ବରଂ ଟିକିଏ ଅସୁବିଧା ଜନ୍ନାନ୍ତି । “ସ୍ତନ୍ୟ-ଦାନେ * କେତେ ଦିନ ବଞ୍ଚାଇଲି” ଓ “ଚାହୁଁ ଚାହୁଁ ହୋଇଗଲା”*-ଏପରି ହୋଇଥିଲେ ଅର୍ଥବୋଧକ ସୁବିଧା ହୋଇ ଥାଆନ୍ତା । କିନ୍ତୁ ପଦମାନଙ୍କର ଉଚ୍ଚାରଣ-କାଳର ପରିମାଣ-ସମତା ରକ୍ଷା କରି ପଦ୍ୟରେ ବିରାମ ନିଆ ଯାଉଥିବାରୁ ଅର୍ଥ–ବୋଧକୁ ଲକ୍ଷ୍ୟ କରାଯାଏ ନାହିଁ, ଏଣୁ ପରିମିତ କାଳରେ ବିରାମ-ଗ୍ରହଣ ଛନ୍ଦ-ସୃଷ୍ଟିର ପ୍ରଧାନ କାରଣ । ଯେଉଁ ଗଦ୍ୟ-ରଚନାରେ ସମଦୀର୍ଘ ପୂର୍ଣ୍ଣବାକ୍ୟ ଥାଏ ଓ ବାକ୍ୟ ଗୁଡ଼ିକରେ ଶ୍ରୂତି-ମଧୁର ଶଦ୍ଦମାନଙ୍କର ଯୋଜନା ଥାଏ ତହିଁରେ ମଧ୍ୟ ଛନ୍ଦର କ୍ରୀଡ଼ା ଥାଏ । ଏପରି ଗଦ୍ୟକୁ ପଦ୍ୟସମା ଗଦ୍ୟ କହନ୍ତି, ଯଥା : –

 

“ହର୍ଷମତି ଦେଖିଲା ମାତ୍ରକେ ବୋଇଲା, ‘ଆହା ! ଆହା ! କି କଲ ! କି କଲ ! କି ପଦାର୍ଥକୁ ଏଡ଼େ ଦଶା ଦେଲ । ଏହାକୁତ ଦେବତା ‘ନଟ’ ରଖି ନାହିଁ । ହୃଦରେ ବସିଲା, ରକତ ଶୋଷିଲା, ଥାନ ମୁଦ୍ରା ନାଶିଲା.....” (ଚତୁର ବିନୋଦ) ।

 

ଏ ଭଳି ଗଦ୍ୟ କ୍ରମଶଃ ଲୋକ ମୁଖରେ ପଦ୍ୟରେ ପରିଣତ ହେଲା । ଯେତେବେଳେ ପଦ୍ୟରେ ପରିଣତ ହେବାପାଇଁ ଆରମ୍ଭ କଲା ସେତେବେଳେ ଏଥିରେ ଅକ୍ଷର ସଂଖ୍ୟା, ପର୍ବ, ଚରଣ, ପ୍ରଭୃତି ସମ୍ବନ୍ଧରେ କୌଣସି ନିୟମ ନ ଥିଲା, ଏପରି ପଦ୍ୟକୁ ‘ଗଦ୍ୟସମା’ ପଦ୍ୟ କହନ୍ତି ଓ ଏଥିରେ ଛନ୍ଦର ଲୀଳା ମଧ୍ୟ ଥାଏ । ଯଥା–

 

ଏ କମାର ଦେ ଦାଆ

କାଟେ ଘାସ,

ଖାଉ କାଳୀଗାଈ ଦେଉ ଶିଙ୍ଘ

ଖୋଳେ ମାଟି,

ଗଢ଼ୁ କୁମ୍ଭାର କଳସ ଗୋଟି,

କାଢ଼େ ପାଣି ଧୁଏ ଥଣ୍ଟ,

ଧାଇଁ ଧାଇଁ ଖାଏ କଲୁରି ବେଣ୍ଟ ।

କଥା କହୁଁ କହୁଁ “ଖେଳ ମରିଲା, ବେଳ ବୁଡ଼ିଲା,” “କହିବି କେତେ, ଯାହାକୁ ଯେତେ” ଏହି କଥାମାନ ବା ଏଭଳି ଅନ୍ୟ କଥାମାନ ପ୍ରଥମେ କାହା ମୁଖରୁ ବାହାରିଥିଲା ତାହା କେହି ଜାଣେ ନାହିଁ । କିନ୍ତୁ ଏପରି କଥାମାନଙ୍କର ଶ୍ରୂତି ମଧୁରତା ଯେତେବେଳେ ଲୋକେ ଉପଲବ୍‍ଧି କଲେ ସେତେବେଳେ ସେଗୁଡ଼ିକ ସେମାନଙ୍କ ସ୍ମୃତି ପଟରେ ଅନାୟାସରେ ଅଙ୍କିତ ହୋଇଗଲା । ବର୍ତ୍ତମାନ ମଧ୍ୟ କେହି କଥାରେ ଢଗ ପଦେ କହିଲେ ତାହା ନ ଜାଣିଥିବା ଶ୍ରୋତା ସହଜରେ ମନେ ରଖେ । ଏପରି ଛନ୍ଦ ବିଶିଷ୍ଟ କଥାର ଆଦର୍ଶରେ ପରସ୍ପର ଅର୍ଥଗତ ସମ୍ବନ୍ଧ ଶୂନ୍ୟ ଚରଣମାନ ଏକତ୍ର ଯୋଜନା କରି ପ୍ରଥମେ କିଏ କେବେ ଛନ୍ଦ-ମାଧୁରୀ ଉପଭୋଗ କଲା ତାହା କେହି ଜାଣେ ନାହିଁ ।

ଭାବର ଆବେଗରେ ଆପେ ଆପେ ଛନ୍ଦର ସୃଷ୍ଟି ହୁଏ । କୌଣସି ସ୍ତ୍ରୀ ଯେତେବେଳେ ସନ୍ତାନ-ବିଚ୍ଛେଦରେ କାନ୍ଦୁଥାଏ ସେତେବେଳେ ସେ ଏକ ଝୁଙ୍କରେ ବାହୁନି ବାହୁନି କେତେ କଥା କହି ଟିକିଏ ବିରାମ ନେଇ ଶେଷକୁ ସନ୍ତାନକୁ ସମ୍ବୋଧନ କରି ପୂର୍ଣ୍ଣ ବିରାମ ନିଏ ଏବଂ ପୁଣି ସ୍ୱରର ଝୁଙ୍କ ଆରମ୍ଭ କରେ । ସେହି କ୍ରନ୍ଦନରେ ମଧ୍ୟ ଛନ୍ଦର ସୃଷ୍ଟି ହୁଏ । ଏହି ସ୍ୱତଃ ସୃଷ୍ଟ ଛନ୍ଦର ସୌଷ୍ଠବ ବଢ଼ାଇବା ପାଇଁ କବି ଯତ୍ନ କରି କଳା-ଜ୍ଞାନର ପରିଚୟ ଦିଏ । ଭାଷାର ସ୍ୱାଭାବିକ ଉଚ୍ଚାରଣ-ପଦ୍ଧତିକୁ ଅବ୍ୟାହତ ରଖି ବିଭିନ୍ନ ବାକ୍ୟାଂଶକୁ କୌଣସି ସୃସ୍ପଷ୍ଟ ସୁନ୍ଦର ଆଦର୍ଶ ଅନୁସାରେ ଯୋଜନା କଲେ ଛନ୍ଦ-ମାଧୁରୀ ସୃଷ୍ଟି ହୁଏ । ଓଡ଼ିଆ ଭାଷାର ସ୍ୱାଭାବିକ ଉଚ୍ଚାରଣ-ପଦ୍ଧତି ନ ଜାଣିଲେ ତାହାକୁ ଛନ୍ଦରେ ଅବ୍ୟାହତ ରଖିବା ଦୁରୂହ । ଏଣୁ ଓଡ଼ିଆ ଛନ୍ଦର ବିକାଶ-କ୍ରମ ଆଲୋଚନା କରିବା ପୂର୍ବରୁ ତାହାର ଉଚ୍ଚାରଣ-ପ୍ରକୃତି ଉଲ୍ଲେଖ କରିବା ଉଚିତ ।

ସ୍ୱରଧର୍ମ–ସ୍ୱର-ବିଜ୍ଞାନ ଅନୁସାରେ ଚାରୋଟି ଧର୍ମ ଅଛି-‘ତୀବ୍ରତା’ (pitch), ‘ଗାମ୍ଭୀର୍ଯ୍ୟ’ (Intensity or loudness) ‘ସ୍ୱର-ରଙ୍ଗ’ (tone colour) ଏବଂ ‘ସ୍ୱର-ଦୈଘ୍ୟ’ ବା ସ୍ୱରର କାଳ-ପରିମାଣ (length or duration)

ଶ୍ୱାସ ବହିର୍ଗତ ହେବାବେଳେ କଣ୍ଠସ୍ଥ ବାକ୍-ତନ୍ତ୍ରୀ ଉପରେ ଶ୍ୱାସ-ବାୟୁର ଚାପ ଯେତିକି ପରିମାଣରେ ପଡ଼େ ସ୍ୱରର କମ୍ପନ ସେତିକି ପରିମାଣରେ ହୁଏ । ବେଶୀ ଚାପ ପଡ଼ିଲେ ସ୍ୱରର ଚାପ ବେଶୀ ଦ୍ରୁତ ଓ ତୀବ୍ର ହୁଏ । ଏହାକୁ ସ୍ୱରର ତୀବ୍ରତା କହନ୍ତି ।

ଅକ୍ଷରର ଉଚ୍ଚାରଣ ସଙ୍ଗେ ସଙ୍ଗେ ଶ୍ୱାସ-ବାୟୁ ଯେତେ ବେଶୀ ପରିମାଣରେ ବହିର୍ଗତ ହେବ ସେତେ ବେଶୀ ପରିମାଣରେ ସ୍ୱର ଗମ୍ଭୀର ହୋଇ ସେତିକି ବେଶୀ ଦୂରରୁ ସ୍ୱର ସ୍ପଷ୍ଟରୂପେ ଶୁଣାଯାଇ ପାରିବ । ଏହାକୁ ‘ସ୍ୱର-ଗାମ୍ଭୀର୍ଯ୍ୟ’ କହନ୍ତି ।

କେବଳ ଶୁଦ୍ଧ ସ୍ୱର କେହି ଉଚ୍ଚାରଣ କରି ପାରେ ନାହିଁ, ସ୍ୱରର ଉଚ୍ଚାରଣ ସଙ୍ଗେ ସଙ୍ଗେ ଅନ୍ୟ ଧ୍ୱନିର ସୃଷ୍ଟି ହୁଏ । ଏହି ହେତୁରୁ କାହାର ମିଷ୍ଟ ଓ କାହାର ସ୍ୱର କର୍କଶ ହୁଏ, ଏହାକୁ ‘ସ୍ୱର ରଙ୍ଗ’ କହନ୍ତି ।

ଯେତେବେଳ ଯାଏ କୌଣସି ବର୍ଣ୍ଣ ବାଗ୍‍ଯନ୍ତ୍ରରେ ରହି ଉଚ୍ଚାରିତ ହେଉଥାଏ ସେତେବେଳ ଯାଏ ସ୍ୱର ଦୀର୍ଘଥାଏ । ଏହାକୁ ‘ସ୍ୱର-ଦୈର୍ଘ୍ୟ’ କହନ୍ତି ।

‘ଅକ୍ଷର’ କହିଲେ ଆଜିକାଲି ସାଧାରଣତଃ ଲିପିକୁ ବୁଝାଏ, କିନ୍ତୁ ପ୍ରାଚୀନ କାଳରେ ସେପରି ବୁଝାଯାଉ ନ ଥିଲା । ବାକ୍ୟର ଅଣୁ ସ୍ୱରୂପ ଯେଉଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଧ୍ୱନି ଉପଲବ୍‍ଧି କରାଯାଉଥିଲା ତାହାକୁ ‘ଅକ୍ଷର’ (syllable) କୁହା ଯାଉଥିଲା । ଅକ୍ଷରକୁ ବିଶ୍ଳେଷଣ କରି ଯେଉଁ ଗୋଟିଏ ଗୋଟିଏ ବିଶିଷ୍ଟ ଧ୍ୱନି ଉପଲବ୍‍ଧି କରା ଯାଉଥିଲା ତାହାକୁ ‘ପରମାଣୁ’ କୁହା ଯାଉଥିଲା । ଏହି ସୂତ୍ର ଅନୁସାରେ ‘କା’, ‘ଗୌ’, ‘ସତ୍’ ପ୍ରଭୃତି ପ୍ରତ୍ୟେକେ ଗୋଟିଏ ଗୋଟିଏ ଅକ୍ଷର ଏବଂ ‘କ’, ‘ଆ’, ‘ଗ’, ‘ଔ’, ‘ସ୍’, ‘ଅ’, ‘ତ’ ପ୍ରଭୃତି ପ୍ରତ୍ୟେକେ ଗୋଟିଏ ଗୋଟିଏ ଧ୍ୱନି ବା ପରମାଣୁ । ଅର୍ଥାତ୍ ପ୍ରତ୍ୟେକ ସ୍ୱରାନ୍ତ ଓ ସଂଯୁକ୍ତ ବ୍ୟଞ୍ଜନ ଗୋଟିଏ ଗୋଟିଏ ଅକ୍ଷର ଏବଂ ପ୍ରତ୍ୟେକ ସ୍ୱର ଓ ହସନ୍ତ୍ ବ୍ୟଞ୍ଜନ ଗୋଟିଏ ଗୋଟିଏ ‘ଧ୍ୱନି’ ବା ‘ପରମାଣୁ’ । ଏହି ହେତୁରୁ ସଂସ୍କୃତ ଭାଷାରେ ବାକ୍ୟ ମଧ୍ୟରେ କୌଣସି ସ୍ୱତନ୍ତ୍ର ସ୍ୱର ବା ହସନ୍ତ ବ୍ୟଞ୍ଜନ ରହୁ ନ ଥିଲା । କେବଳ ବାକ୍ୟର ଆଦ୍ୟ ସ୍ୱରଟି ଗୋଟିଏ ଅକ୍ଷର ରୂପେ ପରିଗଣିତ ହେଉଥିଲା । କିନ୍ତୁ ଓଡ଼ିଆରେ ଏହି ଉଚ୍ଚାରଣ ନିୟମର ବ୍ୟତିକ୍ରମ ଘଟିଅଛି । ଓଡ଼ିଆରେ ପ୍ରତ୍ୟେକ ସ୍ୱତନ୍ତ୍ର ସ୍ୱର ଓ ହସନ୍ତ୍ ବ୍ୟଞ୍ଜନ, ସ୍ୱରାନ୍ତ ବା ସଂଯୁକ୍ତ ବ୍ୟଞ୍ଜନ ପରି ଗୋଟିଏ ଗୋଟିଏ ଅକ୍ଷର ହୋଇଥିବାରୁ ଆମେ ‘ବଉଳ’ ‘ଜଗତ’(ଜଗତ୍) ପ୍ରଭୃତି ଉଚ୍ଚାରଣ କରିପାରୁ । ଅର୍ଥାତ୍ ଶବ୍ଦର ବା ବାକ୍ୟର ମଧ୍ୟରେ ଅଥବା ପ୍ରାନ୍ତରେ ସ୍ୱତନ୍ତ୍ର ସ୍ୱର ବା ହସନ୍ତ୍ ବ୍ୟଞ୍ଜନ ଥିଲେ ତାହା ସ୍ୱର-ରଙ୍ଗ ଅନୁସାରେ ଅକ୍ଷର ରୂପେ ଉଚ୍ଚାରଣ କରାଯାଏ । ଶବ୍ଦର ଆଦ୍ୟ ସଂଯୁକ୍ତ ବ୍ୟଞ୍ଜନ ଉଚ୍ଚାରଣ କରିବା ଓଡ଼ିଆ ଭାଷାର ପ୍ରକୃତି-ବିରୁଦ୍ଧ ।

ମାତ୍ରା–ଏହାର ଅର୍ଥ ସ୍ୱରର କାଳ-ପରିମାଣର ଭାଗ । ସସ୍କୃତ ଭାଷାରେ ସ୍ୱର-ଦୈର୍ଘର ଭାଗ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ନିୟମ ଅଛି । ସସ୍କୃତରେ ପ୍ରତ୍ୟକ ହ୍ର ସ୍ୱ ସ୍ୱର (ଅ, ଇ, ଉ, ଋ) ଏକମାତ୍ର; ପ୍ରତ୍ୟେକ ଦୀର୍ଘ ସ୍ୱର (ଅ, ଈ, ଊ, ଏ, ଐ, ଓ, ଔ,) ଓ ସଂଯୁକ୍ତ ବ୍ୟଞ୍ଜନର ପୂର୍ବବର୍ତ୍ତୀ ହ୍ର ସ୍ୱ ସ୍ୱର ଦ୍ୱିମାତ୍ର (ରଙ୍ଗ= ରଅ+ଙ୍ଗ); ପୁଣି ଶ୍ଳୋକର କୌଣସି ଚରଣର ପ୍ରାନ୍ତ ସ୍ୱର ହ୍ରାସ ହେଲେ ମଧ୍ୟ ଦ୍ୱିମାତ୍ର ଏବଂ ଅନୁସ୍ୱାର ବା ବିସର୍ଗ-ଯୁକ୍ତ ବ୍ୟଞ୍ଜନ ଦ୍ୱିମାତ୍ର । ମାତ୍ର ଓଡ଼ିଆରେ କୌଣସି ସ୍ୱର ଦ୍ୱିମାତ୍ର ନୁହେ । ସ୍ଥଳ–ବିଶେଷରେ ଦୀର୍ଘ ଯୌଗିକ ସ୍ୱର (ଐ, ଔ,)ଦୁଇ ଅକ୍ଷର ରୂପେ ଉଚ୍ଚାରିତ ହୁଏ । (କୌଳାସ=କଇଳାସ; କୌଶଳ=କଉଶଳ) ।

ଓଡ଼ିଆରେ ଶବ୍ଦର ଆଦ୍ୟରେ ଓ ପ୍ରାନ୍ତରେ ‘ସ୍ୱରଗାମ୍ଭୀର୍ଯ୍ୟ’ ସମାନ ପରିମାଣରେ ଆରୋପ କରାଯାଏ । କିନ୍ତୁ ବଙ୍ଗ ଭାଷାରେ ଶବ୍ଦର ଆଦ୍ୟରେ ସ୍ୱର-ଗାମ୍ଭୀର୍ଯ୍ୟ ବେଶୀ ଓ ପ୍ରାନ୍ତରେ ଊଣା । ଏଣୁ ଓଡ଼ିଆରେ ‘ମୋହିତ’ ଓ ବଙ୍ଗଳାରେ ‘ମୋହିତ୍’ ଉଚ୍ଚାରଣ କରାଯାଏ ଏହି ଉଚ୍ଚାରଣ-ବୈଶିଷ୍ଟ୍ୟରୁ ଯେଉଁ ସବୁ ସଂସ୍କୃତି ଶବ୍ଦରେ ସଂଯୁକ୍ତ ବ୍ୟଞ୍ଜନର ପୂର୍ବବର୍ତ୍ତୀ ସ୍ୱର ହ୍ର,ସ୍ୱ ଥାଏ ସେହି ଶବ୍ଦତଭାବରେ ପରିଣତ ହେଲେ ଉକ୍ତସ୍ୱର ଓଡ଼ିଆରେ ଅବିକଳ ହସ୍ୱ ରହେ କିନ୍ତୁ ବଙ୍ଗଳାରେ ତାହା ଦୀର୍ଘରେ ପରିଣତ ହୁଏ-ଯଥା, ସଂ: ଛତ୍ର=ଓ: ଛତା=ବଂ; ସଂ: କଣ୍ଟକ= ଓ: କଣ୍ଟା= ବଂ: କାଣ୍ଟା) । ଏଥିରୁ ଜଣାଯାଏ, ବଙ୍ଗଳା ପରି ଓଡ଼ିଆରେ ସଂଯୁକ୍ତ ବ୍ୟଞ୍ଜନର ପୂର୍ବବର୍ତ୍ତୀ ହ୍ରସ୍ୱ ସ୍ୱରକୁ ଦ୍ୱିମାତ୍ରରୂପେ ଉଚ୍ଚାରଣ କରାଯାଏ ନାହିଁ । ଏଣୁ ଓଡ଼ିଆ ଛନ୍ଦରେ ଅକ୍ଷର-ଗଣନା ଓ ମାତ୍ରା ମଧ୍ୟରେ ପ୍ରଭେଦ ନାହିଁ-

ଓଡ଼ିଆରେ ‘ମା’, ‘ବା’, (୭ ବାତ), ‘ଛ’ (୭ ଷଟ୍) ‘ନ’ (୭ ନବ) ପ୍ରଭୃତି କେତେଗୁଡ଼ିଏ ଏକାକ୍ଷରା ଶବ୍ଦ ଲିଖିତ ଭାଷାରେ ବର୍ତ୍ତମାନ ପ୍ରଚଳିତ । କିନ୍ତୁ ତହିଁରେ ବିଭକ୍ତି ଯୋଗ କଲେ ଆଦୌ ଅର୍ଥ ପ୍ରତୀତ ହୁଏ ନାହିଁ । ଏଣୁ ବିଭକ୍ତିର ପୂର୍ବରେ ଊର୍ଦ୍ଧ୍ୱଚ୍ଛେଦ (’) ବ୍ୟବହାର କରିବାକୁ ବାଧ୍ୟ ହୋଇ ଆଧୁନିକ ଲେଖକମାନେ ମା’ର ,ବା’ରେ, ଛ’ରୁ; ନ’ରେ ପ୍ରଭୃତି ରୂପରେ ଲେଖୁ ଅଛନ୍ତି । ସେହି ଶବ୍ଦଗୁଡ଼ିକ ଓଡ଼ିଆରେ ମାଆ, ବାଆ, ଛଅ, ନଅ ପ୍ରଭୃତି ରୂପରେ ଦ୍ୱ୍ୟକ୍ଷରା ହୋଇ ଉଚ୍ଚାରିତ ହୁଏ । ଏଣୁ ପ୍ରାଚୀନ କବିମାନେ ଉଚ୍ଚାରଣ ଅନୁସାରେ ଦ୍ୱକ୍ଷରା ରୂପରେ ଲେଖୁଥିଲେ । ବର୍ତ୍ତମାନ ଗଦ୍ୟରେ ସେଗୁଡ଼ିକୁ ଏକ କ୍ଷରା ରୂପେ ଧରା ଯାଇପାରେ । କିନ୍ତୁ ପଦ୍ୟରେ ଦ୍ୱ୍ୟକ୍ଷରା ରୂପେ ଲେଖିବା ଉଚିତ ।

କେତେକ ଆଧୁନିକ କବି ବଙ୍ଗ ଭାଷାର ଅନୁକରଣରେ ସଂଯୁକ୍ତ ବ୍ୟଞ୍ଜନର ପୂର୍ବବର୍ତ୍ତୀ ସ୍ୱରକୁ ଦ୍ୱିମାତ୍ର ରୂପେ ଓଡ଼ିଆ କବିତାରେ ବ୍ୟବହାର କରିବାରୁ ସେମାନଙ୍କ କବିତା ପାଠକମାନଙ୍କୁ ଶ୍ରୃତିକଟୂ ପ୍ରତୀତ ହୁଏ, ଯଥା–

“ଗଣନାହୀନ ସୂର୍ଯ୍ୟ ତାରକା

ନକ୍ଷତ୍ରର ସୃଷ୍ଟି ଲୟେ

ତୁମେ ଓ ମୁହିଁ କେଉଁଠି ଥିଲେ

ଜୀବନ ଧରି ନିତ୍ୟ କ୍ଷୟେ ।” (ପ୍ରେମଶସ୍ୟ)

ଉଦ୍ଧୃତ ସ୍ତବକରେ ପ୍ରଥମ ଚରଣର ତୃତୀୟ ପର୍ବ ‘ନକ୍ଷତ୍ରର’ ଚତୁରକ୍ଷରା ଓ ଦ୍ୱିତୀୟ ଚରଣର ତୃତୀୟ ପର୍ବ ‘ଜୀବନ ଧରି’ ପଞ୍ଚାକ୍ଷରା । ଯଦି ‘ନକ୍ଷତ୍ର’ର ପୂର୍ବରେ ‘ନ’ ସଂଯୁକ୍ତ ବ୍ୟଞ୍ଜନ ‘କ୍ଷ’ ର ପର୍ବରେ ଥିବାରୁ ଦ୍ୱିମାତ୍ର ହୁଏ ତେବେ ‘ନ’ର ପୂର୍ବବର୍ତ୍ତୀ ‘କ୍ଷ’ ଦ୍ୱିମାତ୍ର ହେବ । ତାହାହେଲେ ‘ନକ୍ଷତ୍ରର’ ପର୍ବଟି ଷଣ୍ମାତ୍ର ଓ ‘ଜୀବନ ଧରି’ ପର୍ବଟି ପଞ୍ଚମାତ୍ର । ଯଦି ପର୍ବର ଦ୍ୱିତୀୟ ସଂଯୁକ୍ତ ବ୍ୟଞ୍ଜନର ପୂର୍ବବର୍ତ୍ତୀ ସ୍ୱରଟି କେବଳ ଦ୍ୱିମାତ୍ର ହୁଏ ତେବେ ନକ୍ଷତ୍ରର ପର୍ବଟି ପଞ୍ଚମାତ୍ର ହୁଏ । ସେପରି ନିୟମ ଅନୁସାରେ ଦ୍ୱିତୀୟ ପର୍ବ ‘ସୂର୍ଯ୍ୟ-ତାରକା’ ମଧ୍ୟ ଷଣ୍ମାତ୍ର । କିନ୍ତୁ ପ୍ରଥମ ପର୍ବ ‘ଗଣନାହୀନ’ ପଞ୍ଚମାତ୍ର ଓ ଦ୍ୱିତୀୟ ଚରଣର ଦ୍ୱିତୀୟ ପର୍ବ ‘କେଉଁଠି ଥିଲେ’ ପଞ୍ଚମାତ୍ର ।

ସଂସ୍କୃତ ସୂତ୍ର ଅନୁସାରେ ଗଣନା କଲେ ପ୍ରଥମ ଚରଣରେ ୭+୮+୬+୬=୨୭ ଓ ଦ୍ୱିତୀୟ ଚରଣରେ ୭+୭+୬+୭=୨୭ ମାତ୍ର ଅଛି । କିନ୍ତୁ କେଉଁଠାରେ ପର୍ବ ଷଣ୍ମାତ୍ର, କେଉଁଠାରେ ସପ୍ତମାତ୍ର ଓ କେଉଁଠାରେ ଅଷ୍ଟମାତ୍ର ହୋଇଥିବାରୁ ଏଥିରେ ପର୍ବମାନଙ୍କ ଇଚ୍ଚାରଣ-କାଳର ସମତା-ଶୃଙ୍ଖଳା ରକ୍ଷିତ ହୋଇନାହିଁ । ଏଣୁ ଏଥିରେ ଛନ୍ଦ-କଳା ନାହିଁ ।

ମନୁଷ୍ୟର ସୁଜନ-ଶକ୍ତି ମାନବ ଜାତିର ଏକତା ଓ ଶକ୍ତି ସଞ୍ଚୟରେ ନିୟୋଜିତ ହୁଏ । ବାଷ୍ପୀୟ ଯାନ ଆବିଷ୍କୃତ ହୋଇ ଆଜି ମାନବଜାତିର ଏକତ୍ୱ ଓ ଶକ୍ତି-ସଞ୍ଚୟ ବିଧାନ କରୁଅଛି । ଧର୍ମପ୍ରଚାରକ ମଧ୍ୟ ଏକତ୍ୱ ସ୍ଥାପନରେ ବ୍ରତୀ । କବି ସେପରି ଛନ୍ଦକଳାଦ୍ୱାରା ବିଭିନ୍ନ ଭାଷାର ଏକତ୍ୱ ଆନୟନ କରେ । ଛନ୍ଦର ଏପରି ଶକ୍ତି ଅଛି ଯେ ତାହାର ଭାଷା ଦୁର୍ବୋଧ୍ୟ ହେଲେ ମଧ୍ୟ ସେହି ଶକ୍ତି ଛନ୍ଦରେ ଥିବା ଭାବଟି ଶ୍ରୋତାର ହୃଦୟରେ ଆଙ୍କି ଦେଇ ପାରେ । ଏଣୁ ଓଡ଼ିଆଭାଷାନଭିଜ୍ଞ ବ୍ୟକ୍ତି ମଧ୍ୟ ଓଡ଼ିଆ ସଙ୍ଗୀତ ଶୁଣିବା ପାଇଁ ଆକୃଷ୍ଟ ହୁଏ । କିନ୍ତୁ ଯେଉଁ ଛନ୍ଦ ସ୍ୱାଭାବିକ ଉଚ୍ଚାରଣକୁ ଉପେକ୍ଷା କରେ ଓ ତହିଁରେ ପର୍ବମାନଙ୍କର ସମତା-ଶୃଙ୍ଖଳା ନ ଥାଏ ତାହାଦ୍ୱାରା ଶକ୍ତିକ ସଞ୍ଚୟ ନୋହି ବରଂ କ୍ଷୟ ହୁଏ । ସମାଜର ଅନୁନ୍ନତ ଅବସ୍ଥାରେ ଏପରି ଛନ୍ଦରେ କବିତା ରଚିତ ହୁଏ ଯଥା–

“ଖୁଣ୍ଟିକି ଖୁଣ୍ଟି ପବନ ଖୁଣ୍ଟି,

ଚଢ଼େଇ ଦି’ଟା ଖୁଣ୍ଟାଖୁଣ୍ଟି;(ଖୁଉଣ୍ଟାଖୁଣ୍ଟି)

ଗୋଟିଏ ମଲା,

ଗୋଟିଏ ପରେ କୋଡ଼ି ପଡ଼ିଲା ।

 

ଉଦ୍ଧୃତ ସ୍ତବକରେ ଦ୍ୱିତୀୟ ଚରଣର ଦ୍ୱିତୀୟ ପର୍ବଟି (ଖଣ୍ଟାଖୁଣ୍ଟି) ତତୁରକ୍ଷରା । କିନ୍ତୁ ତାହାକୁ ପଞ୍ଚକ୍ଷରା ରୂପେ ପାଠ କରାଯାଏ । ଅନ୍ୟତ୍ର ‘ଖୁଣ୍ଟି’ ଶବ୍ଦ ତ୍ର୍ୟକ୍ଷରା ନୋହି କେବଳ ଦ୍ୱିତୀୟ ଚରଣର ଦ୍ୱିତୀୟ ପର୍ବରେ ‘ଖୁଣ୍ଟା’ ତ୍ର୍ୟକ୍ଷରା (ଖୁଉଣ୍ଟା) ହୁଏ । ଏହି ଶିଶୁ-ଖେଳ ଗୀତ ଶୁଣି ଶୁଣି ଶିଖୁଥିବାରୁ ଏହାର ଉଚ୍ଚାରଣ ଆୟତ୍ତ କରାଯାଇ ପାରୁଅଛି । କିନ୍ତୁ ସାହିତ୍ୟର କବିତା ଶୁଣି ଶୁଣି ମୁଖସ୍ଥ କରାଯାଏ ନାହିଁ । ଏଣୁ ତାହାର ଛନ୍ଦ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ନୀତି ଅନୁସରଣ କରି ସ୍ପଷ୍ଟ ହେବା ଉଚିତ୍ ।

 

ମିତ୍ରାକ୍ଷର–ଓଡ଼ିଆ ଛନ୍ଦର ବିକାଶ କ୍ରମ ଆଲୋଚନା କରିବା ପୂର୍ବରୁ ମିତ୍ରାକ୍ଷରର ପରିଚୟ ଦେବା ଉଚିତ୍ । ପୂର୍ବେ କୁହା ଯାଇଅଛି ଯେ, ଏକ ସ୍ୱର-ଝଙ୍କାର ଆରମ୍ଭରୁ ପୂର୍ଣ୍ଣ ଯତି ମଧ୍ୟରେ ଥିବା ଅକ୍ଷର ସମଷ୍ଟିକୁ ସ୍ତବକ (stanza) କହନ୍ତି । ଏହାର ଅର୍ଥ ଏହା ଯେ, ଚରଣ ପର୍ଯ୍ୟାୟ ସୁଶୃଙ୍ଖଳ ରୀତିରେ ପରସ୍ପର ସଂଶ୍ଲିଷ୍ଟ ହେଲେ ସ୍ତବକ ହୁଏ । ପ୍ରତ୍ୟେକ ଚରଣର ପ୍ରାନ୍ତ ଅକ୍ଷର ଏକ ହେଲେ ଚରଣମାନଙ୍କରେ ପରସ୍ପର ସଂଶ୍ଲେଷ ପରିଷ୍ଫୁଟ ହୁଏ । ଚରଣ ମାନଙ୍କର ପ୍ରାନ୍ତ ଅକ୍ଷରମାନଙ୍କର ଏପରି ମିଳନକୁ ମିତ୍ରାକ୍ଷର (Rhayme) କହନ୍ତି । ମିତ୍ରାକ୍ଷରର ପୂର୍ବବତ୍ତୀ ସ୍ୱରକୁ ‘ଉପଧା’ ବା ଉପାନ୍ତ୍ୟ ସ୍ୱର କହନ୍ତି । ଚରଣମାନଙ୍କର ଉପଧା ସ୍ୱର ମିତ୍ରାକ୍ଷର ପରି ଏକ ହୋଇ ଥିଲେ ଛନ୍ଦ-ମାଧୁରୀ ପରିଷ୍ଫୁଟ ହୁଏ ।

 

ମିତ୍ରାକ୍ଷର ଓ ଉପଧା-ମିଳନର ବିଚାର-ବେଳେ ଓଡ଼ିଆରେ ଇ-ଈ ବା ଉ–ଊ ସ୍ୱର ଯୁଗ୍ମ ମଧ୍ୟରେ ପ୍ରଭେଦ ଲକ୍ଷିତ ହୁଏ ନାହିଁ । ଅର୍ଥାତ୍ ଏକ ଚରଣର ଉପଧା ‘ଇ’ ହେଲେ ଅନ୍ୟ ଚରଣର ଉପଧା ‘ଈ’ ହୋଇ ପାରେ ଏବଂ ମିତ୍ରାକ୍ଷର ଦ୍ୱୟରେ ଗୋଟିକରେ ‘ଇ’ ଥିଲେ ଅନ୍ୟଟିରେ ‘ଈ’ ରହିପାରେ । ଏହିପରି ଉ-ଊ ସ୍ୱର ଯୁଗ୍ମର ମଧ୍ୟ ବ୍ୟବହାର ହୁଏ । ପ୍ରାଚୀନ ପଦ୍ୟମାନଙ୍କରେ ତ, ର, ଳ, ବର୍ଣ୍ଣମାନ ଲ, ନ, ବର୍ଣ୍ଣଦ୍ୱୟ ଓ ନ, ଣ, ବର୍ଣ୍ଣଦ୍ୱୟ ପରସ୍ପର ମିତ୍ରାକ୍ଷର ବିବେଚିତ ହୋଇଅଛି–ଅର୍ଥାତ୍ ଏକ ଚରଣର ପ୍ରାନ୍ତରେ ‘ଡ’ ଥିଲେ ଅନ୍ୟ ଚରଣର ପ୍ରାନ୍ତରେ ‘ଳ’ ବ୍ୟବହୃତ ହୋଇଅଛି । ଏପରି ଏକ ଚରଣର ପ୍ରାନ୍ତରେ ‘ଲ’ ଥିଲେ ଅନ୍ୟ ଚରଣର ପ୍ରାନ୍ତରେ ‘ନ’ ବ୍ୟବହୃତ ହୋଇଅଛି । ବର୍ତ୍ତମାନ ମଧ୍ୟ କବିମାନେ ଏକ ଚରଣର ପ୍ରାନ୍ତରେ ‘ନ’ ବ୍ୟବହାର କଲେ ଅନ୍ୟ ଚରଣର ପ୍ରାନ୍ତରେ ‘ଶ’ ବ୍ୟବହାର କରନ୍ତି । ପ୍ରାଚୀନ କବିମାନଙ୍କ ପରି ଆଧୁନିକ କବିମାନେ ମଧ୍ୟ ଲ-ଳ ବର୍ଣ୍ଣଦ୍ୱୟକୁ ପରସ୍ପର ମିତ୍ରାକ୍ଷର ବୋଲି ବିବେଚନା କରନ୍ତି । ତାହା ହେଲେ ଚ-ଛ, ଟ-ଠ, ତ-ଥ, ବ-ଧ, ବ-ଭ ପ୍ରତ୍ୟେକ ବର୍ଣ୍ଣଯୁଗ୍ମ ପରସ୍ପର ମିତ୍ରାକ୍ଷର ରୂପେ ପରିଗଣିତ ହୋଇ ପାରନ୍ତି । କିନ୍ତୁ ଏଥିରେ ଛନ୍ଦ–କଳାର ଉତ୍କର୍ଷ ସାଧିତ ହୁଏନାହିଁ ।

 

ମିତ୍ରାକ୍ଷରର ମିଳନ ଥାଇ କୌଣସି ଦିଓଟି ବାକ୍ୟ କାହାରି ମୁଖରୁ କଥା କହିବା ବେଳେ ନିଃସୃତ ହେଲେ ତାହା ଶ୍ରୋତାମାନଙ୍କ ସ୍ମୃତି-ପଟରେ ଅନାୟାସରେ ଅଙ୍କିତ ହୋଇ ଯାଉଥିଲା । ଏପରି ବାକ୍ୟ ଦ୍ୱୟରେ ପ୍ରଥମ ବାକ୍ୟର ଅକ୍ଷର–ସଂଖ୍ୟାଠାରୁ ଦ୍ୱିତୀୟ ବାକ୍ୟର ଅକ୍ଷର ସଂଖ୍ୟା ସମାନ ନ ଥିଲା । ପ୍ରଥମଟିରେ ଅଳ୍ପ ଅକ୍ଷର ଓ ଦ୍ୱିତୀୟଟିରେ ଅଧିକ ଅକ୍ଷର ଥିଲା । ସାଧାରଣତଃ ପ୍ରଥମଟି ଏକପର୍ବା ଓ ଦ୍ୱିତୀୟଟି ଦ୍ୱିପର୍ବ ହେଉଥିଲା । କିନ୍ତୁ ଦ୍ୱିତୀୟ ବାକ୍ୟର ଦ୍ୱିତୀୟ ପର୍ବଟିର ଅକ୍ଷର ସଂଖ୍ୟା ପ୍ରଥମ ବାକ୍ୟର ଅକ୍ଷର ସଂଖ୍ୟା ସଙ୍ଗେ ସମାନ ଥିଲା । ଯଥା–

 

(କ)

୧.

ତୁଚ୍ଛାକୁ ଏତେ, ମୁଦି ନାହିଁ [ଗୋଡ଼ *କଚାଡ଼ୁ କେତେ]

୨.

ତାଳି ତାଳି, ଦୁଧଭାତ *ଥାଳି ଥାଳି ।

୩.

ଆରେ ଜାଲିଆ, ଗୋରୁକ *ଲୁହା ଭାଲିଆ ।

୪.

ଗୁଣସାଗର, ଗୁଣ ରଖିଗଲେ * ଅଖା ଭିତର

୫.

ବାୟାର କି ଯାଏ, ବାଆକଲେ ବସା* ଦୋହଲୁଥାଏ ।

 

* ଏହି ତାରା ଚିହ୍ନଟି ଦ୍ୱିତୀୟ ଚରଣର ପର୍ବ-ଭାଗ ନିର୍ଦ୍ଦେଶ କରିବା ପାଇଁ ବ୍ୟବହାର କରା ଯାଇଅଛି । ପଞ୍ଚମ ଦୃଷ୍ଟାନ୍ତରେ କେବଳ ଦ୍ୱିତୀୟ ବାକ୍ୟର ଶେଷ ପର୍ବର ଅକ୍ଷର-ସଂଖ୍ୟା ପ୍ରଥମ ବାକ୍ୟର ଅକ୍ଷର ସଂଖ୍ୟା ସଙ୍ଗେ ସମାନ ନୁହେଁ; ଅନ୍ୟାନ୍ୟ ଦୃଷ୍ଟାନ୍ତରେ ସମାନ ଅଛି ।

 

ମିତ୍ରାକ୍ଷରର ମିଳନ ଥାଇ ସମାନ ସଂଖ୍ୟକ ବାକ୍ୟ-ଯୁଗ୍ମ ଲୋକଙ୍କ ମୁଖରୁ ନିଃସୃତ ହୋଇଥିଲା ବୋଲି (ଖେଳ ସରିଲା, ବେଳ ବୁଡ଼ିଲା) ପୂର୍ବେ କୁହା ଯାଇଅଛି । ଏହାର ଅନୁକରଣରେ ପରସ୍ପର ଅର୍ଥଗତ ସମ୍ବନ୍ଧ ଥାଉ ବା ନ ଥାଉ ସମାନ ସଂଖ୍ୟକ-ଅକ୍ଷର-ବିଶିଷ୍ଟ ଚରଣଦ୍ୱୟରେ ସ୍ତବକମାନ ଛନ୍ଦା-ମାଧୁରୀ ଉପଭୋଗ କରିବା ପାଇଁ ରଚିତ ହୋଇଥିଲା । ପ୍ରତ୍ୟେକ ଚରଣ ଦ୍ୱିପର୍ବା ହୋଇଥିଲା । କେଉଁ ସ୍ତବକର ପ୍ରତି ଚରଣରେ ସପ୍ତାକ୍ଷର, କାହିଁରେ ଅଷ୍ଟାକ୍ଷର, କାହିଁରେ ନବାକ୍ଷର–ଏହିପରି ସାତଠାରୁ ଷୋଳ ଅକ୍ଷର ପର୍ଯ୍ୟନ୍ତ ବ୍ୟବହୃତ ହୋଇଥିଲା-। ଯଥା–

 

(ଖ)

ସପ୍ତାକ୍ଷରା–

ଚକା ଚକା ଭଉଁରୀ,

 

ମାମୁଘର ଚଉଁରୀ ।

 

ମାମୁ ମୋତେ ମାଇଲା,

 

ମାଈଁ ମୋତେ ଖୋଇଲା ।

ଅଷ୍ଟାକ୍ଷରା–

ଧାଇଁ ପାରୁଥିବ କୋଶେ,

 

ଚୂଡା ଖାଉଥିବ ପୋଷେ ।

 

ରଜାର ଚାକର ହେବ,

 

ଦେଶ-ଲୋକେ ଦଣ୍ଡ ଦେବ ।

ନବାକ୍ଷରା–

କହି ଦେଉଥାଏ ପରକୁ,

 

ବୁଦ୍ଧି ନ ଦିଶଇ ଘରକୁ ।

ଦଶାକ୍ଷରା–

ଯାହାର ମନ ଯହିଁକି ରସେ,

 

ତା’ବିନା ତାକୁ ଅନ୍ୟ ନ ଦିଶେ ।

ଏକାଦଶାକ୍ଷରା–

କଇଞ୍ଚି କାକୁଡ଼ି ମୁଣ୍ଡିଟି ପିତା,

 

ଛଅ ବୋହୁଙ୍କର ଛଅ ଦୁହିତା ।

ଦ୍ୱାଦଶାକ୍ଷରା–

ଟିକି ଟିକି କଣ୍ଟା କପୂରର ବାସ,

 

ଏ ନାଆଁ କହିଲେ ବଳରାମ ଦାସ ।

ତ୍ରୟୋଦଶାକ୍ଷରା–

ରାମ-ବିଭା-କାଳେ ଲକ୍ଷ୍ମଣ ବରଯାତୀ,

 

କନକ ବେଦୀ ତଳେ ଟେକାଇଲେ ଛତି ।

ଚତୁର୍ଦ୍ଦଶାକ୍ଷରା–

ତେଲି ବୋଲେ, “ଘଣା-ଗଣ୍ଡି ଘୋଡ଼ା ଜନ୍ମ କଲା,

 

ତନ୍ତି ବୋଲେ “ଘୋଡ଼ା-ପିଲା ଡିମ୍ବୁ ଜନମିଲା ।

ପଞ୍ଚଦଶାକ୍ଷରା–

ମାରୁଥିଲେ ମହାପାତ୍ର ଚାହିଁଥିଲେ ଜଳକା,

 

ଖଟୁଥିଲେ ଗଧ ସିନା ହେଉଥିବୁ ତାଟକା ।

ଷୋଡ଼ଶାକ୍ଷରା–

ଶଙ୍ଖଚିଲ ମହାବିଲ ଧୋବ ଧାଉଳିଆ ପକ୍ଷୀ,

 

ରାମଚନ୍ଦ୍ର କହିଯାଇଚନ୍ତି ସୀତା ବଡ଼ ଦୁଃଖୀ ।

 

ସାହିତ୍ୟର ଅନୁନ୍ନତ ଅବସ୍ଥାରେ ଚରଣମାନଙ୍କର ଅକ୍ଷର ସଂଖ୍ୟା ସମାନ ହୁଏ ନାହିଁ । ଓଡ଼ିଶାରେ ଦିନେ ଅସମାନ ଅକ୍ଷର ସଂଖ୍ୟା ବିଶିଷ୍ଟ ଚରଣମାନ ରଚିତ ହେଉଥିଲା । ତାହାର ଚିହ୍ନ ଅଦ୍ୟାବଧି ଦାସକାଠିଆମାନେ ସାଇତି ରଖିଅଛନ୍ତି । ଏମାନେ ଆଶୁ ପଦ୍ୟ ରଚନା କରି ଗଳ୍ପ ବର୍ଣ୍ଣନା କରନ୍ତି । କିନ୍ତୁ ଚରଣମାନଙ୍କର ଅକ୍ଷର-ସଂଖ୍ୟା ସମାନ ହୁଏ ନାହିଁ । ଶାରଳାଦାସଙ୍କ ମହାଭାରତ ଏପରି ଚରଣମାନଙ୍କରେ ରଚିତ । ବ୍ରଜନାଥ ବଡ଼ଜେନା ମଧ୍ୟ ଏପରି ଚରଣ-ବିଶିଷ୍ଟ ସ୍ତବକ ରଚନା କରି ଦୃଷ୍ଟାନ୍ତ ରଖି ଅଛନ୍ତି । ଯଥା–

 

(ଗ)

୧.

“ଆରେ ଯେତେ ଶୁଣାଇଲି କୁଳବିଦ୍ୟା ପାଠ ଶାଠ

 

ଶୁଣି ପଲ୍ଲବିତ ଗଛ ଶୁଖି ହେବ କାଠ ।”

୨.

“ପିଉସା ଦେହେ ମୋ ପିତ୍ତ ବଢ଼ିଲା ପ୍ରବଳେ

 

ପକାଇଲୁ ତାହାଙ୍କୁ ପହଡ଼େ ଖରା ବେଳେ ।”

 

(ଚତୁର ବିନୋଦ)

 

ଏହା ଉତ୍ତାରୁ ଚରଣମାନଙ୍କରେ ଅକ୍ଷର ସଂଖ୍ୟା ସମାନ କରି ସ୍ତବକମାନ ରଚନା କରାଗଲା । କିନ୍ତୁ ପର୍ବମାନଙ୍କରେ ଅକ୍ଷର-ସଂଖ୍ୟା ସମାନ କରାଗଲା ନାହିଁ ଓ ଉପାଧାର ମିଳନ ପାଇଁ ଚେଷ୍ଟା କରାଗଲା ନାହିଁ । ତାହାର କାରଣ ପରେ କୁହାଯିବ ।

 

(କ)–ଚିହ୍ନିତ ଦୃଷ୍ଟାନ୍ତମାନଙ୍କରୁ ବୁଝା ଯାଇଅଛି ଯେ, ପ୍ରଥମ ଚରଣ ଏକା ପର୍ବା ଓ ଦ୍ୱିତୀୟ ଚରଣ ଦ୍ୱିପର୍ବା ହେଲେ ତହିଁରେ ଛନ୍ଦର କ୍ରୀଡ଼ା ରହେ । ଯେତେବେଳେ ଦ୍ୱିପର୍ବା ଚରଣରେ କୌଣସି ଦୀର୍ଘ ବିଷୟ ପ୍ରକାଶ କରିବାକୁ ହେଲା ତାହା ସ୍ୱତଃ ତ୍ରିପର୍ବା ହେଲା । ଯଥା–

 

 

(ଘ)

୧.

ଖରାଦିନ-ଦାଣ୍ଡଧୁଳି

 

ଉଞ୍ଚୁ ପିଣ୍ଡାରେ ବସି ଭାଇନା ପାଠ ପଢ଼ୁଥିବ ହେ

 

ହଲୁଥିବ କାନ-ନୋଳି ।

୨.

କହି ଦେଉଥାଇ ସିନା,

 

ତୁହାଇ ତୁହାଇ ପୁଟ ଦେଉଥିଲେ

 

ଲୁହାକି ହୋଇବ ସୁନା ?

 

ଦ୍ୱିତୀୟ ଚରଣରେ ଏପରି ତ୍ରିପର୍ବ ଥିବାରୁ ଓ ସମାନ ସଂଖ୍ୟକ ଅକ୍ଷରରେ ଦୁଇ ଚରଣ ରଚିତ ହେଉଥିବା (ଖ) ଚିହ୍ନିତ ସ୍ତବକମାନଙ୍କରୁ ଜାଣି କ୍ରମଶଃ ଦୁଇ ଚରଣକୁ କବିମାନେ ତ୍ରିପର୍ବା କଲେ ଓ ଚରଣମାନଙ୍କ ଅକ୍ଷର-ସଂଖ୍ୟା ପରି ପର୍ବମାନଙ୍କ ଅକ୍ଷର ସଂଖ୍ୟାର ଶୃଙ୍ଖଳା ରକ୍ଷା କଲେ । ପ୍ରଥମ ଚରଣର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ବର ଅକ୍ଷର-ସଂଖ୍ୟା ଦ୍ୱିତୀୟ ଚରଣର ପର୍ବମାନଙ୍କ ଅକ୍ଷର-ସଂଖ୍ୟା ସଙ୍ଗେ ଯଥାକ୍ରମେ ସମାନ ହେଲା । ଯଥା–

 

 

 

(ଙ)

୧.

ସକାଳ ଗାଧୁଆ ପଖାଳ-ଖିଆ

 

ଯେବେ ସେ ଦେହରେ ଯାଏ,

 

ଘରେ ରହିଥିବ ଶାଳୀ-କନିଆ

 

ଟାପରା ଯେବେ ସେ ସହେ ।

୨.

କାହା କରମରେ ଖୀରି-ଖୀରିଷା

 

କାହା କରମରେ ଲଡ଼ୁ,

 

କାହା କରମରେ ଖାରିଆ ଖଡ଼ା

 

ଚୋବେଇ ଚୋବେଇ ମରୁ ।

୩.

ଭାତ ପଛକେ କଅଁଳ ହେଉ

 

ପେଜ ହେଉ ବହଳିଆ,

 

ଘଇତା ପଛକେ ସନ୍ତିଆ ହେଉ

 

ଲୁଗା ହେଉ ତଅଁରିଆ ।

୪.

ଦୁଧ ଗୁଡ଼ ନେଇ ଲିମ୍ବ-ମୂଳେ ଦେଇ

 

ଲିମ୍ବ କି ମଧୁର ହେବ ?

 

ସାତ ପାଞ୍ଚ କଥା କହିଲେ ବୁଝାଇ

 

ପର କି ଆପଣା ହେବ ?

 

 

୫.

ଥିରି ଥିରି କରି ତୋଳ ହେ ଭାଇ

 

ଗଛ ନ ହଲିବ,

 

ଥିରି ଥିରି କରି ତୋଳ ହେ ଭାଇ

 

ପତ୍ର ନ ଝଡ଼ିବ,

 

କଞ୍ଚନ-ଫୁଲରୁ ଗୋଟିଏ ନେଇ

 

ମଥାରେ ମାରିବ ।

 

ଉଦ୍ଧୃତ ଦୃଷ୍ଟାନ୍ତମାନଙ୍କରୁ ଜଣା ଯାଉଅଛି ଯେ, ପ୍ରଥମ ଚରଣର ପ୍ରଥମ ପର୍ବର ଅକ୍ଷର-ସଂଖ୍ୟା ଯେତିକି ଦ୍ୱିତୀୟ ଚରଣର ଅକ୍ଷର-ସଂଖ୍ୟା ସେତିକି ହୁଏ । ସେପରି ପ୍ରଥମ ଚରଣର ଦ୍ୱିତୀୟ ପର୍ବର ଓ ତୃତୀୟ ପର୍ବର ଅକ୍ଷର-ସଂଖ୍ୟା ଯେତିକି ଦ୍ୱିତୀୟ ଚରଣର ଦ୍ୱିତୀୟ ଓ ତୃତୀୟ ପର୍ବର ଅକ୍ଷର-ସଂଖ୍ୟା ସେତିକି ସେତିକି ହୁଏ । ଏକ ଚରଣରେ ଭିନ୍ନ ଭିନ୍ନ ପର୍ବମାନଙ୍କର ଅକ୍ଷରସଂଖ୍ୟା ସମାନ ହେବ; ଏପରି ନିର୍ଦ୍ଦିଷ୍ଟ ବିଧି ନାହିଁ । ତ୍ରିପର୍ବା ଛନ୍ଦ ବଢ଼ି ଚତୁଷ୍ପର୍ବା ମଧ୍ୟ ହୋଇଅଛି । ଯଥା–

 

(ଚ)

ପାଚିଲା କାଙ୍ଗୁ ବାଜିଲା ଚାଙ୍ଗୁ

ଗାଲର ଉପରେ ଗାଲ,

ହେଲା ଚଇତ ସରିଲା ଭାତ

ଯେଇଁଠି ଖାଲ ସେଇଠି ଚାଲ ।

 

ଏହାର ଦ୍ୱିତୀୟ ଚରଣ ଚତୁଷ୍ପର୍ବା । ଏହିପରି କ୍ରମଶଃ ବଢ଼ି ବଢ଼ି ଏକ ଚରଣ ସପ୍ତପର୍ବା ହୋଇଅଛି । କୌଣସି ପର୍ବ ଆଠ ଅକ୍ଷରରୁ ଅଧିକ ଅଥବା କୌଣସି ଚରଣ ସାତ ପର୍ବରୁ ଅଧିକ ହୋଇଥିବାର ମୋତେ ଜଣା ନାହିଁ । ନିମ୍ନୋଦ୍ଧୃତ ଚରଣଟି ସପ୍ତପର୍ବା–

“ବନ୍ଦଇ ଦିନ-ବାନ୍ଧବ ହରି

ଯେ ତମ-ଚକ୍ର-ଖଣ୍ଡନକାରୀ

ସଦା କମଳା-ନନ୍ଦ ବିସ୍ତାରୀ

ସ୍ୱଭାବେ ଈନ ।” (ବୈଦେହୀଶ ବିଳାସ)

ତ୍ରିପର୍ବରୁ ଅଧିକ ପର୍ବ ଏକ ଚରଣରେ ରହିଲେ ପର୍ବମାନଙ୍କର ମିତ୍ରାକ୍ଷରର ମିଳନ ପ୍ରୟୋଜନୀୟ ହୁଏ । ଉଦ୍ଧୃତ ସପ୍ତପର୍ବା ଚରଣରେ ଦ୍ୱିତୀୟ ଚତୁର୍ଥ ଓ ଷଷ୍ଠ ପର୍ବମାନଙ୍କରେ ମିତ୍ରାକ୍ଷରର ମିଳନ ଅଛି । ଚତୁଷ୍ପର୍ବାରେ ପ୍ରାନ୍ତ ପର୍ବ ଛଡ଼ା ଅନ୍ୟ ତିନି ପର୍ବର ମିତ୍ରାକ୍ଷରର ମିଳନ ଥାଏ । ଯଥା–

“ଦେଖି ନବ କାଳିକା

ବକାଳିକା-ମାଳିକା

ଆଳୀ କାଳିକା-

କାନ୍ତ ସ୍ମରି ।” (ଲାବଣ୍ୟବତୀ)

ଏଥିରେ ପର୍ବମାନଙ୍କର ଅକ୍ଷର-ସଂଖ୍ୟା କ୍ରମଶଃ ଊଣା ହୋଇଅଛି । ବର୍ତ୍ତମାନ ଛନ୍ଦମାନଙ୍କୁ ପର୍ବ ଅନୁସାରେ ଶ୍ରେଣୀ-ବିଭାଗ କରାଯାଇପାରେ । (ଖ)–ଚିହ୍ନିତ ଦୃଷ୍ଟାନ୍ତରେ ଥିବା ଛନ୍ଦକୁ ଦ୍ୱିପର୍ବା କୁହାଯାଇପାରେ । ଅର୍ଥାତ୍ ଯେଉଁ ସ୍ତବକର ପ୍ରତି ଚରଣରେ ଦୁଇ ପର୍ବ ଥାଏ ସେହି ସ୍ତବକର ଛନ୍ଦକୁ ଦ୍ୱିପର୍ବା କହିବା ଉଚିତ । ସେହିପରି (ଙ)–ଚିହ୍ନିତ ଦୃଷ୍ଟାନ୍ତରେ ସ୍ତବକର ଚରଣମାନ ତ୍ରିପର୍ବା ହୋଇଥିବାରୁ ତହିଁରେ ଥିବା ଛନ୍ଦ ତ୍ରିପର୍ବା ନାମରେ ଅଭିହିତ ହେବା ଉଚିତ । (କ)–ଚିହ୍ନିତ ଦୃଷ୍ଟାନ୍ତରେ ଏକ ଚରଣ ଏକ ପର୍ବା ଓ ଅନ୍ୟ ଚରଣ ଦ୍ୱିପର୍ବା ହୋଇଥିବାରୁ ଏହାକୁ ବିଷମ ଦ୍ୱିପର୍ବା କହିବା ସଙ୍ଗତ ଅଟେ । (ଘ)–ଚିହ୍ନିତ ଦୃଷ୍ଟାନ୍ତରେ ଏକ ଚରଣ ଏକ ପର୍ବା ଓ ଅନ୍ୟ ଚରଣ ତ୍ରିପର୍ବା ହୋଇଥିବାରୁ ତାହାକୁ ବିଷମ ତ୍ରିପର୍ବା କୁହାଯିବ ।

ଦ୍ୱିପର୍ବା ଚାରି ଚରଣରେ ଏକ ସ୍ତବକ ହେଉ ଓ ଏଥିରେ ସବୁ ଚରଣର ମିତ୍ରାକ୍ଷର ମିଳନ ଘଟିଥାଉ ଅଥବା ପ୍ରଥମ ଓ ତୃତୀୟ ଏବଂ ଦ୍ୱିତୀୟ ଏବଂ ଦ୍ୱିତୀୟ ଓ ଚତୁର୍ଥ ଚରଣମାନଙ୍କର ମିତ୍ରାକ୍ଷର ମିଳନ ଥାଉ ଏମାନଙ୍କୁ ଦ୍ୱିପର୍ବା କହିବାକୁ ହେବ । ଯଥା–

୧.

ଭାବେ ହରି ଆନନକୁ ବିମନ କୁମୁଦ ।

 

ହରି ଭାବେ ଚାଧର କି କାରଣୀ କୁମୁଦ ।

 

କୁମୁଦ କରି-ସୁଗତି ବହୁ ହରିପଦ ।

 

କୁମୁଦ କରି ସୁଗତି ହରି ଇଚ୍ଛୁ ଖେଦ । (ବିଦଗ୍‍ଧ ଚିନ୍ତାମଣି)

୨.

ଏହି କି ସେ ପୂଣ୍ୟ ଭୂମି ଭୁବନ-ବିଦିତ

 

ସୁବିସ୍ତୀର୍ଣ୍ଣ ରଙ୍ଗ-ଭୂମି ଆର୍ଯ୍ୟ-ଗୌରବର ?

 

ଏହି କି ଭାରତ ଯାର ମହିମା-ସଂଗୀତ

 

ଗମ୍ଭୀର ଝଙ୍କାରେ ପୂର୍ଣ୍ଣ ଦିଗଦିଗନ୍ତର ? (ଭାରତ ଭାବନା)

 

ପ୍ରଥମ ଉଦାହରଣରେ ସବୁ ଚରଣର ମିତ୍ରାକ୍ଷର ମିଳନ ଅଛି । ଦ୍ୱିତୀୟ ଉଦାହରଣରେ ପ୍ରଥମ ଓ ତୃତୀୟ ଏବଂ ଦ୍ୱିତୀୟ ଓ ଚତୁର୍ଥ ଚରଣମାନଙ୍କର ମିତ୍ରାକ୍ଷର ମିଳନ ଅଛି । ତଥାପି ଏମାନେ ଦ୍ୱିପର୍ବା ।

 

ସଂସୃଷ୍ଟି–ଆଉ ଏକ ପ୍ରକାର ଛନ୍ଦ ଅଛି । ବିଭିନ୍ନ ଅକ୍ଷରା ଦ୍ୱିପର୍ବା ସ୍ତବକ ମିଶି ବା ଦ୍ୱିପର୍ବା ସମକ୍ଷରା ସ୍ତବକ ସହିତ ବିଷମ ଦ୍ୱିପର୍ବା ଅଥବା ବିଷମ ତ୍ରିପର୍ବା ସ୍ତବକ ମିଶି–ଏହିପରି ଦୁଇ ବିଭିନ୍ନ ମୂଳ ଛନ୍ଦ ମିଶି ଅନେକ ପ୍ରକାରର ଛନ୍ଦର ସୃଷ୍ଟି ହୁଏ ସେ ସବୁ ଛନ୍ଦକୁ ସଂସୃଷ୍ଟି କୁହାଯାଏ । ଯଥା–

 

୧.

ଶଙ୍ଖଚିଲ ମହାବିଲ ଧୋବ ଧାଉଳିଆ ପକ୍ଷୀ

 

ରାମଚନ୍ଦ୍ର କହି ଯାଇ-ଛନ୍ତି ସୀତା ବଡ଼ ଦୁଃଖୀ ।

 

ତୋ ଥଣ୍ଟରେ ମାଛ ଥାଉ,

 

ମୋ ହାତରେ କାଚ ଥାଉ,

 

ତୋ ଥଣ୍ଟ-ମାଛ ମିଳିଯାଉ,

 

ମୋ ହାତ କାଚ ବଜ୍ର ହେଉ ।

୨.

ପଧାନ ଯାଇଚି ଧାନ ବିଲକୁ,

 

ମାରି ଆଣିବ ଶଙ୍ଖ-ଚିଲକୁ,

 

ଶଙ୍ଖଚିଲ କଲା ବସା

 

ପାଇକାଣୀଙ୍କର ଏଡ଼େ ଭରସା

 

ଦେଖାଇ ଦିଅନ୍ତି ମୁକୁନ୍ଦପୁରିଆ ଖୋଷା ।

 

 

୩.

ବିଭୂଷଣ-ପୁଷ୍ପେ ଯା କାନ୍ତି ଜାଣ,

 

ବିଭୂଷଣ କରି କନ୍ୟାକୁ ଅଣ,

 

ବାରଣ-ଶିରେ ପଦ ଦେଇ ଆସୁ,

 

ବରଣ କରି ରାମ ମନ ତୋଷୁ,

 

ବୋଲି ଦେଲେ କଉଶିକ;

 

ବୋଳି ଦେଲା ପ୍ରାୟେ ଗୋଳି ଚନ୍ଦନକୁ

 

ହୋଇଲେ ରଘୁବଂଶିକ ।

୪.

ତୁହିମା ଜନମଭୂମି ପବିତ୍ର ଭାରତ ଭୂମି

 

ତୋହର ସନ୍ତାନ ଆମ୍ଭେ ଅଟୁ ସରବେ;

 

ତୋର ଶ୍ରୀଚରଣ ସେବା ପାଇଁ ମନ-ପ୍ରାଣ ଦେବା

 

ଗାଇବା ତୋହର ନାମ ଆନନ୍ଦ ରବେ

 

ତୋ ଆନନ୍ଦେ ହୋଇବା ସୁଖୀ

 

କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।

 

ପ୍ରଥମ ଉଦାହରଣରେ ଦିଓଟି ଷୋଡ଼ଶାକ୍ଷରା ଦ୍ୱିପର୍ବା ଚରଣ ଓ ଚାରୋଟି ଅଷ୍ଟାକ୍ଷରା ଦ୍ୱିପର୍ବା ଚରଣ ମିଶି ଗୋଟିଏ ସ୍ତବକ ହୋଇଅଛି । ଦ୍ୱିତୀୟ ଉଦାହରଣରେ ଦିଓଟି ଏକାଦଶାକ୍ଷରା ଦ୍ୱିପର୍ବା ଚରଣ ଓ ତିନୋଟି ବିଷମ ଦ୍ୱିପର୍ବା ଚରଣ ମିଶି ଗୋଟିଏ ସ୍ତବକର ସୃଷ୍ଟି ଘଟିଅଛି । ବିଷମ ଦ୍ୱିପର୍ବା ଛନ୍ଦର ଆଲୋଚନା ପରେ କରାଯିବ । ତୃତୀୟ ଉଦାହରଣରେ ଚାରୋଟି ଏକାଦଶାକ୍ଷରା ଦ୍ୱିପର୍ବା ଚରଣ ଓ ଦିଓଟି ବିଷମ ଦ୍ୱିପର୍ବା ଚରଣ ମିଶି ଗୋଟିଏ ସ୍ତବକ ଗଠିତ ହୋଇଅଛି ଏବଂ ଚତୁର୍ଥ ଉଦାହରଣରେ ଦିଓଟି ଚତୁଷ୍ପର୍ବା ଚରଣ ଓ ଦିଓଟି ବିଷମ ଦ୍ୱିପର୍ବା ଚରଣ ମିଶି ଗୋଟିଏ ସ୍ତବକ ହୋଇଅଛି ଏହିପରି କବିମାନେ ଅସଂଖ୍ୟ ଛନ୍ଦ ସୃଷ୍ଟି କରି ପାରନ୍ତି ।

 

ଅମିତ୍ରାକ୍ଷର–(Blank verse) ଇଂରେଜୀ ଛନ୍ଦର ଅନୁକରଣରେ ମାଇକେଲ ମଧୁସୂଦନ ପ୍ରଥମେ ବଙ୍ଗ ସାହିତ୍ୟରେ ଅମିତ୍ରାକ୍ଷର ଛନ୍ଦ ବ୍ୟବହାର କଲେ । ତାଙ୍କ ଅନୁକରଣରେ କବିବର ରାଧାନାଥଙ୍କଦ୍ୱାରା ଏହି ଛନ୍ଦ ଓଡ଼ିଆ ସାହିତ୍ୟରେ ପ୍ରଚଳିତ ହେଲା । ଏହା ଚତୁର୍ଦ୍ଦଶାକ୍ଷରା ଓ ଦ୍ୱିପର୍ବା ଚରଣରେ ରଚିତ ହୁଏ । ପ୍ରଥମ ପର୍ବଟି ଅଷ୍ଟାକ୍ଷରା ଓ ଦ୍ୱିତୀୟ ପର୍ବଟି ଷଡ଼କ୍ଷରା ହୁଏ ଏବଂ ଏଥିରେ ଚରଣମାନଙ୍କର ମିତ୍ରାକ୍ଷର-ମିଳନ ଥାଏ ନାହିଁ । ଏହାର ଆଉ ଗୋଟିଏ ବିଶେଷ ଲକ୍ଷଣ ଏହି ଯେ, ଅର୍ଥବିଭାଗର ଚ୍ଛେଦ ମିତ୍ରାକ୍ଷର ଛନ୍ଦରେ ପ୍ରତି ଚରଣରେ ରହିଲା ପରି ଏଥିରେ ରହେ ନାହିଁ । ଯଥା–

 

ସର୍ବହର କାଳ ମହା–ବଳୀଠାରୁ ବଳି

କଠୋର ଏ ଧନୁ ତୋର, କଠୋର ଭୀମର

ମହାଗଦା, ଗ୍ରାସଇ ସେ ପକ୍ୱରମ୍ଭା ପରି

(ମହାଯାତ୍ରା)

 

‘ଭୀମର କଠୋର ମହାଗଦା’–ଏହା ଏକ କଥା ହୋଇଥିଲେ ମଧ୍ୟ ‘କଠୋର ଭୀମର’ ପଦଦ୍ୱୟ ଏକ ଚରଣରେ ରହି ‘ମହାଗଦା’ ପଦଟି ଅନ୍ୟ ଚରଣରେ ଅଛି । ଆଧୁନିକ କବିମାନେ ମିତ୍ରାକ୍ଷର ଛନ୍ଦରେ ଏପରି ବ୍ୟବହାର କଲେଣି ।

 

ପ୍ରାଚୀନ କାଳରେ ମିତ୍ରାକ୍ଷର-ଛନ୍ଦରେ ପାର୍ବତିରିକ୍ତ ପଦ କୌଣସି ଚରଣରେ ଥିଲେ ତାହାକୁ ପୃଥକ୍ ରୂପେ ପ୍ରଥମେ ପଢ଼ି ଛନ୍ଦର ଯତି ସମତା ରକ୍ଷା କରୁଥିଲେ । ଯଥାଃ–

 

୧.

ଇଚିଡ଼ି ମିଚିଡ଼ି ଜାମୁ ଚିଡ଼ିଚିଡ଼ି

 

ପିଲେ ମାଇଲେ ଢୋଲ ।

 

ଆଳୁ ଖଣ୍ଡି ଖଣ୍ଡି ପିଚିକା-ପାଣି

 

ମାଆ ଲୋ ! ଏ ଗୋଡ଼ ଖଣ୍ଡି ମୋର ।

୨.

ନୀଳାଧରୀ ନାମେ ସେ ରାଜାଙ୍କର ରାଣୀ

 

ସୁନ୍ଦର-ପଣରେ ରମ୍ଭା-ବୃକ୍ଷର ଠାଣି

 

ତାଙ୍କରତ ଲମ୍ବ ଲମ୍ବ କୁଚ, ଭାଲ ପଟ ଉଚ୍ଚ,

 

ମନ୍ଦାର-ଫୁଲ ନେତ୍ର, ହୀରା-ସମାନ ଗାତ୍ର;

 

ଶଙ୍ଖ-ସୁନ୍ଦର ଭାଷା, ମୟୂର-କଣ୍ଠ-ଭାଷା,

 

ବିପୁଳ ଚାରୁପାଦ, ଗମନେ ଟେକ ନାଦ,

 

ମୃଦଙ୍ଗ-ମୋଟ କଟି

 

ଦଶମାସ ଗର୍ଭ ହେଲାପରି ବନ୍ଧ୍ୟା ରାଣୀର ସର୍ବଦା କାଳେ ଆଗକୁ ବାହାରି ଥାଇ ଥନ୍ତୋଲ ପେଟ ଗୋଟି ।” (ଚତୁର ବିନୋଦ)

 

ପ୍ରଥମ ଉଦାହରଣର ‘ମାଆ ଲୋ’ ଓ ଦ୍ୱିତୀୟ ଉଦାହରଣର ‘ତାଙ୍କରତ’ ଚରଣରୁ ପୃଥକ୍ ରୂପେ ପାଠ କରିବାକୁ ହୁଏ । ଆଧୁନିକ କବିତାରେ ଏପରି ପ୍ରୟୋଗ ଦୂଷଣୀୟ ।

 

ରାଗ–ପୂର୍ବେ କୁହାଯାଇ ଅଛି ଯେ, ଛନ୍ଦ ଅନୁସାରେ କବିତା ପାଠକଲେ ପାଠକର ଚିତ୍ତରେ ରସର ସଞ୍ଚାର ହୁଏ । ଭାଷା-ନଭିଜ୍ଞ ବ୍ୟକ୍ତି ସଙ୍ଗୀତ ଶୁଣିବା ପାଇଁ ଆକୃଷ୍ଟ ହୁଏ ବୋଲି ମଧ୍ୟ କୁହାଯାଇଅଛି । ବର୍ତ୍ତମାନ ଏ କଥା କହିବା ଉଚିତ ଯେ, ବିଭିନ୍ନ ରସର ପ୍ରକାଶ ପାଇଁ ସ୍ୱରର ରୀତି ବିଭିନ୍ନ ହୁଏ । ସ୍ୱରର ଯେଉଁ ରୀତିରେ କବିତା ପାଠକଲେ ଭାଷାନଭିଜ୍ଞ ବ୍ୟକ୍ତି ମଧ୍ୟ କବିତା ବର୍ଣ୍ଣିତ ରସରେ ଅଭିଭୂତ ହୋଇପଡ଼େ ସଙ୍ଗୀତ-ଶାସ୍ତ୍ରରେ ତାହାକୁ ରାଗ କହନ୍ତି । କବିତା-ପାଠର ସାଧାରଣ ରୀତିକୁ ଛନ୍ଦ ଓ ରସୋଦ୍ଦୀପକ ସଙ୍ଗୀତ ପରି ଗାନ କରିବା ରୀତିକୁ ରାଗ କହନ୍ତି । ରାଗ ସମ୍ବନ୍ଧରେ ଶଙ୍ଖରେ (୨ୟ ବର୍ଷ ୪ର୍ଥ ସଂଖ୍ୟା) ପ୍ରକାଶିତ ନୀଳମାଧବ ପାଣିଗ୍ରାହୀଙ୍କ ପ୍ରବନ୍ଧ ପଢ଼ିବା ଉଚିତ ।

 

କେଉଁ ଯୁଗରେ କିଏ ସ୍ୱର-ଝୁଙ୍କକୁ ସାତ ଭାଗରେ ବିଭକ୍ତ କରି ପ୍ରତ୍ୟେକ ଭାଗକୁ ସା, ରି, ଗା, ମା, ପା, ଧା, ନି, ସା ରୂପେ ସଙ୍ଗୀତ-ଶାସ୍ତ୍ରରେ ନିର୍ଦ୍ଦେଶ କରିଅଛି, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ସଙ୍ଗୀତ-ଶାସ୍ତ୍ର ଅନୁସାରେ ମୟୂର ଷଡ଼ଜ ରବର ଅନୁକରୀ ସ୍ୱରକୁ ‘ସା’, ବୃକ୍ଷର ଋଷଭ ଧ୍ୱନିର ଅନୁରୂପ ସ୍ୱରକୁ ‘ରି’, ଛାଗର ଗାନ୍ଧାର-ସଦୃଶ ସ୍ୱରକୁ ‘ଗା’, ବକର ମଧ୍ୟମ ରବର ଅନୁକରୀ ସ୍ୱରକୁ ‘ମା’, ବସନ୍ତଋତୁର କୋକିଳର ପଞ୍ଚମ ତାନ ସଦୃଶ ସ୍ୱରକୁ ‘ପା’, ଅଶ୍ୱର ବା ଭେକର ଧୈବତ ରଡ଼ିର ଅନୁରୂପ ସ୍ୱରକୁ ‘ଧା’, ଏବଂ ହସ୍ତୀର ନିଷାଦ-ଗର୍ଜନର ସଦୃଶ ସ୍ୱରକୁ ‘ନି’, କହନ୍ତି । ଏହି ସପ୍ତ ସ୍ୱରର ବିଭିନ୍ନ ପ୍ରକାର ଓଲମ-ବିଲୋମରେ ବିଭିନ୍ନ ରାଗର ସୃଷ୍ଟି ହୁଏ । ପ୍ରଥମେ ଶ୍ରୀ, ବସନ୍ତ, ପଞ୍ଚମ, ଭୈରବ, ମେଘ ଓ ନଟନାରାୟଣ (ମତାନ୍ତରେ–ଶ୍ରୀ, ବସନ୍ତ, ଭୈରବ, ହିନ୍ଦୋଳ, ମାଳକୋଷ ଓ ଦୀପକ)–ଏହି ଛ’ଟି ରାଗର ସୃଷ୍ଟି ହୋଇଥିଲା । ତତ୍ପରେ ଏହି ରାଗମାନଙ୍କର ଅଙ୍ଗର ଶୃଙ୍ଖଳା-କ୍ରମରେ ଯୋଗ ପରିବର୍ତ୍ତନ ଦ୍ୱାରା (permutation and combination) ଭୈରବୀ, ରାମକେଳୀ, ହିନ୍ଦୋଳୀ, ତୋଡ଼ୀ, ଗାନ୍ଧାରୀ, ଗୁର୍ଜରୀ ପ୍ରଭୃତି ଯେଉଁ ନୂତନ ନୂତନ ସ୍ୱର-ରୀତି ଆବିଷ୍କୃତ ହେଲା ସେଗୁଡ଼ିକୁ ରାଗିଣୀ କୁହାଗଲା । ରାଗିଣୀର ସଂଖ୍ୟା ପ୍ରଥମେ ଛତ୍ରିଶ ଥିଲା । କ୍ରମଶଃ ବଢ଼ିଲା ଓ ବଢ଼ୁଅଛି ।

 

ସଙ୍ଗୀତ-ଶାସ୍ତ୍ରରେ ଧ୍ୱନି-ପରିମାପକୁ (sound sca।e) ଶ୍ରୂତି କହନ୍ତି । କୌଣସି ଏକ କବିତାର ଗୋଟିଏ ଚରଣକୁ ବାଇଶି ଶ୍ରୂତିରେ ଗାଇଲେ ଏକ ପ୍ରକାର ରାଗର ସୃଷ୍ଟି ହୁଏ । ପୁଣି ତାହାକୁ ଏକୋଇଶି ଶ୍ରୂତିରେ ଗାଇଲେ ଅନ୍ୟ ଏକ ପ୍ରକାର ରାଗର ସୃଷ୍ଟି ହୁଏ । ଏହି ହେତୁରୁ ଏକ ଚତୁର୍ଦ୍ଦଶାକ୍ଷରା ଦ୍ୱିପର୍ବା ଛନ୍ଦ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବିଭିନ୍ନ ରାଗରେ ଗାଇବା ପାଇଁ ନିର୍ଦ୍ଦେଶିତ ହୋଇଅଛି । ଯଥା : –

 

 

(ଛ)

 

(ରାଗ–କଳସା)

୧.

ଆନନ୍ଦେ କୋବିଦେ ପିଅ ଏରସ ଶ୍ରବଣେ-

 

ଆଦିକନ୍ଦ ଶ୍ରୀରାଧିକା–ଶ୍ରୀନାମ ଶ୍ରବଣେ ।

 

(ବିଦଗ୍‍ଧ ଚିନ୍ତାମଣି)

 

(ରାଗ ଭୈରବ)

୨.

ଏଥୁଅନ୍ତେ ଦେଖେ ବୀର ହୋଇଲା ବରଷା ।

 

ବିଚାର କରଇ ଥିଲା ଏମନ୍ତ ଭରସା ।

 

(ଲାବଣ୍ୟବତୀ)

 

(ରାଗ-ମାଳବ)

୩.

ରସିକ-ଚାତକ-ମୁଖ ଘନରସଦାୟୀ ।

 

ଏ ଛାନ୍ଦକୁ ଶୁଣିମା ସୁଜନେ ମନ ଦେଇ । (,,)

 

(ରାଗ-ପଞ୍ଚମ ବରାଡ଼ୀ)

୪.

କର୍ଣ୍ଣମନ-ମହୋତ୍ସବ ରସ ସାବଧାନ ।

 

ହୋଇ ଶୁଣ ସୁରସିତ ତରୁଣ ସୁଜନା । (,,)

 

(ରାଗ-ମାଳବ ଗୌଡ଼ା)

୫.

ବୁଦ୍ଧି ଉତ୍ତମ ଯାହାର କାବ୍ୟ-ଅଭିଧାନେ ।

 

ବୃଜିନ ନାଶ-ଚରିତ ଶୁଣ ସାବଧାନେ ।

 

(ବୈଦେହୀଶ ବିଳାସ)

 

(ରାଗ-ପଟହ ମଞ୍ଜରୀ)

୬.

ବିଡ଼ୋଜା ସୁଧାଂଶୁ-ଗୁରୁ ସଙ୍ଗତି ସମାନ ।

 

ବେନି ଭ୍ରାତ ମୁନିସଙ୍ଗେ ଦେଖେ ସିଦ୍ଧବନ (,,)

 

ଏକ ଛନ୍ଦର କବିତା ଯେପରି ବିଭିନ୍ନ ରାଗରେ ଗାଇବାକୁ ନିର୍ଦ୍ଦେଶିତ, ବିଭିନ୍ନ ଅକ୍ଷରା ଛନ୍ଦର କବିତା ମଧ୍ୟ ସେପରି ଏକ ରାଗରେ ଗୀତ ହେବା ପାଇଁ ନିର୍ଦ୍ଦେଶିତ ହୋଇଅଛି । ଯଥା : –

 

 

 

(ଜ)

 

(ରାଗ-ନଳିନୀ ଗୌଡ଼ା)

ଚତୁର୍ଦ୍ଦଶାକ୍ଷରା–

ଜୟ ଜୟ ଜୟ ରାମ ଜନକ ସୁଖଦ ।

 

ଭୀମ ହରଷ ଦାନରେ ସଦା ବିଶାଇଦ । (ଲାବଣ୍ୟବତୀ)

 

 

 

 

 

(ରାଗ–ନଳିନୀ ଗୌଡ଼ା)

ଅଷ୍ଟାକ୍ଷରା–

ବୁଧେ ଶୁଣ ଏକ ଲୟେ ।

 

ବାତ-ସୁତ ସୁବଳୟେ । (ବୈଦେହୀଶ ବିଳାସ)

 

ଏକ ଛନ୍ଦରେ ରଚିତ କବିତାକୁ ବିଭିନ୍ନ ରାଗରେ ଗାଇବା ଗାଇଁ ଅଥବା ବିଭିନ୍ନ ଛନ୍ଦରେ ରଚିତ କବିତାମାନଙ୍କୁ ଏକ ରାଗରେ ଗାଇବା ପାଇଁ ପ୍ରାଚୀନ ଓଡ଼ିଆ କବିମାନେ ମତି-ଭ୍ରମରେ ନିର୍ଦ୍ଦେଶ କରି ନାହାନ୍ତି । ପ୍ରାଚୀନ ବୌଦ୍ଧ ଗାନ ଓ ଦୋହା ନାମକ ଗ୍ରନ୍ଥରେ ଏପରି ଲକ୍ଷିତ ହୁଏ ଯଥା : –

 

 

(ରାଗ–ପଟମଞ୍ଜରୀ)

ଏକାଦଶାକ୍ଷରା–

କାହୈରି ଘିନି ମେଲି ଅଛହୁ କୀସ ।

 

ବେଟିଲ ହାକ ପଡ଼ଅ ଚୌଦୀସ ।

 

(ରାଗ–ଗୁଜ୍ଜରୀ)

ଏକଦଶାକ୍ଷରୀ–

ଭବ-ଣଇ ଗହଣ ବେଗେଁ ବାହୀ ।

 

ଦୁଅନ୍ତେ ଚିଖିଲ ମାଝେଁ ନ ଥାହୀ ।।

 

(ରାଗ–ଗୁଜ୍ଜରୀ)

ଦଶାକ୍ଷରା–

ଦହି-ଦୁଧେ ପସାର ସଜାଅଁ ।

 

ନେତ ବାସ ଓହାଡ଼ନ ଦିଅ ।।

 

ଚଣ୍ଡୀଦାସ ମଧ୍ୟ ବଙ୍ଗଳା ଶ୍ରୀକୃଷ୍ଣ କୀର୍ତ୍ତନରେ ଏ ଛନ୍ଦରେ ରଚିତ ବିଭିନ୍ନ କରିତାକୁ ବିଭିନ୍ନ ରାଗରେ ଗାଇବା ପାଇଁ ଓ ବିଭିନ୍ନ ଛନ୍ଦରେ ରଚିତ କବିତାମାନଙ୍କୁ ଏକ ରାଗରେ ଗାଇବା ପାଇଁ ନିର୍ଦ୍ଦେଶ କରିଅଛନ୍ତି । ଏଥିରୁ ସ୍ପଷ୍ପରୂପେ ଜଣାଯାଏ ଯେ, ଶ୍ରୂତି ଅନୁସାରେ ରାଗ ନିରୂପଣ କରାଯାଇ ପାରେନାହିଁ । ଯେଉଁମାନେ ଓଡ଼ିଆ ରାଗମାନଙ୍କର ଯତିପାତ ବିଧି ଏପର୍ଯ୍ୟନ୍ତ ନିର୍ଦ୍ଦେଶ କରି ଅଛନ୍ତି, ସେମାନେ ଏକ ଛନ୍ଦରେ ରଚିତ କବିତାଟିର ବିଭିନ୍ନ ରାଗରେ ବିଭିନ୍ନ ଯତିପାତ କିପରି ହୁଏ ତାହା ନିର୍ଦ୍ଦେଶ କରିନାହାନ୍ତି । ଏଣୁ ସେମାନଙ୍କ ମତ ଭ୍ରମ-ସଂକୁଳ ବୋଲି କୁହାଯାଇ ପାରେ । ସେମାନେ ଲକ୍ଷ କରି ନ ଥିଲେ ଯେ, ‘କୋଟିବ୍ରହ୍ମାଣ୍ଡସୁନ୍ଦରୀ’ର ବିଂଶତି ଛାନ୍ଦକୁ ‘କଳହଂସ କେଦାଇ’ ରାଗରେ ଗାଇ ଏକ ଅର୍ଥ ଓ ‘ଭୂପାଳ’ ରାଗରେ ଗାଇ ଅନ୍ୟ ଅର୍ଥ ଗ୍ରହଣ କରିବା ପାଇଁ ସ୍ୱୟଂ ଉପେନ୍ଦ୍ର ଭଞ୍ଜ ଲେଖିଅଛନ୍ତି ଓ ବର୍ତ୍ତମାନ ମଧ୍ୟ ଏକ ଛନ୍ଦର କବିତାକୁ ବିଭିନ୍ନ ରାଗରେ ଲୋକେ ଗାଆନ୍ତି ।

 

ବିଭିନ୍ନ ଛନ୍ଦର ଦୁଇ ଛାନ୍ଦକୁ ଏକ ‘ଗଡ଼ମାଳିଆ’ ରାଗରେ ଗାଇବାପାଇଁ ଅଭିମନ୍ୟୁ ସାମନ୍ତ ସିଂହାର ମଧ୍ୟ ‘ବିଦଗ୍‍ଧ ଚିନ୍ତାମଣି’ରେ ନିର୍ଦ୍ଦେଶ କରିଅଛନ୍ତି । ଯଥା : –

 

 

(ରାଗ–ଗଡ଼ମାଳିଆ)

୧.

ରାଧା ଧରି ସଖି କର

 

ବୋଲନ୍ତି ଆକଟ ଆଉ ନ କର (ଗୋ)

 

ଲାଜ ଭୟ ଛାଡ଼ିଲି ନିଜର (ସଜନୀ ଗୋ)

 

(ରାଗ–ଗଡ଼ମାଳିଆ)

୨.

କୋବିଦ ବୃନ୍ଦ ଏ ଛାନ୍ଦ ଚାନ୍ଦ,

 

ଶ୍ରୀରାଧା ଗୋବିନ୍ଦ ନୂତନ ବିନୋଦ

 

ସ୍ୱାଦୁ ନିନ୍ଦଇ ଅମୃତ କନ୍ଦ ।

 

ଏପରି ଛନ୍ଦକୁ ବିଷମ ଦ୍ୱିପର୍ବା କହନ୍ତି । କାରଣ ତିନି ଚରଣରେ ଏକ ସ୍ତବକ ହୁଏ ଓ ଚରଣମାନଙ୍କର ଅକ୍ଷର-ସଂଖ୍ୟା ସମାନ ନୁହେଁ ।

 

ଏକ ଦ୍ୱାଦଶାକ୍ଷରା ଦ୍ୱିପର୍ବା ଛନ୍ଦର ପ୍ରତ୍ୟେକ ପର୍ବକୁ ଷଡ଼କ୍ଷରା କଲେ ଏକ ପ୍ରକାର ଏବଂ ଗୋଟିଏ ପର୍ବକୁ ସପ୍ତାକ୍ଷରା ଓ ଅନ୍ୟ ପର୍ବକୁ ପଞ୍ଚକ୍ଷରା କଲେ ଅନ୍ୟ ପ୍ରକାର ଛନ୍ଦ ମାଧୁରୀ ଅନୁଭୂତ ହେବ । ସେପରି ଅନ୍ୟ ଦ୍ୱିପର୍ବା ଛନ୍ଦରେ ମଧ୍ୟ ହୁଏ । ଯଥା : –

 

 

ଦ୍ୱାଦଶାକ୍ଷର–

(୧)

ଉତ୍କଳ-କମଳା ବିଳାସ ଦୀର୍ଘିକା

 

 

ମରାଳ-ମାଳିନୀ ନୀଳାମ୍ବୁ ଚିଲିକା (ଚିଲିକା)

 

(୨)

ଆସନ୍ତେ ବର୍ଷାକାଳ ନିଦାଘ ଶେଷେ

 

 

ଘୋଟଇ ମେଘ-ମାଳ ଆକାଶ-ଦେଶେ ।

 

 

(ବର୍ଷା)

ଷୋଡ଼ଶାକ୍ଷରା–

(୧)

ସମର-ଭୂମିରୁ ଆଜି

 

 

ମୁହିଁ ପାଇବି ମେଲାଣି,

 

 

ଫେରିଯିବି ଦୂର ଦେଶେ

 

 

ସମର ଗୌରବ ଘେନି ।

 

 

(ପତ୍ୟାବୃତ୍ତ ସୈନିକ)

 

(୨)

ଅସମ୍ଭାଳେ ଫିଟି କୁନ୍ତଳ

 

 

ଭୂମି ଯାଏ ପରଶି;

 

 

ଯେଣେ ଅନାଉଛି ଲଳନା

 

 

ଫୁଲ ଯାଏ ବରଷି ।

 

 

(ଚନ୍ଦ୍ରଭାଗା)

 

ପର୍ବମାନଙ୍କର ଅକ୍ଷର ସଂଖ୍ୟା ପରିବର୍ତ୍ତନ କଲେ ଛନ୍ଦ ବଦଳେ, କିନ୍ତୁ ରାଗର ପରିବର୍ତ୍ତନ କିପରି କରାଯାଏ ତାହା ମୁଁ ଜାଣେ ନାହିଁ । ସଂଗୀତଜ୍ଞ ସେ କଥା କହିବେ, କିନ୍ତୁ ଏ କଥା ସତ୍ୟ ଯେ, ଓଡ଼ିଶାର ପ୍ରାଚୀନ କବିମାନେ ରାଗ ଅନୁସାରେ କବିତା ରଚନା କରିଥିବାରୁ ସେମାନେ ପର୍ବ ବିଭାଗ କରି ନାହାନ୍ତି, କିନ୍ତୁ ସମସ୍ତେ ରାଗ ଅନୁସାରେ କବିତା ପାଠ କରି ପାରନ୍ତି ନାହିଁ, ଏଣୁ ପର୍ବ ବିଭାଗ ବଡ଼ ଆବଶ୍ୟକ । ପର୍ବଗୁଡ଼ିକ ପୃଥକ୍‍ ପୃଥକ୍ ରୂପେ ଚିହ୍ନାଇବା ପାଇଁ ସେଗୁଡ଼ିକୁ ଯଥୋଚିତ ବ୍ୟବଧାନରେ ରଖିବା ଉଚିତ ।

 

ବତ୍ତ–ବେଦରେ ଛନ୍ଦର ଉଲ୍ଲେଖ ଅଛି, ‘ବୃତ୍ତ’ ଶବ୍ଦ ଛନ୍ଦ-ଅର୍ଥରେ କୌଣସିଠାରେ ବ୍ୟବହୃତ ହୋଇନାହିଁ । ପରବର୍ତ୍ତୀ ଯୁଗରେ ସଂସ୍କୃତ ଶ୍ଳୋକମାନଙ୍କର ଛନ୍ଦ ‘ବୃତ୍ତ’ ନାମରେ ଅଭିହିତ ହେଲା । କାରଣ, ଶ୍ଳୋକମାନଙ୍କର ପ୍ରତି ଚରଣ ଗଣରେ ବିଭକ୍ତ ହେଲା ଓ ପ୍ରଥମ ଚରଣରେ ଯେପରି ଶୃଙ୍ଖଳାରେ ଗଣଗୁଡ଼ିକ ଥାଆନ୍ତି ଦ୍ୱିତୀୟ ଚରଣରେ ସେପରି ଶୃଙ୍ଖଳାରେ ସେମାନଙ୍କର ବୃତ୍ତ (ପୁନଃ ପ୍ରୟୋଗ) ହୁଏ, ଅର୍ଥାତ୍ ପ୍ରଥମ ଚରଣରେ ‘ମ’-ଗଣର ଅକ୍ଷରମାନଙ୍କ ଉତ୍ତାରୁ ‘ସ’-ଗଣର ଅକ୍ଷରମାନ ଓ ତହିଁ ଉତ୍ତାରୁ ‘ଜ’-ଗଣର ଅକ୍ଷରମାନ ଥିଲେ ଦ୍ୱିତୀୟ ଚରଣରେ ସେପରି ପ୍ରଥମେ ‘ମ’-ଗଣ, ତତ୍ପରେ ‘ସ’-ଗଣ ଓ ତହିଁ ଉତ୍ତାରେ ‘ଜ’ ଗଣ ରହିଥାଏ । ତିନୋଟି ଅକ୍ଷରରେ ପ୍ରତ୍ୟେକ ଗଣ ହୋଉଥିବାରୁ ଶ୍ଳୋକର ଚରଣମାନଙ୍କର ଅକ୍ଷର-ସଂଖ୍ୟା ସମାନ ଥିଲା । ବେଦରେ ଏପରି ଛନ୍ଦ ନ ଥିଲା, ଏଣୁ ବେଦର ଛନ୍ଦଠାରୁ ଶ୍ଳୋକର ଛନ୍ଦକୁ ପୃଥକ୍ ରୂପେ ଚିହ୍ନାଇବା ପାଇଁ ‘ବୃତ୍ତ’ ଶବ୍ଦ ପ୍ରଚଳିତ ହେଲା । ଓଡ଼ିଆରେ ଦ୍ୱିପର୍ବା ଛନ୍ଦରେ ପ୍ରଥମ ଚରଣରେ ଯେପରି ପର୍ବ ବିଭାଗ ଓ ଅକ୍ଷର-ସଂଖ୍ୟା ଯେତିକ ଦ୍ୱିତୀୟ ଚରଣରେ ସେପରି ପର୍ବ-ବିଭାଗ ଓ ଅକ୍ଷର-ସଂଖ୍ୟା ହେଉଥିବାରୁ ଏହି ଛନ୍ଦକୁ ବୃତ୍ତ ମଧ୍ୟ କୁହାଯାଏ । କାବ୍ୟ-ରଚନା ପାଇଁ ଦ୍ୱିପର୍ବା ଛନ୍ଦ ସୁବିଧା-ଜନକ ହୁଏ ବୋଲି ଜଗନ୍ନାଥ ଦାସ ନବାକ୍ଷରା ଛନ୍ଦରେ ଭାଗବତ ଓ ବଳରାମ ଦାସ ଚତୁର୍ଦ୍ଦଶାକ୍ଷରା ଛନ୍ଦରେ ରାମାୟଣ ରଚନା କରି ଅଛନ୍ତି । ଏଣୁ ‘ନବାକ୍ଷରୀ ବୃତ୍ତ’ ବା ‘ଭାଗବତ ବୃତ୍ତ’ ଓ ‘ଚଉଦ ଅକ୍ଷରୀ’ ବା ‘ରାମାୟଣ ବୃତ୍ତ’ ଲୋକଙ୍କ ମୁଖରୁ ଶୁଣାଯାଏ । ତ୍ରିପର୍ବା ଛନ୍ଦକୁ ମଧ୍ୟ ଏହି ବିଧି ଅନୁସାରେ ବୃତ୍ତ କୁହାଯାଇ ପାରେ, କିନ୍ତୁ ସଂସୃଷ୍ଟି-ଛନ୍ଦରେ ଅକ୍ଷର ସଂଖ୍ୟା ପ୍ରତି ଚରଣରେ ସମାନ ନ ଥିବାରୁ ତାହାକୁ ବୃତ୍ତ କୁହାଯାଏ ନାହିଁ । ଏଣୁ ଚୋଖି, ଆଷାଢ଼ ଶୁକ୍ଳ, ରସକୁଲ୍ୟା ପ୍ରଭୃତି ବୃତ୍ତ ନୁହନ୍ତି ।

 

ବାଣୀ–ପୂର୍ବେ କୁହାଯାଇଅଛି ଯେ, ରସୋଦ୍ଦୀପକ ବିଭିନ୍ନ ସ୍ୱର-ରୀତିକୁ ସଙ୍ଗୀତ-ଶାସ୍ତ୍ରରେ ଛ ରାଗ ଓ ଛତ୍ରିଶ ରାଗିଣୀରେ ଶ୍ରେଣୀ ବିଭାଗ କରାଯାଇ ଥିଲା, କିନ୍ତୁ ଯେତେବେଳେ ଅଧିକ ସଂଖ୍ୟକ ରସୋଦ୍ଦୀପକ ସ୍ୱର-ରୀତି ଲକ୍ଷ୍ୟ କରାଗଲା ସେତେବେଳେ ନୂତନ ନାମ ସୃଷ୍ଟି କରିବା ଅସମ୍ଭବ ହେଲା; ଏଣୁ ପ୍ରୀଚୀନ ଓଡ଼ିଆ କବିମାନେ ନୂତନ ରାଗିଣୀର କୌଣସି ନାମ ସୃଷ୍ଟି ନ କରି ଦେଶର ଲୋକେ କୌଣସି ସୁପରିଚିତ ରଚନାକୁ ଯେପରି ସ୍ୱର-ରୀତିରେ ଗାଉଥିଲେ ସେହି ରୀତିକୁ ‘ବାଣୀ’ ଆଖ୍ୟା ଦେଇ ତାହା ସହିତ ରଚନାର ନାମ ଯୋଗ କରି ସେହି ରାଗିଣୀର ନାମ ନିର୍ଦ୍ଦେଶ କଲେ । ଅର୍ଥାତ ବିମ୍ବାଧରୀ ଚଉତିଶା ନାମକ ଗୋଟିଏ କବିତା ଦେଶରେ ସୁପରିଚିତ ହୋଇଥିଲା । ତାହାକୁ ଲୋକେ ଯେଉଁ ରସୋଦ୍ଦୀପକ ସ୍ୱର-ରୀତିରେ ଗାଉଥିଲେ ସେହି ରୀତିକୁ ବିମ୍ବାଧରୀ ଚଉତିଶା ବାଣୀ କହିଲେ । ଏହିପରି ହଂସଦୂତ-ବାଣୀ, ଋକ୍ମିଣୀ-ଚଉତିଶା-ବାଣୀ ପ୍ରଭୃତି ଅନେକ ରାଗିଣୀର ନାମକରଣ ହେଲା । ଉପେନ୍ଦ୍ରଭଞ୍ଜ ଲାବଣ୍ୟବତୀର ଦ୍ୱିତୀୟ ଛାନ୍ଦକୁ କେଦାର ରାଗ ଓ ଚକ୍ରକେଳି-ବାଣୀରେ ଏବଂ ଦ୍ୱିଚତ୍ୱାରିଂଶ ଛାନ୍ଦକୁ ଦେଶାକ୍ଷ ରାଗ ଓ ଚକ୍ରକେଳି-ବାଣୀରେ ଗାଇବା ପାଇଁ ନିର୍ଦ୍ଦେଶ କରିଅଛନ୍ତି । ଏଥିରୁ ବୁଝାଯାଏ ଯେ, ସେତେବେଳେ ଚକ୍ରକେଳି ନାମରେ କୌଣସି ରଚନା ଥିଲା ଓ ତାହା ରସୋଦ୍ଦୀପକ ବିଭିନ୍ନ ସ୍ୱର-ରୀତିରେ ଲୋକେ ଗାଉଥିଲେ । ଏକ କାମୋଦୀ ରାଗକୁ ବୈଦେହୀଶ-ବିଳାସରେ ହଂସଦୂତ-ବାଣୀରେ ଓ ଋକ୍ମିଣୀ-ଚଉତିଶା ବାଣୀରେ ଗାଇବା ପାଇଁ ମଧ୍ୟ ଉପେନ୍ଦ୍ରଭଞ୍ଜ ନିର୍ଦ୍ଦେଶ କରି ଅଛନ୍ତି । ଯଥା : –

 

୧.

(ରାଗ–କାମୋଦୀ, ହଂସଦୂତ-ବାଣୀ)

 

ବିଭାବରୀ ବିନାଶ, ବିଭାବସୁ ପ୍ରକାଶ,

 

ବିଭାଷ ପ୍ରକଟ ଅଶେଷ,

 

ବିଷମ ବାମେ ତ୍ରାସ, ବିଂଶନେତ୍ର ନିଶ୍ୱାସ

 

ତେଜି ବୋଇଲା ଉଚ୍ଚଭାଷ–

 

‘ବଂଶଧ୍ୱଂସ’

 

ବ୍ୟର୍ଥ ଆନରେ କରି ଆଶ,

 

ବୋଧି ମୋ ଭ୍ରାତ ଘେନି ଆସ

 

ବିନିଦ୍ରରେ ଋଭଷ ବିନଶ୍ୟତି ଅବଶ୍ୟ

 

କରିବ ବଇରି ସାହସ ।

୨.

ରାଗ–କାମୋଦୀ, ଋକ୍ମିଣୀ ଚଉତିଶା-ବାଣୀ

 

ବୁଝ ଆହେ ସୁମନେ ନିଦ୍ରାବଶେ ସୁମନେ

 

ସଂବେଶ ଆବେଶ ଶ୍ରୀରାମେ,

 

ବସୁଧା ସୁଧାମୟୀ ବିଶୁଦ୍ଧା ସୁଧା ପିଇ

 

ସୁଧାଂଶୁ ନିଭଛତ୍ରେ ସେ ରମ୍ୟେ,

 

ବସି ଶୁଭ୍ର

 

ବଜ୍ର-ସିଂହାସନେ ତହିଁ

 

ବସି ଶୁଭ୍ର

 

ବସନେ ବିଚାରିତ ହୋଇ

 

ବର ବର୍ଣ୍ଣନ ସୀତା ବୀରବର୍ଣ୍ଣନାଯୁକ୍ତା

 

କୋଳରେ ଅଛନ୍ତି ବସାଇ ।

 

ପ୍ରଥମ ଉଦାହରଣରେ ‘ବଂଶଧ୍ୱଂସ’ ଥରେ ଉଚ୍ଚାରଣ କରିବାକୁ ହୁଏ । ଦ୍ୱିତୀୟ ଉଦାହରଣରେ ‘ବସି ଶୁଭ’, ଦୁଇଥର ଉଚ୍ଚାରଣ କରିବାକୁ ହୁଏ । ଏଣୁ ଏକରାଗ ବିଭିନ୍ନ ରାଗିଣୀରେ ପରିଣତ ହୁଏ । ଏହି ବିଭିନ୍ନତା ଦର୍ଶାଇବା ପାଇଁ ବାଣୀମାନଙ୍କର ନାମୋଲ୍ଲେଖ କରାଯାଇ ଅଛି ।

Image

 

Unknown

ଚତୁର୍ଥ ପରିଚ୍ଛେଦ

ରସ

 

ଶ୍ୟାମଳ ତରୁଣ ବିକାଶ ଅଛି; ଶୁଷ୍କ ତରୁର ନାହିଁ, ଯାହାର ବିକାଶ ଅଛି ତାହା ସତେଜ । ସତେଜତାର କାରଣ–ରସ । ଜଳ, ରୁଧିର ପ୍ରଭୃତି ଶରୀରରେ ଥିଲେ ଶରୀର ସତେଜ ଥାଏ; ସେପରି ଚିତ୍ତରେ ରସ ଥିଲେ ଚିତ୍ତ ସତେଜ ଥାଏ । ଚିତ୍ତ ଅପ୍ରତ୍ୟକ୍ଷ ପଦାର୍ଥ; ଏଣୁ ତାହାର ରସ ମଧ୍ୟ ଅପ୍ରତ୍ୟିକ୍ଷ । କିନ୍ତୁ ନଦୀ ସ୍ରୋତ ବୃକ୍ଷ, ତୃଣ; ପଲ୍ଲବ ପ୍ରଭୃତିକୁ ଭସାଇ ନେଲେ ସେମାନଙ୍କର ପ୍ରତିରୋଧ ଶକ୍ତି ନ ଥାଏ; ସେପରି ରସ-ସ୍ରୋତ ଚିତ୍ତରେ ପ୍ରବାହିତ ହୋଇ ମନୁଷ୍ୟକୁ ଭସାଇ ନେଲେ ମନୁଷ୍ୟ ତାହାର ପ୍ରତିରୋଧ କରିପାରେ ନାହିଁ ନଦୀଗର୍ଭେ ବାଲୁକା-ଶଯ୍ୟାରେ ସ୍ଥିତ ନିଶ୍ଚଳ ନୌକାଟି ଅନ୍ଧକାର ରାତ୍ରରେ ସ୍ପନ୍ଦିତ ହେଲେ ନାବିକ ଜାଣିପାରେ ଯେ, ନଦୀରେ ସ୍ରୋତ ଆସିଲାଣି; ସେପରି ମନୁଷ୍ୟ ଯେତେବେଳେ କର୍ମର ପ୍ରେରଣା ପାଏ ସେତେବେଳେ ଚିତ୍ତରେ ରସର ସଞ୍ଚାର ହେଲା ବୋଲି ବୁଝିବାକୁ ହୁଏ; କର୍ମର ବିଭାଗ ଅନୁସାରେ ରସର ବିଭାଗ ହୁଏ । ଏଣୁ ଯାହା ଚିତ୍ତର ସ୍ପନ୍ଦନ ଜନ୍ମାଏ ତାହା ରସର ମୂଳ ।

 

ଚିତ୍ତରେ କିପରି ରସର ସଞ୍ଚାର ହୁଏ ଓ ତହିଁରେ ଶରୀରର କି କି କାର୍ଯ୍ୟ ହୁଏ ତାହା ପ୍ରାଚୀନ ଆଳଙ୍କାରିକମାନେ ନିରୂପଣ କରି ଅଛନ୍ତି । ସେମାନେ ପ୍ରତ୍ୟେକ ରସର -ବିଭିନ୍ନ ପାଞ୍ଚୋଟି ଅବସ୍ଥା ନିର୍ଦ୍ଦେଶକରି ଅଛନ୍ତି–ଭାବ, ସ୍ଥାୟିଭାବ, ଅନୁଭାବ ଓ ସଞ୍ଚାରିଭାବ । ଏଥିରୁ ନାୟକ ନାୟିକାଙ୍କର ମନସ୍ତତ୍ତ୍ୱ ଓ ଚରିତ୍ର ଅନେକ ପରିମାଣରେ ଜଣାପଡ଼େ ।

 

ଭାବ–କୌଣସି ବିଷୟ ପାଠ, ଦର୍ଶନ ବା ଶ୍ରବଣ କରିବା ମାତ୍ରେ ପାଠକ, ଦର୍ଶକ ବା ଶ୍ରୋତାର ଚିତ୍ତରେ ଯଦି ରସ ଅଙ୍କୁର ସ୍ୱରୂପ ଜନ୍ମେ ତେବେ ତାହାକୁ ଭାବ (incomplete flavor) କହନ୍ତି ।

 

ବିଭାଗ–ଯେଉଁ ସବୁ କାରଣରୁ ଚିତ୍ତରେ ଭାବସ୍ଥାୟୀ ହୁଏ ତାହାକୁ ବିଭାବ (excitant) କହନ୍ତି । ଏହି ବିଭାଗ ଦୁଇ: ପ୍ରକାର-ଆଲମ୍ବନ (substantial) ଓ ଉଦ୍ଦୀପନ (enhancer) କୌଣସି ରମଣୀକୁ ଦେଖି ଚିତ୍ତରେ ପ୍ରେମ-ଭାବ ଜାତ ହେଲେ ରମଣୀକୁ ଆଲମ୍ବନ -ବିଭାବ କୁହାଯାଏ । ସୁଲଳିତ ଗୀତ-ବାଦ୍ୟାଦି ଦ୍ୱାରା ପ୍ରେମ-ଭାବ ଉଦ୍ଦୀପୀତ ହେଲେ ଗୀତ ବାଦ୍ୟକୁ ଉଦ୍ଦୀପନ-ବିଭାବ କୁହାଯାଏ । ପ୍ରତ୍ୟେକ ରସର ଆଲମ୍ୱନ ଓ ଉଦ୍ଦୀପନ-ବିଭାବ ପରେ କୁହାଯିବ ।

 

ସ୍ଥାୟିଭାବ–ଚିତ୍ତରେ ଭାବ ଯେତେବେଳେ ବଦ୍ଧମୂଳ ହୁଏ ସେତେବେଳେ ତାହାକୁ ସ୍ଥାୟିଭାବ (permanent condition) କହନ୍ତି । ଏହା ନ’ପ୍ରକାର -ଅନୁରାଗ, ଉତ୍ସାହ, ଶୋକ, କ୍ରୋଧ, ବିସ୍ମୟ, ଭୟ, ହାସ, ଜୁଗୁପ୍‍ସା (ଘୃଣା) ଓ ଶମ ।

 

କୌଣସି ବ୍ୟକ୍ତି ପ୍ରତି ମନରେ ଯେଉଁ ଅପୂର୍ବ ଆନନ୍ଦ ଜନ୍ମେ ତାହାକୁ ଅନୁରାଗ କହନ୍ତି । କୌଣସି କର୍ମ ଆରମ୍ଭ କରିବା ପୂର୍ବରୁ ନିଜର ସାମର୍ଥ୍ୟ ପ୍ରତି ଚିତ୍ତରେ ବିଶ୍ୱାସ ରଖି ଆଗ୍ରହ ସହିତ ଯେଉଁ ଉଦ୍‍ଯୋଗ କରାଯାଏ ତାହାକୁ ଉତ୍ସାହ କୁହାଯାଏ । ପ୍ରିୟ ବ୍ୟକ୍ତିର ବା ପ୍ରିୟ ବସ୍ତୁର ବିଚ୍ଛେଦରେ ଚିତ୍ତର ଯେଉଁ ସଂକୋଚ ଅବସ୍ଥା ତାହା ଶୋକାନାମରେ ଅଭିହିତ । ପ୍ରତିକୂଳ ବ୍ୟକ୍ତିର ଦୋଷ ଦେଖି ତାହା ପ୍ରତି ଚିତ୍ତର ଅପରିକୀର୍ଷା ରୂପ ଯେଉଁ ଉଦ୍ଧତ ଅବସ୍ଥା ତାହାକୁ କ୍ରୋଧ କହନ୍ତି । ଅଦୃଷ୍ଟ-ପୂର୍ବ ବା ଅଶ୍ରୂତ-ପୂର୍ବ ବିଷୟ ଦର୍ଶନ ବା ଶ୍ରବଣ କରି ପୁଲକାଦି ଜନକ ଯେଉଁ ଚିତ୍ତ-ବିସ୍ତାର ଜାତ ହୁଏ ତାହାକୁ ବିସ୍ମୟ କୁହାଯାଏ । ଅନିଷ୍ଟ ଘଟିଲେ ବା ଅନିଷ୍ଟପାତର ଆଶଙ୍କା ଜନ୍ମିଲେ ଚିତ୍ତର ଯେୁଉଁ ବିକଳତା ଜାତ ହୁଏ ତାହାକୁ ଭୟ କହନ୍ତି । ବିକୃତ ରୂପ ଦେଖି ବା ବିକୃତ କଥା ଶୁଣି ଚିତ୍ତ-ବିସ୍ତାର ସହ ଯେଉଁ ସୁଖ ସମ୍ମିଳିତ ଭାବ ଜାତ ହୁଏ ତାହାକୁ ହାସ କୁହାଯାଏ । କୌଣସି ବ୍ୟକ୍ତିର ବା ବସ୍ତୁର ଦୋଷ ଦେଖି ମନରେ ଯେଉଁ ଘୃଣା ଜନ୍ମେ ତାହାକୁ ଜଗୁପ୍‍ସା କହନ୍ତି । ଭୋଗ-ବିଳାସରେ ନିରଭିଳାଷୀ ଓ ବିଷୟ ପ୍ରତି ଉଦାସୀନ ହୋଇ ପରମାତ୍ମାଙ୍କ ଠାରେ ଚିତ୍ତ ନିବିଷ୍ଟ ହେଲେ ଚିତ୍ତର ସେହି ଭାବକୁ ଶମ କହନ୍ତି ।

 

ଅନୁଭାବ–କୌଣସି ପୁରୁଷକୁ ଦେଖି କୌଣସି ରମଣୀର ଚିତ୍ତରେ ସ୍ଥାୟୀ ପ୍ରେମ-ଭାବ ଜାତ ହେଲେ ସେ ପୁରୁଷ ପ୍ରତି କୋଣେଇ ଚାହେଁ । କେହି ଶୋକରେ ଅଧୀର ହେଲେ ଭୂମିରେ ଗଡ଼େ । ସ୍ଥାୟୀ ଭାବ ଜାତ ହେବାରୁ ସେହି ଭାବ କାର୍ଯ୍ୟରେ ଉକ୍ତ ପ୍ରକାରେ ପ୍ରକାଶ ପାଏ । ଯେଉଁ କାର୍ଯ୍ୟରୁ ଚିତ୍ତର ଅବସ୍ଥା ପ୍ରକାଶ ପାଏ ତାହାକୁ ଅନୁଭାବ କହନ୍ତି । କବି କୌଣସି ନାୟକ ବା ନାୟିକାର ଚିତ୍ତର ଅବସ୍ଥା ସରଳ ଭାବରେ ବର୍ଣ୍ଣନା ନ କରି ଅନୁଭାବରେ ବର୍ଣ୍ଣନା କଲେ କାବ୍ୟ ସରସ ହୁଏ । ବିଭିନ୍ନ ରସର ବିଭିନ୍ନ ଅନୁଭାବ ପରେ କୁହାଯିବ ।

 

ସଞ୍ଚାରିଭାବ ବା ବ୍ୟକ୍ତିଚାରି ଭାବ–ଯେଉଁ ଭାବଗୁଡ଼ିକ ମନୁଷ୍ୟର ଅନ୍ତଃକରଣରେ କେତେବେଳେ ଆବିର୍ଭୂତ ଓ କେତେବେଳେ ତିରୋହିତ ହୁଅନ୍ତି–ଅର୍ଥାତ୍ ଏକମାତ୍ର ରସରେ ନ ରହି ସବୁରସରେ ଉଦ୍ଭୃତ ବା ଅନୁଭୂତ ହୋଇ ପାରନ୍ତି । ସେଗୁଡ଼ିକୁ ସଞ୍ଚାରି ଭାବ କହନ୍ତି । ନିର୍ବେଦ [ଉଦାସୀନତା], ଆବେଗ (emotion), ଦୈନ୍ୟ (humbleness ), ଜଡ଼ତା (stupefaction), ଉଗ୍ରତା, ମୋହ, ମଦ, ଅପସ୍ମାର (dementedness), ନିଦ୍ରା, ଚପଳତା, ବିରୋଧ; ବିଷାଦ, ଶ୍ରମ ଐତ୍ସୁକ୍ୟ, ସ୍ମୃତି, ମରଣ, ଆଳସ୍ୟ, ସ୍ୱପ୍ନ, ଚିନ୍ତା, ଗ୍ଲାନି, ଧ୍ରୂତି (patience) ଅସୂୟା, ଉନ୍ମାଦ, ଶଙ୍କା, ଅବହିତ୍‍ଥା, ହର୍ଷ, ଲଜ୍ଜା, ମତି, ଗର୍ବ, ବ୍ୟାଧି, ସମ୍ଭ୍ରାସ, ଅମର୍ଷ ଓ ବିତର୍କ -ଏ ଗୁଡ଼ିକ ସଞ୍ଚାରି ଭାବ । ଏମାନଙ୍କ ବିସ୍ତୃତ ପରିଚୟ ସାହିତ୍ୟ-ଦର୍ପଣରେ ଅଛି ।

 

ରସ–ଅନୁରାଗ, ଉତ୍ସାହ, ଶୋକ ପ୍ରଭୃତି ସ୍ଥାୟିଭାବ ଗୁଡ଼ିକ ସଞ୍ଚାରି ଭାବ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଅନୁଭୂତ ହୋଇ ଯେତେବେଳେ ଚିତ୍ତକୁ ଦ୍ରବୀ-ଭୂତ କରେ ସେତେବେଳେ ତାହାକୁ ରସ କହନ୍ତି । ଏହି ରସ ନ ପ୍ରକାର -ଆଦି (ଶୃଙ୍ଗାର ବା ମଧୁର), ବୀର, କରୁଣ, ରୌଦ୍ର, ଅଦ୍ଭୁତ, ହାସ୍ୟ, ବୀଭତ୍ସ ଓ ଶାନ୍ତ ।

 

ଆଦି–ମନୋଭାବର ଉଦ୍ରେକ ହେତୁରୁ ନାୟକ ଓ ନାୟିକାଙ୍କ ହୃଦୟରେ ପରସ୍ପର ପ୍ରତି ସ୍ୱ-ସମ୍ୱେଦ୍ୟ ଯେଉଁ ଏକ ଅପୂର୍ବ ଅନୁରାଗ ଜନ୍ମି ସ୍ଥାୟୀ ହୁଏ ତାହାକୁ ଆଦି ରସ କହନ୍ତି । ଏଥିରେ ନାୟକ-ନାୟିକା ପରସ୍ପରର ଆଲମ୍ବନ-ବିଭାବ । ରମଣୀୟ ଦୃଶ୍ୟ ଓ ସୁଲଳିତ ଗୀତ-ବାଦ୍ୟାଦି ଏହାର ଉଦ୍ଦୀପନ-ବିଭାବ । ସୁମଧୁର ଅଙ୍ଗ ଭଙ୍ଗି ଏବଂ ଭ୍ରୂଲତାଦିର ସୁଲଳିତ କୁଟିଳତା ଓ କଟାକ୍ଷ ଏହାର ଅନୁଭାବ । ଉଗ୍ରତା, ମରଣ, ଆଳସ୍ୟ ଓ ଘୃଣା -ଏହି ଚାରୋଟି ଛଡ଼ା ଅନ୍ୟାନ୍ୟ ସଞ୍ଚାରି ଭାବ ଏହି ରସରେ ଥାଏ ।

 

ଆଦି ରସ ପ୍ରଥମତଃ ଦୁଇ ଭାଗରେ ବିଭକ୍ତ–ବିପ୍ରଳମ୍ଭ ଓ ସଂଭୋଗ । ନାୟକ-ନାୟିକାଙ୍କର ପରସ୍ପର ଅନୁରାଗ ପ୍ରସ୍ଫୁଟ ହେବା ଉତ୍ତାରୁ କେହି ତାହାକୁ ଲାଭ କରି ନ ପାରିଲେ ସେମାନଙ୍କ ଚିତ୍ତର ଯେଉଁ ଅବସ୍ଥା ଜାତ ହୁଏ ତାହାକୁ ବିପ୍ରଲମ୍ଭ କହନ୍ତି । ସେମାନଙ୍କର ପରସ୍ପର ପ୍ରତି ଏକାନ୍ତ ଅନୁରାଗରୁ ବା ଅତ୍ୟାସଙ୍ଗ ନିବନ୍ଧନରୁ ପରସ୍ପରର ଏକାତ୍ମତା ରୂପ ସୁଖ-ସମ୍ମିଳନକୁ ସଂଭୋଗ କହନ୍ତି ।

 

ବିପ୍ରଳମ୍ଭ ଚାରି ଭାଗରେ ବିଭକ୍ତ–ପୂର୍ବରାଗ, ମାନ, ପ୍ରବାସ, ଓ କରୁଣ । ନାୟକ-ନାୟିକା ପରସ୍ପର ରୂପ ଗୁଣାଦି ଦେଖିଲେ ବା ଶୁଣିଲେ ସେମାନଙ୍କର ଅନୁରାଗ ମୂଳକ ଚିତ୍ତ-ବିସ୍ତାର ରୂପ ଯେଉଁ ଅବସ୍ଥା ବିଶେଷ ଜନ୍ମେ ତାହାକୁ ପୂର୍ବରାଗ କହନ୍ତି । ପରସ୍ପର ପ୍ରଣୟ ଜନ୍ମିତା ଉତ୍ତାରୁ ଜଣଙ୍କର ଅନ୍ୟାସକ୍ତିରେ ବା ଅନ୍ୟାସକ୍ତି ସନ୍ଦେହରେ ତାହା ପ୍ରତି ଅନ୍ୟ ଜଣେ ଯେଉଁ କୋପ ବହେ ତାହାକୁ ମାନ କହନ୍ତି । ବିଦେଶବାସ ଜନିତ ଅବସ୍ଥାକୁ ପ୍ରବାସ ଓ ଜଣକର ମୃତ୍ୟରେ ଅନ୍ୟ ଜଣକର ଚିତ୍ତର ଯେଉଁ ଅବସ୍ଥା ତାହାକୁ କରୁଣ କହନ୍ତି ।

 

ଜଣେ ପୁରୁଷ ବା ସ୍ତ୍ରୀର ଜୀବନକୁ ମନୁଷ୍ୟ ଜୀବନ କୁହାଯାଏ ନାହିଁ । ରାତି ଓ ଦିନ ମିଶି ଯେପରି ଏକ ଦିନ ହୁଏ ସେପରି ନାରୀ ଓ ପୁରୁଷ ମିଶି ଏକ ପୂର୍ଣ୍ଣାଙ୍ଗ ମନୁଷ୍ୟ ହୁଏ । ଏଣୁ ନାରୀ ଓ ପୁରୁଷ ଦୁହିଙ୍କର ମିଳନ ଘଟେ ଓ ଆଦି ରସ ଏହି ମିଳନର ପ୍ରଧାନ କାରଣ । ଦୁହିଁଙ୍କର ମିଳନରେ ମନୁଷ୍ୟର ଶକ୍ତି ବିକଶିତ ହୁଏ । ମିଳନ ବିନା ଜୀବନ ନିଷ୍ପଳ ପ୍ରତୀତ ହୁଏ । ଏଣୁ ଆଦିରସକୁ ସର୍ବପ୍ରଧାନ ରସ କୁହାଯାଏ । ଆବହମାନ କାଳରୁ ଏହି ରସ ସାହିତ୍ୟର ପ୍ରଧାନ ଅବଲମ୍ବନ ହୋଇଅଛି ।

 

ମନୁଷ୍ୟ ଜଗତରେ ଆନନ୍ଦ ଖୋଜେ । ସାହିତ୍ୟ ତାହାକୁ ଆନନ୍ଦ ପ୍ରଦାନ କରିବାକୁ ପ୍ରୟାସ କରେ । ଆଦି ରସ ଆନନ୍ଦର କାରଣ ହୋଇ ଥିବାକୁ ସାହିତ୍ୟରେ ତାହା ଚିତ୍ରିତ ହୁଏ । କିନ୍ତୁ ଆନନ୍ଦଦାୟକ ଆଦିରସର ପ୍ରକୃତ ସ୍ୱରୂପ ନ ଚିହ୍ନିଲେ ଜଳ ଭ୍ରମରେ ମରୀଚିକା ପଛରେ ଧାଇଁ ମନୁଷ୍ୟ ଜଗତରେ କ୍ଲେଶ ଅନୁଭବ କରେ ।

 

ମନୁଷ୍ୟର ଶରୀର ଅଛି ଓ ଚିତ୍ତ ଅଛି । ଶରୀର ଓ ଚିତ୍ତ ପରସ୍ପର ଅବିଚ୍ଛିନ୍ନ ଭାବରେ ସଂବଦ୍ଧ । ଇନ୍ଦ୍ରିୟମାନଙ୍କ ସମବାୟରେ ଶରୀରର ମୂର୍ତ୍ତି ଗଠିତ । ଇନ୍ଦ୍ରିୟମାନେ କାର୍ଯ୍ୟ କରନ୍ତି । ଚିତ୍ତ ସେମାନଙ୍କ କାର୍ଯ୍ୟର କାରଣ । ଇନ୍ଦ୍ରିୟମାନ ଅଶ୍ୱାଚିତ୍ତ ଓ ଅଶ୍ୱାରୋହୀ । ଅଶ୍ୱାରୋହୀ ଦୁର୍ବଳ ହେଲେ ଓ ଅଶ୍ୱ ସ୍ୱେଚ୍ଛାରେ ଚାଳିତ ହେଲେ ବାଟ ହୁଡ଼ି ଅଣବାଟରେ ଯିବ ଏବଂ ଅଶ୍ୱ ଓ ଅଶ୍ୱାରୋହୀ ଉଭୟଙ୍କ ପତନ ଘଟିବ । ସେପରି ଚିତ୍ତ ଦୁର୍ବଳ ହେଲେ ଓ ଇନ୍ଦ୍ରିୟମାନେ ସ୍ୱେଚ୍ଛାରେ ଚାଳିତ ହେଲେ ଚିତ୍ତ ଓ ଶରୀର ଉଭୟଙ୍କର ପତନ ଅବଶ୍ୟମ୍ଭାବୀ । କିନ୍ତୁ ଚିତ୍ତ ଦୁର୍ବଳ ଓ ଇନ୍ଦ୍ରିୟ ପ୍ରବଳ ଅଥବା ଚିତ୍ତ ପ୍ରବଳ ଓ ଇନ୍ଦ୍ରିୟ ସଂଯତ ବୋଲି କିପରି ଜାଣିବାକୁ ହେବ ?

 

ଚିତ୍ତକୁ ଚିହ୍ନିବା ବଡ଼ କଠିନ କଥା । କବି ଏହି ଚିତ୍ତକୁ ଚିହ୍ନାଇ ଦିଏ ଓ ଚିତ୍ତର ନିର୍ଦ୍ଦେଶକୁ ଇନ୍ଦ୍ରିୟର ନିର୍ଦ୍ଦେଶ ଠାରୁ ପୃଥକ କରିଦିଏ । ସାକ୍ଷାତ୍ ମାତ୍ରକେ ନାୟକ-ନାୟିକା ପରସ୍ପର ସଂଭୋଗ-ସୁଖ ଉପଲବ୍‍ଧି କଲେ ସେଠାରେ ସେମାନେ ଇନ୍ଦ୍ରିୟ-ନିର୍ଦ୍ଦେଶରେ ଚାଳିତ ହେଲେ ବୋଲି କହିବାକୁ ହେବ । ଏପରି କାର୍ଯ୍ୟ ପ୍ରକୃତ -ବିରୁଦ୍ଧ ବୋଲି କବିମାନେ ଏହାକୁ ବର୍ଣ୍ଣନା କରନ୍ତି ନାହିଁ । ପରସ୍ପର ଅନୁରାଗ ଜନ୍ମିବା ସଙ୍ଗେ ସଙ୍ଗେ ଲଜ୍ଜା ଆସି ଅନ୍ତରାୟ ହୁଏ ସେଠାରେ ଅନୁରାଗର ଆବେଗ ଭାଷାରେ ଅଭିବ୍ୟକ୍ତ ନୋହ ଅନୁଭବରେ ହୁଏ । ତତ୍ପରେ ସାମାଜିକ ପ୍ରଥା ପ୍ରଭୃତିର ବିତର୍କ ବା ବିଚାର ଉପସ୍ଥିତ ହୋଇ ବିପ୍ରଲମ୍ଭ ଜନ୍ମାଏ । ତଥାପି ଔତ୍ସୁକ୍ୟ, ସ୍ମୃତି, ଚିନ୍ତା, ସ୍ୱପ୍ନ ପ୍ରଭୃତି ଅନୁରାଗକୁ ପୁନରୁଜ୍ଜୀବିତ କରୁଥାଆନ୍ତି । ଆମ ଦେଶର ପ୍ରାଚୀନ ସାହିତ୍ୟରେ ଆଦି ରସର ଏପରି ଚିତ୍ର ଥିଲା ଓ ଆଧୁନିକ ପାଶ୍ଚାତ୍ୟ ସାହିତ୍ୟରେ ଅଛି ।

 

ପ୍ରାଚୀନ ଓଡ଼ିଆ ସାହିତ୍ୟର ଆଦିରସ କେବଳ ରାଜ-ସମାଜରେ ଆବଦ୍ଧ । କ୍ଷତ୍ରିୟ ସମାଜରେ ଯୁବତୀ-ବିବାହ ଓ ବର-କନ୍ୟା ପରସ୍ପରର ଚିତ୍ରପଟ ଦର୍ଶନ କରିବା ବା ରୂପ-ଗୁଣ ଶ୍ରବଣ କରିବା ପ୍ରଥା ପ୍ରଚଳିତ ଥିଲା । ଏଣୁ ସେ ସମାଜରେ ଯୁବକ-ଯୁବତୀଙ୍କ ପ୍ରେମ ଅନ୍ୟ ସମାଜରୁ ପୃଥକ ଥିଲା । କିନ୍ତୁ ଅନ୍ୟ ସମାଜରେ ବାଲ୍ୟ ବିବାହ ପ୍ରଚଳିତ ଥାଇଁ ସୁଦ୍ଧା ଔତ୍ସୁକ୍ୟ, ସ୍ମୃତି, ଚିନ୍ତା, ସ୍ୱପ୍ନ ପ୍ରଭୃତି ସଞ୍ଚରିତ ଭାବ ଓ ବିପ୍ରଳମ୍ଭ ଅବସ୍ଥା ଜାତ ହେଉଥିଲା ଓ ସେପରି ବିବାହରେ ଅଧିକାଂଶ ଦମ୍ପତିଙ୍କ ଜୀବନ ସୁଖମୟ ହେଉଥିଲା । ସୁଶୀଳା ନାଟକରେ ତାହାର ଚିତ୍ର ଅଛି । ଆଧୁନିକ ଯୁଗର ପଟୋଗ୍ରାଫ ଦେଖିବା ଓ ବିବାହ ପୂର୍ବରୁ ବର-କନ୍ୟାଙ୍କର ସାକ୍ଷାତ୍ ଘଟିବାର ସୁବିଧା କେତେକ ପରିମାଣରେ ଉଚ୍ଚ ଜାତିର ସମାଜମାନଙ୍କରେ ପ୍ରଚଳିତ ହେଲାଣି । କିନ୍ତୁ ଏହା ରୂପକ ମୋହଛଡ଼ା ଅନ୍ୟ କିଛି ନୁହେଁ ।

 

ଏକ ପ୍ରକାର ସୂକ୍ଷ୍ମ ମନସ୍ତତ୍ତ୍ୱ କବିମାନେ ଆବିଷ୍କାର କରି ଅଛନ୍ତି ଯେ, ଯେଉଁ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ କୌଣସି ପ୍ରକାର ଅଜ୍ଞାତ ସମ୍ପର୍କ ଥାଏ ସେ ଦୁହିଙ୍କର ପ୍ରଥମ ସାକ୍ଷାତ୍‍ରେ ପରସ୍ପର ପ୍ରତି ଅନୁରାଗ ଜନ୍ମେ । ଧର୍ମୀ ଓ ତାହାର ପିତାଙ୍କ ମଧ୍ୟରେ ପରିଚୟ ନ ଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ ଥିବା ଅଜ୍ଞାତ ସମ୍ପର୍କ ସେମାନଙ୍କୁ ପରସ୍ପର ପ୍ରତି ଅନୁରକ୍ତ କରାଇଥିବା କଥା କୋଣାର୍କ ନାଟକରେ ବର୍ଣ୍ଣିତ । ସେପରି ରାମ କୁଶ-ଲବଙ୍କ ପ୍ରତି ଓ ରସ୍ତମ ସୋରାବ ପ୍ରତି ‘ଆକୃଷ୍ଟ ହୋଇଥିବାର ଯଥାକ୍ରମେ ସଂସ୍କୃତ’ ‘ଉତ୍ତର ରାମଚରିତ’ରେ ଓ ଇଂରେଜୀ ‘ସୋରାବ-ରସ୍ତମ’ ରେ ବର୍ଣ୍ଣିତ ହୋଇଅଛି । ଏହି ସୂକ୍ଷ୍ମ ମନସ୍ତତ୍ତ୍ୱ ଅନୁସାରେ ପ୍ରଥମ ସାକ୍ଷାତ୍‍ରେ ପ୍ରେମିକ-ପ୍ରେମିକାଙ୍କର ହୃଦୟ ବିନିମୟ ହୁଏ ବୋଲି ଇଂରେଜୀ ସାହିତ୍ୟରେ ବର୍ଣ୍ଣିତ ହୁଏ । କିନ୍ତୁ ଆମ ଦେଶରେ ଶୁଭ ବେଳାରେ ସାକ୍ଷାତ୍ ଅନୁରାଗର କାରଣ ସ୍ୱରୂପ ବିବେଚିତ ହୁଏ । ଏଥିପାଇଁ ପାଣି-ଗ୍ରହଣର ପୂର୍ବରୁ ବେଦୀରେ ବରକନ୍ୟାଙ୍କର ପରସ୍ପର ଶୁଭଦୃଷ୍ଟି କରାଇବାର ବିଧାନ ଅଛି । ଅଜ୍ଞାତ ସମ୍ପର୍କ-ଜନିତ ଅନୁରାଗ ଓ ଇନ୍ଦ୍ରିୟ-ଜନିତ ଅନୁରାଗ ମଧ୍ୟରେ ପ୍ରଭେଦ ଯୌବନ ଅବସ୍ଥାରେ ବାରିବା କଠିନ । ସେହି ପ୍ରଭେଦ କବି ସୂକ୍ଷ୍ମ ଦୃଷ୍ଟିରେ ବିଚାର କରେ । ଯେଉଁ କବିମାନେ ଗାନ୍ଧର୍ବ-ବିବାହର ପକ୍ଷପତୀ ସେମାନଙ୍କ ନାୟକ ନାୟିକାମାନେ ବିବାହ-ପୂର୍ବରୁ ଭୀଷଣ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇଥାନ୍ତି (Quo vadis ପଢ଼ ) ଯେଉଁମାନେ ପିତା-ମାତାଙ୍କ ନିର୍ବାଚିତ ବିବାହକୁ ଆଦର୍ଶ ମନେ କରନ୍ତି ସେମାନେ ନାରୀର ପତି–ଭକ୍ତିକୁ ଉଜ୍ଜ୍ୱଳ ରୂପେ ଚିତ୍ର କରନ୍ତି ।

 

ନିମ୍ନଲିଖିତ ପ୍ରକାରେ ପ୍ରାଚୀନ ସାହିତ୍ୟରେ ବର୍ଣ୍ଣିତ ହୋଇଥିବା ନାୟକ-ନାୟିକାଙ୍କର ପ୍ରଥମ ପ୍ରେମ-ସମ୍ଭାଷଣ ଏ ଯୁଗର ପାଠକ ମାନଙ୍କୁ ଋଚିକର ନୁହେଁ : –

 

୧.

ଏ କାଳେ କର କୋରକ କରି ତରୁଣ-ତିଲକ

 

ବୋଇଲା ହେ ଜୀବେଶ୍ୱରି । ବିନୟ ଘେନ,

 

ଚରଣେ ଅଳତା ପରି ପଛେ ପଛେ ଛାଇ ପରି

 

ଅନୁସରି ଥିବାକୁ ମୋ ହେଉଛି ମନ ।

 

ମୋତେ ଦିଅ ବସନ-ଭାଗ୍ୟ

 

ହେଲାଣି ସବୁମତେ ମୁଁ କୃତାର୍ଥ ଯୋଗ୍ୟ ।

 

(ଲାବଣ୍ୟବତୀ)

୨.

ମିଥ୍ୟା ନୋହେ ନିଦ୍ରାବ୍ୟାଜେ ନେତ୍ର-ଯମଦାଢ଼କୁ ଯେ

 

ରଖିଥିଲୁ ପକ୍ଷ୍ମ କୋଷୁଁ କରି ବାହାର

 

ହୃଦରେ ମାରି ଓଟାରି ଘେନି ଗଲୁ ଝଟକରି ,

 

ଦେଖ ମୁକୁରେ, ଋଧିରେ ହୋଏ ଜର୍ଜର,

 

ହାସ-ଔଷଧୀଶ ପ୍ରକାଶ

 

ନ କଲେ ନବୀନା ସିନା ଗଲି ବିନାଶ ।

 

(ଲାବଣ୍ୟବତୀ)

 

ଆଦିରସ ଉନ୍ମୁକ୍ତ ହେଲେ ତାହା ଅଶ୍ଳୀଳ ବିବେଚିତ ହୁଏ । ଆବରଣର ତଳେ ସୌନ୍ଦର୍ଯ୍ୟ ଫୁଟାଇବା କଳାର କାର୍ଯ୍ୟ । ଉଦ୍ଧୃତ ସ୍ତବକ ଦ୍ୱୟର ଭାଷା ଆଳଙ୍କାରିକ ହୋଇଥିଲେ ମଧ୍ୟ ତହିଁରେ ଇନ୍ଦ୍ରିୟ-ବାସନ ଉନ୍ମୁକ୍ତ ହୋଇଅଛି ।

 

ନିମ୍ନୋଦ୍ଧୃତ ଉଦାହରଣରୁ ପାଠରେ ବୁଝି ପାରିବେ ଯେ, ପ୍ରେମ-ସମ୍ଭାଷଣର ବର୍ଣ୍ଣନା ଆଧୁନିକ ଯୁଗରେ ମାର୍ଜିତତର : –

 

ଫୁଲି–କଣ ଆଖି ମାଡ଼ି ଏତେ ନିଠେଇ ଦେଖୁଚୁରେ ?

ଅଗ–ହଁ–ନା–

ଫୁଲି–ମଲା । ହଁ–ନା–ଏ କେମିତିକା ମ ? ତୁ’ଟା ଜଳକା କି ?

ଆଗ–ଜଳକା ହୋଇଛି, । –ତୁମର ଏହି–ସୁନ୍ଦରୀ

ଫୁଲି–ଆଲୁଅଟାରେ ?

ଆଗ–ହଁ, ହଁ, ଆଲୁଅଟାରେ; ସୁନ୍ଦରି । ତୁମର ଏହି–

 

ଫୁଲି–ବେଶତ, ଲିଭେଇ ଦିଏ ନା ? (ଲିଭାଇବାକୁ ଯାଇ) କାହିଁକି ମ ? ଭିତରେ ଥୋଇ ଦେଇ ଆସେନା ? (ଥୋଇବାକୁ ଗଲା)

 

ଆଗ–ଏ ଦୀପର ଆଲୁଅକୁ ସିନା ? ତା’ ବୋଲି ଏ ରୂପର ଅଲୁଅକୁ କି ମୁହୂର୍ତ୍ତକ ପାଇଁ କେବେ ହେଲେ ଲିଭାଇ ଦେଇ ପାରିବ, ନା, କେଉଁଠି ଥୋଇ ଦେଇ ଆସିପାରିବ ? (ପାଇବ ପୁଅ) ।

 

ପୂର୍ବେ କୁହାଯାଇଛି ସୌନ୍ଦର୍ଯ୍ୟ ଆବରଣ ତଳେ ରହିଲେ ତାହାର ମହତ୍ତ୍ୱ ବଢ଼େ । ଏଣୁ ‘ପାଇକ ପୁଅ’ ରେ ବିଷୟ-ବସ୍ତୁର ଇଙ୍ଗିତ-ବର୍ଣ୍ଣନା (suggestire) ଅଛି । ଫୁଲି ଝିମନକୁ କି ଅନଙ୍ଗଭୀମ ଦେବଙ୍କୁ ବିବାହ କଲା, ତାହା ପାଠକ ବା ଦର୍ଶକ ସହଜରେ ବୁଝି ପାରିବେ ନାହିଁ । ଅମ ଦେଶରେ କଥା ଅଛି–

 

“ଗାଁ–କନ୍ୟା ସିଂଘାଣିନାକୀ’’

 

ସଦ୍ଭାବ ବସ୍ତୁର ଆଦର ନ ଥିଲା ପରି ପିଲାଦିନୁ, ଘନିଷ୍ଠତା ଥିବା ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରେମର ମଧୁରତା ଅନୁଭବ ହୁଏ ନାହିଁ । ଏଥିପାଇଁ ଯୌବନ କାଳରେ ପତି ପତ୍ନୀଙ୍କର ଅବାଧ ମିଳାମିଶା ସମାଜ ପସନ୍ଦ କରୁ ନ ଥିଲା । ଝିମନ ଫୁଲିର କେବଳ ଖେଳ ସଙ୍ଖୀ, ଫୁଲିର ଝିମନ୍ ସହିତ ଆଦିରସାତ୍ମକ କୌଣସି ସମ୍ପର୍କ ନଥିଲା । ଫୁଲି ସବାରିରେ ରାଜା-ପ୍ରାସାଦକୁ ଚାଲିଗଲା । ଫୁଲିର ଆନନ୍ଦରେ ଝିମନର ଆନନ୍ଦ ଓ ଝିମନ ରାଜଭକ୍ତ । ଏଥିରୁ ଜଣାଯାଏ ଯେ, ଝିମନ୍ ବେଶୀ ବାଧା ଦେଇ ନାହିଁ । ଏପରି ବହୁକଥା ମୁର୍ତ୍ତିମନ୍ତ ହୋଇ ନାଟକଟିରେ ଆଦିରସର ସୌନ୍ଦର୍ଯ୍ୟ ଫୁଟିଅଛି ।

 

ଆଦିରସ ଗୋଟିଏ ସ୍ୱତନ୍ତ୍ର ରସ ହୋଇଥିଲେ ମଧ୍ୟ ତହିଁରେ ହାସ୍ୟ, ଶାନ୍ତରସ ପ୍ରଭୃତିର ଏକାବେଳକେ ଅଭାବ ନ ଥାଏ । ପୃଥିବୀର ପ୍ରତ୍ୟେକ ବସ୍ତୁ ବିଭିନ୍ନ ଗୁଣର ଆଧାର ହୋଇ ଏକ ପ୍ରଧାନ ଗୁଣରେ ପ୍ରକାଶିତ ହେଲା ପରି ପ୍ରତ୍ୟେକ ସ୍ୱତନ୍ତ୍ର ରସ ଏକ ପ୍ରଧାନ ରସର ପ୍ରକାଶକ ହୋଇ ଅନ୍ୟ ରସମାନଙ୍କର ଆଧାର ହୁଏ । ଆଦି ରସର ହାସ୍ୟ, ଶାନ୍ତି ପ୍ରଭୃତି ରସ ଅପ୍ରଧାନ ଭାବରେ ରହେ ।

 

ତୃପ୍ତି ସୁଖର ମୂଳ କାରଣ ବୋଲି ଆମ ଦେଶର ନୀତି ହୋଇଥିବାରୁ ଆମ ଦେଶର ସମାଜ ଅନ୍ୟ ଦେଶର ସମାଜଠାରୁ ପୃଥକ । ପ୍ରାଚୀନ କାଳରେ ଆମ ଦେଶରେ ବିଳାସ–ପ୍ରିୟତା ନ ଥିଲା ଓ ଖାଦ୍ୟର ଅଭାବ ନ ଥିଲା । ଏଣୁ ଜୀବନ ସଂଗ୍ରାମ ନ ଥିଲା । ଫଳରେ ଜୀବନର ବିଚିତ୍ରତା ନ ଥିବାରୁ କାବ୍ୟରେ ବିଚିତ୍ରତା ମଧ୍ୟ ନ ଥିଲା । ନାୟକ ନାୟିକାଙ୍କ ମିଳନରେ ହାସ-କୌତୁକ, ବିପ୍ର ଲମ୍ବରେ କରୁଣ ଭାବ ପ୍ରଭୃତି କାବ୍ୟମାନଙ୍କରେ ଚିତ୍ର କରି ପ୍ରାଚୀନ କବିମାନେ ବିଚିତ୍ରତା ସୃଷ୍ଟି କରୁଥିଲେ । ଶ୍ରମୋପାର୍ଜିତ ସୁଖ ଅନାୟାସ ଲବ୍ଧ ସୁଖ ଅପେକ୍ଷା ବେଶୀ ଶାନ୍ତିପ୍ରଦ ଓ ଏହିପରି ଅନ୍ୟାନ୍ୟ ସୂଷ୍ମ ମନସ୍ତତ୍ୱ ସେମାନେ ଉପଲବ୍‍ଧି କରୁ ନ ଥିଲେ ଓ ଚିତ୍ରୁ ନ ଥିଲେ । ଆଧୁନିକ ସାହିତ୍ୟ ମନୁଷ୍ୟର ସୂଷ୍ମ ମନସ୍ତତ୍ୱକୁ ମୂର୍ତ୍ତିମାନ କରିବା ପାଇଁ ଅଗ୍ରସର ।

 

ବୀର–ଉତ୍ସାହ ବୀର ରସର ସ୍ଥାୟୀଭାବ । ଯାହାକୁ ବିଜୟ କରିବାକୁ ହେବ ସେ ବୀର ରସର ଆଲମ୍ବନ ବିଭାବ । ବିଜିତବ୍ୟର ଚେଷ୍ଟା ଉଦ୍ଦୀପନ ବିଭାବ । ସହାୟ ଅନ୍ୱେଷଣ କରିବା ବୀର-ରସର ଅନୁଭବ । ଧୃତି, ମତି, ଗର୍ବ, ସ୍ମୃତି, ରୋମାଞ୍ଚ ପ୍ରଭୃତି ସଞ୍ଚାର ଭାବ । ବୀର ଚାରି ପ୍ରକାର–ଦେଶବିଜୟୀ, ଦୟାବୀର, ଧର୍ମବୀର ଓ ଦାନବୀର ।

 

ନିଜ ଶକ୍ତିର ପରିଚୟ ଦେବା ପାଇଁ ଆଗ୍ରାହାନ୍ୱିତ ହେବା ମନୁଷ୍ୟର ଗୋଟିଏ ପ୍ରକୃତି । କେହି ରାଜ୍ୟ ଜୟ କରି ଶକ୍ତିର ପରିଚୟ ଦିଏ । କେହି ଅପରର ପାଣ୍ଡିତ୍ୟକୁ ପରାସ୍ତ କରି ନିଜ ପାଣ୍ଡିତ୍ୟଶକ୍ତିର ପରିଚୟ ଦିଏ । ଏହିପରି ବିଭିନ୍ନ ସଂଗ୍ରାମ ଚାଲିଅଛି । ଏଣୁ କେବଳ ଦେଶ ଜୟ ପାଇଁ ଯେଉଁ ସଂଗ୍ରାମ କରାଯାଏ ତହିଁରେ କେବଳ ବୀରରସ ଫୁଟେ ଓ ଅନ୍ୟ କୌଣସି ପ୍ରକାର ସଂଗ୍ରାମରେ ଫୁଟେ ନାହିଁ–ଏପରି ନୁହେଁ । ଅନ୍ୟାୟ ଅତ୍ୟାଚାର ଦୂର କରିବା ପାଇଁ ଧର୍ମବୀର ସମାଜ ସହିତ ସଂଗ୍ରାମ କରେ । ତାର ଦୁଃଖ ଦୂର କରିବା ପାଇଁ ଦୟାବୀର ନିଜର ସୁଖ ଲାଳସା ସହିତ ସଂଗ୍ରାମ କରେ । ରାତ୍ର ଉନ୍ନିଦ୍ର ରହି ଅତ୍ମୀୟ ଭିନ୍ନ ରତ୍ନଗୀର ଯେ ଶୁଶ୍ରୁଷା କରେ ସେ ଦୟାବୀର । ପରର ଆର୍ଥିକ ଅଭାବ ଅଥବା ଅନ୍ୟପ୍ରକାର ଅଭାବ ନିଜର ଅଭାବ ସତ୍ୱେ ଯେ ଦୂର କରେ ସେ ଦାନ-ବୀର । ଝିଣ୍ଟିକା ମାରି ଯେ ବଣି ପୋଷେ ସେ ଦାନବୀର ନୁହେ ।

 

ଆଧୁନିକ ଓଡ଼ିଆ ସାହିତ୍ୟରେ ଖାରବେଳ ନାଟକ ଛଡ଼ା ଅନ୍ୟ କାହିଁରେ ପରଦେଶ ଜୟ କରିବାର ଚିତ୍ର ନାହିଁ । ଦେଶର ସ୍ୱାଧୀନତା ରକ୍ଷା କରିବା ପାଇଁ ଓଡ଼ିଶାର ଯେଉଁ ପ୍ରାଚୀନ ରାଜାମାନେ ଶତ୍ରୁ ସହିତ ଯୁଦ୍ଧ କରିଥିଲେ ସେମାନଙ୍କ ଚରିତ ଅବଲମ୍ବନରେ ଯେଉଁ ସବୁ କାବ୍ୟ ରଚିତ ତହିଁରେ କେବଳ ବୀର ରସର ଆଭାସ ମିଳେ ।

 

ଆଧୁନିକ ଯୁଗରେ ଦେଶର ଓ ଜାତିର କଲ୍ୟାଣ ସାଧନ କରିପାରେ ସେ ପ୍ରଧାନ ବୀର ରୂପରେ ପୂଜା ପାଏ । କିନ୍ତୁ ପ୍ରତିକୂଳ ଅବସ୍ଥା ବିରୁଦ୍ଧରେ ସଂଗ୍ରାମ କରି ଯେ କୌଣସି ମହତ୍ କାର୍ଯ୍ୟ ସାଧନ କରିଥାଏ ତାହାର ଚରିତ୍ରରେ ବୀରତ୍ୱ ପରିଷ୍ଫୁଟ ହୁଏ । ମହତ୍ କାର୍ଯ୍ୟ ସାଧନା କରିପାରି ନ ଥିଲେ ମଧ୍ୟ ଆଜୀବନ ଯେ ସେହି କାର୍ଯ୍ୟରେ ଲାଗିଥାଏ ବା ସେହି କାର୍ଯ୍ୟର ସିଦ୍ଧି ପାଇଁ ଆନନ୍ଦରେ ପ୍ରାଣ ଉତ୍ସର୍ଗ କରିଥାଏ ତାର ବୀରତ୍ୱ ମଧ୍ୟ ପ୍ରଶଂସନୀୟ । ପୃଥିବୀ କର୍ମ-ଭୂମି; ମନୁଷ୍ୟ କର୍ମ କରିବା ନିମନ୍ତେ ପୃଥିବୀରେ ଜନ୍ମଗ୍ରହଣ କରିଅଛନ୍ତି–ଏହି ସତ୍ୟକୁ କାବ୍ୟରେ ପ୍ରତିଭାବ କରାଇବା ନିମନ୍ତେ ବୀର ରସରେ କବି କାବ୍ୟ ରଚନା କରେ ।

 

କରୁଣ–ଶୋକ କରୁଣ ରସର ସ୍ଥାୟିଭାବ । ଯାହା ପାଇଁ ଶୋକ କରାଯାଏ ସେ ଏହି ରସର ଆଲମ୍ବନ ବିଭାବ । ଶୋକରେ ଉତ୍ପନ୍ନ ହେବା ଦାହାବି ଅବସ୍ଥା ଉଦ୍ଦୀପନ-ବିଭାବ । ଦୈବ-ନିନ୍ଦା ଭୂ-ପତନ, ଉଚ୍ଛ୍ୱାସ, ପ୍ରଳାପ, ବିବର୍ଣ୍ଣତା, ସ୍ତମ୍ଭ, ପ୍ରଳୟ ବା ଅଚେତନତା, ରୋମାଞ୍ଚ, ସ୍ୱେଦ, ବେପଥୁ, ବା କମ୍ପନ, ଅଶ୍ରୁ, ସ୍ୱରଭଙ୍ଗ ଓ ବିବର୍ଣ୍ଣତା-ଏହି ଅଷ୍ଟ ସାତ୍ତ୍ୱିକ ବିବର୍ଣ୍ଣତାର ଅନ୍ତର୍ଗତ) ପ୍ରଭୃତି ଅନୁଭବ । ନିର୍ବେଦ, ମୋହ, ଅପସ୍ମାର, ବ୍ୟାଧି, ଗ୍ଲାନି, ସ୍ମୃତି, ବିଷାଦ, ଜଡ଼ତା, ଚିନ୍ତା ପ୍ରଭୃତି ସଞ୍ଚାରି ଭାବ ।

 

ମନୁଷ୍ୟ ନିଜେ ନିଜର ଭାଗ୍ୟ ବିଧାତା ନୁହେଁ । ତାହା ଏହି ରସର ପ୍ରକାଶିତ ହୋଇପଡ଼େ । ନିଜର ଦୋଷ ଶୋକର କାରଣ ହୋଇଥିଲେ ମଧ୍ୟ ମନୁଷ୍ୟ ନିଜର ଦୋଷ ସ୍ୱୀକାର ନ କରି ଦୈବକୁ ନିନ୍ଦା କରେ । ଅନ୍ୟ ରସ ପରି ଏହି ରସ ହୃଦୟକନ୍ଦରରେ ପ୍ରଚ୍ଛନ୍ନ ନ ରହି ଭାଷା ରୂପରେ ଉଛୁଳି ପଡ଼େ । ଶୋକାକୁଳ ବ୍ୟକ୍ତି ପ୍ରତି ସମସ୍ତଙ୍କ ସହାନୁଭୂତି ମଧ୍ୟ ଆକୃଷ୍ଟ ହୁଏ । ଏହା ଦୁର୍ବଳ ଚେତାର ଲକ୍ଷଣ ବୋଲି ଆଧୁନିକ ସାହିତ୍ୟରେ ଏହାର ଆଦର ନାହିଁ । ବିପଦରେ ଧୈର୍ଯ୍ୟ ଓ ସମ୍ପଦରେ କ୍ଷମା ପୁରୁଷୋଚିତ ଲକ୍ଷଣ । ଏହି ଲକ୍ଷଣ ବର୍ଣ୍ଣନା କରିବା ଆଧୁନିକ ସାହିତ୍ୟର ପ୍ରଧାନ ଉଦ୍ଦେଶ୍ୟ । ଆବଶ୍ୟକ ସ୍ଥଳେ କେତୋଟି ଅନୁଭାବ ବର୍ଣ୍ଣନା କରି ଗଭୀର ଚିନ୍ତାପୂର୍ଣ୍ଣ କଥାରେ ଶୋକ ପ୍ରକାଶ କରାଯାଏ ।

 

ରୌଦ୍ର–କ୍ରୋଧ ଏହି ରସର ସ୍ଥାୟିଭାବ । ଶତ୍ରୁ ଆଲମ୍ବନ ବିଭାବ । ଶତ୍ରୁର ଚେଷ୍ଚା ପ୍ରହାର ପ୍ରଭୃତି ଉଦ୍ଦୀପନ ବିଭାବ ବା ଭ୍ରୂଭଙ୍ଗ, ଓଷ୍ଠଦଂଶନ, ବାହ୍ୱାସ୍ଫୋଟନ, ତର୍ଜନ, ଗର୍ଜନ, ଆତ୍ମଶ୍ଲାଘା, ଆୟୁଧ-କ୍ଷେପଣ ପ୍ରଭୃତି ଅନୁଭାବ । ଉଗ୍ରତା, ଆବେଗ, କମ୍ପ, ମଦ, ମୋହ ଅମର୍ଷ ପ୍ରଭୃତି ସଞ୍ଚାରିଭାବ ।

 

କରୁଣ ଓ ରୌଦ୍ର ରସରେ ମନୁଷ୍ୟ ବିବେକ ହରାଏ । ଯୁଦ୍ଧ ବର୍ଣ୍ଣନାରେ ପ୍ରଧାନ ରୌଦ୍ର ରସ ପରିସ୍ଫୁଟ ହୁଏ । କିନ୍ତୁ ଅନ୍ୟତ୍ର ଯେଉଁ ସାମାନ୍ୟ ରୌଦ୍ର ରସର ପ୍ରକାଶ ପାଏ ଓ ଓ ତାହା ଶାନ୍ତ କରାଇବାର ପ୍ରୟୋଜନ ପଡ଼େ । ସେଠାରେ ଭାଷା ଶିଳ୍ପୀର କଳ୍ପନା ଶକ୍ତି ଯଥେଷ୍ଟ ପରିମାଣରେ ପରିଚାଳିତ ହେବା ଉଚିତ । କ୍ରୋଧ ଶାନ୍ତ କରାଇବାର କୌଶଳ କାଞ୍ଚୀକାବେରୀ ଯୁଦ୍ଧ ଗଳ୍ପରେ ଚମତ୍କାର ହୋଇଅଛି । ମନ୍ତ୍ରୀ ପଦ୍ମାବତୀଙ୍କୁ ଯତ୍ନରେ ପ୍ରତିପୋଷଣ କରି ଉପଯୁକ୍ତ ସମୟ ଦେଖି ପୁରୁଷୋତ୍ତମ ଦେବଙ୍କୁ ପ୍ରତ୍ୟର୍ପଣ କରିଥିଲେ ଓ ସେ ତାହାଙ୍କୁ ଗ୍ରହଣ କରିଥିଲେ । ପୁରୁଷୋତ୍ତମ ଦେବଙ୍କର ପ୍ରତିଜ୍ଞା ଭଙ୍ଗ ନୋହିଥିବାରୁ ତାହାଙ୍କ ଚରିତ୍ରରେ କୌଣସି ଦୋଷ ଲକ୍ଷିତ ହୁଏ ନାହିଁ । ଏଣୁ କିପରି ସ୍ଥଳରେ କି ଉପାୟରେ କ୍ରୋଧ ଶାନ୍ତ କରାଇବାକୁ ହେବ ତାହା ଚିନ୍ତା କରି ହୃଦୟସ୍ପର୍ଶୀ ଭାବରେ ଶାନ୍ତ କରାଇଥିବାର ବର୍ଣ୍ଣନା ନ ଥିଲେ ଭାଷା ଶିଳ୍ପର ସୌନ୍ଦର୍ଯ୍ୟ ବଢ଼େ ନାହିଁ ।

 

ଅଦ୍ଭୁତ–ବିସ୍ମୟ ଏହି ରସର ସ୍ଥାୟିଭାବ । ଅସାମାନ୍ୟ ବସ୍ତୁ ବା ଘଟନା ଆଲମ୍ବନ ବିଭାବ-। ସେହି ବସ୍ତୁର ଗୁଣ ବା କାର୍ଯ୍ୟ ଉଦ୍ଦୀପନ ବିଭାବ । ସ୍ତମ୍ଭ, ସ୍ୱେଦ, ରୋମାଞ୍ଚ, ଗଦ୍ ଗଦ୍ ସ୍ୱରରେ କଥନ; ସମ୍ଭ୍ରମତା (ବ୍ୟସ୍ତତା) ଓ ନେତ୍ର ବିକାଶାଦି କାର୍ଯ୍ୟ ଅନୁଭବ । ବିତର୍କ ବା ବିଚାର ପ୍ରଭୃତି ସଞ୍ଚାରିଭାବ ।

 

ଓଡ଼ିଆ ସାହିତ୍ୟରେ ବିସ୍ମୟ ଭାବର ବର୍ଣ୍ଣନା ଦେଖାଯାଏ । ଅଦ୍ଭୁତ ରସର ବର୍ଣ୍ଣନା ମଧ୍ୟ ଦେଖା ଯାଏ ନାହିଁ । ଦେଶରେ ଘଟୁ ଥିବା ଘଟନାକୁ କଳ୍ପନା-ତୁଳିରେ ଭାଷାଶିଳ୍ପୀମାନେ ଯଦି ଅଙ୍କନ କରୁଥାଆନ୍ତେ ତେବେ ସାହିତ୍ୟର ଦୁର୍ଦ୍ଦଶା ରହନ୍ତା ନାହିଁ ।

 

ଭୟାନକ–ଭୟ ଏହାର ସ୍ଥାୟିଭାବ । ଯହିଁରୁ ଭୟ ଜାତ ହୁଏ ତାହା ଆଲମ୍ବନ-ବିଭାବ । ବିବର୍ଣ୍ଣତା, ଗଦ୍ ଗଦ୍ ସ୍ୱରରେ କଥନ, ପ୍ରଳୟ, ରୋମାଞ୍ଚ, ସ୍ୱେଦ, ଦିକ୍‍ପ୍ରେକ୍ଷଣ ପ୍ରଭୃତି କାର୍ଯ୍ୟ ଅନୁଭାବ । ଜଗୁପ୍‍ସା, ଆବେଗ, ସମ୍ଭୋଗ, ଗ୍ଲାନି, ଦୀନତା, ଶଙ୍କା, ଅପସ୍ମାର, ମୃତ୍ୟୁ ପ୍ରଭୃତି ସଞ୍ଚାରଭାବ ।

 

୰ବ୍ରହ୍ମଜ୍ଞ ମଧୁସୂଦନ ରାଓଙ୍କ ଲିସ୍‍ବର୍ଣ୍ଣ ଭୂମିକମ୍ପ ପଢ଼ିଲେ ଭୟାନକ ରସ ସମୂର୍ଣ୍ଣରୂପେ ଉପଲବ୍‍ଧ ହୁଏ ।

 

ହାସ୍ୟ–ହାସ ଏହି ରସର ସ୍ଥାୟିଭାବ । ଲୋକମାନେ ଯେଉଁ ବିକୃତ ବାକ୍ୟ ବାକ୍ୟଙ୍ଗୋକ୍ତି ଶୁଣି ଏବଂ ବିକୃତ ବେଶଭୂଷା ଓ ବିକୃତ ଅଙ୍ଗଭଙ୍ଗି ଦେଖି ହସନ୍ତି ତାହା ଆଲମ୍ବନ ବିଭାବ । ହସାଇବା ପାଇଁ ଯେଉଁ ଚେଷ୍ଟା ତାହା ଉଦ୍ଦୀପନ-ବିଭାବ । ଚକ୍ଷୁ ସଂକୋଚ ଓ ଦନ୍ତ-ବିକାଶ ପୂର୍ବକ ଆସ୍ୟ ବିସ୍ଫାରଣ କରିବା ଏହାର ଅନୁଭାବ । ନିଦ୍ରା ଆଳସ୍ୟ ପ୍ରଭୃତି ଏହାର ସଞ୍ଚାରିଭାବ ଯଥା : –

 

୧.

ଶୁଣି ପଣ୍ଡିତ-ଲିଙ୍ଗ କହଇ ବାଣୀ,

 

ଆରେ, ବେଧ ବିଦ୍ୟା ତୁ କେତେ ପ୍ରକାର ଅଛୁ ଜାଣି

 

(ଚତୁରବିନୋଦ)

୨.

ଦଉଡ଼ିରେ ଗୁନ୍ଥି ଦେବି କଉଡ଼ିର ମାଳା,

 

ଗେଣ୍ଡାର ସୁନ୍ଦର ନୋଥ ନାକେ ଦେବି ବାଳା,

 

ଖପରା ପଦକ ଚକି ମୃତ୍ତିକାର ବଳା,

 

ବଡ଼ ବଡ଼ ଗରଗଡ଼ ହାର ଦେବି ବାଳା,

 

ନେତ୍ରେ ଗେରୁ ଗୋଳି ଦେବି ରାତ୍ରି ଚରମୁଖି,

 

ଜୁଣ କାଟି ବାସ ବୁଣି ପିନ୍ଧାଇବି ସଖି ।

 

(ଚତୁର ବିନୋଦ)

 

“ଲୋକଟି ବଡ଼ ଧାର୍ମିକ; ବର୍ଷ ମଧ୍ୟରେ ଚବିଶଟା ଏକାଦଶୀ, ଚାଳିଶଟା ଥିଲେ ମଧ୍ୟ ଗୋଟାଏ ଯେ ଛାଡ଼ ପଡ଼ନ୍ତା, ଏ କଥା ଆମ୍ଭେମାନେ କହିବାକୁ ଅକ୍ଷମ । ଏକାଦଶୀ ଦିନ ତୁଳସୀ ପତ୍ର ଜଳ ମାତ୍ର ଅବଲମ୍ବନ । ସେ ଦିନ ଉପରଓଳି ମଙ୍ଗରାଜଙ୍କ ଜଗା ଭଣ୍ତାରି କଥା କହୁ କହୁ କହି ପକାଇ ଥିଲା । ‘ପ୍ରତି ଏକାଦଶୀ ଦିନ ଦ୍ୱାଦଶୀ ପାରଣା ସକାଶେ ସାଆନ୍ତଙ୍କ ଶୋଇଲା ପରେ ସେରେ ଦୁଧ, ଦିଶୁ ଖାଇ, ନବାତ, ପାଚଲା କଦଳୀ ରଖା ଯାଇଥାଏ । ସେ (ଜାଗା) ଦ୍ୱାଦଶୀ ଦିନ ସଖାଳେ ତୁଚ୍ଛା ବାସନ ମାଜେ । ଏ କଥା ଶୁଣି ଜଣ କେତେ ମୁହଁ ଚାହାଁ ଚାହିଁ ହୋଇ ହସିଥିଲେ । ଜଣେ କହିଲା, “ଡୁବି ପାଣି ପିଇଲେ ମହାଦେବଙ୍କ ବାପ ବି ଜାଣି ପାରିବେ ନାହିଁ ।”

(ଛମାଣ ଆଠଗୁଣ୍ଠ)

 

ପ୍ରଥମ ଉଦାହରଣ ‘ବେଦ-ବିଦ୍ୟା’କୁ ‘ବେଧ-ବିଦ୍ୟା’ ରୂପେ ବ୍ୟବହାର କରି ଥିବାରୁ, ଦ୍ୱିତୀୟ ଉଦାହରଣରେ ବିକୃତା ଅଳଙ୍କାର ଓ ବିକୃତି ରୂପର (ରାତ୍ରିଚରମୁଖୀ-ପେଚାମୁହୀ) ବର୍ଣ୍ଣନା ଓ ତୃତୀୟ ଉଦାହରଣରେ ବ୍ୟାଜ-ସ୍ତୁତି ହାସ୍ୟରସ-ଉଦ୍ରେକ କଲେ । ଏ ରସ ଉପନ୍ୟାସରେ ଓ ନାଟକରେ ବଡ଼ ପ୍ରୟୋଜନୀୟ ହୁଏ ।

 

ବିଭତ୍ସ–ଜୂଗୁପ୍‍ସା ବା ଘୃଣା ଏହାର ସ୍ଥାୟିଭାବ, କୁତ୍ସିତ ପଦାର୍ଥ ଏହାର ଆଲମ୍ବନ, ବିଭାବ, ପଦାର୍ଥରେ କୀଟ ସଞ୍ଚାଳନାଦି ଉଦ୍ଦୀପନ ବିଭାବ, ନିଷ୍ଠାବନ, ମୁଖ ବିକୃତ, ନେତ୍ରସଂକୋଚ ପ୍ରଭୃତି ଅନୁଭବ । ମୋହ, ଅପସ୍ମାର, ଆବେଗ, ବ୍ୟାଧି, ମରଣ ପ୍ରଭୃତି ସଞ୍ଚାରିଭାବ । ଯଥା : –

 

ପଡ଼ୁଛନ୍ତି ଗୁଧ୍ରେ ଆସି କିଳିକିଳା ରବେ ,

ରକ୍ତ,ଲାଳ, କ୍ଲେଦ ତାଙ୍କ ଚଞ୍ଚୁ ପୁଟୁ କ୍ଷରି

ଝରଇ ଆକାଶ ଘୋଟି ବୃଷ୍ଟି-ଧାରା ପ୍ରାୟେ,

ଅଶିବ ପଟହ ପ୍ରାୟେ କର୍ଣ୍ଣକଟୁ ରବେ

ଉପୁଜାଇ ପ୍ରତିରାଜ ଭୈରବେ ସଘନେ

ରାବନ୍ତି ଶୃଗାଳକୁଳ ଭ୍ରମି ଚଉଦିଗେ,

ଜଟିଳାଗ୍ର ଚିତାବହ୍ନି ଜଳେ ଠାବେ ଠାବେ

ପ୍ରଦୀପ୍ତ ମସ୍ତିଷ୍କ ମେଦେ ଫୁଟାଇ ବିକଟେ

ନୃକରୋଟି–ତୀବ୍ରଗନ୍ଧ ପ୍ରସରି ପବନେ ।”

(ଶ୍ମଶାନ–ଦୃଶ୍ୟ)

 

ଶାନ୍ତ–ଶମ ଏହାର ସ୍ଥାୟିଭାବ । ଅନିତ୍ୟ ପଦାର୍ଥରେ ନିଃସାରତ୍ୱ-ଜ୍ଞାନ ଓ ପରମାର୍ଥ-ଜ୍ଞାନ ଏହାର ଆଲମ୍ବନ-ବିଭାବ । ପୂଣ୍ୟାଶ୍ରମ, ମହାପୁରୁଷ, ତୀର୍ଥାଦି ଦର୍ଶନ, ସତ୍ୟନିଷ୍ଠା ପ୍ରଭୃତି ଉଦ୍ଦୀପନ-ବିଭାବ । ରୋମାଞ୍ଚାଦି କାର୍ଯ୍ୟ ଅନୁଭାବ । ନିର୍ବେଦ, ହର୍ଷ, ସ୍ମରଣ, ମତି ପ୍ରଭୃତି ସଞ୍ଚାରିଭାବ; ଯଥା : –

 

ସଂସାରର ଲୀଳା-ଖେଳା ସରିଲା ଆମ୍ଭର

ସଂସାର-ବିଷୟ-ବିଷେ ଜରଜର ହୋଇ

ସାରସତ୍ତ୍ୱ ପାସୋରିଣ ସାରିଲୁଁ ଆୟୁଷ ।

ଦୁଃଖମୟ ଭବ ସିନା; ମହାସୁଖ ବୋଲି

ବୋଲନ୍ତି ଜଗତେ ଯାକୁ, ଜଡ଼ିତ ସେ ସଦା

ମହାଦୁଃଖେ, ଆଲୋକ ସେ ଜଡ଼ିତ ତମସେ,

ହତ ହେଲେ ଦୁର୍ଯ୍ୟୋଧନ କୁରୁକ୍ଷେତ୍ର-ରଣେ,

ଜୟୀ ହୋଇ ଆମ୍ଭେ ତହିଁ ହେଲା ଜୀବନ୍ମୃତ;

ପୁତ୍ର-ମିତ୍ର-ରକ୍ତ-ସ୍ରୋତେ ସନ୍ତରି ସନ୍ତାପେ

ସନ୍ତାପର ସିଂହାସନ ହେଲା ସିନା ଲାଭ ;

ଭଙ୍ଗୁର ଭବର, ଭାର, ସୁଖ ଏହିପରି !

ଧନ୍ୟ ସେହି ଅତନ୍ଦ୍ରିତ ଋଷିବୃନ୍ଦ ଭବେ ।

(ମହାଯାତ୍ରା)

 

ବତ୍ସଳ–କେହି କେହି ଏହାକୁ ଗୋଟିଏ ସ୍ୱତନ୍ତ୍ର ରସରୂପେ ଗ୍ରହଣ କରି ରସ-ସଂଖ୍ୟା ଦଶ ବୋଲି ନିର୍ଦ୍ଦିଷ୍ଟ କରନ୍ତି । ପିତାମାତା ପ୍ରଭୃତି ଗୁରୁଜନମାନଙ୍କର ସନ୍ତାନାଦିଙ୍କ ପ୍ରତି ଯେଉଁ ସ୍ୱାଭାବିକ ସ୍ନେହ ତାହାକୁ ବତ୍ସଳ ରସ କହନ୍ତି । ବାତ୍ସଲ୍ୟ ଏହି ରସର ସ୍ଥାୟିଭାବ । ସନ୍ତାନାଦି ଆଲମ୍ବନ-ବିଭାବ । ସନ୍ତାନର ବିଦ୍ୟା, ଐଶ୍ୱର୍ଯ୍ୟ ପ୍ରଭୃତି ପ୍ରତି ଚେଷ୍ଟା ଉଦ୍ଦୀପନ-ବିଭାବ । ସନ୍ତାନର ଅଙ୍ଗ-ସଂସ୍ପର୍ଶ ପ୍ରଭୃତି ଅନୁଭାବ । ସନ୍ତାନର ଅମଙ୍ଗଳାଶଙ୍କା, ହର୍ଷ, ଗର୍ବ ଓ ଆବେଗ ପ୍ରଭୃତି ସଞ୍ଚାରିଭାବ ।

 

ରସ ଓ ଭାବ ମଧ୍ୟରେ ବିଶେଷ ପ୍ରଭେଦ ନାହିଁ । ଭାବ ପ୍ରଗାଢ଼ ହେଲେ ତାହାକୁ ରସ କହନ୍ତି । ଅବସ୍ଥା-ବିଶେଷରେ ଚିତ୍ତରେ ଗୋଟିଏ ଗୋଟିଏ ଭାବର ଉଦୟ ହୁଏ । ଯେତେବେଳେ ବୀରଭାବ ବା ରସ ଚିତ୍ତରେ ଆବିର୍ଭୂତ ହୁଏ ସେତେବେଳେ ଭୟାନକ ଭାବ ବା ଶାନ୍ତ ଭାବ ଚିତ୍ତରୁ ତିରୋହିତ ହୁଏ । ଏହିପରି କରୁଣ ରସର ହାସ୍ୟ ଓ ଆଦି; ରୌଦ୍ର ରସର ହାସ୍ୟ, ଆଦି ଓ ଭୟାନକ; ଭୟାନକ ରସର ଆଦି, ବୀର, ରୌଦ୍ର, ହାସ୍ୟ ଓ ଶାନ୍ତ ଆଦି ରସର କରୁଣ, ବୀଭତ୍ସ, ରୌଦ୍ର, ବୀର, ଓ ଭୟାନକ; ବୀଭତ୍ସ ରସର ଆଦି; ଶାନ୍ତ ରସର ବୀର, ରୌଦ୍ର, ଆଦି, ହାସ୍ୟ ଓ ଭୟାନକ; ଏବଂ ହାସ୍ୟ ରସର ଭୟାନକ ଓ କରୁଣ ରସ ବିରୋଧୀ ଅଟନ୍ତି ।

 

ଉପରେ ରସମାନଙ୍କର ଯେଉଁ ସବୁ ଅନୁଭାବ ଓ ସଞ୍ଚାରିଭାବ କୁହା ଯାଇଅଛି ସେଗୁଡ଼ିକ ରଙ୍ଗମଞ୍ଚର ଅଭିନେତାମାନେ ଯେପରି ଜାଣିବା ଉଚିତ ଭାଷାଶିଳ୍ପୀମାନେ ମଧ୍ୟ ସେହିପରି ଜାଣିବା ଉଚିତ । ପୂର୍ବେ କୁହା ଯାଇଅଛି ଯେ, ଉନ୍ମୁକ୍ତ ଭାଷା ସାହିତ୍ୟ କଳାର ପରିଚୟ ଦିଏ ନାହିଁ । ଏଣୁ “ସେ କ୍ରୋଧରେ କହିଲା” ନ ଲେଖି ‘ସେ ଦାନ୍ତ କାମୁଡ଼ି କହିଲା’ ଲେଖିଲେ ଲେଖା ବେଶୀ ହୃଦୟସ୍ପର୍ଶୀ ହୁଏ । ପ୍ରତି ରସର ଅନୁଭାବ ମନେ ଥିଲେ ଏପରି ସହଜରେ ଲେଖା ଯାଇ ପାରେ । “ମୋତେ ଦେଖି ସେ ଭୟ କଲା” ନ ଲେଖି “ମୋତେ ଦେଖି ସେ ଝାଳରେ ଗାଧୋଇ ପଡ଼ି ଚାରିଆଡ଼କୁ ଚାହିଁଲା” ଲେଖିଲେ ଗଳ୍ପ, ଉପନ୍ୟାସ ପ୍ରଭୃତି ପ୍ରୀତିକର ହୁଏ । କିନ୍ତୁ ପ୍ରବନ୍ଧରେ ଏପରି ଭାଷାର ବ୍ୟବହାର ଅନୁମୋଦନୀୟ ନୁହେଁ ।

 

ରସର ଅନୁଭାବ, ସଞ୍ଚାରିଭାବ ପ୍ରଭୁତି ନ ଜାଣିଥିଲେ ମନସ୍ତତ୍ତ୍ୱ ଅନୁସାରେ ବର୍ଣ୍ଣନା କରିବା ଅସମ୍ଭବ । ଳାବଣ୍ୟବତୀ ସହସା ତାହାର ଶଯ୍ୟାରେ ପୁରୁଷ-ରୂପ ଦେଖି ବିସ୍ମିତ ହୋଇ ନାହିଁ କାହିଁକି ? ସେ ଆଦି ରସରେ ଅଭିଭୂତ ହୋଇଥିବାରୁ ସେତେବେଳେ ଭୟ ଓ ବିସ୍ମୟ ତାହାର ଚିତ୍ତରୁ ତିରୋହତ ହୋଇଥିଲା । ଶୟନରେ ସ୍ୱପ୍ନରେ ସେ ପୁରୁଷ ସଙ୍ଗ ଲାଭ କରିବା ପାଇଁ ଚିନ୍ତା କରୁଥିଲା । ତାହା ଯେତେବେଳେ ପାଇଲା, ସେତେବେଳେ ତାହାର ଶୃଙ୍ଗାର ଭାବ ଆହୁରି ଉଦ୍ଦୀପ୍ତ ହେଲା । ଭୟ ଓ ବିସ୍ମୟ ଜାତ ହେବା ପାଇଁ ଅବସର ନ ଥିଲା । କୌଣସି ରସରେ ଅଭିଭୂତ ହେଲେ ଶୁଦ୍ଧ ଚୈତନ୍ୟ କାହାରି ରହେ ନାହିଁ । ତହିଁରେ ପୁଣି ସେତେବେଳେ ସେ ନିଦ୍ରାରୁ ଉଠି ଥିବାରୁ ସମ୍ପୂର୍ଣ୍ଣ ଚୈତନ୍ୟ ତାହାର ନ ଥିଲା । ଏଣୁ ସେ ବିଚାର କଲା : –

 

“ଭାଳୁଛି, ନୁହଇ ମାର ନାହିଁ ଫୁଲଧନୁଶର

ସୁଧାକର ନୁହେଁ ତହିଁ କଳଙ୍କ ଅଛି”

(ଲାବଣ୍ୟବତୀ)

 

ଏପରି ମନେ ମନେ ଲାବଣ୍ୟବତୀ ବିଚାର କରି ଉପମା ନିଶ୍ଚୟ କରୁଥିବାରୁ ତାହାର ଚିତ୍ତର ସମ୍ପୂର୍ଣ୍ଣ ଚୈତନ୍ୟ ନ ଥିବାର ବୁଝାଯାଏ । ନିଶ୍ଚିତରୂପେ ଚନ୍ଦ୍ରଭାନୁର ରୂପକୁ ଅନ୍ୟ କାହାରି ରୂପ ସହିତ ଯଦି ସେ ସେତେବେଳେ ତୁଳନା କରି ଥାଆନ୍ତା ତେବେ ତାହାର ଚିତ୍ତରେ ଇନ୍ଦ୍ରିୟଜ ଆଦି ରସର ପ୍ରଗାଢ଼ତା ପରିସ୍ଫୁଟ ହୋଇ ନ ଥାଆନ୍ତା । ଏହିପରି ରସ ଜ୍ଞାନଦ୍ୱାରା ଅନେକ କଥା ବିଚାର କରାଯାଏ ।

Image

 

ପଞ୍ଚମ ପରିଚ୍ଛେଦ

ଶୈଳୀ

 

ପାନ, ଭୋଜନ, ଗମନ, ପ୍ରଭୃତି ମନୁଷ୍ୟର ଦୈନନ୍ଦିନ କ୍ରିୟା ସହିତ ତାହାର ଚିତ୍ତ ସର୍ବଦା ବିନିଷ୍ଟ ନ ଥାଏ । ଅଭ୍ୟାସବଶତଃ ସେହି କ୍ରିୟାଗୁଡ଼ିକ ଆପେ ଆପେ ସମ୍ପାଦିତ ହୁଅନ୍ତି । କିନ୍ତୁ ଚିତ୍ତ କୌଣସି ରସରେ ଅଭିଭୂତ ହେଲେ ଅଭ୍ୟସ୍ତ ଦୈନନ୍ଦିନ କ୍ରିୟା ମନୁଷ୍ୟର ଅଲକ୍ଷିତରେ ପରିବର୍ତ୍ତିତ ହୁଏ । ଚିତ୍ତର ରସ ବର୍ଣ୍ଣନା କରିବାକୁ ହେଲେ ରସର ନିର୍ଦ୍ଦିଷ୍ଟ ଅନୁଭାବ ସେତେବେଳେ ନ ଥାଏ । ଏଣୁ ଦୈନିନ୍ଦିନ କ୍ରିୟାର ପରିବର୍ତ୍ତନ ଉଲ୍ଲେଖ କରି ରସର ସୂଚନା ଦିଆଯାଏ । ପୁଣି ସାଧାରଣ କଥୋପକଥନର ଉନ୍ନୁକ୍ତ ଭାଷାରେ କଳାର ପରିଚୟ ନ ଥିବାରୁ ଅଳଙ୍କାର ପ୍ରଭୃତି ଆବରଣର ତଳେ ଭାଷା ସୌନ୍ଦର୍ଯ୍ୟ ନ ଫୁଟାଇଲେ ପ୍ରକୃତି ସାହିତ୍ୟର ସୃଷ୍ଟି ହୁଏ ନାହିଁ ବୋଲି ପୂର୍ବେ କୁହା ଯାଇଅଛି । ଅଳଙ୍କାର ସମ୍ୱନ୍ଧରେ ଅନ୍ୟତ୍ର ବିସ୍ତୃତ ଭାବରେ ଆଲେଚନା କରାଯିବ । ଏଠାରେ ଉଦାହରଣ ସ୍ୱରୂପ ଦିଓଟି ଉଲ୍ଲେଖ କରାଯାଉଅଛି : –

 

୧.

“ପ୍ରଭାତିଲା ବିଭାବରୀ, ହସିଲେ ଉଜ୍ଜ୍ୱଳେ

 

ପଙ୍କଜବରଣୀ ଉଷା ଉଦୟ-ଅଚଳେ ।”

 

(ବେଣୀସଂହାର)

୨.

“ଅସମ୍ଭାଳେ ଫିଟି କୁନ୍ତଳ

 

ଭୂମି ଯାଏ ପରଶି,

 

 

 

ଯେଣେ ଅନାଉଛି ଲଳନା

 

ଫୁଲ ଯାଏ ବରଷି ।”

 

(ଚନ୍ଦ୍ରଭାଗା)

 

ପ୍ରଥମ ଉଦାହରଣରେ ଉଷା କାଳ ହେଲା ବୋଲି ଯାହା ସାଧାରଣ କଥୋପକଥନରେ କୁହାଯାଏ ସେହି କଥାକୁ ଉଷା ହସିଲେ ବୋଲି କୁହା ଯାଇଅଛି । ଏଠାରେ ଅରୂପା ଉଷା ମୂର୍ତ୍ତିମତୀ ରୂପେ ପାଠକର ହୃଦୟରେ ଅଙ୍କିତ ହୋଇ ହୃଦୟକୁ ମଧୁର କରେ । ଏହିପରି କବିର ଭାଷାରେ ଅନେକ ଅରୂପ ବସ୍ତୁ ମୃର୍ତ୍ତିମାନ୍‍ ହୁଏ ।

 

ଦ୍ୱିତୀୟ ଉଦାହରଣରେ ଚନ୍ଦ୍ରଭାଗା ଯେଣେ ଚାହେଁ ତେଣେ ପୁଷ୍ପ ବୃଷ୍ଟି ହୁଏ ବୋଲି କୁହା ଯାଇଅଛି । ଏଠାରେ କହିବା ଉଚିତ ଯେ, ରୂପ ଜ୍ୟୋତିର ପ୍ରକାଶ ଛଡ଼ା ଅନ୍ୟ କିଛି ନୁହେଁ । ପୁଷ୍ପର ଜ୍ୟୋତି କୋମଳ ହୋଇଥିବାରୁ ତାହା ସୁନ୍ଦର ଓ ସେହି ଜ୍ୟୋତିର ସଂସ୍ପର୍ଶରେ ଅନ୍ୟ ବସ୍ତୁର ସୌନ୍ଦର୍ଯ୍ୟ ବଢ଼େ । ଏଣୁ ଲାଳନାମାନେ ପୁଷ୍ପକୁ ଭୂଷଣ ସ୍ୱରୁପ ବ୍ୟବହାର କରନ୍ତି । ଚନ୍ଦ୍ରଭାଗାର ଚକ୍ଷୁର ଜ୍ୟୋତି ପୁଷ୍ପର ଜ୍ୟୋତି ପରି କୋମଳ ଓ ସୁନ୍ଦର । ଚକ୍ଷୁର ଜ୍ୟୋତି ବାହ୍ୟ ବସ୍ତୁର ସଂଯୋଗ ଲାଭ କରେ ବୋଲି ନ୍ୟାୟ-ଦର୍ଶନର ଅଭିମତ । ଏଣୁ ଚନ୍ଦ୍ରଭାଗା ଯାହା ଦେଖେ ତହିଁରେ ତାହାର ଚକ୍ଷୁର ଜ୍ୟୋତି ସଂଯୋଗ ଲଭି ସେହି ବସ୍ତୁଟି ସୁନ୍ଦର ଓ କୋମଳ ହୁଏ ବୋଲି ବର୍ଣ୍ଣନା କରା ଯାଇଅଛି । ଏହାର ତାତ୍ପର୍ଯ୍ୟ ଏହି ଯେ, ଚନ୍ଦ୍ରଭାଗାର ଚକ୍ଷୁର ଜ୍ୟୋତି ଅତିଶୟ ସୁନ୍ଦର ଓ କୋମଳ ।

 

ଭୟାନକ ରସରେ ମନରେ ଶଙ୍କା ଥାଏ । ଚୋରି କଲା ବେଳେ ମନରେ ଭୟଭାବ ସ୍ୱତଃ ଉଦିତ ହୋଇ ଅଭ୍ୟସ୍ତ ଦୈନନ୍ଦିନ ଗତି ସ୍ୱତଃ ମୃଦୁ ହୁଏ । “ଶଙ୍କାରେ ଗୃହରେ ପ୍ରବେଶ କରି ଚୋରାଇ ନେଲା” କହିଲେ ଯେତେ ହୃଦୟସ୍ପର୍ଶୀ ହୁଏ ନାହିଁ “ମୃଦପଦରେ ଗୃହରେ ପ୍ରବେଶ କରି ଚୋରାଇ ନେଲା ।” କହିଲେ ଅଧିକ ହୃଦୟସ୍ପର୍ଶୀ ହୁଏ । କବିବର ରାଧାନାଥ ସେହିପରି ନିମ୍ନୋଦ୍ଧୃତ ପଦରେ ବର୍ଣ୍ଣନା କରି ଥିବାରୁ ନନ୍ଦିକେଶ୍ୱରୀର ଚିତ୍ତର ଭୟଭାବ ପରିସ୍ଫୁଟ ହୋଇଅଛି । ଯଥା : –

 

“ଅତି ମୃଦୁ ପଦେ ରାଜ-ପଦେ ଯାଇ

ନେଲା ମଣି ନୃପ-ମସ୍ତକୁଁ ଚୋରାଇ ।”

(ନନ୍ଦକେଶ୍ୱରୀ)

 

ନନ୍ଦିକା ହୃଦୟରେ ଅତ୍ୟନ୍ତ ସାହସ ପୂର୍ବରୁ ବାନ୍ଧିଥିବାର କାବ୍ୟରେ ବର୍ଣ୍ଣିତ ହୋଇଅଛି । ସେ ମଧ୍ୟ ସୁବର୍ଣ୍ଣକେଶରୀଙ୍କର ଅତ୍ୟନ୍ତ ଆଦରର ଧନ ଥିଲା । ମଣି ନେବା ବେଳେ ରାଜା ଜାଣିଥିଲେ ମଧ୍ୟ ନନ୍ଦକା ପ୍ରତି ଦଣ୍ତ ବିଧାନ କରି ନ ଥାନ୍ତେ । ତଥାପି ତାହାର ଗତି ସ୍ୱତଃ ମୃଦୁ ହୋଇଥିବାରୁ ତାହାର ଚିତ୍ତରେ ସ୍ୱତଃ ଭୟ ଭାବ ଉଦିତ ହୋଇଥିଲା ବୋଲି ବୁଝାଯାଏ । କୌଣସି କାର୍ଯ୍ୟ ଉତ୍ସାହର ସହିତ କରିବାକୁ ଆରମ୍ଭ କଲାବେଳେ ଚିତ୍ତରେ ଯେଉଁ ସିଦ୍ଧି- ବିଫଳତାର ସୂଚନା ଅନୁଭୂତ ହୁଏ ତାହାକୁ ଇଂରାଜୀରେ Lamatical irony କହନ୍ତି । ଏତେ ସାହସ ବାନ୍ଧି ସୁଦ୍ଧା ବିନା ବିଚାରରେ ନନ୍ଦିକାର ଗତି ମୃଦୁ ହୋଇଥିବାର ବର୍ଣ୍ଣନା କରାଯାଇଥିବାରୁ ତାହାର ମନୋରଥର ଭବିଷ୍ୟତ୍ ବିଫଳତା ଏଠାରେ ସୂଚିତ ହୋଇଅଛି । ଏହିପରି ରସ-ପରିଚ୍ଛେଦରେ ଉଲ୍ଲିଖିତ ଅନୁଭାବ ଛଡ଼ା ଅନେକ ଅନୁଭାବ ଅଛି ଯହିଁରେ ସୂକ୍ଷ୍ମ ମନସ୍ତତ୍ତ୍ୱ ପ୍ରକାଶ ପାଏ । ସେ ସମସ୍ତ ଏକତ୍ର ସଂକଳନ କରିବା ଅସମ୍ଭବ । ସେ ସବୁ କବିର ନିତ୍ୟ ଚକ୍ଷୁକୁ ଦିଶେ ।

 

କବିର ସ୍ୱତନ୍ତ୍ର ଭାଷା ଅଛି । ସାଧାରଣ ଭାଷାଠାରୁ ତାହା ପୃଥକ୍ । ବାକ୍ୟରେ କିପରି ବିଭିନ୍ନ ଧ୍ୱନିର ବିଭିନ୍ନ ପଦ ଏକତ୍ର ଯୋଜନା କଲେ ବାକ୍ୟ ଶ୍ରୂତିମଧୁର ହେବ ତାହା ମଧ୍ୟ ସେ ଜାଣେ । ପାଠକର ଦୃଦୟ- ଦର୍ପଣରେ ପ୍ରତିବିମ୍ୱିତ ହେଲା ଭଳି ଭାଷାରେ ସେ ନିଜର ଚିନ୍ତାଗୁଡ଼ିକୁ ମୂର୍ତ୍ତିମନ୍ତ କରେ । ଏଣୁ ଅନୁଭୂତି ଯେତେବେଳେ ଚିନ୍ତାରେ ପରିଣତ ହୋଇ ଭାଷାକାରରେ ପ୍ରକାଶ ପାଏ, ସେତେବେଳେ ସେ ଭାଷାର ରୀତିକୁ ଶୈଳୀ (Style) କହନ୍ତି । କବିର ଭାଷା ସୁଖବୋଧ୍ୟ (Perspicuous), ସ୍ୱାଭାବିକ (acourate) ଓ ଯଥାର୍ଥ (appropriate) ହୋଇ ଶୈଳୀର ଆଦର୍ଶ ସ୍ଥାପନ କରେ ।

 

ଶଦ୍ଦରେ କିପରି ଅର୍ଥରେ କି ବିଭକ୍ତି ଯୋଗ କରି ଓ ଧାତୁରେ କେଉଁ କାଳରେ କି ବିଭକ୍ତି ଯୋଗ କରି ବାକ୍ୟ କିପରି ଗଠନ କରାଯାଏ, ତାହା ବ୍ୟାକରଣରେ ସନ୍ନିବେଶିତ ହୋଇଅଛି । ସ୍ଥୂଳତଃ ଏହା କୁହାଯାଇପାରେ ଯେ, କଥିତ ଭାଷାରେ ପରିମାର୍ଜ୍ଜିତ ରୂପ ବ୍ୟାକରଣରେ ନିରୂପିତ ହୋଇଅଛି । ଏହିପରି ମାର୍ଜ୍ଜିତ ଭାଷାରେ ବିଭିନ୍ନ ଗୁଣ ପରିସ୍ଫୁଟ ହୋଇ ବିଭିନ୍ନ ଶୈଳୀ ପ୍ରକାଶିତ ହୁଏ ।

 

ବାକ୍ୟାର୍ଥ–ଶୈଳୀର ଗୁଣ ବିଚାର କରିବା ପୂର୍ବରୁ ବାକ୍ୟରେ କିପରି ଅର୍ଥ ବିଚାର କରି ଶଦ୍ଦମାନ ପ୍ରୟୋଗ କରାଯାଏ ତାହା ଏଠାରେ ଉଲ୍ଲେଖ କରିବା ଉଚିତ । ବାକ୍ୟରେ ବ୍ୟବହୃଦ ପଦମାନଙ୍କର ଯୋଗ୍ୟତା, ଆକାଙ୍‍କ୍ଷା ଓ ଆସତ୍ତ ଥିବା ଉଚିତ ।

 

ଯୋଗ୍ୟତା (Compatibility)–ବାକ୍ୟର ବ୍ୟବହୃତ ଏକ ପଦ ସହିତ ଅନ୍ୟ ପଦର ଅନ୍ୱୟରେ ବାଧା ନ ଥିଲେ ଦୁଇ ପଦର ପରସ୍ପର ଯୋଗ୍ୟତା ଅଛି ବୋଲି ବୁଝାଯାଏ । “ରାମର କଲମ ଏଠାରେ ଅଛି” କହିଲେ ରାମର ଓ କଲମ ପଦଦ୍ୱୟର ପରସ୍ୱର ଅନ୍ୱୟ ବୁଝାଯାଏ-। କିନ୍ତୁ “ରାମଙ୍କୁ ଜଳ ପରିଧାନ କରାଇ ବସ୍ତ୍ରଦ୍ୱାରା କେଶ କର୍ତ୍ତନ କଲେ” କହିଲେ ଏପରି ବାକ୍ୟରେ ପଦମାନଙ୍କର ପରସ୍ପର ଅନ୍ୱୟ ବୁଝାଯାଏ ନାହିଁ । ଏଣୁ ଏଠାରେ ପଦମାନଙ୍କର ପରସ୍ପର ଯୋଗ୍ୟତା ନାହିଁ ବୋଲି କହିବାକୁ ହୁଏ ।

 

ଦୈବ-ଶକ୍ତି ଅଥବା ହାସ୍ୟ ରସର ବର୍ଣ୍ଣନାରେ ପଦମାନଙ୍କର ପରସ୍ପର ଯୋଗ୍ୟତା ସ୍ଥଳ ବିଶେଷରେ ରହେ ନାହିଁ । “ଏହି ଦେବୀଙ୍କ କୃପାରେ ମୂକ ବାଚାଳ ହୁଏ ଓ ପଙ୍ଗୁ ଗିରି ଲଙ୍ଘନ କରେ” କହିଲେ ମୂକ ଓ ବାଚାଳତା ଏବଂ ପଙ୍ଗୁ ଓ ଗିରି ଲଙ୍ଘନ ପରସ୍ପର ଅଯୋଗ୍ୟ ହୋଇ ମଧ୍ୟ ଯୋଗ୍ୟତା ପ୍ରତିପାଦନ କରନ୍ତି । ଏହିପରି “ବେଧ-ବିଦ୍ୟା” ହାସ୍ୟ ରସରେ ପରସ୍ପର ଯୋଗ୍ୟ ବିବେଚିତ ହୁଅନ୍ତି । “ଦ୍ରୌପଦୀ ହନୁମାନଙ୍କୁ କୃଷ୍ଣ–କଥା ପଚାରିଲେ”–ଏପରି ବାକ୍ୟ ହାସ୍ୟ ରସରେ ବ୍ୟବହାର କଲେ ଦ୍ରୌପଦୀ ଓ ହନୁମାନ ମଧ୍ୟରେ ପରସ୍ପର ଯୋଗ୍ୟତା ସ୍ୱୀକାର କରାଯାଏ ।

 

ଆକାଙ୍‍କ୍ଷା (Expectancy)–ଯେଉଁ ବାକ୍ୟରେ ଏକ ପଦ ସହିତ ଅନ୍ୟ ପଦର ସାପେକ୍ଷତା ଥାଏ ସେହି ବାକ୍ୟରେ ଆକାଙ୍‍କ୍ଷା ଥାଏ । “ତେଲୀ ବିକେ ତେଲ, ଲୁଣ, ଡାଲି, ଚାଉଳ” କହିଲେ ତେଲୀ କଅଣ କରେ ବୋଲି ଜାଣିବା ପାଇଁ ଆକାଙ୍‍କ୍ଷା ଜନ୍ମେ । ତତ୍ପରେ କଅଣ ବିକେ ବୋଲି ଜାଣିବା ପାଇଁ ଆକାଙ୍‍କ୍ଷା ଜନ୍ମେ । କିନ୍ତୁ “ତେଲୀ ତେଲ, ଲୁଣ ବିକେ ଡାଲି, ଚାଉଳ” କହିଲେ ‘ଡାଲି’, ‘ଚାଉଳ’ ପଦଦ୍ୱୟ ପାଇଁ ଆକାଙ୍‍କ୍ଷା ରହେ ନାହିଁ । ସେହିପରି ଧାନ, ଗୋରୁ, କଂସା, ଉଠି ପ୍ରଭୃତି କେତେ ପଦ ବ୍ୟବହାର କଲେ ଆକାଙ୍‍କ୍ଷା ଆଦୌ ରହେ ନାହିଁ ।

 

ଆସତ୍ତ (Proximity)–ପ୍ରଥମେ ଉଚ୍ଚାରିତ ଶଦ୍ଦ ଶୁଣି ପରେ ଉଚ୍ଚାରିତ ଶଦ୍ଦ ଶୁଣିଲେ ଯେଉଁ ବାକ୍ୟରେ ପଦମାନଙ୍କର ଆସତ୍ତ ଥାଏ । ଶିକ୍ଷକକହିଲେ “ଶୁଣ ହରି ତୁମେ ଏବେ ଯିବ”–ଏପରି ବାକ୍ୟକୁ “ହରି-ଶିକ୍ଷକ କହିଲେ–ଯିବ ଶୁଣ ଏବେ ତୁମେ” ବାକ୍ୟରେ ପରିଣତ କଲେ ତହିଁରେ ପଦମାନଙ୍କର ଆସତ୍ତି ରହେ ନାହିଁ ।

 

ବର୍ତ୍ତମାନ ନିମ୍ନୋଦ୍ଧୃତ ବାକ୍ୟଟି ପରୀକ୍ଷା କରାଯାଉ : –

 

“ଆଜି ଆପଣମାନେ ରାଜପ୍ରୀତି-ପ୍ରଣୋଦୀତ ହୋଇ, ଏହି ଉପହାର ଛଳରେ ହୃଦୟର ଗଭୀରତମ ପ୍ରଦେଶରୁ ଯେଉଁ ଅମୂଲ୍ୟ ରତ୍ନଟି ପ୍ରଦାନ କଲେ, ତାହା ସେହି ଉପହାର ଛଳରେହିଁ, ମୁଁ କାହିଁକି–ଯୁଗେ ଯୁଗେ ଏଣିକି ଉତ୍କଳରେ–ଏହି ସିଂହାସନ ବଂଶ-ପରମ୍ପରା ଶିରୋଭୂଷଣ ରୂପେ ଗ୍ରହଣ କରି, ତା’ର ବଳରେ ଆପଣଙ୍କୁ ଓ ଆପଣାର ଜାତିକୁ ଉତ୍ତୋରତ୍ତର ଉଚ୍ଚତର ସୋପାନରେ ଅଧିରୋହଣ କରାଇ, ଅମର କରି ତୋଳିବ” (ପାଇକ ପୁଅ)

 

ପ୍ରଜାମାନେ ରାଜାଙ୍କୁ ଗୋଟିଏ ଉପାଧିରେ ବିଭୂଷିତ କଲେ । ସେହି ଉପାଧିଟି ଉଦ୍ଧୃତ ବାକ୍ୟରେ ରତ୍ନ ନାମରେ କଥିତ ହୋଇଅଛି । ସେ ରତ୍ନଟି ଉପହାରଛଳ କିପରି ହେଲା ଓ ଉପହାର ଛଳରେ ରାଜା ତାହାକୁ କିପରି ଶିରୋଭୂଷଣ କରିବେ ? ‘ଉପହାର ଛଳ’ ସହିତ ‘ଶିରୋଭୂଷଣର’ କୌଣସି ଯୋଗ୍ୟତା ନାହିଁ । ପୁଣି ‘ତାହା’ ପଦ ପଢ଼ିଲେ ଯେଉଁ ଆକାଙ୍‍କ୍ଷା ଜନ୍ମେ “ସେହି ଉପହାର ଛଳରେ ହିଁ” ପଦଦ୍ୱାରା ପୂର୍ଣ୍ଣ ହୁଏ ନାହିଁ । ତହିଁରେ ବିଭକ୍ତି- ଚିହ୍ନ ‘କୁ’ ନ ଥିବାରୁ ଦୂରବର୍ତ୍ତୀ ‘ଗ୍ରହଣ କରି’ ପଦ ଆକାଙ୍‍କ୍ଷା ପୂର୍ଣ୍ଣ କଲା ପରି ପ୍ରତୀତ ହୁଏ ନାହିଁ । ଏଣୁ ଆକାଙ୍‍କ୍ଷା ନାହିଁ । ଆହୁରି ମଧ୍ୟ ‘ତାହା’ ପଦରେ ବିଭକ୍ତି ଯୋଗ ନ କରି ନିକଟରେ ‘ଗ୍ରହଣ କରି’ ପଦ ବ୍ୟବହୃତ ହୋଇଥିଲେ ପଦଦ୍ୱୟର ଆସତ୍ତ ରକ୍ଷିତ ହୋଇ ଅର୍ଥ ପ୍ରତୀକ ଦେଉଥାଆନ୍ତା । ଆସତ୍ତି ରକ୍ଷିତ ହୋଇ ନ ଥିବାରୁ ଅର୍ଥ ପ୍ରତୀତ ହୁଏ ନାହିଁ । ବାକ୍ୟଟି ନିମ୍ନଲିଖିତ ରୂପେ ଗଠିତ ହୋଇଥିଲେ ସଙ୍ଗତ ହୋଇଥାନ୍ତା : –

 

“ଆଜି ଆପଣମାନେ ରାଜପ୍ରୀତି- ପ୍ରଣୋଦିତ ହୋଇ ଭକ୍ତିର ନିଦର୍ଶନ ସ୍ୱରୂପ ହୃଦୟର ଗଭୀରତମ ପ୍ରଦେଶରୁ ଯେଉଁ ଅମୂଲ୍ୟ ରତ୍ନଟି ସମର୍ପଣ କଲେ ତାହାକୁ, ମୁଁ କାହିଁକି, ବଂଶପରମ୍ପରା କ୍ରମେ ଉତ୍କଳର ରାଜାମାନେ ଚୌରକ- ଚିହ୍ନ ସ୍ୱରୂପ ଶିରୋଧାରଣ କରି ଏହି ସିଂହାସନରେ ବସି ତାହାରି ଆଲୋକରେ ଆପଣାକୁ ଓ ଆପଣାର ଜାତିକୁ ଉଚ୍ଚତର ସୋପାନରେ ଉତ୍ତରୋତ୍ତର ଅଧିରୂଢ଼ କରାଇ ଅମର ପଦବୀକୁ ଉତ୍ତୋଳନ କରୁଥିବ ।”

 

ଏକ ବାକ୍ୟରେ ପଦମାନଙ୍କର ପରସ୍ପର ଯୋଗ୍ୟତା, ଆକାଙ୍‍କ୍ଷା ଓ ଆସତ୍ତ ଯେପରି ବିଚାର କରାଯାଏ, ବିଭିନ୍ନ ବାକ୍ୟମାନଙ୍କ ମଧ୍ୟରେ ଓ ବିଭିନ୍ନ ବାକ୍ୟ-ସମ୍ପ୍ରଦାୟ (Paragraph) ମଧ୍ୟରେ ସେପରି ଯୋଗ୍ୟତା, ଆକାଙ୍‍କ୍ଷା ଓ ଆସତ୍ତ ମଧ୍ୟ ବିଚାର କରାଯାଏ । କୃଷ୍ଣଙ୍କ ପ୍ରତି ପ୍ରେମରେ ଆକୃଷ୍ଟ ହେବା ଦୁଃସାହସର କଥା ବୋଲି ଲଳିତା କହିବାକୁ “ଗଲାଣି ତ ଗଲା କଥା” କହି ରାଧା ନିଜର ବକ୍ତବ୍ୟ ଆରମ୍ଭ କଲେ । ଏଠାରେ ରାଧା ଓ ଲଳିତାଙ୍କ ଉକ୍ତି ପ୍ରତ୍ୟୁକ୍ତିରେ ଯୋଗ୍ୟତା ରକ୍ଷା କରିବାପାଇଁ କବିସୂର୍ଯ୍ୟ ଶିଳ୍ପନୈପୁଣ୍ୟ ଫୁଟାଇ ଅଛନ୍ତି । ରାଧାଙ୍କ ଚିତ୍ତର ଆସକ୍ତି କୃଷ୍ଣଙ୍କୁ ଅଥବା କୃଷ୍ଣଙ୍କ ଚିତ୍ତର ଆସକ୍ତି ରାଧାଙ୍କୁ ନ ଜଣାଇ ଉଭୟଙ୍କ ଆକାଙ୍‍କ୍ଷାକୁ ଉତ୍ତରୋତ୍ତର ବଳବତୀ କରିବାରେ ଲଳିତାର ଚତୁରତା ଉଜ୍ଜ୍ୱଳ ହୋଇଅଛି । ଏହିପରି ନାନା କାରଣରୁ କବିସୂର୍ଯ୍ୟଙ୍କ ଚମ୍ପୂ ପାଠକ ଓ ଶ୍ରୋତାମାନଙ୍କ ହୃଦୟରେ ପ୍ରତିଧ୍ୱନିତ ହେଉଅଛି ।

 

ବାକ୍ୟରେ ପଦମାନଙ୍କର ଯୋଗ୍ୟତା, ଆକାଙ୍‍କ୍ଷା ଓ ଆସତ୍ତ ରକ୍ଷା କରିବାକୁ ହେଲେ ଶବ୍ଦାର୍ଥ ଜାଣିବା ଉଚିତ ।

ଶବ୍ଦାର୍ଥ–ଶବ୍ଦମାନଙ୍କର ନିତି ପ୍ରକାର ଅର୍ଥ ଅଛି-ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନା । ଏକ ଏକ ଶବ୍ଦର ଅନେକ ପ୍ରକାର ଅଭିଧା ଅର୍ଥ ଥାଏ । ଅଭିଧାନରେ ଶଦ୍ଦର ବିଭିନ୍ନ ଅର୍ଥ ଦିଆ ଯାଇ ଥାଏ । ଯେଉଁ ଶଦ୍ଦର ବହୁବିଧ ଅର୍ଥ ଥାଏ ସେହି ଶଦ୍ଦକୁ ରଚନାରେ ବ୍ୟବହାର କଲେ ଲେଖକର ଉଦ୍ଦିଷ୍ଟ ଅର୍ଥ ଯେପରି ପାଠକ ସହଜରେ ଗ୍ରହଣ କରିପାରେ, ସେଥିପାଇଁ ଲେଖକ ବିଶେଷିତ କରି ସେହି ଶଦ୍ଦକୁ ରଚନାରେ ବ୍ୟବହାର କରିବା ଉଚିତ ।

‘ହରି’ ଶଦ୍ଦର ବିଷ୍ଣୁ, କୋକିଳ, ଚନ୍ଦ୍ର, ମୃଗ, ସିଂହ ପ୍ରଭୃତି କହୁବିଧ ଅର୍ଥ ଅଛି । ବିଷ୍ଣୁ ଅର୍ଥରେ ‘ହରି’ ଶଦ୍ଦ ପ୍ରୟୋଗ କଲେ ‘ଶଙ୍ଖଚକ୍ର ହରି’ ବ୍ୟବହାର କରିବାକୁ ହେବ । ଏହିପରି ଚନ୍ଦ୍ର ଅର୍ଥରେ ‘ତାରାପତି ହରି’ ବ୍ୟବହାର କରାଯାଇ ପାରେ । ବିଶେଷଣସହ ବହୁ ଅର୍ଥ–ବୋଧକ ଶଦ୍ଦକୁ ବ୍ୟବହାର ନ କଲେ ରଚନା ସୁଖବୋଧ୍ୟ ହୁଏ ନାହିଁ ।

ଅଉ ଏକ ପ୍ରକାର ଅଭିଧା ଅଛି; ତାହାକୁ ସହଚର୍ଯ୍ୟା ଅଭିଧା କରନ୍ତି । କୌଣସି ଶଦ୍ଦର ବିଭିନ୍ନ ଅଭିଧା ଅର୍ଥ ଥିଲେ ମଧ୍ୟ ବାକ୍ୟରେ ତାହାର ସହଚର ଶଦ୍ଦମାନଙ୍କ ଅର୍ଥର ଉପଯୋଗୀ ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥ ପ୍ରତୀତ ହେଉଥାଏ । ସେହି ଅର୍ଥକୁ ସାହଚର୍ଯ୍ୟ ବା ପ୍ରକରଣ ଅଭିଧା (With reference to the context) କରନ୍ତି ।

‘ସୈନ୍ଧବ’ ଶଦ୍ଦ ଲୁଣ ଓ ଘୋଡ଼ା ଉଭୟ ଅର୍ଥ ନିର୍ଦ୍ଦେଶ କରେ । ଭୋଜନ କଲାବେଳେ ଯଦି କେହି କହେ, “ସୈନ୍ଧବ ଆନୟନ କର” ତେବେ ସେଠାରେ ଲୁଣ-ଅର୍ଥ ଅନାୟାସରେ ପ୍ରତୀତ ହୁଏ । ଅନ୍ୟ ସମୟରେ ଯଦି କେହି କହେ ‘‘ସୈନ୍ଧବ ଆରୋହଣ କର’’ ତେବେ ସେଠାରେ ଘୋଡ଼ା-ଅର୍ଥ ସହଜରେ ହୃଦୟଙ୍ଗମ ହୁଏ । ସେହିପରି “କୁସୁମପରସରେ ପଟ ନିସ୍ତରେ” ଓ “ନଦୀର ଆରପଟେ ଲୋକ ଅଛନ୍ତି” ବାକ୍ୟମାନଙ୍କରେ ‘ପଟ’ ଶଦ୍ଦର ବିଭିନ୍ନ ଅର୍ଥ ଥିଲେ ମଧ୍ୟ ପ୍ରତ୍ୟେକ ବାକ୍ୟରେ ବାକ୍ୟର ଉପଯୋଗୀ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥ ପ୍ରତୀତ ହୁଏ ।

ଶଦ୍ଦର ଅଭିଧା ଅର୍ଥ ବାକ୍ୟର ଅନ୍ୱୟଯୋଗ୍ୟ ନ ହେଲେ ତାହାର ଯେଉଁ ଅର୍ଥାନ୍ତର କଳ୍ପନା କରାଯାଏ ତାହାକୁ ଲକ୍ଷଣା (metonymy) କହନ୍ତି । ‘‘ଗଙ୍ଗାବାସୀ ଲୋକ’’ କହିଲେ ଗଙ୍ଗାନଦୀରେ ଲୋକ ବାସ କରିବା ଅସମ୍ଭବ ହୋଇଥିବାରୁ ‘ଗଙ୍ଗା’ ସହିତ “ବାସୀ” ପଦର ଯୋଗ୍ୟତା ପ୍ରତୀତ ହୁଏ ନାହିଁ । ଏଣୁ ସେଠାରେ ‘ଗଙ୍ଗାତୀର’ ଅର୍ଥାନ୍ତର ‘ଗଙ୍ଗା’ ପଦ ସମ୍ବନ୍ଧରେ କଳ୍ପନା କରାଯାଏ । ଏହିପରି ‘ବିଶ୍ୱବିଦ୍ୟାଳୟ ମନୋନୀତ କଲା’, ‘ଜିଲା ବୋର୍ଡର ନିର୍ଦ୍ଧାରଣ ଅନୁସାରେ’, ‘ଶିକ୍ଷା ବିଭାଗର ନିର୍ଦ୍ଦେଶରେ’ ପ୍ରଭୃତି କଥାରେ ବିଶ୍ୱବିଦ୍ୟାଳୟର, ଜିଲାବୋର୍ଡର ବା ଶିକ୍ଷାବିଭାଗର କର୍ତ୍ତୃପକ୍ଷ ବୋଲି ଅର୍ଥାନ୍ତର କଳ୍ପନା କରାଯାଏ ଓ ଏହି ଅର୍ଥାନ୍ତରମାନଙ୍କୁ ଲକ୍ଷଣା କହନ୍ତି । ଏଣୁ ‘ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ’ ପ୍ରଭୃତି ଲେଖିବାର ପ୍ରୟୋଜନ ନୋହି ବାକ୍ୟ ସଂକ୍ଷିପ୍ତ ହୁଏ ।

ସୁପରିଚିତ ବିସ୍ତୃତ ବିଷୟର ଆଭାସ(allusion) ଉଲ୍ଲେଖ କଲେ ମଧ୍ୟ ବାକ୍ୟ ସଂକ୍ଷିପ୍ତ ହୁଏ ଓ କବିତା ପାଠ କଲାବେଳେ ଚିତ୍ତ ସୀମାବଦ୍ଧ କ୍ଷେତ୍ର ତ୍ୟାଗ କରି ବିସ୍ତୃତ ରାଜ୍ୟରେ ଭ୍ରମଣ କରେ, ଯଥା : –

“ସୁଭଦ୍ରାର କଥା ଜଗତେ ବିଦିତ

ପ୍ରେମ-ବଳେ ସିନା ଲଭିଲା ଦୟିତ ।” (ନନ୍ଦିକେଶ୍ୱରୀ)

ଶବ୍ଦାର୍ଥ ସହିତ କୌଣସି ସମ୍ବନ୍ଧ ନ ଥିଲେ ମଧ୍ୟ ଶୈଳୀସୌଷ୍ଠବର କାରଣ ହୋଇଥିବାରୁ ସୁପରିଚିତ ବିଷୟର ଆଭାସ ସମ୍ବନ୍ଧରେ ଏଠାରେ ଉଲ୍ଲେଖ କରାଗଲା । ନନ୍ଦିକେଶ୍ୱରୀ ପାଠ କଲା ବେଳେ ସୁଭଦ୍ରାର ଉଲ୍ଲେଖ ପଢ଼ି ପାଠକର ଚିତ୍ତ ବିଷୟାନ୍ତରକୁ କିପରି ଭ୍ରମଣ କରେ ତାହା ଉଦ୍ଧୃତ ସ୍ତବକରୁ ପାଠକେ ବୁଝି ପାରିବେ । ଏଥିରୁ କବିର ବ୍ୟକ୍ତିତ୍ୱ-ସୂଚକ ଶାସ୍ତ୍ର-ଜ୍ଞାନ ସ୍ପଷ୍ଟ ଜଣାଯାଏ ।

ବାକ୍ୟର ଅନ୍ୟ ଏକପ୍ରକାର ଲକ୍ଷଣାର୍ଥ ଅଛି । ତାହାକୁ ବିପରୀତ ଲକ୍ଷଣା ବା ବ୍ୟଙ୍ଗୋକ୍ତି (sarcasm) କହନ୍ତି । କୌଣସି କାବ୍ୟର ସାଧାରଣ ଅର୍ଥ ଯଦି ବିପରୀତ ଅର୍ଥରେ ଗ୍ରହଣ କରିବା ପାଇଁ ଅଭିପ୍ରେତ ହୋଇଥାଏ, ତେବେ ତାହାକୁ ବିପରୀତ ଲକ୍ଷଣା କହନ୍ତି । ଯଥା : –

“ଆମବାତ ଧରିଥିଲା ମୋ ଦାଦିର ଅଣ୍ଟା,

ଆଠଦିନ ବିରିଡାଲି ତେଲିସାରୁ-ଘଣ୍ଟା

ଖୁଡ଼ୀ ଆଣି ଦିଅନ୍ତି, ମଇଁଷୀ-ଘୋଳ ଦହି ।

ଆଖିବାଟେ ବାତ ଗଲା ଧଇଁ ସଇଁ ହୋଇ ।’’

(ଚତୁର ବିନୋଦ)

ବିରି-ଡାଲି ଓ ସାରୁ-ତରକାରୀ ଖାଇଲେ ଅଣ୍ଟା ବାତ ବଢ଼େ, କମେ ନାହିଁ । ଏହାକୁ ଖାଇ ବାତ ଗଲା ବୋଲି ଯାହା କୁହାଯାଇ ଅଛି ତାହାର ଅର୍ଥ ମୃତ ହେଲା । ପ୍ରକରଣର ଅର୍ଥ ଅନୁସାରେ ବାତର ଅର୍ଥ ଏଠାରେ ‘ପ୍ରାଣବାୟୁ’ ।

ଯେଉଁ ବାକ୍ୟରୁ ପଦମାନଙ୍କର ପ୍ରକରଣ ଅର୍ଥ ଗ୍ରହଣ କଲେ ମଧ୍ୟ ଅନ୍ୟ ଗୋଟିଏ ସୂକ୍ଷ୍ମ ଅର୍ଥ ପ୍ରତୀତ ହେଉଥାଏ ସେହି ବାକ୍ୟର ସେହି ସୂକ୍ଷ୍ମ ଅର୍ଥକୁ ବ୍ୟଞ୍ଜନା (Suggestion) କହନ୍ତି । ‘ତୁମ ଦେଶରେ କଅଣ ମିଳେ‘–ଏ କଥା ଜଣେ ପଚାରିଲେ ଉତ୍ତରରେ ଅନ୍ୟ ଜଣେ କହେ–‘ତୁମ ଦେଶରେ ଯାହା ନ ମିଳେ ।’ ଏପରି ଉତ୍ତରରୁ ଉତ୍ତରଦାତା ନିଜ ଦେଶର ଗୌରବ ଗାନ କରିଥିବାର ସୂକ୍ଷ୍ମ ଅର୍ଥ ପ୍ରତୀତ ହୁଏ । ଏହି ସୂକ୍ଷ୍ମ ଅର୍ଥକୁ ବ୍ୟଞ୍ଜନା କହନ୍ତି ।

ଗୁଣ–ନାନାବିଧ ବିଷୟ ବିଚାରପୂର୍ବକ ଶବ୍ଦମାନ ଯୋଜନା କରି ବାକ୍ୟ ଗଠନ କରାଯାଏ । ବାକ୍ୟାନ୍ତର୍ଗତ ରସର ଉପଯୋଗୀ ହେବାଭଳି ଧ୍ୱନି ଯେଉଁ ଶବ୍ଦମାନଙ୍କରେ ଥାଏ, ସେହି ଶବ୍ଦମାନଙ୍କୁ ବାଛି ବାକ୍ୟରେ ପ୍ରୟୋଗ କଲେ ବାକ୍ୟର ରସ ଯଦି ହୃଦୟସ୍ପର୍ଶୀ ହୁଏ, ତେବେ ବାକ୍ୟରେ ଗୁଣ ପରିସ୍ଫୁଟ ହୁଏ । ଗୁଣ ତିନି ପ୍ରକାର-ଓଜଃ, ମାଧୁର୍ଯ୍ୟ ଓ ପ୍ରସାଦ ।

ଓଜୋଗୁଣ (Strength of style)–ଶୈଳୀରେ ଯେଉଁ ଗୁଣ ଥିଲେ ପାଠକରିବା ସଙ୍ଗେ ସଙ୍ଗେ ପାଠକରି ଚିତ୍ତ ଉଦ୍ଦୀପ୍ତ ହୋଇ ଉଠେ ତାହାକୁ ଓଜୋଗୁଣ କହନ୍ତି । ବୀର, ବୀଭତ୍ସ ଓ ରୌଦ୍ର ରସର ପ୍ରକାଶ ପାଇଁ ସାଧାରଣତଃ ଏହି ଗୁଣ ଉପଯୋଗୀ ।

ବର୍ଗର ଚତୁର୍ଥ ବର୍ଣ୍ଣ ସହିତ ଯୁକ୍ତ ତୃତୀୟ ବର୍ଣ୍ଣ (ଯଥା–ଗ୍‍ଘ, ଜ୍‍ଝ, ଡ୍‍ଢ, ଦ୍ଧ), ପ୍ରଥମ ବର୍ଣ୍ଣ ସହିତ ଯୁକ୍ତ ଦ୍ୱିତୀୟ ବର୍ଣ୍ଣ ଯଥା–କ୍‍ଖ, ଚ୍ଛ, ଟ୍‍ଠ, ତ୍‍ଥ, ପ୍‍ଫ), ଉପରି ବା ଅଧୋଭାଗରେ ‘ଋ’–ଯୁକ୍ତ ବର୍ଣ୍ଣ ଯଥା-(ର୍କ, ର୍ବ, ପ୍ର, ତ୍ର) ଓ ଉଷ୍ମ ବର୍ଣ୍ଣ ସହିତ ଯୁକ୍ତ ବର୍ଣ୍ଣ (ଯଥା–ଶ୍ଚ, ସ୍ତ, ସ୍ପ, ଷ୍ଟ) ଏବଂ ‘ଣ’ ଭିନ୍ନ ଟ–ବର୍ଗର ଅନ୍ୟାନ୍ୟ ବର୍ଣ୍ଣ ଓ ଉଷ ବର୍ଣ୍ଣ (ଶ, ଷ, ସ) ସମନ୍ୱିତ ହୋଇଥିବା ଶବ୍ଦମାନ ବିନ୍ୟାସ କରି ଦୀର୍ଘ-ସମାସ-ଯୁକ୍ତ ବାକ୍ୟ ଗଠିତ ହେଲେ ସଂସ୍କୃତ ରଚନାରେ ଓଜୋଗୁଣ ପ୍ରକଟିତ ହୁଏ ଓ ଏପରି ଶବ୍ଦବିନ୍ୟାସର ରୀତିକୁ ଗୌଡ଼ୀ ରୀତି କହନ୍ତି ।

ଓଡ଼ିଆରେ ଯେ କୌଣସି ଯୁକ୍ତ ବ୍ୟଞ୍ଜନବର୍ଣ୍ଣ ଏବଂ ଖ, ଘ, ଛ, ଝ, ଠ, ତ, ଥ, ଧ, ଫ, ଭ, ଶ, ଷ, ସ, ହ ପ୍ରଭୃତି ମହାପ୍ରାଣ ବର୍ଣ୍ଣ ଅଥବା ଦୀର୍ଘସ୍ୱରଯୁକ୍ତ ସ୍ୱଳ୍ପପ୍ରାଣ ବର୍ଣ୍ଣ ଯେଉଁ ଶବ୍ଦମାନଙ୍କର ଦ୍ୱିତୀୟବର୍ଣ୍ଣ ହୋଇଥାଏ ସେହି ଶବ୍ଦମାନ ବିନ୍ୟାସ କରି ବାକ୍ୟ ଗଠନ କଲେ ଓଜୋଗୁଣ ପ୍ରକାଶିତ ହୁଏ । ପଦ୍ୟରେ ଏହି ଗୁଣ ଫୁଟାଇବାକୁ ହେଲେ ଉଲ୍ଲିଖିତ ବର୍ଣ୍ଣମାନଙ୍କ ମଧ୍ୟରୁ ଯେ କୌଣସି ଗୋଟିଏ ବର୍ଣ୍ଣ ପ୍ରତ୍ୟେକ ପର୍ବର ଦ୍ୱିତୀୟ ବର୍ଣ୍ଣ ହେବା ଉଚିତ । ଏହି ଗୁଣବିଶିଷ୍ଟ ପଦ୍ୟର ଛନ୍ଦରେ–ସଂଯୁକ୍ତ ବ୍ୟଞ୍ଜନର ପୂର୍ବବର୍ତ୍ତୀ ସ୍ୱରକୁ ଅନାୟାସରେ ଦୀର୍ଘ କରି ଉଚ୍ଚାରଣ କରାଯାଇପାରେ । ପର୍ବର ଦ୍ୱିତୀୟ ବର୍ଣ୍ଣ ଉଲ୍ଲିଖିତ ବର୍ଣ୍ଣମାନଙ୍କ ମଧ୍ୟରୁ ଗୋଟିଏ ନୋହିଲେ ମଧ୍ୟ ଦୀର୍ଘସ୍ୱରଯୁକ୍ତ ବର୍ଣ୍ଣ ହେଲେ ଚଳନୀୟ । ଏଥିରୁ ଅନ୍ୟଥା ହେଲେ ଓଜୋଗୁଣ ଫୁଟେ ନାହିଁ । ଯଥା : –

୧.

“ବିଭାବରୀ ବିକାଶ ବିଭାବସୁ ପ୍ରକାଶ

 

ବିଭାଷ ପ୍ରକଟ ଅଶେଷ......”

 

(ବୈଦେହୀଶ ବିଳାସ)

୨.

“ହିତ ଆନମାନଙ୍କୁ ସତ କାମୀ ଜନଙ୍କୁ

 

ଅହି ପରି ଅହିତ ଏହି ।”

 

(ଲାବଣ୍ୟବତୀ)

 

ଏକ ଛନ୍ଦରେ ଏକ କବି ରଚନା କରିଥିଲେ ମଧ୍ୟ ପ୍ରଥମୋଦ୍ଧୃତ ଚରଣରେ ପ୍ରତି ପର୍ବର ଦ୍ୱିତୀୟ ବର୍ଣ୍ଣ ଦୀର୍ଘ-ସ୍ୱରଯୁକ୍ତ ମହାପ୍ରାଣ ବର୍ଣ୍ଣ ହୋଇଥିବାରୁ ତହିଁରେ ଓଜୋଗୁଣ ଅନୁଭୂତ ହେଉଅଛି । କିନ୍ତୁ ଦ୍ୱିତୀୟ ଉଦ୍ଧୃତ ଚରଣର ପ୍ରଥମ ଓ ଦ୍ୱିତୀୟ ପର୍ବର ଦ୍ୱିତୀୟ ବର୍ଣ୍ଣମାନଙ୍କୁ କୌଣସି ପ୍ରକାରେ ଦୀର୍ଘ ଉଚ୍ଚାରଣ କରାଯାଇ ପାରୁ ନ ଥିବାରୁ ତହିଁରେ ଓଜୋଗୁଣର ପ୍ରକାଶ ହୁଏ ନାହିଁ ।

 

୧.

“ଜନ୍ମିବେ ଚୋହାନ କୁଳେ ଏହି ଦିଲ୍ଲୀପୁରେ

 

କ୍ଷୀରୋଦୁ ପୀୟୁଷ ପ୍ରାୟେ ପୃଥୁ ପୃଥୁ ଯଶା,

 

ସଂଗ୍ରାମେ ଅପ୍ରତିରଥ ଯଥା ପାର୍ଥ ରଥୀ.....”

 

(ମହାଯାତ୍ରା)

୨.

“ବିନା ଯୁଦ୍ଧେ ନ ଦେବାର ସୂଚ୍ୟଗ୍ର ମେଦିନୀ

 

ପଣ ଯେଉଁ ଆର୍ଯ୍ୟଙ୍କର ତାଙ୍କରି ଶୋଣିତ

 

ବହୁଛି କି ଆହେ ଯୋଦ୍ଧେ ତୁମ୍ଭ ଧମନୀରେ ?

 

ଧିକ୍‍ ଧିକ୍‍ ଶତଧିକ୍‍ ! ଏ ହୀନ ମନ୍ତ୍ରଣା

 

ଭୀରୁ-ପାମର ଉଚିତ ଉଚ୍ଚାରି ଯା କଲ....”

 

(ମହାଯାତ୍ରା)

୩.

“ସୁଖୀଥିଲି ବନେ ଦୁଃଖୀ ହେଲି ସିଂହାସନେ

 

ଦୁଃଖୀ ପାଇଁ ସ୍ଥାନ କାହିଁ ସଂସାର-ଗହଳେ

 

ଦୁଃଖୀ ଲୋଡ଼େ ନିକାଞ୍ଚନ ଦୁଃଖୀର ନୟନେ

 

ସଂସାର ସମ୍ପଦ ସିନା ମହା ବିଡ଼ମ୍ବନା.....”

 

(ମହାଯାତ୍ରା)

୪.

“ଏହି କି ସେ ପୂଣ୍ୟଭୂମି ଭୁବନ ବିଦିତ

 

ସୁବିସ୍ତୀର୍ଣ୍ଣ ରଙ୍ଗଭୂମି ଆର୍ଯ୍ୟ-ଗୌରବର ?”

 

(ଭାରତ ଭାବନା)

 

ପ୍ରଥମୋଦ୍ଧୃତ ଚରଣମାନଙ୍କରେ ବ୍ୟବହୃତ ପ୍ରତ୍ୟେକ ପଦରେ ସଂଯୁକ୍ତ ବ୍ୟଞ୍ଜନ ବା ମହାପ୍ରାଣ ବର୍ଣ୍ଣ ଅଥବା ଦୀର୍ଘସ୍ୱରଯୁକ୍ତ ସ୍ୱଳ୍ପପ୍ରାଣ ବ୍ୟଞ୍ଜନ ଦ୍ୱିତୀୟ ବର୍ଣ୍ଣ ହୋଇ ଥିବାରୁ ତହିଁରେ ଓଜୋଗୁଣର ପ୍ରକାଶ ପାଏ ।

 

ଦ୍ୱିତୀୟ ଉଦାହରଣର ଦ୍ୱିତୀୟ ଚରଣରେ ବ୍ୟବହୃତ ‘ପଣ’ ଶବ୍ଦ ଓଜୋଗୁଣର ଲାଘବ କରିଅଛି । ତାହା ବଦଳରେ ‘ପ୍ରଥା’ ଶବ୍ଦ ବିନ୍ୟାସ କଲେ ଗୁଣର ଉତ୍କର୍ଷ ଓ ଅର୍ଥର ଲାଘବ ସାଧିତ ହେବ । ଏପରି ଶିଥିଳ ଓଜୋଗୁଣକୁ ସମାଧି ଓଜ କହନ୍ତି । ସେହି ଉଦାହରଣର ଚତୁର୍ଥ ଚରଣର ପ୍ରଥମ ପର୍ବର କୌଣସି ପଦରେ ଦ୍ୱିତୀୟ ବର୍ଣ୍ଣ ସଂଯୁକ୍ତ ବ୍ୟଞ୍ଜନ, ମହାପ୍ରାଣ ବର୍ଣ୍ଣ ଅଥବା ଦୀର୍ଘସ୍ୱରଯୁକ୍ତ ସ୍ୱଳ୍ପପ୍ରାଣ ବର୍ଣ୍ଣ ନୁହେଁ । କିନ୍ତୁ ନୃତ୍ୟ କଳା ପରି ‘ଧି’ ଓ ‘କ୍’ ବର୍ଣ୍ଣଦ୍ୱୟର ପୁନଃ ପୁନଃ ବ୍ୟବହାର ଥିବାରୁ ଏଥିରେ ଉଦାରତା ନାମକ ଓଜୋଗୁଣ ପ୍ରକାଶ ପାଏ । ତୃତୀୟ ଉଦାହରଣରେ ଏକ ବ୍ୟକ୍ତିର ବିଭିନ୍ନ ଅବସ୍ଥା ବର୍ଣ୍ଣିତ ହୋଇଥିବାରୁ ଏହାକୁ କ୍ରମୋତ୍କର୍ଷ (climax) ଓଜୋଗୁଣ କହନ୍ତି ।

 

ଓଜୋଗୁଣ–ବିଶିଷ୍ଟ ରଚନାରେ ବାକ୍ୟ ଯଥାସମ୍ଭବ କ୍ଷୁଦ୍ର ହୁଏ । କ୍ରିୟାପଦମାନଙ୍କର ଘନ ଘନ ବ୍ୟବହାର ହୁଏ ନାହିଁ । ଏଣୁ ଦୀର୍ଘ ସମାସନ୍ତ ପଦର ବ୍ୟବହାର କରିବାକୁ ହୁଏ ଏବଂ ରୂପକ ଓ ଦୃଷ୍ଟାନ୍ତ ଅଳଙ୍କାରର ପ୍ରୟୋଜନ ହୁଏ ।

 

ମାଧୁର୍ଯ୍ୟ (elegance)–ଯେଉଁ ରଚନା ପାଠ କରୁ କରୁ ପାଠକର ଚିତ୍ତ ଆନନ୍ଦରେ ଅଭିଭୂତ ହୋଇ ଉତ୍ତରୋତ୍ତର ପାଠ କରିବାପାଇଁ ଆଗ୍ରହାନ୍ୱିତ ହୁଏ ତହିଁରେ ମାଧୁର୍ଯ୍ୟ-ଗୁଣ ଅନୁଭୂତ ହୁଏ । ଶୃଙ୍ଗାର, କରୁଣ ଓ ଶାନ୍ତି ରସର ପ୍ରକାଶ ପାଇଁ ଏହି ଗୁଣବିଶିଷ୍ଟ ଶୈଳୀ ଉପଯୋଗୀ । ଟ–ବର୍ଗ ଛଡ଼ା ଅନ୍ୟ ଯେ କୌଣସି ପଞ୍ଚମ ବର୍ଣ୍ଣ ସେହି ବର୍ଗର ଅନ୍ୟ ବର୍ଣ୍ଣରେ ସଂଯୁକ୍ତ ହୋଇଥିବା ବର୍ଣ୍ଣ (ଣ୍ଟ, ଣ୍ଠ, ଣ୍ଡ, ଣ୍ଠ୍‍, ବ୍ୟତୀତ ଙ୍କ, ଙ୍ଖ, ଙ୍ଗ, ଙ୍ଘ, ଞ୍ଚ, ଞ୍ଛ, ଜ୍ଞ, ଜ୍ଞା, ନ୍ତ, ନ୍ଥ, ନ୍ଦ, ନ୍ଧ, ମ୍ପ, ମ୍ଫ, ମ୍ବ, ମ୍ଭ) ଓ ସ୍ୱଳ୍ପପ୍ରାଣ ବର୍ଣ୍ଣ ଥିବା ଶବ୍ଦମାନ ବିନ୍ୟାସ କରି ଯେଉଁ ବାକ୍ୟ ଗଠିତ ହୁଏ ତହିଁରେ ଏହି ଗୁଣ ପ୍ରକଟିତ ହୁଏ ।ଏଥିରେ ଉଲ୍ଲିଖିତ ଯୁକ୍ତାକ୍ଷାର ଛଡ଼ା ଅନ୍ୟ ଯୁକ୍ତାକ୍ଷର ବା ଦୀର୍ଘ–ସମାସଯୁକ୍ତ ପଦ ବ୍ୟବହୃତ ହୁଏ ନାହିଁ । କ୍ଷୁଦ୍ର ସମାସଯୁକ୍ତ ପଦ ବ୍ୟବହୃତ ହୋଇପାରେ । ଏପରି ରଚନାର ରୀତିକୁ ସଂସ୍କୃତରେ ବୈଦର୍ଭୀ ରୀତି କହନ୍ତି ।

 

ଓଡ଼ିଆ ରଚନାରେ ଉଲ୍ଲିଖିତ ସଂଯୁକ୍ତ ବ୍ୟଞ୍ଜନଛଡ଼ା ଅନ୍ତଃସ୍ଥ ବର୍ଣ୍ଣ–ସଂଯୁକ୍ତ ବ୍ୟଞ୍ଜନ (କ୍ୟ, ତ୍ର, ର୍କ, କ୍ନ, କ୍ୱ) ଅଳ୍ପ ପରିମାଣରେ ବ୍ୟବହୃତ ହେଲେ ମାଧୁର୍ଯ୍ୟ–ଗୁଣର ଲାଘବ ହୁଏନାହିଁ । କିନ୍ତୁ କୌଣସି ଉଷ୍ମ ବର୍ଣ୍ଣରେ ଏକରୁ ଅଧିକ ସ୍ୱଳ୍ପପ୍ରାଣ ବର୍ଣ୍ଣ ବା ଗୋଟିଏ ମହାପ୍ରାଣ ବର୍ଣ୍ଣ ସ୍ୱ, ଷ୍ଟ, ଷ୍ଠ ପ୍ରଭୃତି) ସଂଯୁକ୍ତ ହୋଇଥିବା ଅକ୍ଷର ବ୍ୟବହୃତ ହେଲେ ମାଧୁର୍ଯ୍ୟ-ଗୁଣର ହାନି ହୁଏ । ସାମାନ୍ୟ କ୍ଷୁଦ୍ର, କ୍ଷୁଦ୍ର ସମାସଯୁକ୍ତ ପଦମାନ ବ୍ୟବହାର କରାଯାଇ ପାରେ । ଅର୍ଥାଳଙ୍କାର ମଧ୍ୟ ମାଧୁର୍ଯ୍ୟ-ଗୁଣ–ବିଶିଷ୍ଟ ଶୈଳୀର ଉତ୍କର୍ଷ ସାଧନ କରେ । ଯଥା : –

 

୧.

“ନେତ୍ର-ଯୁଗେ ଯୁବା ପିଅନ୍ତି

 

ଯେଉଁ ରୂପ-ଅମୃତ,

 

ସେ ଅମୃତେ କଲା ଯୌବନ

 

ବାଳା-ତନୁ ଧଉତ ।

୨.

ଶୋଭା ସେ ଲଭିଲା ଅପ୍‍ସରୀ-

 

ଦିବ୍ୟ ଶୋଭାକୁ ବଳି,

 

ଫୁଟିଲା-ଲାବଣ୍ୟ-ସରସେ

 

ନବ-କମଳ-କଳି ।

୩.

ସ୍ୱଭାବେ ସୁବର୍ଣ୍ଣ, ଯୌବନ

 

ହେଲା ଯୋଗ୍ୟ ରସାଣ,

 

ରୂପାସ୍ତ୍ରର ହେଲା ରୂପସୀ

 

ଷଷ୍ଠ ଅମୋଘ ବାଣ ।”

 

(ଚନ୍ଦ୍ରଭାଗା)

 

ଉଦ୍ଧୃତ ତୃତୀୟ ସ୍ତବକରେ ‘ସ୍ତ୍ର’ (ରୂପାସ୍ତ୍ରର) ଓ ‘ଷ୍ଠ’ (ଷଷ୍ଠ) ବର୍ଣ୍ଣଦ୍ୱୟ କିପରି ମାଧୁର୍ଯ୍ୟ-ଗୁଣ ନଷ୍ଟ କରନ୍ତି ତାହା ପାଠକେ ଉପଲବ୍‍ଧି କରିପାରୁଥିବେ ।

 

ମାଧୁର୍ଯ୍ୟ-ଗୁଣ-ବିଶିଷ୍ଟ ଶୈଳୀରେ ଯେଉଁସବୁ ସଂଯୁକ୍ତ ବ୍ୟଞ୍ଜନ ବ୍ୟବହୃତ ହୁଏ, ସେ ସମସ୍ତ ଯେଉଁ ରଚନାରେ ଅତି ଅଳ୍ପ ପରିମାଣରେ ବ୍ୟବହୃତ ହୋଇଥାଏ ଅଥବା ଆଦୌ ବ୍ୟବହୃତ ହୋଇ ନ ଥାଏ ଓ କେତେକ ବର୍ଣ୍ଣ ଏକାଧିକ ଥର ବ୍ୟବହୃତ ହୋଇ ଥାଏ ତହିଁରେ ଲଳିତ-ଗୁଣ ପ୍ରକାଶିତ ହୁଏ ।

 

ଯଥା : –

“କାମ–କାଳକୂଟ–କାଳିମା

 

ଭୂରୁ–ଯୁଗଳ ଧରେ,

 

ପ୍ରବାଳ–ଲତା କି ଅଧର

 

ଆହା ରୂପ–ସାଗରେ ।”

 

(ଚନ୍ଦ୍ରଭାଗା)

 

ପ୍ରସାଦ (Perspicuity)–ବ୍ୟାକରଣ ଅନୁଯାୟୀ ମାର୍ଜିତ କଥିତ ଭାଷାରେ ସରଳ ସରଳ ଶବ୍ଦମାନଙ୍କର ବିନ୍ୟାସସହ ସୁଖବୋଧ୍ୟ କ୍ଷୁଦ୍ର କ୍ଷୁଦ୍ର ବାକ୍ୟମାନ ଗଠିତ ହୋଇ ଯେଉଁ ରଚନାରେ ସନ୍ନିବେଶିତ ହୋଇଥାଏ ତାହାର ଶୈଳୀରେ ପ୍ରସାଦ-ଗୁଣ ପ୍ରକଟିତ ହେଉଥାଏ । ଯଥା-: –

 

୧.

“ଶିଶୁଗଣ ଏବେ ହରଷେ ରତ,

 

ପୁଇ-ଉପବନେ ବୁଲି ସନ୍ତତ,

 

କୁସୁମ ପରାଗ ମୁଖରେ ବୋଳି,

 

ଧରି ପ୍ରଜାପତି କୁସୁମ ତୋଳି,

 

ନାନା ରଙ୍ଗେ ଖେଳି-ତରୁତଳରେ

 

କରନ୍ତି ସଙ୍ଗୀତ ଆନନ୍ଦ ଭରେ ।”

 

(ବସନ୍ତ)

୨.

ଦିଅ ମା ! ଫିଟାଇ ସ୍ୱରଗର ଦ୍ୱାର,

 

ଉଜ୍ଜଳ କର ମା ଭାରତ-ସଂସାର,

 

ସ୍ୱରଗର ପ୍ରେମ ପୂଣ୍ୟ ଜ୍ୟୋତି ରାଶି

 

ଭାରତ-ଲଲାଟ ଧୌତ କରୁ ଆସି ।

 

ପୂଣ୍ୟ-ଜଳେ ଧୂଅ ଭାରତର ତନୁ,

 

ପାପ-ତାପ ଯାଉ ଭାରତ-ଭବନୁ ।” (ଭାବତୀ–ବନ୍ଦନା)

 

‘ଯୌବନ ତନୁ ଧୂଏ’ ଓ ‘ଯୁବାମାନେ ନେତ୍ରରେ ରୂପ-ଅମୃତ ପିଅନ୍ତି’–ଏପରି ଅଭିବ୍ୟକ୍ତି କଥିତ ଭାଷାରେ ନାହିଁ । ଏଣୁ ଏହା ପ୍ରସାଦଗୁଣ ବିଶିଷ୍ଟ ରଚନାରେ ବ୍ୟବହୃତ ହୁଏ ନାହିଁ । ସ୍ଥୂଳ କଥା ଏହି ଯେ ପ୍ରସାଦ ଗୁଣବିଶିଷ୍ଟ ଶୈଳୀରେ ବିଶେଷ ଶବ୍ଦାଳଙ୍କାର ବା ଅର୍ଥାଳଙ୍କାର ନ ଥାଏ । ଏଥିରେ ଦୃଷ୍ଟାନ୍ତାଳଙ୍କାରର ପ୍ରୟୋଜନ ହୁଏ ।

 

ପ୍ରସାଦ–ଗୁଣର ଅନ୍ୟ ଏକପ୍ରକାର ରୀତିକୁ ଅର୍ଥ-ଗୁଣ କହନ୍ତି । ଯେଉଁ କଥାଟିକୁ ଅଳ୍ପ କଥାରେ ପ୍ରାଣସ୍ପର୍ଶୀ କରାଇବା କଠିନ ହୁଏ ତାହାକୁ ଏକାଧିକ ପ୍ରକାରେ ପ୍ରକାଶକଲେ ରଚନାରେ ଅର୍ଥ-ଗୁଣ ପ୍ରକାଶିତ ହୁଏ । ‘ଦୁଃସାହସ କଲୁ’ କଥାକୁ ଲଳିତା ରାଧାଙ୍କୁ ନିମ୍ନଲିଖିତ ପ୍ରକାରେ କହିଥିବାରୁ ଏଥିରେ ଅର୍ଥ-ଗୁଣ ପ୍ରତିଭାତ ହେଉଅଛି । ଯଥା:–

 

“ଖର୍ବ ହୋଇ ସୁରତରୁ ବାଞ୍ଛିଲୁରେ ।

ଖେଦବୀଜ ହୃଦ-କେଦାରେ ବିଞ୍ଛିଲୁରେ ।

“ଖାରା ଖଣ୍ଡାଧାର ଖଟ ବିଚାରି ଶୋଇଲୁରେ ।

ଖ-ମଣି ମଣ୍ଡଳକୁ ତୁ କର ବଢ଼ାଇଲୁରେ ।” (ଚମ୍ପୁ)

 

ପ୍ରାଥମିକ ବିଦ୍ୟାଳୟର ଶିଶୁମାନଙ୍କ ପାଠ୍ୟପୁସ୍ତକମାନ ପ୍ରସାଦ ଗୁଣ-ବିଶିଷ୍ଟ ଶୈଳୀରେ ରଚିତ ହେବା ଉଚିତ । ଉପର ଶ୍ରେଣୀର ଛାତ୍ରମାନଙ୍କ ଇତିହାସ, ଭୂଗୋଳ ପ୍ରଭୃତି ଶିକ୍ଷା ପାଇଁ ଏ ଶୈଳୀ ମଧ୍ୟ ଉପଯୋଗୀ । ଏହିପରି ବିଚାର କରି ବିଭିନ୍ନ ଶୈଳୀରେ ରଚନାମାନ କବିମାନଙ୍କର ରଚନା କରିବା ଉଚିତ । ଆଚାର୍ଯ୍ୟ ମାୟାଧର ମାନସିଂହଙ୍କର କେତେକ ଆଦରସାତ୍ମକ କବିତା ମାଧୁର୍ଯ୍ୟ-ଗୁଣ-ବିଶିଷ୍ଟ ଶୈଳୀରେ ରଚିତ ହୋଇନଥିବାରୁ ସେଗୁଡ଼ିକ ଉଚ୍ଚଭାବଗର୍ଭକ ହୋଇ ମଧ୍ୟ ପାଠକର ହୃଦୟସ୍ପର୍ଶୀ ହେଉ ନାହିଁ । ସାଧାରଣତଃ ଆଧୁନିକ କବିମାନଙ୍କ ଶୈଳୀରେ ରସ-ବିଶେଷର ବିଚାର ନାହିଁ । କିନ୍ତୁ ଧରମ-ଝିଅର ଶୈଳୀ ପ୍ରଂଶସନୀୟ । ପ୍ରତ୍ୟେକ କବିର ସ୍ୱତନ୍ତ୍ର ଶୈଳୀ ଥାଏ । ଶୈଳୀରେ କବିର ବ୍ୟକ୍ତିତ୍ୱ ଅଭିବ୍ୟକ୍ତ ହୋଇଥାଏ । ଶୈଳୀ ଆଲୋଚନା କଲେ ରସ-ବିନୋଦର ରଚୟିତା ଦୀନକୃଷ୍ଣ ଓ ରସକଲ୍ଲୋଳର ରଚୟିତା ଦୀନକୃଷ୍ଣ ଅଭିନ୍ନ ବୋଲି କୁହାଯାଇ ପାରିବ ନାହିଁ ।

Image

 

ଷଷ୍ଠ ପରିଚ୍ଛେଦ

ଶବ୍ଦାଳଙ୍କାର

 

ତାନ୍ତ୍ରିକ ମତରେ ନାଦ ବିଶ୍ୱ-ସୃଷ୍ଟିର ଆଦି କାରଣ । ପୁଣି ଅର୍ଥ ପ୍ରତୀତ ନ ହେଲେ ମଧ୍ୟ ସଙ୍ଗୀତର ଧ୍ୱନିସମୂହ ଶ୍ରୋତାକୁ କୌଣସି ନା କୌଣସି ରସରେ ଅଭିଭୂତ କରେ । ଏହିପରି ବିଭିନ୍ନ କାରଣରୁ ପ୍ରାଚୀନ କାଳରେ ଭାରତବର୍ଷରେ ଶବ୍ଦ ଓ ତାହାର ଅର୍ଥ ସମ୍ୱନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା । ଶବ୍ଦ ନିତ୍ୟ ଓ ଇଶ୍ୱରଙ୍କ ମୁଖରୁ ନିଃସୃତ ବୋଲି ମୀମାଂସକ ଜୈମିନି ପ୍ରତିପାଦନ କରିବାକୁ ଚେଷ୍ଟା କରିଥିଲେ । ଏଣୁ କବିମାନେ ସାହିତ୍ୟରେ ଅଭିବ୍ୟକ୍ତିକୁ ଯଥା ସମ୍ଭବ ଶବ୍ଦାଳଙ୍କାରରେ ମଣ୍ଡନ କରିବାକୁ ଚେଷ୍ଟା କରିଥିଲେ ।

 

ମନୁଷ୍ୟର ଶରୀର ସମଗ୍ର ସୃଷ୍ଟିର ଗୋଟିଏ କ୍ଷୁଦ୍ର ଅନୁକୃତି ଓ ତାହାର ଅନ୍ତରରେ ଈଶ୍ୱରଙ୍କର ଅଧିଷ୍ଠାନ-ଏହି ଦାର୍ଶନିକ ମତ ଓଡ଼ିଶାରେ ପ୍ରାଚୀନକାଳରେ ପ୍ରବଳ ହୋଇଥିବାରୁ ମନ୍ଦିରର ଗାତ୍ରରେ ଓଡ଼ିଶାର ଶିଳ୍ପୀମାନେ ସୃଷ୍ଟିର ଯାବତୀୟ ପଦାର୍ଥର ଅନୁକୃତି ଭୂଷଣ ସ୍ୱରୂପ ସମାବେଶ କରୁଥିଲେ । ପ୍ରାଚୀନ ଓଡ଼ିଆ କବିମାନେ ସେପରି ଶବ୍ଦ ବିଶ୍ୱସ୍ୱରୂପ ଓ ତାହା ମଧ୍ୟରେ ଅର୍ଥସ୍ୱରୂପ ଈଶ୍ୱରଙ୍କ ଅଧିଷ୍ଠାନ–ଏହିମତ ଅନୁସରଣ କରି ଅଭିବ୍ୟକ୍ତିକୁ ଶବ୍ଦାଳଙ୍କାରରେ ମଣ୍ଡନ କରୁଥିଲେ । କିନ୍ତୁ ଜଳବିହୀନେ ସୃଷ୍ଟି-ନାଶ ଓ ଜଳ-ଗହଳେ ସୃଷ୍ଟି-ନାଶ । ସୀମାତିରିକ୍ତ କୌଣସି କଥା ଶୁଭପ୍ରଦ ନୁହେ । ରଚନାକୁ ଶ୍ରୂତିମଧୁର, ହାସ୍ୟ ରସୋବ୍ଦୀପକ ଓ ବ୍ୟାପକ ଚିନ୍ତାପୂର୍ଣ୍ଣ କରିବା ନିମନ୍ତେ ଶବ୍ଦାଳଙ୍କାରର ପ୍ରୟୋଜନ ଅଛି । ପ୍ରାଚୀନ ଓଡ଼ିଆ କବିମାନେ ପ୍ରୟୋଜନ-ସୀମା ଲଙ୍ଘନ କରିଥିଲେ ମଧ୍ୟ ସେମାନଙ୍କ ନିର୍ମିତ ଅଳଙ୍କାରଗୁଡ଼ିକୁ ସଂଗ୍ରହ କରି ସେଥି ମଧ୍ୟରୁ ପ୍ରୟୋଜନୀୟଗୁଡ଼ିକୁ ବ୍ୟବହାର କରି ଅନ୍ୟଗୁଡ଼ିକୁ ପରିତ୍ୟାଗ କରିବା ଆମ୍ଭମାନଙ୍କର ଉଚିତ ।

 

ବାକ୍ୟର ଶବ୍ଦ–ବୈଚିତ୍ର୍ୟ ଜନକ ଗୁଣ–ବିଶେଷକୁ ଶବ୍ଦାଳଙ୍କାର କହନ୍ତି । ଏହା ନାନା ପ୍ରକାର ।

 

କାକୁ (Tone of Voice)–ଏକ କଥାକୁ ବିଭିନ୍ନ ସ୍ୱରରେ କହିଲେ ବିଭିନ୍ନ ଅର୍ଥ ପ୍ରତୀତ ହୁଏ । ‘ସେ ଲୋକଟି ଧାର୍ମିକ’ ଏକଥାଟି ସାଧାରଣ ସ୍ୱରରେ କହିଲେ ‘ସେ ଲୋକଟି ଧର୍ମ ପରାୟଣ’ ଏହା ବୁଝାଯାଏ । କିନ୍ତୁ ଗମ୍ଭୀର ସ୍ୱରରେ ପ୍ରଶ୍ନସୂଚକ ଭଙ୍ଗୀରେ ‘ସେ ଲୋକଟି ଧାର୍ମିକ-?’ ଏକଥା କହିଲେ ଲୋକଟି ଧାର୍ମିକନୁହେ ବୋଲି ବୁଝାଯାଏ । ଏହିପରି ଗମ୍ଭୀର ସ୍ୱରରେ ସେ ଆସିବେ କି ?’ କହିଲେ ସେ ଆସିବେ ନାହିଁ ବୁଝାଯାଏ ।

 

ଶ୍ଲେଷ (Paronomasia or pun)–ଯେଉଁ ବାକ୍ୟରେ ଏକ ବା ଅଧିକ ଶବ୍ଦ ଏକାଧିକ ଅର୍ଥରେ ବ୍ୟବହୃତ ହୁଅନ୍ତି ସେହି ବାକ୍ୟରେ ଶ୍ଲେଷ ଅଳଙ୍କାର ପ୍ରକାଶିତ ହୁଏ । ଯଥା : –

 

“ବନ୍ଦଇ ଦିନ–ବାନ୍ଧବ ହରି’’ (ବୈଦେହୀଶ ବିଳାସ) ଏଠାରେ ‘ଦିନ–ବାନ୍ଧବ’ ଓ ‘ଦୀନ–ବାନ୍ଧବ’ ପଢ଼ି ସୂର୍ଯ୍ୟ ଓ ବିଷ୍ଣୁ ଦୁଇ ବିଭିନ୍ନ ଅର୍ଥ ଗ୍ରହଣ କରାଯାଏ । ‘ହରି’ ଶବ୍ଦ ମଧ୍ୟ ସୂର୍ଯ୍ୟ ଓ ବିଷ୍ଣୁ ଦୁଇ ବିଭିନ୍ନ ଅର୍ଥରେ ଗ୍ରହଣ କରାଯାଏ । ଏଣୁ ଏଠାରେ ଶେଷ ଅଳଙ୍କାର ହୁଏ ।

ଛଳ–ଏକ ବାକ୍ୟରେ ଥିବା ଦୁଇ ଅର୍ଥ ମଧ୍ୟରୁ ଗୋଟିଏ ସାଧାରଣ ଅର୍ଥ ଓ ଅନ୍ୟଟି କାହାପ୍ରତି ପରିହାସ ଅର୍ଥ ହୋଇଥିଲେ ସେ ପ୍ରକାର ଶ୍ଲେଷକୁ ଛଳ କହନ୍ତି । ଯଥା :–

 

“କହେ ଏକନାରୀ ବିଶେଷେ ସୁନାରୀ

ଏ ଦେଶରେ ବାସ କରିଛି,

ବଙ୍ଗକିଂପୁରୁଷ ଚଞ୍ଚଳ ମାନସ

ଏଥି ତଥି ପୁଣ ଯାଉଛି ।”

(ଲାବଣ୍ୟବତୀ)

 

ଲାବଣ୍ୟବତୀ ବନରେ ବିହାର କଲାବେଳେ ଜଣେ ସଖୀ କହିଲା, (ଲାବଣ୍ୟବତୀ ସୁନାରୀ) ବା ସୁନାରୀ ଫୁଲ ଥାଉ ଥାଉ ଅବିବେକୀ (କିଂ ପୁରୁଷ) ବୀଟପୁରୁଷ (ଭୃଙ୍ଗ) ବା ଭ୍ରମର ପଲାଶରେ (କିଂ ପୁରୁଷ) ଚଞ୍ଚଳ ମାନସ ହୋଇ ଏଣେ ତେଣେ ଧାଏଁ ।” ଏଥିରେ ଭ୍ରମର ଓ ପୁଷ୍ପ ସମ୍ୱନ୍ଧରେ ଗୋଟିଏ ସାଧାରଣ ଅର୍ଥ ଓ ଅନ୍ୟଟି ଲାବଣ୍ୟବତୀ ପ୍ରତି ପରିହାସ–ଅର୍ଥ । ଏଣୁ ଏହାକୁ ଛଳ କହନ୍ତି ।

 

ବକ୍ରୋକ୍ତି–ଯେଉଁ ଶ୍ଲେଷଯୁକ୍ତ ବାକ୍ୟରୁ ପରସ୍ପର ବିପରୀତ ଦୁଇ ଅର୍ଥ ତହିଁରେ ଥିବା ପଦମାନଙ୍କରୁ ପ୍ରତୀତ ହୁଏ ତାହାକୁ ବକ୍ରୋକ୍ତି କହନ୍ତି । ଯଥା :–

 

“ବାବୁ, ନାକଶିରୀ ଦାନ ଯୋଗ୍ୟ ଯୋଷାକୁ,

ବିହର କାନନ କର ଆଲିଙ୍ଗନକୁ ।”

(ବୈଦହୀଶ ବିଳାସ)

 

ଏଠାରେ ରାମ ସୁପର୍ଣଖାକୁ ଉଦ୍ଦେଶ୍ୟ କରି ଲକ୍ଷ୍ମଣଙ୍କୁ କହି ଅଛନ୍ତି, ”ବାବୁ, ସ୍ୱର୍ଗସୁଖ (ନାକଶିରା) ଦେବାକୁ (ଦାନ) ଉପଯୁକ୍ତ ଏହି ସ୍ତ୍ରୀ । ଆଲିଙ୍ଗନ କର ଓ କାନନରେ ବୁଲ । (ଅନ୍ୟ ଅର୍ଥ) ବାବୁ ନାକର ସୌନ୍ଦର୍ଯ୍ୟ (ଶିରୀ) କାଟିବା (ଦାନ) ଉଚିତ (ଯୋଗ୍ୟ), କାନ କାଟ (ବିହର); ଯୋଷାକୁ ଆଲିଙ୍ଗନ ନ କର ।

 

ବ୍ୟାଙ୍ଗୋକ୍ତିରେ ପଦମାନଙ୍କର ଅଭିଧା ଅର୍ଥ ଭିନ୍ନ ହୁଏ ନାହିଁ । ବକ୍ରୋକ୍ତିରେ ଭିନ୍ନ ହୁଏ ।

 

କାକୁବକ୍ରୋକ୍ତି–ଯେଉଁ ବାକ୍ୟର ପଦମାନଙ୍କର ପରସ୍ପର ଦୁଇ ବିପରୀତ ଅର୍ଥ ଦୁଇ ଭିନ୍ନ ସ୍ୱର–ଭଙ୍ଗୀରୁ ପ୍ରତୀତ ହୋଇ ପାରେ ସେହି ବାକ୍ୟରେ କାକୁବକ୍ରୋକ୍ତି ଥାଏ । ଯଥା : –

 

କହିଲା, ‘‘ଦକ୍ଷିଣ ପବନ କହିଲା

ହିମରଜ କରି କ୍ଷେପଣ,

ଏ ଉତ୍ତାରୁ ଘନ- ରସ ଯୁକ୍ତ ହୋଇ

ନ ବହିବ କି ସମୀରଣ ?”

(କୋଟିବ୍ରହ୍ମାଣ୍ଡସୁନ୍ଦରୀ)

 

ଭାବୀ ସ୍ୱାମୀଠାରୁ କୋଟିବ୍ରହ୍ଣାଣ୍ଡସୁନ୍ଦରୀ ନିକଟକୁ ପ୍ରେମପତ୍ର ଆସିବାରୁ ସଖୀ କହିଲା–“ଦକ୍ଷିଣ ପବନ ଶୀତଳ ଧୂଳିକଣା (ହିମରାଜ) ଫିଙ୍ଗି ବହିଲା । ଅର୍ଥାତ୍‍ ଗ୍ରୀଷ୍ମଋତୁ ଉତ୍ତାରୁ ମୌସୁମୀ ବାୟୁ ବହିଲାଣି । ଏଥର ବର୍ଷାଜଳ (ଘନ ଜଳ) ସହ ପବନ ବହିବ । ଯେତେବେଳେ ପ୍ରେମପତ୍ର ଆସିଲାଣି ସେତେବେଳେ ତାହାଙ୍କଠାରୁ ଶୃଙ୍ଗାରସ (ଘନରସ)ତୁ ନିଶ୍ଚୟ ପାଇବୁ ।

 

କାକୁ ଅନୁଯାୟୀ ‘ସମୀକରଣ ବହିବ କି ?” ପଦରୁ ସମୀର ବହିବ ନାହିଁ ବୋଲି ଅର୍ଥ ଗ୍ରହଣ କଲେ ‘ଦକ୍ଷିଣ ପବନ’ ପଦର ଅର୍ଥ ଦକ୍ଷିଣ ନାୟକ ହେବ । ଦକ୍ଷିଣ ନାୟକର ଅନେକ ନାୟିକା ଥାଆନ୍ତି । ସେ ସମସ୍ତଙ୍କଠାରେ ସ୍ନେହ ରଖିଥାଏ । ଏଣୁ ସ୍ନେହପୂର୍ଣ୍ଣ ପତ୍ରିକା ପଠାଇଲା । କିନ୍ତୁ ପ୍ରଗାଢ଼ ସ୍ନେହ (ଘନ) ବହିବ ନାହିଁ ଓ ଆସିବ ନାହିଁ ।

 

ଅନୁପ୍ରାସ (alliteration)–ଏକ ବାକ୍ୟରେ ଯେ କୌଣସି ଏକ ବ୍ୟଞ୍ଜନ ପୁନଃ ପୁନଃ ବ୍ୟବହୃତ ହୋଇଥିଲେ ତାହାକୁ ଅନୁପ୍ରାସ କହନ୍ତି । ଯଥା :–

 

“ଉତ୍କଳ-କମଳା-ବିଳାସ-ଦୀର୍ଘିକା,

ମରାଳ-ମାଳିନୀ ନୀଳାମ୍ବୁ ଚିଲିକା ।”

(ଚିଲିକା)

 

ଏଠାରେ ‘ଳ’ ବ୍ୟଞ୍ଜନଟି ପୁନଃ ପୁନଃ ବ୍ୟବହୃତ ହୋଇ ଭାଷାକୁ ଶ୍ରୂତି–ମଧୁର କରୁଅଛି-। ଏଣୁ ଅନୁପ୍ରାସ–ଅଳଙ୍କାରର ବ୍ୟବହାର ସର୍ବଥା ସର୍ବଦା ପ୍ରୟୋଜନୀୟ ।

 

ବିଦଗ୍‍ଧ ଚିନ୍ତାମଣିରେ ଅନୁପ୍ରାସର ଶ୍ରେଣୀ–ବିଭାଗ କରାଯାଇ ଅଛି । ଯଥା : –

 

ଏକବର୍ଣ୍ଣାନୁପ୍ରାସ–କୌଣସି ସ୍ତବକର ପ୍ରତି ଚରଣର ଆଦ୍ୟରେ ଓ ପ୍ରାନ୍ତରେ ଏକ ବ୍ୟଞ୍ଜନ ବ୍ୟବହୃତ ହୋଇଥିଲେ ଏହି ଅଳଙ୍କାର ହୁଏ । ଯଥା : –

 

“ସନ୍ଥ ଜନ ଘେନ ଏ ଦିବ୍ୟ ରସ,

ସଖା ଶୁଣି ଗୋବିନ୍ଦ-ଚିନ୍ତା ଭାଷ ।”

 

ଏଥିରେ ପ୍ରତ୍ୟେକ ଚରଣର ଆଦ୍ୟରେ ଓ ପ୍ରାନ୍ତରେ ଗୋଟିଏ ଉଷ୍ମ ବର୍ଣ୍ଣ ବ୍ୟବହୃତ ।

 

ଦ୍ୱିବର୍ଣ୍ଣାନୁପ୍ରାସ–ଏକ ସ୍ତବକର ପ୍ରତି ଚରଣର ଆଦ୍ୟରେ ଓ ପ୍ରାନ୍ତରେ ବ୍ୟବହୃତ ବ୍ୟଞ୍ଜନଦ୍ୱୟ ଏକ ହୋଇଥିଲେ ଏହି ଅନୁପ୍ରାସ ହୁଏ । ଯଥା : –

 

ତର ନ ସହି ପୁଚ୍ଛନ୍ତେ ଉତ୍ତର

ତରକିଲେ ଦେଖି ମହାକାତର ।”

 

ଏଥିରେ ‘ତର’ ବର୍ଣ୍ଣଦ୍ୱୟ ପ୍ରତି ଚରଣର ଆଦ୍ୟରେ ଓ ପ୍ରାନ୍ତରେ ବ୍ୟବହୃତ ।

 

ତ୍ରିବର୍ଣ୍ଣାନୁପ୍ରାସ–ଯେଉଁ ତିନୋଟି ବ୍ୟଞ୍ଜନ ଚରଣର ଆଦ୍ୟରେ ବ୍ୟବହୃତ, ଚରଣର ପ୍ରାନ୍ତରେ ସେହି ତିନୋଟି ବ୍ୟବହୃତ ହୋଇଥିଲେ ଏହି ଅନୁପ୍ରାସ ହୁଏ ।

 

ଯଥା : –

 

“ଭାବରଙ୍କ ଅଙ୍ଗେ ଦଶା ଭାବର,

ଆଶା–ରସେ ନେତ୍ରୁ ଜାତ ଆସାର ।

 

ଏଥିରେ ପ୍ରଥମ ଚରଣର ଆଦ୍ୟରେ ‘ଭାବର’ ଓ ପ୍ରାନ୍ତରେ ‘ଭାବର’ ବ୍ୟବହୃତ, ସେପରି ଦ୍ୱିତୀୟ ଚରଣରେ ‘ଆଶାର’ ଓ ‘ଆସାର’ ବ୍ୟବହୃତ ।

 

ଚତୁବର୍ଣ୍ଣାନୁପ୍ରାସ–ଏକ ଚରଣର ଆଦ୍ୟ ଓ ପ୍ରାନ୍ତରେ ଚାରୋଟି ବ୍ୟଞ୍ଜନ ଏକ ପ୍ରକାରେ ଏଥିରେ ବ୍ୟବହୃତ ହୋଇଥାଏ । ଯଥା :–

 

“ହାସ ବଦନେ ନାହିଁ ହା ଶବଦ

ଯେ କୁମୁଦନ୍ତି ସେ ଭଜେ କୁମୁଦ ।”

 

ଏଥିରେ ପ୍ରଥମ ଚରଣର ଆଦ୍ୟରେ ‘ହାସବଦ’ ଓ ପ୍ରାନ୍ତରେ ‘ହା ଶବଦ’ ଏବଂ ଦ୍ୱିତୀୟ ଚରଣର ଆଦ୍ୟରେ ଓ ପ୍ରାନ୍ତରେ ଯଥାକ୍ରମେ ‘ଯେ କୁମୁଦ’ ଓ ‘ଜେ କୁମୁଦ’ ବ୍ୟବହୃତ ହୋଇଅଛି ।

 

ପଞ୍ଚବର୍ଣ୍ଣାନୁପ୍ରାସ–ତ୍ରିବର୍ଣ୍ଣାନୁପ୍ରାସ ବା ଚତୁବର୍ଣ୍ଣାନୁପ୍ରାସ ପରି ଏକା ପାଞ୍ଚୋଟି ବର୍ଣ୍ଣ ଦ୍ୱାରା ହୁଏ । ଯଥା : –

 

“କାମିନୀ ରତେ ସେ କାମୀ ନିରତେ

ଭାବ ରଚିତେ ସେ ଭାବରଚିତେ ।”

 

ବର୍ଗାନୁପ୍ରାସ–କ୍ରମାନ୍ୱୟେ ଚରଣମାନଙ୍କ ଆଦ୍ୟରେ ବର୍ଗର ପ୍ରଥମ ବର୍ଣ୍ଣମାନ (କ, ଚ, ଟ, ତ, ପ) ଦ୍ୱିତୀୟ ବର୍ଣ୍ଣମାନ (ଖ, ଛ, ଠ, ଥ, ଫ) ଓ ଏପରି ବର୍ଗର ଅନ୍ୟ ବର୍ଣ୍ଣମାନ ବ୍ୟବହୃତ ହୋଇଥିଲେ ଏହି ଅନୁପ୍ରାସ ହୁଏ । ଯଥା : –

 

“କଞ୍ଜ ନୟନ ଅଛି ହୃଦେ ଯାହାର,

ଚମତ୍କାର ଏ ସ୍ୱପ୍ନ ଅଙ୍ଗୀକାର ।

ଟଳି ଅଛି ଏଥିପାଇଁ ଧୀରତି,

ତଥ୍ୟ କାହୁଁ ଘେନନ୍ତା ଆମ୍ଭମତି ।

ପର ପରା ଆମ୍ଭଗିର ନ ଧର,

ଖରେ ବୃନ୍ଦାବନକୁ ବିଜେକର ।

ଛଳି ଛଇଳବର କୁଞ୍ଜେନେଲେ

ଠକ ପଣେ ହାରରୁ ଚିହ୍ନାଇଲେ ।

 

ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ଓ ପଞ୍ଚମ ଚରଣର ଆଦ୍ୟରେ ବର୍ଗର ପ୍ରଥମ ବର୍ଣ୍ଣମାନ (କ, ଚ, ଟ, ତ, ପ) ଯଥାକ୍ରମେ ବ୍ୟବହୃତ । ତତ୍ପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଚରଣର ଆଦ୍ୟରେ ଯଥାକ୍ରମେ ଖ, ଛ, ଠ ବ୍ୟବହୃତ ।

 

ଏକାନ୍ତାନୁପ୍ରାସ–ଏକ ଚରଣର ପ୍ରତ୍ୟେକ ପର୍ବର ପ୍ରାନ୍ତରେ ଗୋଟିଏ ବର୍ଣ୍ଣ ଅର୍ଥାତ୍‍ ଏକ ମିତ୍ରାକ୍ଷର ବ୍ୟବହୃତ ହୋଇଥିଲେ ଏହି ଅନୁପ୍ରାସ ହୁଏ । ଯଥା : –

 

“ଘେନ ଆହେ ଅନଘ ସୁରମ୍ୟ ଛାନ୍ଦ ଅଘ–

ନାଶନ–ପ୍ରେମରସ ଶ୍ଲାଘ୍ୟ,

ରସିବ ଜନ–ରାଘ–ବର ଆନନ୍ଦ ଓଘ

ଘନରସଦାୟକ ମେଘ;

ବିଜ୍ଞସିଂହ (ଗ), ଅଖିଳଜନଙ୍କର ଅଘ–

ଛାଗନାଶନକୁ ବାଘ,

ମହା ଅଜ୍ଞାନ–ସଂହ (ଘ)–ନନ କମ୍ପନେ ମାଘ,

ଭବି ଦୁଃଖ–ସାଗର ଲଂଘ ।”

 

ଏହି ସ୍ତବକର ପ୍ରତି ପର୍ବର ପ୍ରାନ୍ତରେ ‘ଘ’ ବ୍ୟଞ୍ଜନଟି ବ୍ୟବହୃତ । ବିଦଗ୍‍ଧ–ଚିନ୍ତାମଣିର ପ୍ରାଚୀ–ସଂସ୍କରଣରେ ଏହାକୁ ବିଶ୍ରାମାନୁପ୍ରାସ କହିବାର କାରଣ ବୁଝା ଯାଏ ନାହିଁ ।

 

ଯୁଗ୍ମାନ୍ତାନୁପ୍ରାସ–ଏକ ଚରଣର ପ୍ରାନ୍ତ ପର୍ବଭିନ୍ନ ଅନ୍ୟ କୌଣସି ପର୍ବଦ୍ୱୟରେ ଦୁଇ ମିତ୍ରାକ୍ଷର ଥିଲେ ଏହି ଅନୁପ୍ରାସ ହୁଏ ।

 

ଯଥା : –

 

‘କୃଷ୍ଣ ବୃନ୍ଦା-କାନନ ମଧ୍ୟ ବସି ଆନନ

ଭାବନ୍ତି ରାଧାର ସନ୍ତତ..... ।”

 

ଏଥିରେ ପ୍ରଥମ ଓ ଦ୍ୱିତୀୟ ପର୍ବର ପ୍ରାନ୍ତରେ ‘ନନ’ ଯୁଗ୍ମ ମିତ୍ରାକ୍ଷର ରୂପେ ବର୍ଣ୍ଣିତ ।

 

ଏଥିରେ ପ୍ରଥମ ଚରଣର ଆଦ୍ୟରେ ‘ହାସବଦ’ ଓ ପ୍ରାନ୍ତରେ ‘ହା ଶବଦ’ ଏବଂ ଦ୍ୱିତୀୟ ଚରଣର ଆଦ୍ୟରେ ଓ ପ୍ରାନ୍ତରେ ଯଥାକ୍ରମେ ‘ଯେ କୁମୁଦ’ ଓ ‘ଜେ କୁମୁଦ’ ବ୍ୟବହୃତ ହୋଇଅଛି ।

 

ପଞ୍ଚବର୍ଣ୍ଣାନୁପ୍ରାସ–ତ୍ରିବର୍ଣ୍ଣାନୁପ୍ରାସ ବା ଚତୁବର୍ଣ୍ଣାନୁପ୍ରାସ ପରି ଏହା ପାଞ୍ଚୋଟି ବର୍ଣ୍ଣ ଦ୍ୱାରା ହୁଏ । ଯଥା–

 

“କାମିନୀ ରତେ ସେ କାମୀ ନିରତେ

ଭାବ ରଚିତେ ସେ ଭାବରଚିତେ ।”

 

ବର୍ଗାନୁପ୍ରାସ–କ୍ରମାନ୍ୱୟେ ଚରଣମାନଙ୍କ ଆଦ୍ୟରେ ବର୍ଗର ପ୍ରଥମ ବର୍ଣ୍ଣମାନ (କ, ଚ, ଟ, ତ, ପ)ଦ୍ୱିତୀୟ ବର୍ଣ୍ଣମାନ ଖ, ଛ, ଠ, ଥ, ଫ) ଓ ଏପରି ବର୍ଗର ଅନ୍ୟ ବର୍ଣ୍ଣମାନ ବ୍ୟବହୃତ ହୋଇଥିଲେ ଏହି ଅନୁପ୍ରାସ ହୁଏ । ଯଥା : –

 

“କଞ୍ଜ ନୟନ ଅଛି ହୃଦେ ଯାହାର,

ଚମତ୍କାର ଏ ସ୍ୱପ୍ନ–ଅଙ୍ଗୀକାର ।

ଟଳି ଅଛି ଏଥିପାଇଁ ଧୀରତି,

ତଥ୍ୟ କାହୁଁ ଘେନନ୍ତା ଆମ୍ଭମତି ।

ପର ପରା ଆମ୍ଭଗିର ନ ଧର,

ଖରେ ବୃନ୍ଦାବନକୁ ବିଜେକର ।

ଛଳି ଛଇଳବର କୁଞ୍ଜେନେଲେ

ଠକ ପଣେ ହାରରୁ ଚିହ୍ନାଇଲେ ।

 

ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ଚରଣର ଆଦ୍ୟରେ ବର୍ଗର ପ୍ରଥମ ବର୍ଣ୍ଣମାନ କ, ଚ, ଟ, ତ, ପ) ଯଥାକ୍ରମେ ବ୍ୟବହୃତ । ତତ୍ପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଚରଣର ଆଦ୍ୟରେ ଯଥାକ୍ରମେ ଖ, ଛ, ଠ ବ୍ୟବହୃତ ।

 

ଏକାନ୍ତାନୁପ୍ରାସ–ଏକ ଚରଣର ପ୍ରତ୍ୟେକ ପର୍ବର ପ୍ରାନ୍ତରେ ଗୋଟିଏ ବର୍ଣ୍ଣ ଅର୍ଥାତ୍‍ ଏକ ମିତ୍ରାକ୍ଷର ବ୍ୟବହୃତ ହୋଇଥିଲେ ଏହି ଅନୁପ୍ରାସ ହୁଏ । ଯଥା : –

 

“ଘେନ ଆହେ ଅନଘ ସୁରମ୍ୟ ଛାନ୍ଦ ଅଘ–

ନାଶନ–ପ୍ରେମରସ ଶ୍ଲାଘ୍ୟ,

ରସିକ ଜନ–ରାଘ–ବର ଆନନ୍ଦ ଓଘ

ଘନରସଦାୟକ ମେଘ;

ବିଜ୍ଞସିଂହ.(ଘ), ଅଖିଳଜନଙ୍କର ଅଘ–

ଛାଗନାଶନକୁ ବାଘ,

ମହା ଅଜ୍ଞାନ–ସଂହ.(ଘ)–ନନ କମ୍ପନେ ମାଘ,

ଭଜି ଦୁଃଖ–ସାଗର ଲଂଘ ।”

 

ଏହି ସ୍ତବକର ପ୍ରତି ପର୍ବର ପ୍ରାନ୍ତରେ ‘ଘ’ ବ୍ୟଞ୍ଜନଟି ବ୍ୟବହୃତ । ବିଦଗ୍‍ଧ–ଚିନ୍ତାମଣିର ପ୍ରାଚୀ–ସଂସ୍କରଣରେ ଏହାକୁ ବିଶ୍ରାମାନୁପ୍ରାସ କହିବାର କାରଣ ବୁଝା ଯାଏ ନାହିଁ ।

 

ଯୁଗ୍ମାନ୍ତାନୁପ୍ରାସ–ଏକ ଚରଣର ପ୍ରାନ୍ତ ପର୍ବ ଭିନ୍ନ ଅନ୍ୟ କୌଣସି ପର୍ବଦ୍ୱୟରେ ଦୁଇ ମିତ୍ରାକ୍ଷର ଥିଲେ ଏହି ଅନୁପ୍ରାସ ହୁଏ । ଯଥା : –

 

‘କୃଷ୍ଣ ବୃନ୍ଦା-କାନନ ମଧ୍ୟ ବସି ଆନନ

ଭାବନ୍ତି ରାଧାର ସନ୍ତତ ।”

 

ଏଥିରେ ପ୍ରଥମ ଓ ଦ୍ୱିତୀୟ ପର୍ବର ପ୍ରାନ୍ତରେ ‘ନନ’ ଯୁଗ୍ମ ମିତ୍ରାକ୍ଷର ରୂପେ ବର୍ଣ୍ଣିତ ।

 

ମଧ୍ୟାନୁପ୍ରାସ–ଏକ ପର୍ବର ପ୍ରାନ୍ତରେ ଓ ଅନ୍ୟ ପର୍ବର ଆଦ୍ୟରେ ଦୁଇମିତ୍ରାକ୍ଷର ଥିଲେ ଏହି ଅନୁପ୍ରାସ ହୁଏ ।

 

ଯଥା : –

 

“ଆହା ନବରମଣୀ–ମଣି ତୋ ଗୁଣଗୁଣି

ଗୁଣି ଯିବ କି ମୋ ଜୀବ.....”

 

ଏଥିରେ ପ୍ରଥମ ପର୍ବର ପ୍ରାନ୍ତରେ ‘ମଣୀ’ ଦ୍ୱିତୀୟ ପର୍ବର ଆଦ୍ୟରେ ‘ମଣି’ ଓ ଦ୍ୱିତୀୟ ପର୍ବର ପ୍ରାନ୍ତରେ “ଗୁଣି”; ତୃତୀୟ ପର୍ବର ଆଦ୍ୟରେ ‘ଗୁଣି’ ବ୍ୟବହୃତ ।

 

ଅନ୍ତର୍ନିହିତାନୁପ୍ରାସ–ପର୍ବର ମଧ୍ୟରେ ଦୁଇ ମିତ୍ରାକ୍ଷର ଥିଲେ ଏହି ଅନୁପ୍ରାସ ହୁଏ । ଯଥା-: –

 

“ନବୀନା ବିନା ମୁହିଁ ସନ୍ୟାସ ନ୍ୟାସ ବହି

ଧିଆନ ଆନ ନ କରିବି....

 

ପ୍ରଥମ ପର୍ବର ମଧ୍ୟରେ ‘ବିନା’ ଦ୍ୱିତୀୟ ପର୍ବରେ ‘ନ୍ୟାସ’ ଓ ତୃତୀୟ ପର୍ବରେ ‘ଆନ’ ଦୁଇ ଦୁଇ ଥର ବ୍ୟବହୃତ ।

 

ଛେକାନୁପ୍ରାସ–ଏକ ସ୍ତବକର ପ୍ରତି ପର୍ବର ପ୍ରାନ୍ତରେ ଯଦି ଦୁଇ ମିତ୍ରାକ୍ଷର ଥାଏ ତେବେ ଏହି ଅନୁପ୍ରାସ ହୁଏ ।

 

ଯଥା : –

 

“ତୋହ ପ୍ରାପ୍ତି ଆଶାରେ ବାଞ୍ଛାବଟ ପାଶରେ

ତପ ସାଧିବି ନିରାଶରେ

ଶ୍ରୀପଦ-ସାରସରେ ଗଣା ହେବି ବାସରେ

ତେବେ ମୁଁ ଲେଖା ପୁରୁଷରେ...”

 

ଏଥିରେ ପ୍ରତି ପର୍ବର ପ୍ରାନ୍ତରେ ଦୁଇ ମିତ୍ରାକ୍ଷର ବ୍ୟବହୃତ । ଏକାନ୍ତାନୁପ୍ରାସରେ ଏକ ମିତ୍ରାକ୍ଷର ବ୍ୟବହୃତ ।

 

ଯମକ–ଏକ ଶବ୍ଦ ବିଭିନ୍ନ ଅର୍ଥରେ ଏକ ବାକ୍ୟରେ ଏକାଧିକ ଥର ବ୍ୟବହୃତ ହେଲେ ତାହାକୁ ଯମକ କହନ୍ତି । ଏହା ଚାରି ପ୍ରକାର–ଆଦ୍ୟ ଯମକ, ମଧ୍ୟ ଯମକ, ପ୍ରାନ୍ତ ଯମକ, ମାଳ ଯମକ, ସର୍ବ ଯମକ ବା ମହା ଯମକ ।

 

ଆଦ୍ୟ ଯମକ–ବିଭିନ୍ନ ଅର୍ଥରେ ଏକ ଶବ୍ଦ କୌଣସି ଚରଣର ଆଦ୍ୟରେ ଦୁଇଥର ବ୍ୟବହୃତ ହେଲେ ଆଦ୍ୟ ଯମକ ହୁଏ । ଯଥା : –

 

 

ବି-ରାଜି ବିରାଜି ଅଛନ୍ତି ମୀନ ଭକ୍ଷଣ ପାଇଁ,

ରଜୀବ ରାଜୀବନୟନା ! ଏଥି ଖେଳା କରଇ ।” (ଲାବଣ୍ୟବତୀ)

 

ବି-ରାଜି–ପକ୍ଷୀସମୂହ, ବିରାଜି–ଶୋଭା ପାଇବା; ରାଜୀବ–ମାଛ; ରାଜୀବ–ପଦ୍ମ ।

 

ମଧ୍ୟଯମକ–ବିଭିନ୍ନ ଅର୍ଥରେ ଏକ ଶବ୍ଦ କୌଣସି ଚରଣର ମଧ୍ୟରେ ଦୁଇଥର ବ୍ୟବହୃତ ହେଲେ ମଧ୍ୟଯମକ ହୁଏ । ଯଥା :–

 

“ନବୀନ ଜୀମୂତ ଜୀମୂତସ୍ତନା କିଏ ଉଦିତ ?

ଏ ନୀଳ କମଳ କମଳ-ବିନ୍ଦୁ ବହି ତେମନ୍ତ ।” (ଲାବଣ୍ୟବତୀ)

ଜିମୂତ–ମେଘ, ପର୍ବତ; କମଳ–ପଦ୍ମ, ଜଳ

 

ମାଳଯମକ–ବିଭିନ୍ନ ଅର୍ଥରେ ଏକ ଶବ୍ଦ କୌଣସି ଚରଣରେ ଦୁଇରୁ ଅଧିକ ଥର ବ୍ୟବହୃତ ହେଲେ ମାଳଯମକ ହୁଏ ।

 

ଯଥା :–

 

ଦେଖରେ ନଳିନି ! ନଳିନୀ ନଳିନୀରେ ପୂରିତ,

ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରରେ ଶୋଭିତ ।” (ଲାବଣ୍ୟବତୀ)

 

ନଳିନୀ–ପଦ୍ମିନୀ ଲାବଣ୍ୟବତୀ, ପୁଷ୍କରିଣୀ, ପଦ୍ମ; ଭ୍ରମର–ମଧୂପ, ମତିଭ୍ରମ, ଜଳ–ଭଉଁରୀ ।

 

ପ୍ରାନ୍ତଯମକ–ବିଭିନ୍ନ ଅର୍ଥରେ ଏକ ଶବ୍ଦ କୌଣସି ଚରଣର ପ୍ରାନ୍ତରେ ଦୁଇଥର ବ୍ୟବହୃତ ହେଲେ ପ୍ରାନ୍ତଯମକ ହୁଏ । ଯଥା : –

 

“ବଶ ପ୍ରକାଶିବ ସୁମନସର ସୁମନସର,

ମହୀକି ଆଣିଲା ସୁମନସର ସୁମନସର ।” (ଲାବଣ୍ୟବତୀ)

 

 

ସୁମନଶର–ଦେବତାଙ୍କର, ଆନନ୍ଦରେ; ସୁମନ–ସର–ମନ ପାଇଁ ସୁନ୍ଦର ପୁଷ୍କରିଣୀ; ସୁମନଶର–କନ୍ଦର୍ପ ! ଏଠାରେ ପ୍ରତି ଚରଣର ପ୍ରାନ୍ତରେ ଦୁଇଥର ଲେଖାଏଁ ଏକ ଶବ୍ଦ ବ୍ୟବହୃତ ।

 

ସର୍ବଯମକ–କୌଣସି ସ୍ତବକର ପ୍ରଥମ ଚରଣରେ ପଦମାନ ଯେପରି ଶୃଙ୍ଖଳାରେ ବ୍ୟବହୃତ ଦ୍ୱିତୀୟ ଚରଣରେ ସେପରି ଶୃଙ୍ଖଳାରେ ବ୍ୟବହୃତ ହେଲେ ସର୍ବଯମକ ହୁଏ । ଯଥା : –

 

“ଅହି-ମକର-ତାପ ନାଶେ ଶୋଭା ସାରସ-ଚକ୍ରେ,

ଅ-ହିମକର-ତାପ ନାଶେ ଶୋଭା ସାରସ-ଚକ୍ରେ ।” (ଲାବଣ୍ୟବତୀ)

 

ଅହି-ମକର–ସାପ ଓ ମଗର, ସାରସ–ଚକ୍ର–ହଂସ ଓ ଚକ୍ରବାକ; ଅ–ହିମକର–ସୂର୍ଯ୍ୟ, ସାରସଚକ୍ର–ପଦ୍ମସମୂହ ।

 

ବିଦଗ୍‍ଧ ଚିନ୍ତାମଣିରେ ନିମ୍ନଲିଖିତ ଯମକମାନଙ୍କର ଉଲ୍ଲେଖ ଦେଖାଯାଏ ।

 

ଏକାକ୍ଷରାଦ୍ୟ ଯମକ–ଏଥିରେ ଏକ ସ୍ତବକର ପ୍ରତି ଚରଣର ଆଦ୍ୟରେ ଏକ ବର୍ଣ୍ଣ ଥାଏ ଅର୍ଥାତ୍‍ ଆଦ୍ୟବର୍ଣ୍ଣ ମିତ୍ରାକ୍ଷର ହୋଇଥାଏ । ଯଥା : –

 

“ଝଳି–ମୁଖ–ନଳିନ ଝସଳିତ ନୟନ

ଝସକେତନ–ଶରଘନ...”

 

ଦ୍ୱିତୀୟ ବର୍ଣ୍ଣାଢ଼୍ୟ ଯମକ–ଏଥିରେ ଚରଣର ପ୍ରତି ପର୍ବର ଆଦ୍ୟରେ ଏକବର୍ଣ୍ଣ ଦୁଇଥର ବ୍ୟବହୃତ ହୋଇଥାଏ ।

 

ଯଥା : –

 

‘ଗଗନାଦି ତ୍ରିଲୋକ ସୁସୁଖ ସୃଷ୍ଟିପାଦ

ଛି ଛି କରୁଛି ମନେ ଭାବି .....”

 

ପ୍ରଥମ ପର୍ବର ଆଦ୍ୟରେ ‘ଗ ଗ’ ଦ୍ୱିତୀୟର ଆଦ୍ୟରେ ‘ସୁଖ’ ଓ ତୃତୀୟ ଆଦ୍ୟରେ ‘ଛି ଛି’ ବ୍ୟବହୃତ ହେବାରୁ ଯମକ ହେଲା ।

 

ଆଦ୍ୟ ଯମକ–ଚରଣର ପ୍ରତି ପର୍ବର ଆଦ୍ୟରେ ଦିଓଟି ଏକବର୍ଣ୍ଣ ଅର୍ଥାତ୍ ମିତ୍ରାକ୍ଷର ବ୍ୟବହୃତ ହୋଇଥିଲେ ଏହି ଯମକ ହୁଏ ।

 

ଯଥା : –

 

“ସରଳ ସହୃଦୟେ ସରସତା ଉଦୟେ

ଶରଣବତ୍ସଳା ନିପୁଣ .... ।”

 

ଏଥିରେ ପ୍ରତି ପର୍ବର ଆଦ୍ୟରେ ‘ସର’ ବା ‘ଶର’ ବର୍ଣ୍ଣଦ୍ୱୟ ବ୍ୟବହୃତ ହୋଇଥିବାରୁ ଆଦ୍ୟ ଯମକ ହେଲା ।

 

ଦ୍ୱନ୍ଦ୍ୱାଦ୍ୟ ଯମକ–ଏଥିରେ ପର୍ବମାନଙ୍କ ଆଦ୍ୟରେ ଯେ କୌଣସି ଦିଓଟି ବର୍ଣ୍ଣ ଦୁଇଥର ବ୍ୟବହୃତ ହୋଇଥାଏ । ଅର୍ଥାତ୍‍ ପ୍ରଥମ ପର୍ବର ଆଦ୍ୟରେ କୌଣସି ଦୁଇବର୍ଣ୍ଣ ଦୁଇଥର ବ୍ୟବହୃତ ହେଲେ ଦ୍ୱିତୀୟ ପର୍ବର ଆଦ୍ୟରେ ଅନ୍ୟ ଦୁଇବର୍ଣ୍ଣ ଦୁଇଥର ବ୍ୟବହୃତ ହୁଏ । ଯଥା : –

 

“ବରବରନା ଅଛୁ ଦିଶେ ଦିଶେ ଦିଶୁଛୁ

ମାରମାରଣା ମାରୁଅଛି..... ।”

 

ପ୍ରଥମ ପର୍ବର ଆଦ୍ୟରେ ‘ବର’ ଦ୍ୱିତୀୟର ଆଦ୍ୟରେ ‘ଦିଶେ’ ଓ ତୃତୀୟର ଆଦ୍ୟରେ ‘ମାର’ ଦୁଇଥର ଲେଖାଏଁ ବ୍ୟବହୃତ ହେବାରୁ ଦ୍ୱନ୍ଦାଦ୍ୟ ଯମକ ହେଲା ।

 

ଦ୍ୱିରୁକ୍ତି ଯମକ–ଏଥିରେ ପ୍ରତି ପର୍ବର ଶେଷରେ ଯେ କୌଣସି ଦିଓଟି ବର୍ଣ୍ଣ ଦୁଇଥର ବ୍ୟବହୃତ ହୁଏ । ଦ୍ୱନ୍ଦାଦ୍ୟ ଯମକର ଆଦ୍ୟରେ ଯେପରି ଏଥିରେ ପ୍ରାନ୍ତରେ ସେପରି । ଯଥା : –

 

“ସ୍ୱେଦର ଗମ ଗମ ବଦନ ତମ ତମ

ଦିଶଇ ରୀତି ଆନ ଆନ ..... ।”

 

ଅନ୍ନଛନ୍ଦ ଯମକ–ଏଥିରେ ପ୍ରତି ଚରଣର ପ୍ରତି ପର୍ବରେ ଦୁଇ ଦୁଇ ଅକ୍ଷର ଦୁଇ ଦୁଇ ଥର ବ୍ୟବହୃତ ହୋଇଥାଏ । ଅର୍ଥାତ୍‍ ଏକ ଦୁଇବର୍ଣ୍ଣ ଦୁଇଥର ବ୍ୟବହୃତ ହେଲେ ଆଉ ଦୁଇବର୍ଣ୍ଣ ଦୁଇଥର ବ୍ୟବହୃତ ହୁଏ । କିନ୍ତୁ ପ୍ରଥମ ପର୍ବରେ ଏକ ଦୁଇ ଅକ୍ଷର ଦୁଇ ଥର ବ୍ୟବହୃତ ହେବା ଉତ୍ତାରୁ ଅନ୍ୟ ଦୁଇ ଅକ୍ଷର ଦୁଇଥର ବ୍ୟବହୃତ ହେଲେ ପର୍ବର ନିର୍ଦ୍ଦିଷ୍ଟ ଅକ୍ଷର–ସଂଖ୍ୟା ବେଶୀ ହୁଏ-। ଏଣୁ ଯେଉଁ ଦୁଇ ଅକ୍ଷର ପ୍ରଥମ ପର୍ବର ପ୍ରାନ୍ତରେ ବ୍ୟବହୃତ ହୋଇଥାଏ ସେହି ଦୁଇ ଅକ୍ଷର ଦ୍ୱିତୀୟ ପର୍ବରେ ଦୁଇଥର ବ୍ୟବହୃତ ହୁଏ । ତତ୍ପରେ ଦ୍ୱିତୀୟ ପର୍ବର ପ୍ରାନ୍ତରେ ଅନ୍ୟ ଦୁଇ ଅକ୍ଷର ବ୍ୟବହୃତ ହୋଇ ସେହି ଦୁଇ ଅକ୍ଷର ପରବର୍ତ୍ତୀ ପର୍ବର ଆଦ୍ୟରେ ବ୍ୟବହୃତ ହୋଇ ଅନ୍ୟ ଦୁଇ ଅକ୍ଷର ଦୁଇଥର ବ୍ୟବହୃତ ହୁଏ । ଏହିପରି ପର୍ବଗୁଡ଼ିକ ପରସ୍ପର ଛନ୍ଦି ହେବାରୁ ଏହାକୁ ଅନୁରୁଦ୍ଧ ଯମକ କହନ୍ତି ।

 

ଯଥା : –

 

“ରମଣୀମଣି–ସର ସରସଂସାର ସାର–

ଙ୍ଗ–ରଙ୍ଗ ବରଧନ..... ।”

 

ପ୍ରଥମ ପର୍ବରେ ‘ମଣି’ ଦୁଇଥର ଓ ‘ସର’ ଥରେ ବ୍ୟବହୃତ ଦ୍ୱିତୀୟ ପର୍ବରେ ‘ସର’ ଥରେ ଓ ‘ସାର’ ଦୁଇଥର ବ୍ୟବହୃତ ତତ୍ପରେ ‘ରଙ୍ଗ’ ଦୁଇ ଅକ୍ଷର ଦୁଇଥର ବ୍ୟବହୃତ । କିନ୍ତୁ ପ୍ରଥମ ‘ରଙ୍ଗ’ର ‘ର’ ଦ୍ୱିତୀୟ ପର୍ବର ପ୍ରାନ୍ତରେ ଓ ‘ଙ୍ଗ’ ତୃତୀୟ ପର୍ବର ଆଦ୍ୟରେ ବ୍ୟବହୃତ ।

ଯୁଗ୍ମ ଯମକ–ଯେ କୌଣସି ଦୁଇ ଅକ୍ଷର ପରସ୍ପର ସନ୍ନିହିତ ହୋଇ ଚରଣର ଯେ କୌଣସିଠାରେ ଦୁଇଥର ବ୍ୟବହୃତ ହୋଇଥିଲେ ଏହି ଯମକ ହୁଏ । ଯଥା : –

ସୁକଳା କର କର ହାସ–ସୁଧାର ଧାର

ହରେ ଜୀବ-କାତରତର..... ।

ପ୍ରଥମ ପର୍ବରେ ‘କର’ ଦ୍ୱିତୀୟରେ ‘ଧାର’ ଓ ତୃତୀୟରେ ‘ତର’ ଦୁଇଥର ଲେଖାଏ ବ୍ୟବହୃତ । ଦ୍ୱିରୁକ୍ତି ଯମକରେ ସେପରି ଦ୍ୱିତ ଶବ୍ଦମାନ ଗମଗମ ତମତମ) ବ୍ୟବହୃତ ଏଥିରେ ସେପରି ନୁହେ ।

ଆଦ୍ୟନ୍ତ ଯମକ–ଏଥିରେ ଏକ ପର୍ବର ଆଦ୍ୟରେ ଯେଉଁ ଦୁଇ ଅକ୍ଷର ବ୍ୟବହୃତ ହୋଇଥାଏ ପ୍ରାନ୍ତରେ ସେହି ଦୁଇ ଅକ୍ଷର ବ୍ୟବହୃତ ହୋଇଥାଏ । ଯଥା : –

“ସୁରମଣି ଅସୁର ସର ତାପନାଶର

ସାରଙ୍ଗ ମୁହିଁ ତୁହି ଅସାର....”

ତ୍ରିବୃତ୍ତି ଯମକ–ଏଥିରେ ଯେ କୌଣସି ପାଞ୍ଚ ଅକ୍ଷର ତ୍ରିପର୍କାଚରଣର ପ୍ରଥମ ଦୁଇ ପର୍ବରେ ମିତ୍ରାକ୍ଷର ଓ ଅନ୍ୟ ପର୍ବର ମଧ୍ୟ ଅକ୍ଷର ହୁଏ । ଯଥା : –

“ବନ୍ଧୁ ମାନବିଷେ ତ ଯେତେ ମାନବୀ ସେ ତ

ମାନବିଷେତ ଧ୍ୱଂସି....”

ଯମକ ସାର ଯମକ–ଚରଣର ପ୍ରଥମ ପର୍ବରେ ଯେଉଁ ଅକ୍ଷରଗୁଡ଼ିକ ଯେପରି ଶୃଙ୍ଖଳାରେ ସନ୍ନିବେଶିତ ସେହି ଅକ୍ଷରଗୁଡ଼ିକ ସେପରି ଶୃଙ୍ଖଳାରେ ଦ୍ୱିତୀୟ ପର୍ବରେ ବ୍ୟବହୃତ ହେଲେ ଏହି ଯମକ ହୁଏ । ଯଥା : –

“ନାଗ-ରମଣୀଗଣ ନାଗର ମଣିଗଣ–

ନା ନୋହି ଦେଇଣ ପୁଜିବେ ।”

ସମପଦ ଯମକ–ଚରଣର ପ୍ରଥମ ପର୍ବରେ ଯେଉଁ ଅକ୍ଷରଗୁଡ଼ିକ ଯେପରି ଶୃଙ୍ଖଳାରେ ସନ୍ନିବେଶିତ ସେହି ଅକ୍ଷରଗୁଡ଼ିକ ସେପରି ଶୃଙ୍ଖଳାରେ ଚରଣର ପ୍ରାନ୍ତ ପର୍ବରେ ସନ୍ନିବେଶିତ ହେଲେ ଏହି ଯମକ ହୁଏ । ଯଥା : –

“ହରି-ଭା-ବର ଧନ ସଦା ଇଚ୍ଛଇ ମନ

ହେବୁ ହରିଭାବର ଧନ ।”

ଧ୍ୱନି ଯମକ–ଯେଉଁ ଚରଣରୁ ତିନି ବା ଚାରି ବିଭିନ୍ନ ଧ୍ୱନିରୁ ଅନ୍ୟ ଧ୍ୱନି ଅନୁଭୂତ ହେବ ନାହିଁ ତାହାକୁ ଧ୍ୱନି ଯମକ କହନ୍ତି । ଯଥା : –

“ସରସ-ରସ-ରତ ରସର ସର ସତ

ରାଜି ରାଜି ରାଜୀବ ତୋଷେ.....”

 

ଶୃଙ୍ଖଳା–ଶିକୁଳିରେ ଏକ ଫାନ୍ଦ ସହିତ ଅନ୍ୟ ଫାନ୍ଦ ସଂଲଗ୍ନ ହୋଇ ରହିଥାଏ; ସେପରି ସମ ବର୍ଣ୍ଣଦ୍ୱାରା ବିଭିନ୍ନ ପର୍ବ ଅଥବା ବିଭିନ୍ନ ଚରଣ ପରସ୍ପର ସଂଶ୍ଲିଷ୍ଟ ହୋଇ ରହିଥିଲେ ଶୃଙ୍ଖଳା ଅଳଙ୍କାର ହୁଏ । ଏହା ନାନାପ୍ରକାର ହୁଏ ।

ସିଂହାବଲୋକନ ଶୃଙ୍ଖଳା–ସିଂହ କିଛି ଦୂର ଅଗ୍ରସର ହୋଇ କୌଣସି ସ୍ଥାନରେ ଟିକିଏ ଛିଡ଼ା ହୁଏ ଓ ପଛକୁ ଟିକିଏ ଚାହେଁ । ତତ୍ପରେ ଗତି ପଥରେ ଅଗ୍ରସର ହୁଏ । ଏହିପରି ପରବର୍ତ୍ତୀ ଚରଣର ଆଦ୍ୟ ଏକ ବା ଏକାଧିକ ବର୍ଣ୍ଣ ପଶ୍ଚାତ୍‍ ବର୍ଣ୍ଣ ଅର୍ଥାତ୍‍ ପୂର୍ବବର୍ତ୍ତୀ ଚରଣର ପ୍ରାନ୍ତ ବର୍ଣ୍ଣ ହୋଇଥିଲେ ତାହାକୁ ସିଂହାବଲୋକନ କହନ୍ତି । ଯଥା : –

 

“କଞ୍ଜ–ଚନ୍ଦ୍ର–ଦରପଣ–ବଦନ ରଞ୍ଜନ,

ଜନ–ହରଷଜନକ ବର ପରସନ୍ନ ।”

(ବିଦଗ୍‍ଧ ଚିନ୍ତାମଣି)

 

ଏଠାରେ ଦ୍ୱିତୀୟ ଚରଣର ଆଦ୍ୟ ଅକ୍ଷର ‘ଜନ’ ଓ ପ୍ରଥମ ଚରଣର ପ୍ରାନ୍ତ ବର୍ଣ୍ଣ ‘ଞ୍ଜନ୍‍’ ବିଭିନ୍ନ ଧ୍ୱନ୍ୟାତ୍ମକ ନୁହନ୍ତି । ଏପରି ଶୃଙ୍ଖଳା ଅନେକ କବି ବ୍ୟବହାର କରନ୍ତି । କିନ୍ତୁ ବିଦଗ୍‍ଧ ଚିନ୍ତାମଣିରେ ବ୍ୟବହୃତ ନିମ୍ନଲିଖିତ ଶୃଙ୍ଖଳା ବିରଳ ଦେଖାଯାଏ ।

 

ମଣ୍ଡୁକପ୍ଲୁତ ଶୃଙ୍ଖଳା–ମଣ୍ଡୁକର ଜଳରେ ବୁଡ଼ିବା ଓ ଉଠିବା ସମ୍ୱନ୍ଧରେ ସ୍ଥାନର ବା କାଳର ନିର୍ଦ୍ଦିଷ୍ଟତା ନ ଥାଏ । ସେପରି କୌଣସି ଚରଣରେ ଯେଉଁ ଶୃଙ୍ଖଳାର ନିର୍ଦ୍ଦିଷ୍ଟ ସ୍ଥାନ ନ ଥାଏ ତାହାକୁ ମଣ୍ଡୁକପ୍ଲୁତ କହନ୍ତି । ଯଥା : –

 

“ଚରବୀରଣଗମନା ମନାଉଛି ଅନା

ଅନାୟତ୍ତରେ ସୁମୁହୀଁ ମୁହିଁ ତ ବିମନା ।”

 

ଚର-ବାରଣ, ଗମନା-ମନା, ଅନା ଅନାୟତ୍ତରେ ଓ ସୁମୁହୀଁ । ମୁହିଁ ପଦମାନ ବିଚାର କଲେ ଏଥିରେ ଥିବା ଶୃଙ୍ଖଳା ବୁଝାଯାଏ ।

 

ଗଙ୍ଗାସ୍ରୋତ ଶୃଙ୍ଖଳା–କେବଳ ଦ୍ୱ୍ୟକ୍ଷରା ପଦରେ ଚରଣ ଗଠିତ ହୋଇ ପ୍ରତ୍ୟେକ ପରବର୍ତ୍ତୀ ପଦ ଯଦି ପୂର୍ବବର୍ତ୍ତୀପଦ ସହିତ ଶୃଙ୍ଖଳାରେ ସଂଶ୍ଲିଷ୍ଟ ହୋଇଥାଏ ତେବେ ଏହି ଶୃଙ୍ଖଳା ହୁଏ । ଗଙ୍ଗା ସ୍ରୋତର ବିରାମ ନ ଥିଲା ପରି ଏହି ଶୃଙ୍ଖଳାର ବିରାମ ନ ଥାଏ । ଏଥିରେ ପୂର୍ବପଦର ଗୋଟିଏ ପ୍ରାନ୍ତ ବର୍ଣ୍ଣ ଓ ପରପଦର ଗୋଟିଏ ଆଦ୍ୟବର୍ଣ୍ଣ ମିତ୍ରାକ୍ଷର ହୁଅନ୍ତି । ଯଥା : –

 

“ବର ରସ ସର ରସା ସାର ରସ ସହି

ହିତେ ସେ ସେବିବି ଭୀଭୀ ବ-ବତ ତହିଁ ।”

 

ସର୍ବାଙ୍ଗପାଦ ଶୃଙ୍ଖଳ–ଗଙ୍ଗାସ୍ରୋତ ଶୃଙ୍ଖଳାରେ ଏକ ବର୍ଣ୍ଣଦ୍ୱାରା ପୂର୍ବପଦ ସହିତ ପରପଦ ସଂଶ୍ଲିଷ୍ଟା ହୁଏ । ସର୍ବାଙ୍ଗପାଦ ଶୃଙ୍ଖଳାରେ ଦୁଇ ବର୍ଣ୍ଣଦ୍ୱାରା ପ୍ରତ୍ୟେକ ପର ପଦ ପୂର୍ବ ପଦ ସହିତ ସଂଶ୍ଲିଷ୍ଟ ହୁଅନ୍ତି । ଯଥା : –

 

“ସାରଙ୍ଗ ରଙ୍ଗତ ଗତରୁ ତରୁଣୀ ଋଣୀ,

ବିତପ ତପର ପରମରମଣୀମଣି ।”

 

ଅଭିମନ୍ୟୁ ସାମନ୍ତସିଂହାରଙ୍କ ମତରେ ଏକ ବା ଏକାଧିକ ବର୍ଣ୍ଣ ଯେପରି ଶୃଙ୍ଖଳାରେ ଚରଣର ଏକ ସ୍ଥାନରେ ବ୍ୟବହୃତ ସେପରି ଶୃଙ୍ଖଳାର ମଧ୍ୟରେ କେତେକ ବର୍ଣ୍ଣର ବ୍ୟବଧାନରେ ପୁଣି ବ୍ୟବହୃତ ହେଲେ ଅନୁପ୍ରାସ ଓ ସମ୍ବିଧାନରେ ବ୍ୟବହୃତ ହେଲେ ଯମକ ହୁଏ । କିନ୍ତୁ ତାହା ଯଥାର୍ଥ ନୁହେଁ । ଏକ ଅକ୍ଷରର ପୁନଃ ପୁନଃ ବ୍ୟବହାର ଓ ଏକ ଶବ୍ଦର ବିଭିନ୍ନ ଅର୍ଥରେ ପୁନଃ ପୁନଃ ପ୍ରୟୋଗ ଏକ ଚରଣରେ ନ ହେଲେ ଧ୍ୱନି ମଧୁରତା ଜନ୍ମୁ ନ ଥିବାରୁ ଅନୁପ୍ରାସ ଓ ଯମକ ହୁଏ ନାହିଁ-। ପୁଣି ଆଦ୍ୟାନ୍ତ ଯମକକୁ ଶୃଙ୍ଖଳା ନ କହିବାର କାରଣ ଜଣାପଡ଼େ ନାହିଁ । ଏହି ହେତୁରୁ ଏହି ସମସ୍ତ ଅଳଙ୍କାରର ପ୍ରୟୋଜନ ନାହିଁ ।

 

ଏକ ବର୍ଣ୍ଣ ସମସ୍ତ ପର୍ବମାନଙ୍କର ପ୍ରାନ୍ତରେ ଥିବାରୁ ବିଦଗ୍‍ଧ ଚିନ୍ତାମଣିର ଅନ୍ୟାନ୍ୟ ସଂସ୍କରଣମାନଙ୍କରେ ଯାହାକୁ ଏକାନ୍ତାନୁପ୍ରାସ କୁହାଯାଇଅଛି ପ୍ରାଚୀ ସଂସ୍କରଣରେ ତାହାକୁ ବିଶ୍ରାମାନୁପ୍ରାସ କାହିଁକି କୁହାଯାଇଅଛି ତାହା ବୁଝାଯାଏ ନାହିଁ ।

 

ଅଭିମନ୍ୟୁ ଶ୍ଲେଷାଳଙ୍କାରକୁ ମଧ୍ୟ ଅଭଙ୍ଗ ଓ ସଭଙ୍ଗ ଭେଦରେ ଦୁଇ ଭାଗରେ ବିଭକ୍ତ କରିଅଛନ୍ତି–

 

ଅଭଙ୍ଗ ଶ୍ଲେଷ–ଯେଉଁ ବାକ୍ୟରେ ବ୍ୟବହୃତ କୌଣସି ଏକ ପଦର କୌଣସି ଅକ୍ଷର ପୃଥକ୍ ନ କରି ଅଥବା ତହିଁରେ ସନ୍ନିହିତ ପଦର କୌଣସି ଅକ୍ଷର ଯୋଗ ନ କରି ଦୁଇ ବିଭିନ୍ନ ଅର୍ଥ ପ୍ରତୀତ ହୁଏ ତାହାକୁ ଅଭଙ୍ଗ ଶ୍ଲେଷ କହନ୍ତି । ଯଥା : –

 

“ଭାବରତୀଶଲକ୍ଷଣା ସୁରତରଙ୍ଗିଣୀ

ଶୁଚିପଦଦା ସେହି ତ ବିବନ୍ଦତା-ବାଣୀ ।”

 

ଭାବବତୀ ଓ ଈଶଲକ୍ଷଣା ସୁର–ତରଙ୍ଗିଣୀ (ଗଙ୍ଗା) ଶୁଚିପଦା ମୁକ୍ତିଦାୟିନୀ ଓ ବିବନ୍ଦିତା ବାଣୀ (ବର୍ଣ୍ଣିତ ରଚନା)

 

(ଭାବବତୀରାଈଶ ଶ୍ରେଷ୍ଠ)–ଲକ୍ଷଣା ସୁରତ–ରଙ୍ଗିଣୀ (ରାଧା) ଶୁଚିପଦଦା (ମାଧୁର୍ଯ୍ୟରସଦୟିନୀ) ଓ ବିବନ୍ଦିତା ବାଣୀ (ପ୍ରଶଂସିତ ବଚନ) ।

 

ବିଦଗ୍‍ଧ ଚିନ୍ତାମଣିର ପ୍ରାଚୀ–ସଂସ୍କରଣର ଟୀକାରେ ଯେଉଁ ଅର୍ଥ ଦିଆଯାଇଅଛି ତାହା ପଦକୁ ନ ଭାଙ୍ଗିଲେ ପ୍ରତୀତ ହୁଏ ନାହିଁ । ‘ଭାବ’ ଗୋଟିଏ ପୃଥକ୍ ପଦ ହେଲେ ଓ ବଂଶଲକ୍ଷଣା ଅନ୍ୟ ଗୋଟିଏ ପଦ ହେଲେ ଅଭଙ୍ଗ ଶ୍ଲେଷ ହୁଏ ନାହିଁ । ପୁଣି ଟୀକାରେ ସତେଇଶଟି ଲକ୍ଷଣର ଉଲ୍ଲେଖ ଥିବାରୁ ଓ ତହିଁରେ କେତେକ ଲକ୍ଷଣ ଦୁଇ ଦୁଇ ଥର ଉଲ୍ଲେଖ ଥିବାରୁ ‘ବତିଶ ଲକ୍ଷଣ’ ଅର୍ଥ ବିଶ୍ୱାସଯୋଗ୍ୟ ନୁହେ । ଆହୁରି ମଧ୍ୟ ବତିଶ ଲକ୍ଷଣସ୍ୱରୁପ ମନୁଷ୍ୟର ଅଙ୍ଗ ପ୍ରତ୍ୟଙ୍ଗ ଗଣନା କରାଯାଇଅଛି ଓ ତାହା କେଉଁ ଶାସ୍ତ୍ରରୁ ଉଲ୍ଲେଖ କରାଗଲା, କୁହାଯାଇନାହିଁ । ଏଣୁ ସେ ଅର୍ଥ ବିଶ୍ୱାସଯୋଗ୍ୟ ନୁହେ ।

 

ସଭଙ୍ଗ ଶ୍ଲେଷ–ଯେଉଁ ବାକ୍ୟରେ ବ୍ୟବହୃତ କୌଣସି ପଦରୁ ଅକ୍ଷର ପୃଥକ କରି ଅଥବା ତହିଁରେ ସନ୍ନିହିତ ପଦର ଅକ୍ଷର ଯୋଗ କରି ଦୁଇ ବିଭିନ୍ନ ଅର୍ଥ ପ୍ରତୀତ ହୁଏ ତାହାକୁ ସଭଙ୍ଗ ଶ୍ଲେଷ କହନ୍ତି । ଯଥା : –

 

“ଚିନ୍ତାମଣି ଲଭିବାର ହେଲା ଅର୍ଥ ଭିନ୍ନ,

ଭାବିନୀ ରତନ ଲଭିଥିବାରୁ କି ଦୀନ ।”

 

ମଣେ, ଚିନ୍ତା ଲଭିବାର ଅର୍ଥ ଭିନ୍ନ । (କାରଣ) ଭାବିନୀରତ୍ନ (ରାଧା) ଲଭିବାରୁ ମୁଁ ଦୀନ ନୁହେ, ଏହା ଚିନ୍ତା କରୁଛି ।

 

(ମୋର)ଚିନ୍ତାମଣି ନାମ ଲଭିବାର ଅର୍ଥ ଭିନ୍ନ ହେଲା । ଭାବିନୀ ରତ (ରାଧାଙ୍କ ସଙ୍ଗେ ରତି) ନ ଲଭିଥିବାରୁ ଦୀନ ହେଲି ।

 

ଏଥିରେ ବାବୁ ବକ୍ରୋକ୍ତି ଅଛି । ବିଶେଷତଃ ଯହିଁରେ ପଦ ଭାଙ୍ଗି ବା କୌଣସି ଉଷ୍ମବର୍ଣ୍ଣ ପରିବର୍ତ୍ତନ ଅଥବା ଇ–କାର ବା ଉ–କାର ପରିବର୍ତ୍ତନ କରି ଦୁଇ ଅର୍ଥ ପ୍ରତୀତ ହୁଏ ତାହା ଯଥାର୍ଥ ଶ୍ଲେଷ ନୁହେ ।

 

ଅନ୍ତର୍ଲିପି ଓ ବହିର୍ଲିପି–ଏପରି ପ୍ରଶ୍ନ କରିବ ଯାହାର ଉତ୍ତର ଗୋଟିଏ ପଦ ହେବ । ଏପରି କେତୋଟି ଉତ୍ତରର ଆଦ୍ୟବର୍ଣ୍ଣମାନଙ୍କୁ ପଢ଼ିଲେ ଅଥବା ଉତ୍ତରଟି ତ୍ରିବର୍ଣ୍ଣା ପଦ ହୋଇଥିଲେ ତାହାର ମଧ୍ୟ ବର୍ଣ୍ଣମାନଙ୍କୁ ପଢ଼ିଲେ ଯଦି କୌଣସି ଅର୍ଥ ପ୍ରତୀତ ହୁଏ ତାହାକୁ ଅନ୍ତର୍ଲିପି କହନ୍ତି । ଉତ୍ତରର ପ୍ରାନ୍ତ ବର୍ଣ୍ଣମାନଙ୍କୁ ପଢ଼ିଲେ ଯଦି ଅର୍ଥ ପ୍ରତୀତ ହୁଏ ତେବେ ତାହାକୁ ବହିର୍ଲିପି କହନ୍ତି । ଯଥା : –

 

“ରୌପ୍ୟବର୍ଣ୍ଣ ହୋଇଣ ଧାତୁଏ ଅଛି କିସ ? (ରସ)

କେଉଁ ଜୀବ ଚନ୍ଦ୍ରମାର ହୃଦୟ–ଭୂଷଣ ? (ଶଶ)

ଗଙ୍ଗାଠାରେ କି କାମନା କରନ୍ତି ଅର୍ଥୀଗଣ ? (ଧାସ)

ବଳକର କେଉଁ ଶସ୍ୟ ବୀଜ ଭକ୍ଷ୍ୟ ସତ ? (ମାଷ)

କି କରନ୍ତି ସୁନ୍ଦରୀ କାମିନୀ ପୁଂସ ଚିତ୍ତ ? (ବଶ)

କେହୁ କମଳ ବନର ସର୍ବଦା ନିବାସ ?” (ସର) (ଚିତ୍ରକାବ୍ୟ)

ଯେଉଁ ଉତ୍ତର–ପଦର ଆଦ୍ୟରେ ‘ଶ’ ଅଛି ତାହାକୁ ‘ସ’ରେ ଓ ଯହିଁରେ ‘ସ’ ଅଛି ତାହାକୁ ‘ଶ’ରେ ପରିଣତ କରି ଆଦ୍ୟ ବର୍ଣ୍ଣମାନଙ୍କୁ ଏକତ୍ର ପଢ଼ିଲେ ‘ରସଧାମା (ରସବତୀ)–ବଶ’ ଅର୍ଥ ପ୍ରତୀତ ହୁଏ ।

ଅନ୍ୟ ଏକ ପ୍ରକାର ଅନ୍ତର୍ଲିପି ଅଛି । ଯଥା : –

“ଏକାକ୍ଷରେ ଖ୍ୟାତ ଧରଣୀ (କୁ)

କରଭୂଷା ତ୍ରିବର୍ଣ୍ଣେ (ବଳୟ) ।

ବୟସ ନାମ ଖ୍ୟାତ (ବୟ) ମୁନି

ଯାହା କରେ ସେ ହେବ (ଲୟ) ।

ପ୍ରାକର୍ମେ ଦ୍ୱିବର୍ଣ୍ଣ ବିଲୋମେ

ରାମକୁମର ହେବ (ଲବ) ।

ବ୍ୟସ୍ତେ ବସନ୍ତାଦି ଫୁଲେଇ (ବକୁଳ)

ତହିଁ ତଟର ନାମ (କୁଳ) ।

ସମସ୍ତ ପଢ଼ିଲେ ହୋଇବ

ଜଳେ ଥିଲା କୁସୁମ ।

ଚତୁରୀ ତୁରିତେ ଜାଣିଲା

ହସି କହିଲା ତହିଁ ।

କଂସ କରିବର ପରାୟେ

ମୋତେ ପରତେ ହୋଇ (କୁବଳୟ) ।।

‘ଫଳ’ ବେନି ବର୍ଣ୍ଣ ପ୍ରାନ୍ତରେ

ଦେଲେ ମୁକୁତା-ନାମ” (କୁବଳୟ-ଫଳ) । (ଲାବଣ୍ୟବତୀ)

ଏଥିରେ ଥିବା ପ୍ରଶ୍ନମାନଙ୍କର ଉତ୍ତର ବନ୍ଧନୀ–ମଧ୍ୟରେ ଅଛି । ପ୍ରଥମ ଦୁଇ ପ୍ରଶ୍ନର ଉତ୍ତର ମିଶି ‘କୁବଳୟ’ ହୁଏ । ଏଥି ମଧ୍ୟରେ ‘ବକୁଳ’, ’ଲୟ’, ’ଲବ’ ଓ ‘କୁଳ’ ପ୍ରଭୃତି ସମସ୍ତ ଉତ୍ତର ଅଛି । ଏହା କଂସର ହସ୍ତୀର ନାମ । କୁବଳୟ–ଫଳର ଅର୍ଥ ମୁକ୍ତା । ସମୁଦ୍ରରୁ ଉତ୍ପନ୍ନ ହେଉଥିବାରୁ ଏହାକୁ ଜଳକୁସୁମ କହନ୍ତି ।

ଅବନା–ଅନ୍ୟ ସ୍ୱର–ଯୁକ୍ତ ବ୍ୟଞ୍ଜନ ଛାଡ଼ି କେବଳ ‘ଅ’ ସ୍ୱରଯୁକ୍ତ ବ୍ୟଞ୍ଜନମାନ ବ୍ୟବହୃତ ହୋଇ ସ୍ତବକ ରଚିତ ହେଲେ ତାହାକୁ ‘ଅବନା’ କହନ୍ତି । ଯଥା : –

“ଜଗତୟ ନବଘନ–ଉଜ୍ଜ୍ୱଳ,

ଉପନ ତାର–ଅମଳ–କମଳ ।” (ଚିତ୍ରକାବ୍ୟ)

ବନା–ଯେଉଁ ସ୍ତବକର ପ୍ରତ୍ୟେକ ବର୍ଣ୍ଣରେ ‘ଅ’ ଛଡ଼ା ଅନ୍ୟ ଯେଉଁ କୌଣସି ସ୍ୱର ଯୁକ୍ତ ହୋଇଥାଏ ତାହାକୁ ବନା କହନ୍ତି । ଯଥା : –

“ଶୋଭାରେ ମୋହିପାରେ ସେ ଶୁଳୀକି,

ନାହିଁ ନାହିଁ ଲୋକେ ତୁଳା ବାଳୀକି । (ଚିତ୍ରକାବ୍ୟ)

ଦ୍ୱ୍ୟକ୍ଷରା–ଏଥିରେ କେବଳ ଦିଓଟି ବ୍ୟଞ୍ଜନ ବ୍ୟବହୃତ ହୋଇ ସ୍ତବକ ରଚିତ ହୁଏ ଯଥା-: –

ରସାରେ ସାର ସୁରସ-ସରସୀ,

ସଂସାର-ଶିରୀ-ସୁରସ-ସରସୀ ।” (ଚିତ୍ରକାବ୍ୟ)

ସରୋଷ୍ଠକ–ଏଥିରେ କେବଳ ଓଷ୍ଠ୍ୟସ୍ୱର ଓ ବ୍ୟଞ୍ଜନମାନଙ୍କୁ ବ୍ୟବହାର କରି ସ୍ତବକ ରଚନା କରାଯାଏ । ଯଥା : –

“ଭୀମ ପ୍ରାଭବ ଭୂମି–ପ୍ରାଭବେ,

ବାଷ୍ପ–ପ୍ରଭବ ଭାବରେ ଭାବେ ।” (ଚିତ୍ରକାବ୍ୟ)

ନିରୋଷ୍ଠକ–ଏଥିରେ ଓଷ୍ଠ୍ୟଛଡ଼ା ଅନ୍ୟ ଯେ କୌଣସି ସ୍ୱର ଓ ବ୍ୟଞ୍ଜନ ବ୍ୟବହୃତ ହୋଇ ସ୍ତବକ ରଚିତ ହୁଏ । ଯଥା : –

“ଚନ୍ଦ୍ର ଚନ୍ଦନ ଅଙ୍ଗେ ନେଲେ ଦେଇ

ଅନଳ ସରି ନାଗରୀ ଘେନଇ ।” (ଚିତ୍ରକାବ୍ୟ)

ଦତ୍ତଚ୍ୟୁତାକ୍ଷର–କୌଣସି ଚରଣର ଏକ ପଦରୁ ଏକ ଅକ୍ଷର ଚ୍ୟୁତ (ଲୁପ୍ତ) କରି ତହିଁରେ ଅନ୍ୟ ଅକ୍ଷର ଦତ୍ତ (ଯୁକ୍ତ) କଲେ ଯଦି ଅଭିପ୍ରେତ ଅର୍ଥ ପ୍ରତୀତ ହୁଏ ତେବେ ତାହାକୁ ଦତ୍ତଚ୍ୟୁତାକ୍ଷର କହନ୍ତି । ଏକ ପଦରୁ ଏକ ଅକ୍ଷର ଚ୍ୟୁତ କରି ଅନ୍ୟ ପଦରେ ଅନ୍ୟ ଏକ ଅକ୍ଷର ଦତ୍ତ କଲେ ମଧ୍ୟ ଦତ୍ତଚ୍ୟୁତାକ୍ଷର ହୁଏ । ଯଥା : –

“ଜ୍ୟୋତିର୍ବିଦା ଭାଷି ଏ ଶୋଭା ରାଶି

ନକ୍ଷତ୍ର-ମାଳା ଯୋ-ଗେ ଶୋଭା ଦିଶି

ପୁଣି ଚନ୍ଦ୍ର ଭୋଗ ଏ କରେ ନିତ୍ୟ

ଦେବ ତାଡ଼ ଭୂଜେ

ଉଦିତ ହେବ କବି ଦୃଷ୍ଟି ଉର୍ଜେ ।” (କୋଟିବ୍ରହ୍ମାଣ୍ଡ ସୁନ୍ଦରୀ)

ଜ୍ୟୋତି-ଶାସ୍ତ୍ର ଜାଣିଥିବା ସଖୀ କହିଲା–“ରାଶିଚକ୍ରରେ ଗ୍ରହନକ୍ଷତ୍ର ଶୋଭା ପାଇଲା ପରି ଏହି କୋଟି ବ୍ରହ୍ମାଣ୍ଡ-ସୁନ୍ଦରୀର ଶୋଭାରେ ଅଳଙ୍କାର ଶୋଭା ପାଇବ । ଏଥିରେ ଶ୍ଲେଷ–ଅଳଙ୍କାର ଅଛି । ନକ୍ଷତ୍ରମାଳା ନାମରେ ଏକପ୍ରକାର ହାରଅଛି । ଚନ୍ଦ୍ରର ଅର୍ଥ ସୁବର୍ଣ୍ଣ ହାର । ଶରୀରର ଅର୍ଥ ଶନି ଓ ଉରୁସକ୍ତା ସଉରୀ । ଦେବତାଡ଼ର ଅର୍ଥ ରାହୁ ଓ ତାଡ଼-ଅଳଙ୍କାର ପିନ୍ଧାଇବା-। କବିର ଅର୍ଥ ଶୁକ୍ର ତାରା ଓ କାବ୍ୟ-ପ୍ରଣେତା । ଭୂଜର ଅର୍ଥ ହାତ (ଭୂଜ) ଓ ମଙ୍ଗଳ ଗ୍ରହ-

ଅଳଙ୍କାର ଦ୍ୱାରା କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଭୂଷିତା ହେଲେ ‘ଭୂତାଡ଼ନ’ ହେବ ଅର୍ଥାତ୍‍ ପୃଥିବୀକୁ କ୍ଲେଶ ଦେବ । ଏହି ‘ଭୂତାଡ଼ନ’ ପଦର ଉଦ୍ଧାର ନିମନ୍ତେ ଭୂଜ ପଦରୁ ‘ଜ’ ଚ୍ୟୁତ କରାଯାଏ ଓ ‘ତାଡ଼’ ପଦରେ ନ ଦତ୍ତ କରାଯାଏ ।

ଗୋମୁତ୍ର–ଯଦି କୌଣସି ସ୍ତବକର ଚରଣମାନଙ୍କରେ ଅକ୍ଷରଗୁଡ଼ିକ ଏପରି ଶୃଙ୍ଖଳାରେ ସନ୍ନିବେଶିତ ହୋଇଥାଏ ସେ ପ୍ରଥମ ଚରଣର ପ୍ରଥମ ବର୍ଣ୍ଣ ସହିତ ଦ୍ୱିତୀୟ ଚରଣର ଦ୍ୱିତୀୟ ବର୍ଣ୍ଣ, ତୃତୀୟ ବର୍ଣ୍ଣ ସହିତ ଚତୁର୍ଥ ବର୍ଣ୍ଣ, ପଞ୍ଚମ ବର୍ଣ୍ଣ ସହିତ ଷଷ୍ଠବର୍ଣ୍ଣ ଇତ୍ୟାଦି କ୍ରମରେ ପାଠକଲେ ସ୍ତବକର ପ୍ରଥମ ଚରଣର ଏବଂ ଦ୍ୱିତୀୟ ଚରଣର ପ୍ରଥମ ବର୍ଣ୍ଣ ସହିତ ପ୍ରଥମ ଚରଣର ଦ୍ୱିତୀୟ ବର୍ଣ୍ଣ ତୃତୀୟବର୍ଣ୍ଣ ସହିତ ଚତୁର୍ଥ ବର୍ଣ୍ଣ ଇତ୍ୟାଦି କ୍ରମେ ପାଠ କଲେ ଦ୍ୱିତୀୟ ଚରଣର ଉଦ୍ଧାର ହୁଏ–

ତେବେ ତାହାକୁ ଗୋମୁତ୍ର କହନ୍ତି ! ଯଥା : –

“ବି ର ଚ ୟ ହ ର ଧୀ ର ପ୍ର ଶଂ ସା ର ।

ସା ର ଆ ୟ କ ର ବ ର ଏ ସଂ ସା ର ।” (ଲାବଣ୍ୟବତୀ)

 

ଚିତ୍ରାଳଙ୍କାର-କୌଣସି ଗୋଟିଏ ସ୍ତବକ ରଚନା କରି ଓ ଗୋଟିଏ ଚିତ୍ର ଅଙ୍କନ କରି ଚିତ୍ରମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ତବକର ବିଭିନ୍ନ ଅକ୍ଷରଗୁଡ଼ିକୁ ଯେ କୌଣସି ଏକ ପ୍ରକାର ଶୃଙ୍ଖଳାରେ ସନ୍ନିବେଶ କରିଥିଲେ ଏହି ଅଳଙ୍କାର ହୁଏ । ପାଠକ ଶୃଙ୍ଖଳାଟି ବୁଝି ଯଦି ସ୍ତବକର ପାଠ ଉଦ୍ଧାର କରିପାରେ ତେବେ ତାହାର ପାଣ୍ତିତ୍ୟର ପରିଚୟ ମିଳେ । ଓଡ଼ିଆରେ ଏହି ଅଳଙ୍କାରକୁ ବଦ୍ଧ କହନ୍ତି ।

ଗୋପନୀୟ ଚିଠିପତ୍ରର ଓ କୂଟ ରାଜନୀତିର ଭାଷାରେ ଅନ୍ତର୍ଲିପି, ବହିର୍ଲିପି, ଦତଚ୍ୟୁତାକ୍ଷର, ଚିତ୍ରାଳଙ୍କାର ପ୍ରଭୃତି ବ୍ୟବହାର କରାଯାଉ ଥିଲା । ଏ ଯୁଗରେ ଏ ସମସ୍ତର ଆଦୌ ପ୍ରୟୋଜନ ନାହିଁ । ସାଧାରଣ ଅନୁପ୍ରାସ, ଯମକ, ଶ୍ଲେଷ ଓ ବକ୍ତୋକ୍ତି ଆଧୁନିକ ରଚନାରେ ଶୋଭନୀୟ ।

Image

 

Unknown

ସପ୍ତମ ପରିଚ୍ଛେଦ

ଅର୍ଥାଳଙ୍କାର

 

ଚିତ୍ତର ଅବସ୍ଥା-ଭେଦରେ ମନୁଷ୍ୟର ଜ୍ଞାନ-ଭେଦ ଲକ୍ଷିତ ହୁଏ । ଯାହାର ପୁଅକୁ ସାପ କାମୁଡ଼ି ଥାଏ ତାହାର ମା ପାଳଦଉଡ଼ି ଦେଖିଲେ ତାହାକୁ ସାପ ମନେ କରେ । ଏହା ଚିତ୍ତର ଶଙ୍କା ଜ୍ଞାପନ କରେ । ପ୍ରେମିକ ପ୍ରେମିକାର ମୁଖକୁ ଚନ୍ଦ୍ର ବୋଲି ଜ୍ଞାନ କଲେ ତାହାର ଚିତ୍ତରେ ଆନନ୍ଦ ଅନୁଭୂତ ହୁଏ । ଏପରି ବାହ୍ୟ ବସ୍ତୁ ପ୍ରତ୍ୟକ୍ଷ ନ କଲେ ବା ବାହ୍ୟ ବସ୍ତୁର ସ୍ମୁତି ଜାତ ନ ହେଲେ ଚିତ୍ତରେ ଜ୍ଞାନର ଉତ୍ପତ୍ତି ହୁଏ ନାହିଁ । ବାହ୍ୟ ବସ୍ତୁର ସମ୍ପର୍କରେ ଜ୍ଞାନ ଜାତ ହେଉ ଥିବାରୁ ଭାଷାରେ ଜ୍ଞାନର ପ୍ରକାଶ ବେଳେ ଜ୍ଞାନ ସହିତ ସମ୍ପୃକ୍ତ ତାହାର ବାହ୍ୟ ବସ୍ତୁଟି ମଧ୍ୟ ପ୍ରକାଶିତ ହୋଇପଡ଼େ । ଏଥିରୁ ଚିତ୍ତର ନିତ୍ୟ ପ୍ରକୃତି ନିଶ୍ଚୟ କରାଯାଏ ।

 

ପ୍ରେମିକକୁ ପ୍ରେମିକାର ମୁଖ କୋମଳ ଅନୁଭୂତ ହୁଏ, ଏହା ପ୍ରେମିକ ଜାଣେ ନାହିଁ । କିନ୍ତୁ ସେ ଚନ୍ଦ୍ରରୂପେ ଉପଲବ୍‍ଧି କରୁଥିବାରୁ ଓ ଚନ୍ଦ୍ର କୋମଳ ହୋଇଥିବାରୁ ପ୍ରେମିକ କୋମଳତାରେ ଅଭିଭୂତ ବୋଲି ଜଣାପଡ଼େ । ଏଣୁ କୋମଳତା ପ୍ରତି ଆକୃଷ୍ଟ ହେବା ଚିତ୍ତର ପ୍ରକୃତି ବୋଲି ନିର୍ଣ୍ଣୟ କରାଯାଏ । ଚିତ୍ତର ପ୍ରକୃତି ଜାଣି ଚିତ୍ତକୁ ସେହି ପ୍ରକୃତିସ୍ଥ କରିପାରିଲେ ଚିତ୍ତରେ ଆନନ୍ଦ ଜାତ ହୁଏ । ଅର୍ଥାତ୍‍ ବାହ୍ୟ କୋମଳ ବସ୍ତୁର ସଂଯୋଗ ବିନା ଚିତ୍ତରେ ଯଦି କୋମଳତା ଜନ୍ମେ ତେବେ ତାହା ମଧ୍ୟ ଆନନ୍ଦର କାରଣ ହୁଏ । ଏହିପରି ଅନେକ ଦାର୍ଶନିକ ତୁଟି ଅଭିବ୍ୟକ୍ତିର ସଙ୍ଗେ ଜଡ଼ିତ ହୁଏ । ବସ୍ତୁ ମାତ୍ରେ ପରିଣାମର ଅଧୀନ, କାରଣ ବିନା କାର୍ଯ୍ୟର ଉତ୍ପତ୍ତି ନାହିଁ, ଏକ କାର୍ଯ୍ୟର ବିଭିନ୍ନ କାରଣ, ଏକ କାରଣର ବିଭିନ୍ନ କାର୍ଯ୍ୟ–ଏହିପରି ବହୁବୁଧ ସତ୍ୟ ଅଭିବ୍ୟକ୍ତିର ସଙ୍ଗେ ପ୍ରକାଶ ପାଏ । ଅଭିବ୍ୟକ୍ତି ରୀତି ଆଲୋଚନା କରି ପ୍ରାଚୀନ କାଳରେ ଭାରତର ଦାର୍ଶନିକମାନେ ଦର୍ଶନ-ଶାସ୍ତ୍ରର ବହୁବିଧ ଉନ୍ନତି ସାଧନ କରିଥିଲେ ।

 

ବାହ୍ୟବସ୍ତୁର ସମ୍ପର୍କରେ ଚିତ୍ତରେ ଜ୍ଞାନ ଜାତ ହେଉଥିବାରୁ ଏହି ସମ୍ପର୍କ ଯେତେ ବ୍ୟାପକ ହୁଏ ଜ୍ଞାନ ସେତେ ବ୍ୟାପକ ହୁଏ । କେବଳ ଦୈନନ୍ଦିନ କର୍ମରେ ଯେଉଁ ବ୍ୟକ୍ତିର ଜୀବନ ଆବଦ୍ଧ ତାହାର ଜ୍ଞାନ ଯେପରି ସଂକୀର୍ଣ୍ଣ ଭାଷା ସେପରି ସଂକୀର୍ଣ୍ଣ । ବିଶ୍ୱର ଯାବତୀୟ ବସ୍ତୁ ସଙ୍ଗେ କବିର ସମ୍ପର୍କ ଯେପରି ବ୍ୟାପକ ତାହାର ଜ୍ଞାନ ତଦନୁରୂପ । ଏଣୁ କବିର ଅଭିବ୍ୟକ୍ତରେ ବ୍ୟାପକ ଜ୍ଞାନର ପ୍ରକାଶ ପାଏ । ବ୍ୟାପକ ଅଭିବ୍ୟକ୍ତିରେ ପାର୍ଥିବ ବସ୍ତୁର ରୂପ ଆବୃତ ହୋଇ ତାହାର ସତ୍ତାର ସୌନ୍ଦର୍ଯ୍ୟ ଅନୁଭୃତ ହୁଏ । ଯାହା ରୂପକୁ ଆବୃତ କରେ ତାହାକୁ ଅଳଙ୍କାର କହନ୍ତି । ଅଳଙ୍କାର ଅଙ୍ଗର ସୌନ୍ଦର୍ଯ୍ୟ ବୃଦ୍ଧି କରେ । ସେପରି ବାକ୍ୟରେ ଅର୍ଥର (ଇନ୍ଦ୍ରିୟ ପ୍ରତ୍ୟକ୍ଷ ବିଷୟ) ଯାହା ସୌନ୍ଦର୍ଯ୍ୟ ବଢ଼ାଏ ତାହାକୁ ଅର୍ଥାଳଙ୍କାର କହନ୍ତି । ନଗ୍ନ ଅଙ୍ଗ ପରି ନଗ୍ନ ଅଭିବ୍ୟକ୍ତି ଅପ୍ରୀତିକର ।

 

୧–ଉପମା–ଏକ ଧର୍ମବିଶିଷ୍ଟ ବା ଗୁଣସମ୍ପନ୍ନ ଦୁଇ ଭିନ୍ନ ଜାତୀୟ ବସ୍ତୁ ମଧ୍ୟରେ ସାଦୃଶ୍ୟ କଥନକୁ ଉପମା କହନ୍ତି । ଯାହାକୁ ତୁଳନା କରାଯାଏ ତାହାକୁ ଉପମେୟ ଓ ଯାହା ସଙ୍ଗେ ତୁଳନା କରାଯାଏ ତାହାକୁ ଉପମାନ କୁହାଯାଏ । ମୁଖ ଚନ୍ଦ୍ର ସଦୃଶ ସୁନ୍ଦର କହିଲେ ମୁଖ ଉପମେୟ ଓ ଚନ୍ଦ୍ର ଉପମାନ ହୁଏ । ଯଦି ମୁଖସଦୃଶ୍ୟ ଚନ୍ଦ୍ର ସୁନ୍ଦର କୁହାଯାଆନ୍ତା ତେବେ ମୁଖ ଉପମାନ ଓ ଚନ୍ଦ୍ର ଉପମେୟ ହୁଅନ୍ତା । ଉପମେୟ ଓ ଉପମାନ ମଧ୍ୟରେ ଥିବା ସମାନ ଧର୍ମକୁ ସାଧାରଣ ଧର୍ମ କହନ୍ତି-। ମୁଖର ସୌନ୍ଦର୍ଯ୍ୟ ଓ ଆହ୍ଲାଦ ଗୁଣ ଏବଂ ଚନ୍ଦ୍ରର ସୌନ୍ଦର୍ଯ୍ୟ ଓ ଆହ୍ଲାଦ ଗୁଣ ଥିବାରୁ ଦିଓଟିର ସମାନ ବା ସଦୃଶ ଗୁଣ ଅଛି । ଏଣୁ ସୌନ୍ଦର୍ଯ୍ୟ ଓ ଆହ୍ଲାଦ ସାଧାରଣ ଧର୍ମ ହେଲା ।

 

ସାଧାରଣ ଧର୍ମ ଅନେକ ପ୍ରକାର । କେଉଁଠାରେ ଗୁଣ, କେଉଁଠାରେ କ୍ରିୟା, କେଉଁଠାରେ ଶବ୍ଦ ସାଧାରଣ ଧର୍ମ ହୁଏ । ‘ମାନବ ଜୀବନ ପ୍ରସ୍ଫୁଟିତ ପୁଷ୍ପରସୌରଭ ତୁଲ୍ୟ କ୍ଷଣସ୍ଥାୟୀ, କହିଲେ କ୍ଷଣସ୍ଥାୟିତ୍ୱ-ଗୁଣ ସାଧାରଣ ଧର୍ମ ହୁଏ ।’ ଘୋଡ଼ା ପବନ ସଦୃଶ ଧାଏ’ କହିଲେ ଗତି-କ୍ରିୟା, ସାଧାରଣ ଧର୍ମ ହୁଏ । ‘ରାଜା ପଣ୍ଡିତମାନଙ୍କ ମାନସରେ ହଂସ ତୁଲ୍ୟ’ କହିଲେ ‘ମାନସ’ ପଦରୁ ହଂସ ପକ୍ଷରେ ମାନସ-ସରୋବର ଓ ପଣ୍ଡିତମାନଙ୍କ ପକ୍ଷରେ ମନ ଅର୍ଥ ପ୍ରତୀତ ହୁଏ ।

 

ଯେ କୌଣସି ଗୋଟିଏ ସାଧାରଣ ଧର୍ମଥିଲେ ଦୁଇ ବସ୍ତୁ ମଧ୍ୟରେ ତୁଳନା ହୁଏ । କିନ୍ତୁ ଏକ ଜାତୀୟ ଦୁଇ ବସ୍ତୁ ମଧ୍ୟରେ ତୁଳନା ହୁଏ ନାହିଁ । ମନୁଷ୍ୟ ମନୁଷ୍ୟ ପରି ବୃଦ୍ଧିମାନ କହିଲେ ଉପମା ହୁଏ ନାହିଁ । ଉପମାରେ ପ୍ରାୟ, ତୁଲ୍ୟ, ସମ, ସଦୃଶ, ସରି, ପରି, ଯଥା ପ୍ରଭୃତି ସାଦୃଶ୍ୟବାଚକ ଶବ୍ଦ ବ୍ୟବହୃତ ହୁଏ ।

 

(କ) ପୂର୍ଣ୍ଣୋପମା–ଯେଉଁଠାରେ ଉପମେୟ, ଉପମାନ ସେମାନଙ୍କ ସାଧାରଣ ଧର୍ମ ଓ ସଦୃଶବାଚକ ଶବ୍ଦ ସ୍ପଷ୍ଟରୂପେ ଉଲ୍ଲିଖିତ ହୋଇଥାଏ ସେଠାରେ ପୂର୍ଣ୍ଣୋପମା ହୁଏ । ଯଥା:–

 

(୧)

“ଜଗତର ଲୋଚନନନ୍ଦନ

 

ଯୁବତୀ ରକ୍ତାଧର ରମ୍ୟ ଜ୍ୟୋତି ନୟନର

 

ସ୍ୱର୍ଣ୍ଣଘନ ସମ ବକ୍ଷ ଚାରୁ ପଦ୍ମାନନ

 

ଇନ୍ଦ୍ରଧନୁ ଶୋଭା ସମ ପଳାନ୍ତି ବିହନ ।” (ଜୀବନଚିନ୍ତା)

(୨)

“ଦେବୀଙ୍କ ଛାମୁରେ ମଧ୍ୟେ ରାଜବାଳା

 

ବେନି ସଖୀ ବେନି ପାଶେ,

 

ତିନି ମୂର୍ତ୍ତି ଏକ ରେଖାରେ ଦିଶଇ

 

ଇଳ୍ୱଳା ଯଥା ଆକାଶେ ।” (ଯଯାତିକେଶରୀ)

 

ପ୍ରଥମ ଉଦାହରଣରେ ଯୁବତୀର ଅଙ୍ଗ ଶୋଭା ଉପମେୟ, ଇନ୍ଦ୍ରଧନୁ ଶୋଭା ଉପମାନ, ବହନ ପଳାଇବା ରୂପ ସାଧାରଣ ଧର୍ମ ଓ ସଦୃଶ୍ୟବାଚକ ‘ସମ’ ଶବ୍ଦ ସ୍ପଷ୍ଟରୂପେ ଉଲ୍ଲିଖିତ ।

 

ଦ୍ୱିତୀୟ ଉଦାହରଣରେ ଉପମେୟ ରାଜରାଳ, ଉପମାନ ଉଜ୍ୱଳା ଏକ ରେଖାରେ ତିନିମୂର୍ତ୍ତିରେ ମଧ୍ୟବର୍ତ୍ତୀ ମୂର୍ତ୍ତିଟିର ସୌନ୍ଦର୍ଯ୍ୟ ସାଧାରଣ ଧର୍ମ ଓ ସାଦୃଶ୍ୟବାଚକ ‘ଯଥା’ ଶବ୍ଦ ଉଲ୍ଲିଖିତ ।

 

(ଖ) ମାଳୋପମା–ଏକ ଉପମେୟର ବହୁ ଉପମାନ ଥିଲେ ମାଳୋପମା ହୁଏ । ଯଥା-: –

 

(୧)

“ମିଶିଯାଏ ଯଥା ପ୍ରଭାତୀ

 

ତାରା ରବି-କିରଣେ,

 

ମିଶିଯାଏ ଯଥା ଜୀବାତ୍ମା

 

ବିଶ୍ୱ–ଆତ୍ମ–ଚରଣେ,

 

ମିଶିଯାଏ ଯଥା ଚପଳା

 

ନୀଳ ଜଳଦ ଅଙ୍ଗେ

 

ମିଶିଗଲା ତଥା ଅବଳା

 

ସେହି ନୀଳ ତରଙ୍ଗେ ।” (ଚନ୍ଦ୍ରଭାଗା)

(୨)

ସଞ୍ଚାଣ ମୁଖରୁ କପୋତ

 

ଏହି ରୂପେ ପଳାଏ,

 

ଶ୍ୱାନଠାରୁ ଭୀରୁ ଶଶକ

 

ପ୍ରାଣ–ବିକଳେ ଧାଏଁ,

 

ସିଂହଠାରୁ ଖରେ ପଳାଏ,

 

ମୃଗ ଏରୂପେ ସିନା,

 

କିଣା କିଙ୍କରକୁ ଏ ଶଙ୍କା

 

କିଂପାଁ କରୁ ନବୀନା ?” (ଚନ୍ଦ୍ରଭାଗା)

 

ପ୍ରଥମ ଉଦାହରଣରେ ଅବଳା ଉପମେୟ; ପ୍ରଭାତୀ ତାରା, ଜୀବାତ୍ମା ଓ ଚପଳା ପ୍ରତ୍ୟେକେ ଉପମାନ; ମିଶିଯିବା ରୂପ କ୍ରିୟା ସାଧାରଣ ଧର୍ମ ଓ ଯଥା’ ସଦୃଶ ବାଚକ ଶବ୍ଦ ।

 

ଦ୍ୱିତୀୟ ଉଦାହରଣରେ ବାଳା (ଉଦ୍ଧୃତ ପ୍ରଥମ ଚରଣର ପୂର୍ବବର୍ତ୍ତୀ ସ୍ତବକରେ ଉଲ୍ଲିଖିତ) ଉପମେୟ; କପୋତ, ଶଶକ ଓ ମୃଗ ପ୍ରତ୍ୟେକେ ଉପମାନ ;ଧାଇଁବା ରୂପ କ୍ରିୟା ସାଧାରଣ ଧର୍ମ ଓ ଏହି ରୂପେ’ ସାଦୃଶ୍ୟ–ବାଚକ ପଦ ।

 

(ଗ) ଲୁପ୍ତୋପମା–ଯହିଁରେ ସାଧାରଣ ଧର୍ମ ଓ ସାଦୃଶ୍ୟ ବାଚକ ଶବ୍ଦ ଉଲ୍ଲିଖିତ ନୋହି ଲୁପ୍ତ ହୋଇଥାଏ ତାହାକୁ ଲୁପ୍ତୋପମା କହନ୍ତି । ଯଥା:–

 

“ବିମ୍ବାଧରୀଙ୍କର ଚମ୍ପକ–ଅଙ୍ଗୁଳି

କମ୍ପନେ ମଧୁ ଝଙ୍କାର

ଉପିଜିବା ଆଶେ କେନ୍ଦୁଝରେ ଗଢ଼ା

ହେଉଅଛି ଲୌହ–ତାର ।” (ପାର୍ବତୀ)

 

ଏଠାରେ ବିମ୍ବପରି ରକ୍ତେ ଅଧର ଅଥବା ଚମ୍ପକ ପରି ସୁନ୍ଦର ଅଙ୍ଗୁଳି କୁହାଯାଇ ନ ଥିବାରୁ ରକ୍ତିମା ଅଥବା ସୌନ୍ଦର୍ଯ୍ୟରୂପ ସାଧାରଣ ଧର୍ମ ଏବଂ ସାଦୃଶ୍ୟ–ବାଚକ ‘ପରି’ ବା ଅନ୍ୟ ଶବ୍ଦ ଲୁପ୍ତ ଅଛି ।

 

(ଘ) ରସନୋପମା–କାଞ୍ଚୀ–ଗୁଣ ପରି ଏକାଧିକ ଉପମାନ ଉଲ୍ଲେଖ କରି ତହିଁ ମଧ୍ୟରେ ଥିବା ଶ୍ରେଷ୍ଠ ଉପମାନ ସହିତ ଉପମେୟକୁ ତୁଳନା କଲେ ରସନୋପମା ହୁଏ । ଯଥା:–

 

“ଶୋଭିବ ଉତ୍କଳ–ସଦ୍ମେ ସଦାଶୟା,

ସରେ ଯଥା ପଦ୍ମ ପାଦ୍ମେ ପଦାଳୟା ।” (ଚିଲିକା)

 

ଏଠାରେ ଉପମେୟ କାଞ୍ଚୀଜେମାର ପଦ୍ମ ଗୋଟିଏ ଉପମାନା ଓ ଲକ୍ଷ୍ମୀ ଆଉ ଗୋଟିଏ ଉପମାନ ।

 

(ଙ) ସାରୋପମା–ବର୍ଣ୍ଣିତ ବସ୍ତୁକୁ ଉତ୍ତବେତ୍ତର ସାର ରୂପେ ବର୍ଣ୍ଣନା କଲେ ସାରୋପମା ହୁଏ । ଯଥା : –

 

“ପୂଣ୍ୟ–ତମ ଏ ସୈକତ ବିଶ୍ୱ ଚରାଚରେ

ବାଛି ନେଇଛନ୍ତି ଯାହା ନିଜେ ଲୀଳାମୟ

ପୁଣି ମର୍ତ୍ତ୍ୟଲୀଳା ଲୁଚି ଅଖିଳ ଭାରତେ

ପର୍ଣ୍ଣଦଳେ ଶ୍ରେଷ୍ଠ ଯେହ୍ନେ ପ୍ରସୂନ ଲଳିତ,

ଶ୍ରେଷ୍ଠ ଏ ଉତ୍କଳ-ଭୂମି ଗୁଣେ ଗରୀୟସୀ,

ପୁଷ୍ପ–କୁଣ୍ଡେ ଶ୍ରେଷ୍ଠ ତାର କେଶର ଯେସନ

ଶ୍ରେଷ୍ଠ ଏ ନୀଳାଦ୍ରିଧାମ ସମଗ୍ର ଉତ୍କଳେ ।” (ମହାଯାତ୍ରା)

 

*

ଉତ୍ତରୋତ୍ତରୋତ୍କର୍ଷଃ ବସ୍ତୁ ନଃ ସାର ଉଚ୍ୟତେ ।

 

ଭାରତରେ ଉତ୍କଳ ଶ୍ରେଷ୍ଠ ଓ ଉତ୍କଳରେ ନୀଳାଦ୍ରିଧାମ ବିଶିଷ୍ଠ–ଏପରି ନୀଳାଦ୍ରିଧାମକୁ ଉତ୍ତରୋତ୍ତର ବାର ବୋଲି ବର୍ଣ୍ଣନା କରିବାରୁ ଏହା ସାରୋପମା ଦେଲା । ଏଥିରେ ଉପମାନ ଲୋଡ଼ା ହୁଏ ନାହିଁ । ଜଗତରେ ସାର ଚେତନ; ଚେତନ ମଧ୍ୟରେ ସାର ମନୁଷ୍ୟ ;ମନୁଷ୍ୟ ମଧ୍ୟରେ ସାର ପଣ୍ଡିତ–ଏପରି ବର୍ଣ୍ଣନା କଲେ ମଧ୍ୟ ସାର ଅଳଙ୍କାର ହୁଏ । କିନ୍ତୁ ଉଦ୍ଧୃତ ବର୍ଣ୍ଣନାରେ ଉପମାନ ଉଲ୍ଲେଖ କରି ତହିଁରେ ମଧ୍ୟ ସାରୋପମା ସନ୍ନିବେଶିତ ହୋଇଅଛି ।” ପର୍ଣ୍ଣ ଦଳେ ଶ୍ରେଷ୍ଠ ପ୍ରସୂନ, ପ୍ରସୂନରେ ଶ୍ରେଷ୍ଠକେଶର” କହିବାରୁ ସାରୋପମା ହେଲା ।

 

(ଚ) ଅନନ୍ୱୟେପମା–ଉପମେୟ ନିଜେ ନିଜର ଉପମାନ ହେଲେ ଅନନ୍ୱୟୋପମା ହୁଏ । ଯଥା : –

 

ତହିଁ ସିଂହାସନେ ସୁନ୍ଦରୀ ଆସୀନା

ଜଗତେ ତୁଳନା ସେହି ତାର ସିନା ।” (ଚିଲିକା)

 

ଏଠାରେ ଉପମେୟ ସୁନ୍ଦରୀ ନିଜେ ନିଜର ଉପମାନ । ଜଗତରେ ତାହାର ଆଉ ଉପମାନ ନାହିଁ ।

 

(ଛ) ଉପମେୟୋପମା–ପ୍ରଥମ ବାକ୍ୟର ଉପମେୟ ଓ ଉପମାନ ଦ୍ୱିତୀୟ ବାକ୍ୟରେ ବିପରୀତ ଭାବରେ ଅର୍ଥାତ ଉପମେୟ ଉପମାନ ରୂପରେ ଓ ଉପମାନ ଉପମେୟ ରୂପରେ ବର୍ଣ୍ଣିତ ହେଲେ ଉପମେୟୋପମା ହୁଏ । ‘‘ହରି ଯେପରି ରାମ ସେପରି ଓ ରାମ ଯେପରି ହରି ସେପରି’’ କହିଲେ ପ୍ରଥମ ବାକ୍ୟର ଉପମେୟ ହରି ଓ ଉପମାନ ରାମ ଦ୍ୱିତୀୟ ବାକ୍ୟରେ ଯଥାକ୍ରମେ ଉପମାନ ଓ ଉପମେୟ । ଏଥର ବର୍ତ୍ତମାନ ପ୍ରଚଳିତ ନାହିଁ ।

 

(ଜ) ପ୍ରତିବସ୍ତୂପମା (parallel smile)–ଦୁଇ ବିଭିନ୍ନ ବାକ୍ୟ ମଧ୍ୟରେ ଗୋଟିଏ ସାଧାରଣ ଧର୍ମ ଭିନ୍ନ ଭିନ୍ନ ଶବ୍ଦକୁ ପ୍ରଣିଧାନ କଲେ ଯଦି ପ୍ରତୀତ ହୁଏ ତେବେ ତାହାକୁ ପ୍ରତିବସ୍ତୁପମା କହନ୍ତି । ଯଥା : –

 

(୧)

“ପୁଣ୍ୟ ଭୂମି ନୋହି ଥିଲେ କି ଏ ବାଳା

 

ଜନମି ଥାନ୍ତା ଉତ୍କଳେ ?

 

ତ୍ରିଦଶ-ସୁନ୍ଦରୀ ସୌଦାମିନୀ କେବେ

 

ସ୍ଫୁରେ କି ବସୁଧା ତଳେ ?” (ଯଯାତିକେଶରୀ)

(୨)

“କି ସାହସ କଲୁରେ !

 

ଖ-ମଣି-ମଣ୍ଡଳକୁ ତୁ କର ବଢ଼ାଇଲୁ ରେ ।’’ (କିଶୋରଚନ୍ଦ୍ରାନନା ଚମ୍ପୁ)

ପ୍ରଥମ ଉଦାହରଣରେ ଲଳିତା ଉତ୍କଳରେ ଜନ୍ମିବା ଓ ସୌଦାମିନୀ ବସୁଧାରେ ସ୍ଫୁରିବା–ଏହି ଦୁଇକ୍ରିୟା ସଦୃଶ ଅଟନ୍ତି । କିନ୍ତୁ ଲଳିତାର ଓ ସୌଦାମିନୀର ସୌନ୍ଦର୍ଯ୍ୟରୂପ ସଦୃଶ ଧର୍ମଟି ବର୍ଣ୍ଣିତ ହୋଇନାହିଁ । ତଥାପି ପ୍ରଣିଧାନ କଲେ ହୃଦୟଙ୍ଗମ ହୁଏ ।

ଦ୍ୱିତୀୟ ଉଦାହରଣରେ ସୂର୍ଯ୍ୟ ମଣ୍ଡଳକୁ ହାତ ବଢ଼ାଇବା ଓ କି ସାହସ କରିବା କଥାଦ୍ୱୟ ପ୍ରଣିଧାନ କଲେ ଦିଓଟି ବିଭିନ୍ନ ହୋଇ ମଧ୍ୟ ଦୁଃସାହସରୂପ ସଦୃଶ ଧର୍ମ ପ୍ରତୀତ ହୁଏ ।

(ଝ) ବିଦେଶୀ ଉପମା (homerio smile)–ପ୍ରାଚୀନ କାଳରେ ଭାରତବର୍ଷରେ ଯେଉଁ ବସ୍ତୁଦ୍ୱୟରେ ସୁପରିଚିତ ସଦୃଶ ଧର୍ମ ଥାଏ ସେମାନଙ୍କୁ ପରସ୍ପର ତୁଳନା କରାଯାଉଥିଲା ବା ଗୋଟିଏ ଅନ୍ୟଟିର ଉପମାନ ହେଉଥିଲା । ଇଂରେଜୀ ସାହିତ୍ୟଙ୍କ ପ୍ରଭାବରେ କୌଣସି ସ୍ୱଳ୍ପ ପରିଚିତ ସଦୃଶ ଧର୍ମ ବିଶିଷ୍ଟ ପଦାର୍ଥକୁ ଉପମାନ ରୂପେ ବ୍ୟବହାର କରିବା ପ୍ରଥା ପ୍ରଚଳିତ ହେଲା-। ଏଣୁ ଉପମାନର ସଦୃଶ ଧର୍ମ ବର୍ଣ୍ଣିତ ହେଲା । ଉପମାନର ସଦୃଶ ଧର୍ମଟି ନିତ୍ୟ ନୋହି ଥିଲେ ଯେପରି ଅବସ୍ଥାରେ ସାଦୃଶ୍ୟ ଜାତ ହୁଏ ତାହା ମଧ୍ୟବର୍ଣ୍ଣନା କରାଗଲା । ଯଥା :–

*

ପ୍ରତି ବସ୍ତୁପମା ସା ସ୍ୟାଦ୍‍ ବାକ୍ୟୟୋର୍ଗମ୍ୟସାମ୍ୟୟୋ

 

ଏ କୋଟି ଧର୍ମଃ ସାମାନ୍ୟୋ ଯତ୍ର ବିନିଦ୍ଦଶ୍ୟତେ ।

 

(୧)

“ଗୃହସ୍ଥ ସଞ୍ଚୟ-ପଟୁ ଯତନେ ସମ୍ପାଦି

 

ସମ୍ପତ୍ତିକି ଠୁଳ କରି ରଖି ଆଟୁଘରେ

 

ନିଶ୍ଚିନ୍ତ ରହଇ ଅଗ୍ନି ଭୟୁ ମନେ ମନେ

 

ଦୈବେ ଯେବେ ଦେଖେ ବହ୍ନି ଆଟୁ ମଞ୍ଚତଳେ

 

ଗୃହପତି କାତର ସେ ହୁଅଇ ଯେସନ

 

ବିପ୍ର–କ୍ଷତ୍ରିୟର ଭାବୀ ଅବନତି ଶୁଣି

 

କାତର ତେସନ ହେଲେ କୌନ୍ତେୟ ସୁମତି ।” (ମହାଯାତ୍ରା)

(୨)

“ହେମାଗ ହଳଦିବସନ୍ତ

 

ଦେଖି ଯେହ୍ନେ ସଞ୍ଚାଣ

 

ଅନ୍ତରୀକ୍ଷେ ଧାଏଁ ସଳଖେ

 

କ୍ଷଣପ୍ରଭା ସମାନ

 

ଜୀବନ–ବିକଳେ ସଭୟେ

 

ଖରେ ଧାଏଁ ଦୁର୍ବଳ,

 

ଖରତର ବେଗେ ଜୀବିକା

 

ଆଶେ ଧାଏଁ ପ୍ରବଳ,

 

ମୁହୁ ଚଞ୍ଚୁମୁନ ସଞ୍ଚାଣ

 

ପଛୁଁ କରୁ ବିସ୍ତାର

 

ମଣେ କରଗତ ପଲକେ

 

ହେଲା ପରା ଶିକାର

 

ହଳଦିବସନ୍ତ ଏକାନ୍ତ

 

ପ୍ରାଣଭୟେ ଅସ୍ଥିର,

 

କ୍ଷଣେ ଧୃତ କ୍ଷଣେ ମୁକତ

 

ମଣେ ନିଜ ଶରୀର,

 

କାଞ୍ଚନ ପୁଚ୍ଛକୁ ସଞ୍ଚାଣ

 

ଚଞ୍ଚୁ କ୍ଷଣେ ପରଶେ

 

ଚଞ୍ଚଳେ ଏଡ଼ାଇ ଶିକାର

 

ଖରେ ତିର୍ଯ୍ୟକେ ଖସେ,

 

ଏହିରୂପେ ହରି ଧାଆନ୍ତି

 

ପ୍ରେମ ଭୋଳେ ବିହ୍ୱଳ,

 

ଅବଳା ବାଳାକୁ ଏ ରୂପେ

 

ଭୀତି ଦିଅଇ ବଳ ।” (ଚନ୍ଦ୍ରଭାଗା)

 

ପୂର୍ଣ୍ଣୋପମାରେ ଉପମାନର ବା ଉପମେୟର ସଦୃଶ ଧର୍ମ ବର୍ଣ୍ଣନା କରାଯାଏ । କିନ୍ତୁ ଏଥିରେ ଉପମାନର ସଦୃଶ ଧର୍ମର ଦୀର୍ଘ ବର୍ଣ୍ଣନା ସନ୍ନିବେଶିତ ହୁଏ ନାହିଁ ।

 

(୨). ଅଧିକାରୁଢ଼–ଯେଉଁଠାରେ ଉପମେୟର ଗୁଣ ବା ଦୋଷ ଉପମାନର ଗୁଣ ବା ଦୋଷଠାରୁ ଅଧିକ ବୋଲି ବର୍ଣ୍ଣନା କରାଯାଏ ସେଠାରେ ଏହି ଅଳଙ୍କାର ହୁଏ । ଯଥା:–

 

(୧)

“ଅଶ୍ରୁସିକ୍ତ ମୁଖେ ନିରୁପମ ଶୋଭା

 

ବହି ସେ ମତ୍ତବାଶିନୀ

 

ହିମବିନ୍ଦୁ ସ୍ତବ-କିନୀ ଅମ୍ବୋଜିନୀ

 

ଶୋଭା ଯାଇ ଥିଲା କିଣି ।” (ଉର୍ବଶୀ)

(୨)

“ମୁଖ ହେବ ଏମନ୍ତ ବିଚାରି, ପଦ୍ମବିଧୁ

 

ହସ୍ତ–ବଳା କରି ଆଗେ ଗଢ଼ି ଗଲା ସାଧୁ ।” (ଲାବଣ୍ୟବତୀ)

 

ପ୍ରଥମ ଉଦାହରଣରେ ଉପମେୟ ଉର୍ବଶୀର ମୁଖ ଉପମାନ ପଦ୍ମଠାରୁ ଅଧିକ ସୁନ୍ଦର ବୋଲି କୁହାଯାଇ ଅଛି । ଦ୍ୱିତୀୟ ଉଦାହରଣରେ ଉପମେୟ ଲାବଣ୍ୟବତୀର ମୁଖ ଅଭ୍ୟସ୍ତ ହସ୍ତର ଶିଳ୍ପ ଓ ଉପମାନ ପଦ୍ମ ଓ ବିଧୁ ଆନଭ୍ୟସ୍ତ ହସ୍ତର ଶିଳ୍ପ ବୋଲି କହିଥିବାରୁ ଉପମେୟର ସୌନ୍ଦର୍ଯ୍ୟ ଉପମାନଠାରୁ ଅଧିକ ବୋଲି ଜଣାଯାଏ ।

 

(୩) ପ୍ରତୀତ (reversed simile)–ଉପମେୟଠାରୁ ଉପମାନ ନିକୃଷ୍ଟ ବୋଲି ବର୍ଣ୍ଣନା କଲେ ଏହି ଅଳଙ୍କାର ହୁଏ । ଅଧିକା ରୂଢ଼ରେ ଉପମେୟ ଉତ୍କୃଷ୍ଟ ଓ ପ୍ରତୀତାରେ ଉପମାନ ନିକୃଷ୍ଟ ବୋଲି କୁହାଯାଏ । ବିଶେଷ ପ୍ରଭେଦ ନାହିଁ । ଯଥା : –

 

(୧)

“ଚନ୍ଦ୍ରକୁ ନିନ୍ଦା କରୁଛି ମୁଖ-ହାସ-ପନ୍ତି;

 

ସାରଙ୍ଗକୁ ନିନ୍ଦୁଛି ନୟନ-ଭୂରୁପନ୍ତି ।

 

ଦେଖ ପଦ୍ମ ଲପନ-ଶୋଭାକୁ ଯାର ହାରି

 

ଚରଣ–ତଳେ ଶରଣ ପଶି ଅଛି ଡରି ।” (ଲାବଣ୍ୟବତୀ)

(୨)

‘ବିଶ୍ୱଚିତ୍ତ ବଶପାଇଁ ପ୍ରୀତି ମୂର୍ତ୍ତିମନ୍ତ–ହୋଇ

 

ଆଣିମାଦି ଦେବ, ଅଣିହୋଇ ଶୋଇଛି,

 

ପାଣି ଦେବା ଗଣ୍ଡ ତଳେ ଶଶୀ କୋକନଦ କୋଳେ

 

ପହୁଡ଼ିବାର ଶୋଭାକୁ ହସି ଦେଉଛି ।’ (ବିଦଗ୍‍ଧ ଚିନ୍ତାମଣି)

 

ପ୍ରଥମ ଉଦାହରଣରେ ଉପମେୟ ଲାବଣ୍ୟବତୀର ମୁଖ ହାସ ଓ ନୟନ-ଭୂରୁ ଉପମାନ ଚନ୍ଦ୍ରକୁ ଓ ମୃଗକୁ ଯଥାକ୍ରମେ ନିନ୍ଦା କରନ୍ତି; ପଦ୍ମ ମୁଖ-ଶୋଭା ସଙ୍ଗେ ସମାନ ନ ହେବାରୁ ପଦ ଶୋଭାରେ ବାସ କରେ ଏପରି କହିବାରେ ଉପମାନ ନିକୃଷ୍ଟ ବୋଲି ବର୍ଣ୍ଣନା କରା ଯାଇଅଛି ।

 

ଦ୍ୱିତୀୟ ଉଦାହରଣରେ ରାଧା ଗଣ୍ଡତଳ ହାତ ଉପରେ ରଖି ଶୋଇବା ଶୋଭା ରକ୍ତ ପଦ୍ମସ୍ଥିତ ଚନ୍ଦ୍ରର ଶୋଭାକୁ ହସୁଥିବାରୁ ଉପମାନ ନିକୃଷ୍ଟ ।

 

(୪) ବ୍ୟତିରେକ–ଯେଉଁଠାରେ ଉପମେୟ ସହିତ ଉପମାନ ଆଦୌ ତୁଳନା ଯୋଗ୍ୟ ନୁହେ ବୋଲି ବର୍ଣ୍ଣିତ ହୁଏ ସେଠାରେ ଏହି ଅଳଙ୍କାର ହୁଏ । ଯଥା : –

 

“ଦିଶୁଥିଲା ଶିଶୁ ହରିଣାକ୍ଷୀ ରତ୍ନ–

ଭୂଷଣେ କିବା ମଞ୍ଜୁଳ ।

ତୁଳ ତାର ସିନା ହୁଅନ୍ତା ତଡ଼ିତ

ଲତାରେ ଫୁଟିଲେ ଫୁଲ ।” (ଯଯାତିକେଶରୀ)

 

ତଡ଼ିତରେ ଫୁଲ ଫୁଟିଲେ ତଡ଼ିତ ଲଳିତା ସହିତ ତୁଳନାଯୋଗ୍ୟ ହୁଅନ୍ତା ବୋଲି କହିବାରୁ ଉପମେୟ ଲଳିତାର ତଡ଼ିତ ଉପମାନ ନୁହେ ବୋଲି ଜଣାଯାଏ ।

 

(୫) ସନ୍ଦେହ–ଉପମେୟ ଓ ଉପମାନ ମଧ୍ୟରେ ପ୍ରଭେଦ ଉପଲବ୍‍ଧି କରି ନ ପାରି ଉପମେୟକୁ ଉପମାନ ରୂପରେ ସନ୍ଦେହ କବଳ ଏହି ଅଳଙ୍କାର ହୁଏ । ଏଥିରେ କି, ଅବା ନିକି, କିବା ପ୍ରଭୃତି ସନ୍ଦେହ–ଦ୍ୟୋତକ ଅବ୍ୟୟମାନଙ୍କ ମଧ୍ୟରୁ ଗୋଟିଏ ବ୍ୟବହୃତ ହୋଇଥାଏ ଯଥା : –

 

“ଯୌବନର ମାଠେ ମଠା ହୋଇ ଅଙ୍ଗ–

ଯଷ୍ଟି କିବା ପଲ୍ଲବିତା ?

ଶାରଦ ଶିଶିର- ନୀରେ ମ୍ନାତ କି ସେ

ଲତିକା ଅପରାଜିତା ?” (ଯଯାତି–କେଶରୀ)

 

ଯୌବନର ସ୍ପର୍ଶରେ ଲଳିତାର ଅଙ୍ଗ–ଯଷ୍ଟିରେ ନୂତନ ହରିତ ପତ୍ର କଅଁଳିଥିବାର ଅଥବା ଶରତ୍‍କାଳରେ ଅପରାଜିତା ଲତା ଶିଶିର ସ୍ନାତ ହୋଇଥିବାର ସନ୍ଦେହ ଏଠାରେ ଉପସ୍ଥିତ ହୋଇଅଛି ।

 

(୬) ଉତ୍‍ପ୍ରେକ୍ଷ (hypothetical metaphor)–ଉପମେୟ ଓ ଉପମାନ ମଧ୍ୟରେ ଅଥବା ଯେ କୌଣସି ବର୍ଣ୍ଣନୀୟ ପ୍ରକୃତ ବିଷୟ ଓ କଳ୍ପିତ ବିଷୟ ମଧ୍ୟରେ ଅଭେଦ କଥନକୁ ଉତ୍‍ପ୍ରେକ୍ଷା (୧) କହନ୍ତି । ଏଥିରେ ‘ସତେ’, ’ପରା’, ’ସତେ’ ପରା ‘ସତେ ଯେପରି’, ’ସିନା’ ପ୍ରକୃତି ଅବ୍ୟୟମାନଙ୍କ ମଧ୍ୟରୁ ଗୋଟିଏ ବ୍ୟବହୃତ ହୋଇଥାଏ । ‘ପରା’ ସାଦୃଶ୍ୟବାଚକ ଓ ନିଶ୍ଟୟବାଚକ ଉଭୟ ହୁଏ, (ତାହା ପରା ପଦାର୍ଥ) କଥାରେ ସାଦୃଶ୍ୟବାଚକ ଏବଂ ରାମ ଖାଉଛି ପରା’ କଥାରେ ନିଶ୍ଚୟବାଚକ । ଏଣୁ ସୂକ୍ଷ୍ଣ ବିବେଚନାରେ ଅର୍ଥ ଗ୍ରହଣ ନ କଲେ ‘ପରା’ ଶବ୍ଦ ବ୍ୟବହୃତ ବାକ୍ୟରେ ଉତ୍‍ପ୍ରେକ୍ଷା ଅଳଙ୍କାର ନିରୂପଣ କରିବା କଠିନ ।

 

*

ସନ୍ଦେହଃ ପ୍ରକୃତେଽନ୍ୟସ୍ୟ ସଂଶୟଃ ପ୍ରତିଭୋତ୍‍ଥିତଃ ।

(୧)

ଭବେତ ସମ୍ଭାବନୋତ୍‍ ପ୍ରେକ୍ଷା ପ୍ରକୃତସ୍ୟ ପରାତ୍ମନଃ ।

 

ବଚ୍ୟା ପ୍ରତୀୟମାନା ସା ପ୍ରଥମଂ ହିବିଧା ମତା ।

 

ଏହି ଅଳଙ୍କାର ବାଚ୍ୟା ଓ ପ୍ରତୀୟମାନା ଭେଦରେ ଦୁଇ ପ୍ରକାର । ଯେଉଁଠାରେ ନିଶ୍ଚୟବାଚକର ଉଲ୍ଲେଖ ଥାଏ ତାହା ବାଚ୍ୟା, ଯେଉଁଠାରେ ନ ଥାଏ ତାହା ପ୍ରତୀୟମାନ । ଯଥା–

 

ବାଚ୍ୟା–

‘ତାଡ଼ ବାଜୁବନ୍ଧ ବାହେ ଝୁମ୍ପା ଜଗଜ୍ଜନ ମୋହେ

 

କଳ୍ପଲତାରେ ସୁମନ ଫୁଟିଛି ପରା ।” (ବିଦଗ୍‍ଧ ଚିନ୍ତାମଣି)

 

 

ପ୍ରତୀୟମାନା–

“ଉତ୍ତମାଙ୍ଗ ସଙ୍ଗପାଇ ମୋତିଜାଲି କି ଶୋହଇ

 

ମର୍କତ ଗବାକ୍ଷେ ବିଧୁ କିରଣଗଳା,” (ବିଦଗ୍‍ଧ ଚିନ୍ତାମଣି)

 

ରାଧାଙ୍କ ଦେହରେ ଅଳଙ୍କାର ଥିବାରୁ କଳ୍ପ-ଲତାରେ ଫୁଲ ଫୁଟିଛି ବୋଲି ନିଶ୍ଚିତ ରୂପେ ‘ପରା’ ଶବ୍ଦ ସୂଚନା କରୁଅଛି ।

 

ମସ୍ତକର ମୋତିଜାଲି ଅଳଙ୍କାରର ଜ୍ୟୋତି ରାଧାଙ୍କ ମୁଖରେ ଝଲସୁ ଥିବାରୁ ଚନ୍ଦ୍ର-କିରଣ ମର୍କତ-ଗବାକ୍ଷର ପଥରେ ଅନ୍ଧକାର ଗୃହକୁ ପ୍ରବେଶ କରାପରି ଦେଖାଯାଉଛି । କିନ୍ତୁ କୌଣସି ସାଦୃଶ୍ୟବାଚକ ବା ନିଶ୍ଟୟବାଚକ ଶବ୍ଦରେ ଉଲ୍ଲେଖ ନାହିଁ । ତଥାପି ସେଠାରେ ସେ ଭଳି ଗୋଟିଏ ଶବ୍ଦ ଥିବାର ପ୍ରତୀତ ହୁଏ ବୋଲି ତାହାକୁ ପ୍ରତୀୟମାନ କହନ୍ତି ।

 

ବିଦଗ୍‍ଧ ଚିନ୍ତାମଣିର ପ୍ରାଚୀ-ସଂସ୍କରଣରେ ସନ୍ଦେହଦ୍ୟୋତକ ‘କ’ ଯେଉଁ ବାକ୍ୟରେ ଅଛି ତହିଁରେ ଉତ୍‍ପ୍ରେକ୍ଷ-ଅଳଙ୍କାର କିପରି ଟୀକାକାର ନିରୂପଣ କରି ଅଛନ୍ତି, ଜଣା ଯାଏନାହିଁ ।

 

(୭) ସ୍ମରଣ–ଏକ ପଦାର୍ଥ ବା ବିଷୟ (ଉପମେୟ) ଅନୁଭବ କଲାବେଳେ ତାହାର ସଦୃଶ ଧର୍ମଯୁକ୍ତ ପଦାର୍ଥ (ଉପମାନ)ମନେ ପଡ଼ିଲେ ଏହି ଅଳଙ୍କାର ହୁଏ । ଯଥା–

 

“ଦେଖି ଚରାଙ୍ଗୀର ନୀଳାମ୍ବର ଶୋଭୀ

ସୂଚାରୁ ଅଙ୍ଗ ଲତିକା

ସ୍ମରିଲେ ରାଣୀଏ ପରିଚିତ ନୀଳ

ସିନ୍ଧୁ ହିଲ୍ଲୋଳେ ଚନ୍ଦ୍ରିକା ।” (ପାର୍ବତୀ)

 

ତରଙ୍ଗାକାରରେ ପରିହିତ ନୀଳ ଶାଢ଼ୀ ତଳେ ଚନ୍ଦ୍ରର କାନ୍ତି ସଦୃଶ ଅଙ୍ଗ ଦେଖାଯାଉଥିବାରୁ ସାଗରର ନୀଳ ତରଙ୍ଗରେ ପ୍ରତିବିମ୍ବିତ ଚନ୍ଦ୍ରିକା ମନେ ପଡ଼ିଲା । ଏଣୁ ଏହା ସ୍ମରଣାଳଙ୍କାର ।

 

(୮) ଅନୁମାନ–ଅନୁମାପକର ଯେଉଁଠାରେ ପ୍ରକୃତ ଓ ଅପ୍ରକୃତ ପଦାର୍ଥ ମଧ୍ୟରେ ଭେଦ ଜ୍ଞାନ ଥାଏ, ତଥାପି ପ୍ରକୃତ ପଦାର୍ଥକୁ ଅପ୍ରକୃତ ପଦାର୍ଥ ରୂପରେ କଳ୍ପନା କରେ ସେଠାରେ ଏହି ଅଳଙ୍କାର ହୁଏ । ପାଞ୍ଚେ, ଭାବେ, ମନେ ହୁଏ, ପ୍ରତୀତ ହୁଏ, ଅନୁମାନ କରେ ପ୍ରଭୃତି ପଦମାନଙ୍କମଧ୍ୟରୁ କୌଣସି ଗୋଟିଏ ଏଥିରେ ବ୍ୟବହୃତ ହୋଇଥାଏ, ଯଥା : –

 

(୧)

“ସୁମୁଖୀ–ଚନ୍ଦ୍ରମା ମୁଖଦେଖି ମୁଗ୍‍ଧ

 

ମାନସ ଏସନ ପାଞ୍ଚେ–

 

ବିଶ୍ୱ–କାନ୍ତି–ସାର ଗୋଳି ଅବା ମାର

 

ଢାଳି ଅଛି ପ୍ରେମ–ଛାଞ୍ଚେ ।” (ଯଯାତିକେଶରୀ)

(୨)

“ଅନୁମାନେ ଆସେ- ଅଗେ ବିଧି-ସାଧି

 

ପଦ୍ମେ ଚନ୍ଦ୍ରେ ହାତ ବଳା

 

ଅଭ୍ୟାସେ ପାଟବ ଅରଜି ପଚ୍ଛକୁ

 

ଗଢ଼ିଲେ ଏହି ଅବଳା ।” (ଯଯାତିକେଶରୀ)

 

(୯) ଭ୍ରାନ୍ତିମାନ–(rhetorical mistake)–ଯେଉଁଠାରେ ପ୍ରୟୋଜନୀୟ ବା ପ୍ରକୃତ ବସ୍ତୁର ସାଦୃଶ୍ୟ ଅପ୍ରୟୋଜନୀୟ ବା ଅପ୍ରକୃତ ପଦାର୍ଥରେ ଦେଖି ଭ୍ରମ ଜାତ ହେବାରୁ ଭେଦ–ଜ୍ଞାନ ଜନ୍ମେ ନାହିଁ, ସେଠାରେ ଏହି ଅଳଙ୍କାର ହୁଏ । ଯଥା : –

 

(୧)

“ଅପୂର୍ବ ଅମ୍ବୁଜ-ମୁଖକୁ ଚାହିଁ ଭୃଙ୍ଗ ଚକୋର

 

ଚୁମ୍ବିବା ଲୋଭରେ ଧାଇଁଲେ ଶ୍ରୂତି ଚାହିଁ କାତର ।” (ଲାବଣ୍ୟବତୀ)

(୨)

‘‘ରୂପଜ ମୋହରେ ପୁଷ୍ପ-ମାଳା ଭ୍ରମେ

 

ଗଳା-ମାଳା କଲି କାଳ-ଭୂଜଙ୍ଗିନୀ ।” (ଦଶରଥ ବିୟୋଗ)

 

ପ୍ରଥମ ଉଦାହରଣରେ ଲାବଣ୍ୟବତୀର ମୁଖ ଦେଖି ତାହା ପଦ୍ମ ବୋଲି ଭ୍ରମରମାନଙ୍କର ଓ ଚନ୍ଦ୍ର ବୋଲି ଚକୋରମାନଙ୍କର ଭ୍ରମ ଜାତ ହେବାରୁ ଚୁମ୍ବିବା ପାଇଁ ଧାଇଁଥିବା ବର୍ଣ୍ଣିତ ।

 

ଦ୍ୱିତୀୟ ଉଦାହରଣରେ ଇର୍ଷ୍ୟାନ୍ୱିତା କୈକେୟୀଙ୍କୁ ଦଶରଥ କୋମଳପ୍ରାଣ ବୋଲି ଭ୍ରମରେ ମନେ କରିଥିବା ବର୍ଣ୍ଣିତ ।

 

(୧୦) ମୀଳିତ–ସ୍ୱାଭାବିକ ଅଥବା କୃତ୍ରିମ ଲକ୍ଷଣର ସାମଞ୍ଜସ୍ୟ ହେତୁରୁ ଏକ ପଦାର୍ଥରେ ଅନ୍ୟପଦାର୍ଥ ତିରୋହିତ ହେଲେ ଏହି ଅଳଙ୍କାର ହୁଏ । ଯଥା : –

 

“ଶିବାଙ୍କୁ ହୋଇଲେ ଭୀମ ଅଛନ୍ତି ନାହାନ୍ତି ଭ୍ରମ

ଭୀମ ଗଙ୍ଗାକୁ ଲୋଡ଼ିଲେ ଜଟା ଫଟାଇ

କୁସୁମବତୀ ବ୍ରତତୀ ଅଦୃଷ୍ଟ ଲଜ୍ଜାର ରୀତି

ମୋତିହାରବନ୍ତୀ–ମତି ଚିନ୍ତାକୁ ପାଇ ।” (ବିଦଗ୍‍ଧ ଚିନ୍ତାମଣି)

 

ଶରତ-କାଳର ପୂର୍ଣ୍ଣିମାରେ ଚନ୍ଦ୍ରକିରଣ ଅତିଶୟ ଉଜ୍ଜ୍ୱଳ ହୋଇଥିବାରୁ ସମସ୍ତ ଶୁକ୍ଳବର୍ଣ୍ଣ ପଦାର୍ଥ ଚନ୍ଦ୍ରକିରଣରେ ତିରୋହିତ ହୋଇ ସେମାନଙ୍କ ପୃଥକ୍ ପୃଥକ୍ ସତ୍ତା ଉପଲବ୍ଧ ହେଉ ନ ଥିଲା-। ଏଣୁ ପାର୍ବତୀ (ଶିବା) ଶିବ (ଭୀମ) ଅଛନ୍ତି କି ନାହିଁ, ଜାଣି ପାରିଲେ ନାହିଁ । ଶିବ (ଭୀମ) ଗଙ୍ଗାକୁ ଦେଖି ନ ପାରି ଜଟା ଫିଟାଇ ଖୋଜିଲେ । ଫୁଲ ଫୁଟିଥିବା ଲତାରେ ଫୁଲ ଦେଖାଗଲା ନାହିଁ (ଅଦୃଷ୍ଟରଜା-ଅପୁଷ୍ପବତୀ); ମୋତିମାଳା ପିନ୍ଧିଥିବା ନାରୀ ନିଜର ମୋତିମାଳା ଦେଖି ନ ପାରି ବଡ଼ ଚିନ୍ତାରେ ପଡ଼ିଲା ।

(୧୧) ନିଶ୍ଚୟ–ଉପମାନର ସଦୃଶ ଧର୍ମକୁ ବିଚାର ଦ୍ୱାରା ନ୍ୟୂନ ବୋଲି ସ୍ଥିର କରି ଉପମେୟକୁ ପ୍ରକୃତ ବୋଲି ଗ୍ରହଣ କଲେ ଏହି ଅଳଙ୍କାର ହୁଏ । ଯଥା : –

(୧)

“ଧରିମନ ତାକୁ ଦେଖିଲା

 

ନୁହେ କପୋତ–ସ୍ୱନ

 

ନୁହଇ କୋକିଳ–କାକଳି,

 

ନୁହେ ବୀଣା–ନିକ୍ୱଣ,

 

ନୁହେ ଶଙ୍ଖନାଦ ନୁହଇ

 

ମୟୂର–ମଧୁର କେକା,

 

ଲଳନା–କରୁଣ କଣ୍ଠର

 

ସ୍ୱର–ନିର୍ଝର ଏକା ।” (ତପସ୍ୱିନୀ)

(୨)

“ଭାଳୁଛି ନୁହଇ ମାର ନାହିଁ ଫୁଲ ଧନୁଶର

 

ସୁଧାକର ନୁହେ ତହିଁ କଳଙ୍କ ଅଛି,’’ (ଲାବଣ୍ୟବତୀ)

(୧୨) ଦୃଷ୍ଟାନ୍ତ (parallel)–ଏଥିରେ ଦୁଇ ସଦୃଶ ପଦାର୍ଥର ସାଧାରଣ ଧର୍ମ ବର୍ଣ୍ଣିତ ହୋଇ ନ ଥାଏ ଓ ଯଥା, ଯେପରି ପ୍ରଭୃତି ଉପମାବାଚକ ଶବ୍ଦର ଉଲ୍ଲେଖ ନ ଥାଏ । କେବଳ ପ୍ରଣିଧାନ କଲେ ସାଦୃଶ୍ୟ ବୁଝାଯାଏ । ଯଥା : –

(୧)

“ବିତରେ ଅକାତରେ ଜୀବନ ଘନ,

 

ଧନ୍ୟ ଯେ ଦାତା ଜାଣେ ଯାଚକ–ମନ ।” (ତୁଳସୀ ସ୍ତବକ)

(୨)

“ଗୋଦାବରୀକି ସର୍ବେ କରନ୍ତି ଗତି,

 

ମହତ ଆଶ୍ରାବିନୁ କାହିଁ ମୁକତି ?” (ତୁଳସୀ ସ୍ତବକ)

 

ପ୍ରଥମ ଉଦାହରଣରେ ଘନ ଜଳ ବିତରଣ କରିବା ବର୍ଣ୍ଣିତ । କିନ୍ତୁ ଦାତା ଧନ ବିତରଣ କରିବା ରୂପ ସଦୃଶ କାର୍ଯ୍ୟ ବର୍ଣ୍ଣିତ ହୋଇନାହିଁ । ତାହା ପ୍ରଣିଧାନ କଲେ ପ୍ରତୀତ ହୁଏ । ପୁଣି କୌଣସି ଉପମାବାଚକ ଶବ୍ଦ ନାହିଁ ।

 

ଦ୍ୱିତୀୟ ଉଦାହରଣରେ ସବୁ କ୍ଷୁଦ୍ର ନଦୀ ଗୋଦାବରୀକି ଗତି କରୁଥିବା ବର୍ଣ୍ଣିତ । କିନ୍ତୁ କ୍ଷୁଦ୍ର ବ୍ୟକ୍ତି ମହତ୍‍ ଲୋକ ନିକଟକୁ ଯାଉଥିବା ବର୍ଣ୍ଣିତ ନୋହିଥିଲେ ମଧ୍ୟ ପ୍ରଣିଧାନ କଲେ ବୁଝାଯାଏ । ଏଥିରେ ମଧ୍ୟ ଉପମାବାଚକ ଶବ୍ଦ ନାହିଁ । ଏହିପରି ଉଦ୍ଧୃତ ଚରଣମାନଙ୍କରେ ଦୃଷ୍ଟାନ୍ତ–ଅଳଙ୍କାର ଅଛି । କିନ୍ତୁ ନିମ୍ନୋକ୍ତ କରଣମାନଙ୍କରେ ନାହିଁ । ଯଥା : –

 

(୧)

ବର୍ଷନ୍ତି ମହୀମୁଖେ ନଇଁ ଅମ୍ବୁଦେ,

 

ବିଦ୍ୟା–ସମ୍ପଦେ ଯଥା ନମନ୍ତି ବୁଧେ । (ତୁଳସୀ ସ୍ତବକ)

(୨)

“ଚାଲନ୍ତି କୂଳ ଲଂଘି ଗିରି–ସରିତେ,

 

ମତ୍ତ ପାମରେ ଯଥା ଅଳପ ବିତ୍ତେ” (ତୁଳସୀ ସ୍ତବକ)

 

ପ୍ରଥମ ଉଦାହରଣରେ ପଣ୍ଡିତମାନଙ୍କର ଓ ମେଘମାନଙ୍କର ନଇଁବା ରୂପ ସଦୃଶ କାର୍ଯ୍ୟ ବର୍ଣ୍ଣିତ ଓ ଉପମାବାଚକ ‘ଯଥା’ ଶବ୍ଦ ଉଲ୍ଲିଖିତ ଅଛି ।

 

ଦ୍ୱିତୀୟ ଉଦାହରଣରେ ଗିରି–ସରିତ କୂଳ-ଲଂଘିବାରେ ତାହାର ମତ୍ତତା ଓ ପାମରର ମତ୍ତତାରେ ଉଚ୍ଛୃଙ୍ଖଳତା ରୂପ ସଦୃଶ କାର୍ଯ୍ୟ ଏବଂ ଗିରି-ସରିତର ଅଳ୍ପ ଜଳ ଓ ପାମରର ଅଳ୍ପ ବିତ୍ତ ରୂପ ସଦୃଶ ଧର୍ମ ବିନା ପ୍ରଣିଧାନରେ ପ୍ରତୀତ ହୁଏ । ପୁଣି ଉପମାବାଚକ ‘ଯଥା’ ଶବ୍ଦର ଉଲ୍ଲେଖ ଅଛି । ଏଣୁ ଉଦ୍ଧୃତ ଚରଣମାନଙ୍କରେ ଦୃଷ୍ଟାନ୍ତ–ଅଳଙ୍କାର ନ ଥାଇ ପୂର୍ଣ୍ଣୋପମା-ଅଳଙ୍କାର ଅଛି ବୋଲି କହିବାକୁ ହେବ ।

 

(୧୩) ଅପହ୍ନୁତି–ପ୍ରକୃତ ବସ୍ତୁକୁ ନିଷେଧ କରି ଅପ୍ରକୃତ ବସ୍ତୁ ସ୍ଥାପନ କଲେ ଏହି ଅଳଙ୍କାର ହୁଏ । ଯଥା : –

 

“ଅର୍ଦ୍ଧେନ୍ଦୁ ଲଲାଟେ ସିନ୍ଦୁର-

ବିନ୍ଦୁ ରମଇ ଆଖି,

ନୁହଇ ସିନ୍ଦୂର, ରହିଛି

ସ୍ମର–ହୃଦୟ ଲାଖି ।” (ଚନ୍ଦ୍ରଭାଗା)

 

ଏଥିରେ ପ୍ରକୃତ ସିନ୍ଦୁର–ବିନ୍ଦୁକୁ ନିଷେଧ କରି ଅପ୍ରକୃତ ସ୍ମର–ହୃଦୟକୁ ସ୍ଥାପନ କରାଯାଇଅଛି ।

 

(୧୪) ନିଦର୍ଶନା–(transference of attributes)–କୌଣସି ବସ୍ତୁରେ ଅସମ୍ଭବ ଗୁଣ ବା କାର୍ଯ୍ୟ କଳ୍ପନା କରାଗଲେ ଏହି ଅଳଙ୍କାର ହୁଏ । ଯଥା : –

 

 

(୧)

“ଏ ବାଳାକୁ ବନ- ବାସ ସୁହାଇଲେ

 

ବିଧି ଆହା କି ବିଚାରେ ?

 

ଶମୀ ଛେଦିବାକୁ ଲୋଡ଼ିଲେ ସିନା ସେ

 

ନୀଳୋତ୍ପଳ–ଦଳ–ଧାରେ ।” (ଯଯାତିକେଶରୀ)

(୨)

“ବିଧି ସୃଷ୍ଟିକ୍ରମ- ପ୍ରତୀପ ବାସନା

 

ପୋଷଇ ହୃଦେ ଯେ ପ୍ରାଣୀ,

 

ତୃଣ ହୋଇ ସିନା ଉଠିବାକୁ ଲୋଡ଼େ

 

ପ୍ରପାତ–ସ୍ରୋତେ ଉଜାଣି ।” (ଯଯାତିକେଶରୀ)

(୩)

ଏହା କହି ରାୟେ ପାର୍ଶ୍ୱଚର ରାଜ–

 

କୁମାରଙ୍କୁ କରି ଲକ୍ଷ୍ୟ

 

ବୋଇଲେ ଶଶକ ମନାସଇ ଏବେ

 

ଧରଷିବାକୁ ହର୍ଯ୍ୟକ୍ଷ ।” (ପାର୍ବତୀ)

(୪)

“ହା ଦୈବ ! ଜମ୍ବୁକ ପଶି ହର୍ଯ୍ୟକ୍ଷଗୁହାରେ

 

ଗୋଇଠା ପ୍ରହାରି ନେବ ତା’ ମୁଖୁଁ ଓଟାରି

 

ଗ୍ରାସ ତା’ର ହର୍ଯ୍ୟକ୍ଷ ତା ସହିବ ମଉନେ ?” (ମହାଯାତ୍ରା)

 

ଏଠାରେ ନୀଳୋତ୍ପଳ–ଦଳରେ ଶମୀ ବୃକ୍ଷ କାଟିବା, ତୃଣ ପ୍ରପାତ–ସ୍ରୋତରେ ଉଜାଣି ଉଠିବା, ଶଶକ ସିଂହକୁ ଆକ୍ରମଣ କରିବା ଓ ଶୃଗାଳ ସିଂହକୁ ଗୋଇଠା ମାରିବା ପ୍ରଭୃତି ଦୃଷ୍ଟାନ୍ତ ରୂପେ ଉଲ୍ଲେଖ କରାଯାଇଥିଲେ ମଧ୍ୟ ଏଥିରେ ପ୍ରତ୍ୟେକ ବସ୍ତୁରେ ଅସମ୍ଭବ କାର୍ଯ୍ୟ କଳ୍ପନା କରାଯାଇଅଛି । ଏଣୁ ଏଗୁଡ଼ିକ ନିର୍ଦଶନାଳଙ୍କାର । ଦୃଷ୍ଟାନ୍ତ–ଅଳଙ୍କାରରେ ସଦୃଶ ଗୁଣ ବା କ୍ରିୟା ଉପମାନରେ କଳ୍ପନା କରାଯାଏ ନାହିଁ; ଉପମାନରେ ତାହା ସ୍ୱାଭାବିକ । ଅସମ୍ଭବ ଗୁଣ ବା କ୍ରିୟା କଳ୍ପନା କରିବା ଦୂରର କଥା ।

 

(୧୫) ଅର୍ଥାନ୍ତର ନ୍ୟାସ (Cerroboration)–ସାମାନ୍ୟ ଦ୍ୱାରା ବିଶେଷ ବା ବିଶେଷଦ୍ୱାରା ସାମାନ୍ୟ ଅଥବା କାର୍ଯ୍ୟଦ୍ୱାରା କାରଣ ବା କାରଣଦ୍ୱାରା କାର୍ଯ୍ୟକୁ ସମର୍ଥନ କଲେ ଅର୍ଥାତ୍ ସଙ୍ଗତ ବୋଲି ପ୍ରତିପାଦନ କଲେ ଏହି ଅଳଙ୍କାର ହୁଏ । ଯଥା : –

 

(୧)

“ସେ କାଳେ ଦାବାନଳ ଗିରି–କାନନେ

 

ଜଳୁଥିବ ହେ ଯେବେ ବାରି–ବର୍ଷଣେ

 

ଲିଭାଇବ ଅନଳ, ସଂଶୟ ନାହିଁ;

 

ମହତ ଲୋକର ଏ ସୁରୀତି ଭାଇ ।” (ତୁଳସୀସ୍ତବକ)

(୨)

“କଷ୍ଟ ସହିଥିଲି ବୋଲି ସିନା ଆଜ

 

ଧନ୍ୟ ହେଲା ଏ ଜୀବନ ।

 

ସହିବାରୁ ସିନା ହୀରକ ଦାରୁଣ

 

ଅୟୋଘନ–ଘାତ–ଦୁଃଖ

 

ଅବତଂସ–ଛଳେ ଲଭଇ ସୁନ୍ଦରୀ

 

କପୋଳ-ଚୁମ୍ବନ-ସୁଖ । (ଯଯାତି କେଶରୀ)

 

ମହତ୍‍ ଲୋକର ସୁରୀତି ଓ ହୀରକ ଅୟୋଘନ–ଘାତର କ୍ଲେଶ ସହିବା କଥା ଏଠାରେ ଦୃଷ୍ଟାନ୍ତ ସ୍ୱରୂପ ଉଲ୍ଲେଖ କରାଯାଇଅଛି କାହିଁକି ? ବାରି ବର୍ଷି ଗିରି କାନନରୁ ଅଗ୍ନି ନିଭାଇବା ଓ ଦୁଃଖ ସୁଖର କାରଣ ବୋଲି ପ୍ରତିପାଦନ କରିବା ନିମନ୍ତେ । ପ୍ରଥମ ଉଦାହରଣରେ ମହତ୍‍ କାର୍ଯ୍ୟଦ୍ୱାରା ସାମାନ୍ୟ କାର୍ଯ୍ୟ ଓ ଦ୍ୱିତୀୟ ଉଦାହରଣରେ ସାମାନ୍ୟ କାରଣ ଦ୍ୱାରା ମହତ କାରଣ ପ୍ରତିପାଦନ କରା ଯାଇଅଛି । ହୀରକ ଅଚେତନ ପଦାର୍ଥ ହୋଇଥିବାରୁ ତାହାର ଦୁଃଖ ଓ ସୁଖ ସାମାନ୍ୟ । ମନୁଷ୍ୟ ଚେତନ ହୋଇଥିବାରୁ ତାହାର ଦୁଃଖ ଓ ସୁଖ ମହତ୍‍ । ଯାହାହେଉ ଅନ୍ୟ କାର୍ଯ୍ୟ ଓ କାରଣ ସମର୍ଥନ କରିବା ନିମନ୍ତେ ଦୃଷ୍ଟାନ୍ତର ଉଲ୍ଲେଖ କରା ଯାଇଥିବାରୁ ଏହା ଅର୍ଥାନ୍ତରନ୍ୟାସ ଅଳଙ୍କାର । କେବଳ ସଦୃଶ୍ୟ ପରିଷ୍ଫୁଟ କରିବା ନିମନ୍ତେ ଦୃଷ୍ଟାନ୍ତ ଉଲ୍ଲେଖ କରା ଯାଇଥିଲେ ଏହା ଉପମା ବା ଦୃଷ୍ଟାନ୍ତ ଅଳଙ୍କାର ହୁଅନ୍ତା । ଏହିପରି ‘ଯତ୍ନ କଲେ ରତ୍ନ ମିଳେ’ କଥାରେ ଯତ୍ନରୂପ ସାମାନ୍ୟ କ୍ରିୟାଦ୍ୱାରା ରତ୍ନ–ଲାଭ ରୂପ ବିଶେଷ କ୍ରିୟା ସମର୍ଥିତ ହୁଏ ।

ପ୍ରକୃତିର ଏକ ନିୟମ ଜୀବ ଓ ଜଡ଼ ଜଗତରେ କିପରି କାର୍ଯ୍ୟ କରେ ତାହା କବି ଏହି ଅର୍ଥାନ୍ତର ରୂପ ଅଭିବ୍ୟକ୍ତିରେ ପରିଷ୍ଫୁଟ କଲେ ।

(୧୬) ବିଷମ (Contrarsity)–କାରଣରେ ଯେଉଁ ଗୁଣ ବା କ୍ରିୟା ଥାଏ କାର୍ଯ୍ୟରେ ଯଦି ତାହାର ବିପରୀତ ପ୍ରକାଶ ପାଏ, କିମ୍ବା ଯେଉଁ ଫଳ ଲାଭ ଆଶାକରି କାର୍ଯ୍ୟ କରାଯାଏ ତାହାର ବିପରୀତ ଫଳ ଲାଭ ହେଲେ ଅଥବା ଦୁଇ ପରସ୍ପର ବିରୁଦ୍ଧ ବସ୍ତୁର ଏକତ୍ର ସମାବେଶ ଘଟିଲେ ଏହି ଅଳଙ୍କାର ହୁଏ । ଯଥା : –

(୧)

”ଜନ୍ମିବ ରାଠୋର-କୁଳେ ସେ କୁଳ ପାଂଶୁଳ

 

କ୍ଷୀରୋହୁଁ ଗରଳ ପ୍ରାୟେ ମୋ ଶିଖାରୁ ଅବା

 

କମଳ ଅଳନ୍ଧୁ ପ୍ରାୟେ କାନ୍ୟକୁବ୍‍ଜ–ପତି

 

ମନ୍ଦମତି ଜୟଚନ୍ଦ୍ର ଆର୍ଯ୍ୟଭୂମି ଦ୍ରୋହୀ;” (ମହାଯାତ୍ରା)

(୨)

ଫାଟି ପଡ଼ିବାର ନିକୁଞ୍ଜ-ସଞ୍ଚାର

 

ଶ୍ରମୁ ମୋ ଚରଣ-ତଳ

 

ଫତୁରି-ଖୋର ଅଖରକୁ

 

ଏହି ଏକା ଏଥୁଁ ଫଳରେ କିଶୋରୀ !” (ଚମ୍ପୁ)

(୩)

“ପୃଥୁଙ୍କ ସେ ଯଶୋଗାଥା ଜଳିବ ଯେତିକି

 

କ୍ରୋଧ ପିତୃହୃଦେ, ପ୍ରେମ ସେତିକି ସେ ପୁଣି

 

ଢାଳି ଦେବ ସମକାଳେ ଦୁହିତା–ହୃଦୟେ ।” (ମହାଯାତ୍ରା)

 

ପ୍ରଥମ ଉଦାହରଣରେ କାରଣ ସ୍ୱରୂପ ରାଠୋର–କୂଳରୁ ତାହାର ବିପରୀତ ଗୁଣସମ୍ପନ୍ନ ଜୟଚନ୍ଦ୍ର ଜାତ ହୋଇଥିବା ବର୍ଣ୍ଣିତ ହୋଇଅଛି । ଉପମେୟ ଜୟଚନ୍ଦ୍ରର ଉପମାନ ଗୁଡ଼ିକ ମଧ୍ୟ ସୋମାନଙ୍କ କାରଣର ବିପରୀତ ଗୁଣ ବିଶିଷ୍ଟ ।

 

ଦ୍ୱିତୀୟ ଉଦାହରଣରେ ଲଳିତା ରାଧାଙ୍କଠାରୁ ସ୍ନେହଲାଭ ଆଶାକରି କୃଷ୍ଣଙ୍କ ନିକଟକୁ ଦଉଡ଼ି ତିରସ୍କାର ଲାଭ କଲାବୋଲି ଲଳିତା କହୁଥିବା ବର୍ଣ୍ଣିତ ।

 

ତୃତୀୟ ଉଦାହରଣରେ କାନ୍ୟକୁବ୍‍ଜରେ ଏକ ଗୃହରେ ଏକ କାଳରେ ପୃଥୁଙ୍କ ପ୍ରତି ପରସ୍ପର ବିରୋଧି କ୍ରୋଧ ଓ ପ୍ରେମ ସମାବେଶ ଘଟିଥିବା ବର୍ଣ୍ଣିତ ।

 

(୧୬) ଅତଦ୍‍ ଗୁଣ–ଯେଉଁଠାରେ କାରଣ ନିକଟରେ କେହି ରହି କାରଣରେ ଥିବା ଗୁଣ ଗ୍ରହଣ କରି ନ ପାରେ ସେଠାରେ ଏହି ଅଳଙ୍କାର ହୁଏ । ଯଥା :–

 

“କଳ୍ପ-ଲତା-ମୂଳେ ବସି ଚିର ଉପବାସୀ ।

ତୃଷାର୍ତ୍ତ ନିରତେ ରହି ସୁରଧୁନୀ–ତୀରେ ।” (ମହାଯାତ୍ରା)

 

ଯାଚକର ଇଚ୍ଛାନୁରୂପ କଳ୍ପ-ଲତା ଖାଦ୍ୟ ଓ ଗଙ୍ଗା ପାଣି ଯୋଗାଏ । କିନ୍ତୁ ସେମାନଙ୍କ ନିକଟରେ ରହି ଉପବାସ-କ୍ଲେଶ ଓ ତୃଷା-କ୍ଲେଶ ଯେ ଭୋଗ କରେ ସେ ସେମାନଙ୍କ ଗୁଣ ଗ୍ରହଣ କରେନାହିଁ ।

 

(୧୭) ରୂପକ–(metaphor)–ଅଭେଦ ନିର୍ଦ୍ଦେଶ କରି ଉପମେୟକୁ ଉପମାନରୂପେ ବର୍ଣ୍ଣନା କଲେ ରୂପକ ଅଳଙ୍କାର ହୁଏ । ‘ସୂର୍ଯ୍ୟୋଦୟ ହେଲେ ଅନ୍ଧକାର ଯେପରି ବିଦୂରିତ ହୁଏ ସେପରି ଜ୍ଞାନର ଉଦୟ ହେଲେ ମାନସିକ ଅନ୍ଧକାର ତିରୋହିତ ହୁଏ ।’ –ଏପରି ବାକ୍ୟରେ ଉପମେୟ ଜ୍ଞାନ ଓ ସୂର୍ଯ୍ୟଙ୍କ ମଧ୍ୟରେ କୌଣସି ଭେଦ ଲକ୍ଷିତ ହୁଏ ନାହିଁ । କାରଣ ଦୁହେଁ ଅନ୍ଧକାର ଦୁର କରିବାରୁ ଏକ ଗୁଣବିଶିଷ୍ଟ । ଉପମା ଓ ଦୃଷ୍ଟାନ୍ତ ଅଳଙ୍କାରରେ ଉପମେୟ ଓ ଉପମାନର ଦୁଇ କ୍ରିୟା ସଦୃଶ ଅଟେ; ଏକ ନୁହେଁ । ଏଥିରେ ଏକ ହେବାରୁ ଦୁହିଁଙ୍କ ମଧ୍ୟରେ ଅଭେଦ ପ୍ରତୀତ ହୁଏ । ଏଣୁ ଏହା ରୂପକ ।

 

ରୂପକ–ଅଳଙ୍କାର ଆଉ ଦୁଇ ପ୍ରକାର ଅଛି–ପରସ୍ପରିତ ରୂପକ ଓ ସାଙ୍ଗ ରୂପକ ।

 

(କ) ପରସ୍ପରିତ ରୂପକ–ଉପମେୟରେ ଉପମାନର ଅଭେଦ ନିର୍ଦ୍ଦେଶ କରିବା ଉତ୍ତାରୁ ସଦୃଶ ଧର୍ମଗୁଡ଼ିକର ପରସ୍ପର ଅଭେଦ ନିର୍ଦ୍ଦେଶ କଲେ ପରସ୍ପରିତ ରୂପକ ହୁଏ । ଯଥା:–

 

(୧)

“ଗୋବିନ୍ଦ-ଶୋଭାଗୁଣ-ନାମ-ରତ୍ନନେ

 

ବଣିଜାରି କିଶୋରୀ ମଣି ଯତନେ

 

ଆଶାର୍ଣ୍ଣବରେ ମେଲି ଚିତ୍ତ-ପୋତକୁ

 

ଇଚ୍ଛେ ସଂଯୋଗ ଅନୁକୂଳ ବାତକୁ ।” (ବିଦଗ୍‍ଧ ଚିନ୍ତାମଣି)

(୨)

“ସଂଯୁକ୍ତା ରାଠୋର-ସରେ ମଞ୍ଜୁ ସରୋଜିନୀ

 

ଦିଲ୍ଲୀର ଚୋହାନ-ରବି-ପ୍ରେମେ ସ୍ପୃହାବତୀ ।” (ମହାଯାତ୍ରା)

 

ପ୍ରଥମ ଉଦାହରଣରେ ଉପମେୟ ରାଧାଙ୍କୁ ଉପମାନ ବଣିକ ରୂପେ ବର୍ଣ୍ଣନା କରିବାରୁ ବଣିକର ଓ ରାଧାଙ୍କର ସଦୃଶ ଧର୍ମ ମଧ୍ୟରେ ଅଭେଦ ନିର୍ଦ୍ଦେଶ କରାଯାଇଅଛି । ବଣିକର ରତ୍ନ ଓ କୃଷ୍ଣଙ୍କ ଶୋଭା ଗୁଣ–ନାମ ମଧ୍ୟରେ ଭେଦ ନାହିଁ; ଚିତ୍ତ ଓ ପ୍ରୋତ ଏବଂ ସଂଯୋଗ ଓ ଅନୁକୂଳ ପବନ ଅଭିନ୍ନ–ଏପରି ବର୍ଣ୍ଣନା ଯୋଗୁଁ ଏହା ପରସ୍ପରିତ ରୂପକ ।

 

ଦ୍ୱିତୀୟ ଉଦାହରଣରେ ସଂଯୁକ୍ତା ସେରୋଜିନୀ ହେବାରୁ ସରୋଜିନୀ ସରରେ ଜାତ ହୋଇ ଆକାଶର ରବିଙ୍କ ପ୍ରେମ ସ୍ପୁହା କରିବା ଓ ସଂଯୁକ୍ତା ରାଠୋର କୂଳରେ ଜନ୍ମଗ୍ରହଣ କରି ଚୋହାନ କୂଳର ପୃଥୁଙ୍କ ପ୍ରେମ ସ୍ପୃହା କରିବା ରୂପ ସଦୃଶ ଧର୍ମଗୁଡ଼ିକ ମଧ୍ୟରେ ଅଭେଦ ନିର୍ଦ୍ଦେଶ କରାଗଲା ।

 

(ଖ) ସାଙ୍ଗ ରୂପକ–ଉପମେୟ ଓ ଉପମାନ ମଧ୍ୟରେ ଅଭେଦ ନିର୍ଦ୍ଦେଶ କରିବା ଉତ୍ତରୁ ଉପମେୟର ଅଙ୍ଗ ଓ ଉପମାନର ଅଙ୍ଗ ମଧ୍ୟରେ ଯଦି ଅଭେଦ ନିର୍ଦ୍ଦେଶ କରାଯାଏ ତେବେ ସାଙ୍ଗରୂପକ ହୁଏ । ଯଥା : –

 

“ଶୋକର ଝଟିକା ବହେ ରାଜାଙ୍କ ନବରେ

ବାତ ଦୀର୍ଘ ଶ୍ୱାସ ଯହିଁ, ଲୋତକ ବରଷା,

ରାଜରାଣୀଙ୍କର ଘନ ନୀଳକେଶ-ରାଜି

କାଦମ୍ବିନୀ, ଚାରୁଅଙ୍ଗ-ଯଷ୍ଟି ସୌଦାମିନୀ ।” (ଦଶରଥ ବିୟୋଗ)

 

ମାଇକେଲ ମଧୁସୁଦନଙ୍କ ‘ମେଘନାଦ–ବଧ’ ବାକ୍ୟର ପ୍ରଭାବ ଉଦ୍ଧୃତ ସ୍ତବକରେ ଦେଖାଯାଏ । ଏଥିରେ ଆଯୋଧ୍ୟାର ରାଜଗୃହର ଶୋକ ଝଟିକାଠାରୁ ଅଭିନ୍ନ ବୋଲି ବର୍ଣ୍ଣନା କରିବାରୁ ରାଜପରି–ବାରସ୍ଥ ବ୍ୟକ୍ତିମାନଙ୍କ ଶୋକ ସହଚର ଦୀର୍ଘଶ୍ୱାସ ଝଟିକାର ଅଙ୍ଗବାତ, ଲୋତକ ବର୍ଷା, ରାଣୀମାନଙ୍କ ମୁକ୍ତ ନୀଳ କେଶ, ମେଘ ଓ ଚାରୁ ଅଙ୍ଗ ସୌଦାମିନୀ ବୋଲି ବର୍ଣ୍ଣନା କରାଗଲା ।

 

(୧୮) ଅସଙ୍ଗତ (Separation of cause of effect)–ଏକ ସ୍ଥାନରେ କାରଣ ଓ ଅନ୍ୟ ସ୍ଥାନରେ କାର୍ଯ୍ୟଥିଲେ ଅର୍ଥାତ୍‍ ଗାଁ ଲୋକେ ପଣସ ଖାଇଲେ ଭଣ୍ଡାରି ମୁଣ୍ଡରେ ଅଠା ଲାଗିବା ନ୍ୟାୟ ହେଲେ ଏହି ଅଳଙ୍କାର ହୁଏ । ଯଥା : –

 

“ଜୀବନ ହରିଲେ ତଟିନୀ ଦେହରୁ

ଦିନମଣି ଶୂନ୍ୟେ ଥାଇ

ଫାସି ଦେଉଛନ୍ତି ଧୀବରେ ମୀନକୁ

ବଡ଼ିଶ-ରଜ୍ଜୁ ପକାଇ । (ଚିତ୍ରୋତ୍ପଳା)

 

ସୂର୍ଯ୍ୟ ନଦୀର ଜୀବନ (ପ୍ରାଣ ଓ ଜଳ)ହରଣ କଲେ । ଧୀବରମାନେ ମୀନମାନଙ୍କୁ ଫାଶି ଦିଅନ୍ତି । ଜୀବନ-ହରଣର କାରଣ ଏକ ସ୍ଥାନରେ । ଦଣ୍ଡ ବିଧାନ ରୂପ କାର୍ଯ୍ୟ ଅନ୍ୟ ସ୍ଥାନରେ ରହିବାରୁ ଏହା ଅସଙ୍ଗତି-ଅଳଙ୍କାର ।

 

(୧୯) ବିଭାବନା (effect without cause)–କାରଣ ନ ଥାଇ କାର୍ଯ୍ୟର ଉତ୍ପତ୍ତି ଘଟିଲେ ଏହି ଅଳଙ୍କାର ହୁଏ । ଯଥା : –

 

(୧)

“ସୁଖେ ପଡ଼େ ପୁଣି ଏଭଳି ବିପାକ

 

ଏଡ଼େ ବେଗରେ,

 

କେ କହିବ କାହୁଁ ଏ ବଜ୍ର ପଡ଼ିଲା

 

ବିନା ମେଘରେ ।” (ଉଷା)

(୨)

“ସିଙ୍ଗଡା-ତଟିନୀ ଧୌତ ଅଙ୍ଗାର-ପ୍ରାନ୍ତରେ

 

ପବିତ୍ର ହିଙ୍ଗୁଳା-ପୀଠେ ଜଳି ଉଠେ ଯଥା

 

ଆଚମ୍ବିତେ ବହ୍ନି ଶିଖା ନିଦାଘ-ନିଶୀଥେ,” (ଦଶରଥ ବିୟୋଗ)

 

(୨୦) ସମୁଚ୍ଚୟ–ଗୋଟିଏ କାର୍ଯ୍ୟ ଓ ଏକାଧିକ କାରଣ ଥିଲେ ଏହି ଅଳଙ୍କାର ହୁଏ । ଯଥା : –

 

“ନାନା ତୀର୍ଥ-ଜଳ ଆସ ଦିବା ନିଶୀ

ପୂତ କରେ ତୋର ଅଙ୍ଗ ତହିଁ ମିଶି ।” (ଚିଲିକା)

 

ଏଠାରେ ପୂତ କରିବା ଗୋଟିଏ କାର୍ଯ୍ୟର ନାନା ତୀର୍ଥଜଳ ସ୍ୱରୂପ ଅନେକ କାରଣ ଅଛି-

 

(୨୧) କାବ୍ୟଲିଙ୍ଗ–(implied casuality)–କୌଣସି ପଦାର୍ଥ ବା ବାକ୍ୟାର୍ଥ କୌଣସି କାର୍ଯ୍ୟର ହେତୁ ରୂପେ ଅନୁମାନ କଲେ ଏହି ଅଳଙ୍କାର ହୁଏ । ଯଥା : –

 

“ମୀନ–ଆକର୍ଷଣ ଆଶେ ପୋତପାଳ

ତରଣୀରେ ଜାଳି ଦେଲେଣି ମଶାଲ,

ଭବେ ପାପ–ମୂର୍ତ୍ତି ପରି ଅଟଇ ସେ

ସ୍ପର୍ଶେ ମାରାତ୍ମକ, ରୂପେ ରମ୍ୟ ଦିଶେ;

ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ,

ତରୀ-ଗର୍ଭେ ମୀନ ଡେଇଁ ଦେବେ ପ୍ରାଣ ।” (ଚିଲିକା)

 

ଉପରର ଚରଣମାନଙ୍କର ଅର୍ଥ ନ ଜାଣିଲେ ଏଠାରେ ଶେଷ ଚରଣମାନଙ୍କର ଅର୍ଥ ପ୍ରତୀତ ହେବ ନାହିଁ । ଅଜ୍ଞାନ ପାପ-ଗର୍ତ୍ତରେ ପଡ଼ିବା ପରି ମୀନମାନେ ନୌକା–ଗର୍ଭକୁ କାହିଁକି ଡେଇଁବେ ଓ ମରିବେ ? ନାବିକମାନେ ନୌକାରେ ମଶାଲ ଜାଳିଥିବାରୁ ଆଲୋକର ଆକର୍ଷଣରେ ନୌକା-ଗର୍ଭକୁ ଡେଇଁଲେ କେଉଟମାନେ ମୀନମାନଙ୍କୁ ମାରିବେ । ଆଲୋକ ଓ ଆକର୍ଷଣ ବିଷୟ ହେତୁ ସ୍ୱରୂପ ଉପରର ଚରଣମାନଙ୍କରେ ଉଲ୍ଲିଖିତ ହୋଇଥିବାରୁ ତହିଁରେ କାବ୍ୟ-ଲିଙ୍ଗ ଅଳଙ୍କାର ଅଛି ।

 

(୨୨) ଅର୍ଥାପତ୍ତି–କୌଣସି ବ୍ୟାପକ କାର୍ଯ୍ୟର ଅର୍ଥ ଯଦି ବ୍ୟାପ୍ୟ କାର୍ଯ୍ୟର ସିଦ୍ଧିରେ ସ୍ଥିର ନିଶ୍ଚୟତା ଜନ୍ମାଏ ତେବେ ଏହି ଅଳଙ୍କାର ହୁଏ । ଯଥା : –

 

“ହସି ଭାଷିଲା, ଗିରୀଶ- ଶେଷ-ଶିରୀଶ-ଶିରୀଶ

ଭ୍ରମ ରୋଗ ଭ୍ରମଣ-ମୋ-ନିଶାଣ-ନାଦ,

ଅହଲ୍ୟା-ରତି-ଲମ୍ପଟ ବହିଲା ନାହିଁ ମୁକୁଟ

ପ୍ରକଟିଲା ଦିନୁ ମେଘନାଦ ଶବଦ,

କି କହୁ ତୁହି ବାହୁ-ବଳେ

ଭେକେ ଡାକନ୍ତି ସ୍ତନିତ–ଜନିତ କାଳେ ।” (ରାଘବ ବିଳାସ)

 

ଏଠାରେ ଲକ୍ଷ୍ମଣଙ୍କ ଉକ୍ତି ଶୁଣି ଇନ୍ଦ୍ରଜିତ କହିଲା, ”ଭ୍ରମଣ କାଳର ମୋର ବାଜାମାନଙ୍କ (ନିଶାଣ) ଶବ୍ଦ ଶୁଣି ଶିବ (ଗିରୀଶ), ଅନନ୍ତ (ଶେଷ), କୁବେର (ଶ୍ରୀଶ) ଓ ବିଷ୍ଣୁଙ୍କର ଭ୍ରମରୋଗ ଜାତ ହୁଏ । ‘ମେଘନାଦ’ ନାମ ମୁଁ ଗ୍ରହଣ କରିବା ଦିନଠାରୁ ଇନ୍ଦ୍ର (ଅହଲ୍ୟା-ରତି-ଲମ୍ପଟ) ଆଉ ମୁକୁଟ ପିନ୍ଧୁ ନାହିଁ । ମେଘ-ଗର୍ଜନ କାଳରେ ବେଙ୍ଗମାନେ ରଡ଼ିବା ପରି ମୋ ବାହୁ-ତିଳ ନିକଟରେ ତୁ ତୋର ସାମାନ୍ୟ ବାହୁବଳ କହୁ ।” ଇନ୍ଦ୍ରଜିତ ଏପରି ବ୍ୟାପକ କାର୍ଯ୍ୟ କହି ନିଜର ବ୍ୟାଯ୍ୟ କାର୍ଯ୍ୟର ସିଦ୍ଧିରେ ଅର୍ଥାତ୍‍ ଲକ୍ଷ୍ମଣଙ୍କ ସଙ୍ଗେ ଯୁଦ୍ଧରେ ଲତିବାର ସ୍ଥିର ନିଶ୍ଚିୟତା ଚିତ୍ତରେ ଜନ୍ମାଇ ଥିଲା ।

 

(୨୩) ବ୍ୟାଘାତ (counter action)–ଯେଉଁ ଉପାୟ ଦ୍ୱାରା ଯେଉଁ କାର୍ଯ୍ୟ ସାଧିତ ହୁଏ ସେହି ଉପାୟଦ୍ୱାରା ସେପରି କାର୍ଯ୍ୟ ଅନ୍ୟଥା ହେଲେ ଏହି ଅଳଙ୍କାର ହୁଏ । ଯଥା : –

 

ହର-ନେତ୍ରେ କାମ ହତ ହୋଇଥିଲା କେବେ

ନାରୀ ନେତ୍ରେ ଯୁବା ହୃଦେ କାମ ଜାଗେ ଏବେ । (ଉଭଟ)

 

ନେତ୍ରଦ୍ୱାରା କାମ ହାତ ହୋଇଥିଲା । ପୁଣି ନେତ୍ରଦ୍ୱାରା କାମ ଜାତ ହେଲା । ଏଣୁ ନେତ୍ର କ୍ରିୟା–ପ୍ରତିକ୍ରିୟା ଉଭୟ କଲା ।

 

ହର-ନେତ୍ର ଓ ନାରୀ-ନେତ୍ର ଦିଓଟି ପୃଥକ ପଦାର୍ଥ ରୂପେ ଉଦ୍ଧୃତ ସ୍ତବକରେ ପ୍ରତୀତ ହୁଏ । କିନ୍ତୁ ନିମ୍ନୋଦ୍ଧୃତ ସ୍ତବକ ଦ୍ୱୟରେ ଏକ ପଦାର୍ଥ ପରସ୍ପର ବିରୋଧି ଦୁଇ କ୍ରିୟାର କାରଣ ରୂପେ ବର୍ଣ୍ଣିତ । ଯଥା : –

 

“ଅକ୍ଷୂର୍ଣ୍ଣ ଅଙ୍କହୀନ ପ୍ରେମ-ଶଶୀ

ସ୍ମର-ପର୍ବତେ ଉଦେ ହୋଏ ଆସି,

ଆନନ୍ଦ-କ୍ଷୀରସିନ୍ଧୁ ଉଚ୍ଛୁଳାଏ,

ମନ-ଚକୋର ସୁଧାପାନ ପାଏ,

ସର୍ବତାପ ନାଶେ,

ଆଶା-ନିଶା-ଯୋଷା-ତୋଷ ପ୍ରକାଶେ;

ବିଯୋଗେ ସୁଧାଭାନୁ ଚିତ୍ରଭାନୁ

ଆନନ୍ଦ ସିନ୍ଧୁ-ତନୁ କରେ ତନୁ,

ଆଶା-ନିଶା-ଯୋଷା-ଦେହ ଦହଇ,

ହୃଦ-କୁମୁଦ-ପ୍ରମୋଦ ହରଇ,

ସର୍ବତାପ ଜାତ

ଧୀର ଚକୋର ବହୁତ ଦୁଃଖିତ ।” (ବିଦଗ୍‍ଧ ଚିନ୍ତାମଣି)

 

ଦ୍ୱିତୀୟୋଦ୍ଧୃତ ସ୍ତବକରେ ସୁଧା ଭାନୁର ଅର୍ଥ ପ୍ରେମ ରୂପ ଚନ୍ଦ୍ର । ସେ ସୂର୍ଯ୍ୟ (ଚିତ୍ରଭାନୁ) ହୋଇ ଆନନ୍ଦକୁ କ୍ଷୀଣ (ତନୁ) କରେ । ପ୍ରଥମୋଦ୍ଧତ ସ୍ତବକରେ ବିପରୀତ କାର୍ଯ୍ୟର ବର୍ଣ୍ଣନା ଅଛି ।

 

(୨୪) ବିରୋଧ–ଯହିଁରେ ବାସ୍ତବିକ ବିରୋଧ ନାହିଁ, କିନ୍ତୁ ତହିଁରେ ବିରୋଧ ଥିବା ପରି କାହାକୁ ପ୍ରତୀତ ହୋଉଥାଏ ତେବେ ଏହି ଅଳଙ୍କାର ହୁଏ । ଯଥା : –

 

“ପ୍ରାଣ ପ୍ରିୟତମ ପାଶେ ଯେ ସୁଧାଂଶୁ

ଅମୃତ-ଚନ୍ଦ୍ରିକା ଢାଳେ

ସେ କୌମୁଦୀ ପୁଣି ହୁଏ ହଳାହଳ

ପ୍ରଣୟି-ବିହେ-କଳେ (ଶର୍ମିଷ୍ଠା)

 

ଚନ୍ଦ୍ରିକାରେ ହଳାହଳ ନ ଥାଏ । କିନ୍ତୁ ବିରହୀକୁ ତହିଁରେ ହଳାହଳ ଥିବାପରି ପ୍ରତୀୟମାନ ହୁଏ ।

 

(୨୫) ବିରୋଧାଭାସ–ବାକ୍ୟ ଦ୍ୱୟରେ ଶବ୍ଦ–ବିନ୍ୟାସ ଏପରି ହୋଇଥାଏ ଯେ ତାହା ପଢ଼ିଲେ ପରସ୍ପର ବିରୋଧି ଅର୍ଥ ତହିଁରେ ଥିବା ପରି ପ୍ରତୀୟମାନ ହେଉଥାଏ, କିନ୍ତୁ ପ୍ରକୃତ ଅର୍ଥ ଗ୍ରହଣ କଲେ ତହିଁରେ ବିରୁଦ୍ଧ ଅର୍ଥ ପ୍ରତୀତ ହୁଏ ନାହିଁ । ଏପରି ସ୍ଥଳରେ ଏହି ଅଳଙ୍କାର ହୁଏ । ଯଥା : –

 

“ଏକାନ୍ତେ ମିତ୍ରରେ କେଭେ ନ ବସିଲା,

ଏକାନ୍ତେ ମିତ୍ରରେ ସ୍ତୁତି ପ୍ରକାଶିଲା ।” (ପ୍ରେମସୁଧାନିଧି)

 

‘ମିତ୍ର’ ଶବ୍ଦ ବନ୍ଧୁ ଓ ସୂର୍ଯ୍ୟ ଏପରି ଦୁଇ ଅର୍ଥରେ ଗ୍ରହଣ ନ କରି କେବଳ ବନ୍ଧୁ–ଅର୍ଥରେ ଗ୍ରହଣ କଲେ ତହିଁରେ ବିରୋଧ ଥିବା ପରି ପ୍ରତୀୟମାନ ହୁଏ । ଯେ ମିତ୍ରର ନିକଟରେ ବସେ ନାହିଁ ସେ ମିତ୍ରକୁ ସ୍ତୁତି କରିପାରେ ନାହିଁ । ବନ୍ଧୁ ସଙ୍ଗରେ ନ ବସି ନିର୍ଜନରେ ଶୀଘ୍ର ଅସ୍ତ ହେବା ପାଇଁ ସୂର୍ଯ୍ୟଙ୍କୁ ପ୍ରାର୍ଥନା କଲା, ଏପରି ଅର୍ଥ ଗ୍ରହଣ କଲେ ବିରୋଧ ଥିବା ପରି ପ୍ରତୀତ ହୁଏ ନାହିଁ ।

 

(୨୬) ପରିଣାମ–ବାଳକ ବା ବାଳିକା ଅବସ୍ଥା ପରିବର୍ତ୍ତିତ ହୋଇ ଯୌବନ ଅବସ୍ଥା ଆସେ । ଏହିପରି ସୃଷ୍ଟିର ଯାବତୀୟ ଏକ ବସ୍ତୁରୁ ବିଭିନ୍ନ ପରିଣାମ ହୁଏ । ଏକ ବସ୍ତୁରେ ବିଭିନ୍ନ ପରିଣାମ ଘଟୁଥିବାରୁ ପରିଣାମମାନଙ୍କ ମଧ୍ୟରେ ପରସ୍ପର ଆତ୍ମତା ଥାଏ । ବଳାତ୍କାରରେ ପରିଣାମ ଆସେ ନାହିଁ । ଏଣୁ ପ୍ରକୃତ ଅର୍ଥର ଉପଯୋଗୀ କରି ଦୁଇ ବିଷୟ ମଧ୍ୟରେ ଆତ୍ମତା ଯେଉଁ ବର୍ଣ୍ଣନାରେ ସ୍ଥାପିତ ହୋଇଥାଏ ସେଠାରେ ପରିଣାମ ଅଳଙ୍କାର ହୁଏ । ଯଥା : –

 

“ସ୍ୱଭାବେ ସୁବର୍ଣ୍ଣ, ଯୌବନ

ହେଲା ଯୋଗ୍ୟ ରସାଣ,

ରୂପାସ୍ତ୍ରୀର ହେଲା ରୂପସୀ

ଷଷ୍ଠ ଅମୋଘ ବାଣ ।” (ଚନ୍ଦ୍ରଭାଗା)

 

ରସାଞ୍ଜନ ଚକ୍ଷୁର ଜ୍ୟୋତି ବଢ଼ାଏ । ରସାୟନ ଶରୀରର କାନ୍ତି ବଢ଼ାଏ । ‘ରସାଣ’ ଶବ୍ଦ ‘ରସାୟନ’ ଶବ୍ଦରୁ ଅପଭ୍ରଷ୍ଟ । ଚନ୍ଦ୍ରଭାଗାର ବର୍ଣ୍ଣ ସ୍ୱାଭାବିକ ସୁବର୍ଣ୍ଣ ଥିଲା । ତହିଁରେ ଯୌବନ ଉପଯୁକ୍ତ ରସାଣ ହେବାରୁ ଜ୍ୟୋତି ଆହୁରି ବଢ଼ିଲା । ଏପରି ବର୍ଣ୍ଣନା କରିଥିବାରୁ ବର୍ଣ୍ଣ ଓ ଯୌବନ ମଧ୍ୟରେ ଆତ୍ମତା ସ୍ଥାପିତ ହୋଇଅଛି ।

 

(୨୭) ଦୀପକ–ବର୍ଣ୍ଣିତ ଓ କଳ୍ପିତ ବସ୍ତୁଦ୍ୱୟ ସହିତ ଏକ କ୍ରିୟାର ଅଥବା ବହୁ କ୍ରିୟା ସହିତ ଏକ ବର୍ଣ୍ଣିତ ବସ୍ତୁର ସମ୍ୱନ୍ଧ ଥିଲେ ଏହି ଅଳଙ୍କାର ହୁଏ । ଯଥା : –

 

(୧)

ଖଳ ବିଷଧର କରନ୍ତି ଗରଳ ଉଦ୍‍ଗାର ।

(୨)

“(ବିଧୁ ନୁହେ ସଦା ଶୀତଳଦାୟୀ)

 

ଜ୍ୱର ନୁହେ ତାପ-କମ୍ପ ବଢ଼ାଇ,

 

(ବଦ୍ୟ ନୁହଇ ବ୍ୟାଧି ବିନାଶଇ)

 

ପିତ୍ତ ନୁହଇ ତ ବାଇ କରଇ,

 

ନୁହଇ ମାଦକ,

 

ବିହ୍ୱଳ କରେ ଜୀବ ଥିବା ଯାକ ।” (ବିଦଗ୍‍ଧ ଚିନ୍ତାମଣି)

 

ପ୍ରଥମ ଉଦାହରଣରେ ବର୍ଣ୍ଣିତ ଖଳ ଓ କଳ୍ପିତ (ଉପମାନ) ବିଷଧର ଉଭୟଙ୍କର ଗରଳ ଉଦ୍‍ଗାରିବା ଏକ କ୍ରିୟା ଅଟେ ।

 

ଦ୍ୱିତୀୟ ଉଦାହରଣରେ ପ୍ରୀତି ଶୀତଳତା ଦିଏ, ତାପ–କମ୍ପ ବଢ଼ାଏ, ବ୍ୟାଧି ବିନାଶ କରେ, ବାତୁଳ କରାଏ, ଓ ଭୋଳ କରାଏ ବୋଲି ବର୍ଣ୍ଣିତ । ଶୀତଳତା ବଢ଼ାଇ ତାପ ବଢ଼ାଉଥିବାରୁ ବ୍ୟାଘାତ ଅଳଙ୍କାର ପରି ପ୍ରତୀତ ହୁଏ । ଏଣୁ ପ୍ରଥମ ଚରଣ ପରିତ୍ୟାଗ କରି ପଢ଼ିବା ପାଇଁ ତାହାକୁ ବନ୍ଧନୀ ମଧ୍ୟରେ ରଖା ଯାଇଅଛି । ଏହିପରି ‘ବ୍ୟାଧି ବିନାଶ କରିବା’ ପରିତ୍ୟାଗ କରିବାକୁ ହେବ । ଉଦ୍ଧୃତ ସ୍ତବକ ସହିତ ଅନ୍ୟ ଦୁଇ ତିନି ସ୍ତବକ ଉଦ୍ଧାର କରିଥିଲେ ଏଥିରୁ କୌଣସି ଚରଣ ପରିତ୍ୟାଗ କରିବାକୁ ପଡ଼ି ନ ଥାଆନ୍ତା । କାରଣ ବିଦଗ୍‍ଧ ଚିନ୍ତାମଣିର ଦ୍ୱିଚତ୍ୱାରିଂଶ ଛାନ୍ଦରେ ପ୍ରୀତିର ନାନାବିଧି କାର୍ଯ୍ୟ ବର୍ଣ୍ଣିତ ହୋଇଥିବାରୁ ବ୍ୟାଘାତ ଅଳଙ୍କାର ସତ୍ତା ରହେ ନାହିଁ । ଯାହାହେଉ ଦୀପକ ଅଳଙ୍କାରର ଆଉ ଗୋଟିଏ ଉଦାହରଣ ତଳେ ଦିଆଯାଉଅଛି ।

 

“ଚେତି ଚତୁରୀ ଚାହିଁଲା ନିଶିନାଶେ

ପାଶେ ନାହିଁ ଦିବ୍ୟ ତରୁଣ,

ମାରି ହୃଦେ ହାତ ନାଥ ନାଥ ବୋଲି

ଅତି ଉଚ୍ଚେ କଲା କାରୁଣ୍ୟ,

ଖୋଜେ ଅଧୀରେ,

ଚେତନା ହତ ସେ ବିଧିରେ

ଶେଯ ଲେଉଟାଇ କବରୀ ଫିଟାଇ

କରଭରି କୁଚ-ସନ୍ଧିରେ ।” (ଲାବଣ୍ୟବତୀ)

 

(୨୮) ମାଳାଦୀପକ–ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ପଦାର୍ଥ ସମୂହ ପରସ୍ପର ଏକ ଧର୍ମରେ ଆବଦ୍ଧ ହେଲେ ଏହି ଅଳଙ୍କାର ହୁଏ ।

 

ଯଥା : –

 

ପାର୍ଥେ କ୍ରୋଧ ଯହୁଁ କଲା ଆକର୍ଷଣ

ପାର୍ଥ କଲେ ତହୁଁ ଧନୁ ଆକର୍ଷଣ,

ଗାଣ୍ଡୀବେ ଆକୃଷ୍ଟ ଯମ ତୁଲ୍ୟ ବାଣ

ଆକର୍ଷଣ କଲା ସୂର୍ଯ୍ୟ-ସୂତ-ପ୍ରାଣ । (ଉଭଟ)

 

ଏଠାରେ କ୍ରୋଧ, ପାର୍ଥ, ଗାଣ୍ଡୀବ ଓ ବାଣ ସମସ୍ତେ ଆକର୍ଷଣ ରୂପ ଏକ ଧର୍ମରେ ଆବଦ୍ଧ ।

 

(୨୯) ପରିବୃତ୍ତି (rhetorical exchange)–ପଦାର୍ଥର ବିନିମୟ ଅର୍ଥାତ୍‍ ଏକ ପଦାର୍ଥର ବଦଳରେ ଅନ୍ୟ ପଦାର୍ଥର ଗ୍ରହଣରେ ପରିବୃତ୍ତି–ଅଳଙ୍କାର ହୁଏ । ଯଥା : –

 

(୧)

“ବସି ବସାଇଲା କୋଳେ ଲପନ ଚୁମ୍ବିବା ବେଳେ

 

ଜେମାରେ ଦେଲା ବେଗେ ରତନ–ମୁଦି,

 

ଜେମା କାଢ଼ି ମୋତି-ମାଳା ଲମ୍ବାଇଲା ପୁଂସ-ଗଳା,

 

ପରସ୍ପର ବରଣେ ହୋଇଲେ ପ୍ରମୋଦୀ;” (ଲାବଣ୍ୟବତୀ)

(୨)

“ନ ଲଭି ଲଭିଛି ବଲ୍ଲଭୀର ପ୍ରେମ

 

ଏଥିରେ ନାହିଁ ସଂଶୟ,

 

 

 

ଅଜ୍ଞାତେ ଚୋରାଇ ନେଇ ମୋ ହୃଦୟ

 

ଦେଇଛି ନିଜ ହୃଦୟ ।” (ଉର୍ବଶୀ)

(୩)

“ସର୍ବେ କଲେ ଅଳି ଦିଲ୍ଲୀ-ପତିଙ୍କ ଛାମୁରେ

 

ପରିହାର ଯାଚିବାକୁ ପରିପନ୍ଥି ପଦେ

 

ମାନବୀୟେ........”, (ମହାଯାତ୍ରା)

 

(୩୦) ବିକଳ୍ପ–ଏକ କ୍ରିୟାଦ୍ୱାରା ବିରୁଦ୍ଧଗୁଣ–ସମ୍ପନ୍ନ ଦୁଇ ପଦାର୍ଥର ମୂଲ୍ୟ ସମାନ ବୋଲି ବର୍ଣ୍ଣନା କଲେ ଏହି ଅଳଙ୍କାର ହୁଏ । ଯଥା : –

 

“ଅଙ୍ଗ-କ୍ଷୟ ଅବା ଜେମା-ଅଙ୍ଗ–-ସଙ୍ଗ

ଲଲାଟ ଲିପି ମୋହର,

ବଜ୍ର ପଡ଼ୁ ମୁଣ୍ଡେ ବାରି ଅବା ତୁଣ୍ଡେ

ମେଘ ଗତି ଚାତକର ।’’ (ଯଯାତିକେଶରୀ)

 

ଏଠାରେ ମୃତ୍ୟୁ ଓ ଜେମା–ସଙ୍ଗ ଏବଂ ବଜ୍ର ଓ ବାରି ସମାନ ବିବେଚିତ ହୋଇଅଛି ।

 

(୩୧) ଉଲ୍ଲେଖ–ଏକ ବସ୍ତୁକୁ ନାନା ପ୍ରକାର ବୋଲି ଉଲ୍ଲେଖ କଲେ ଏହି ଅଳଙ୍କାର ହୁଏ । ଯଥା : –

 

“ବାବୁ ସେ ନବନାଗର କାହ୍ନୁ,

ଦେଖି ପାସୋରିବ କାହାର ମନୁ ।

ଶିଶୁଙ୍କୁ ଦିଶନ୍ତି ଶିଶୁ ପରାୟେ,

ନାରୀଙ୍କ ଦୃଷ୍ଟିକି ମଦନ ରାୟେ,

ବୃଦ୍ଧଙ୍କୁ ବାଳକ–ସ୍ୱଭାବ ମତି,

ଜ୍ଞାନୀଙ୍କି ନିର୍ଗୁଣ ରୂପ ଶ୍ରୀପତି ।

ଭକ୍ତକୁ ସେ ନନ୍ଦ-ନନ୍ଦନ ପରା

ନାନ ରୂପ ଧରେ ମନ୍ଦରଧରା । (ମଥୁରା ମଙ୍ଗଳ)

(୩୨) ସହୋକ୍ତି–ସହ, ସଙ୍ଗ ପ୍ରଭୃତି ଶବ୍ଦ ଯୋଗରେ ଏକ କ୍ରିୟା ସହିତ ସଂବନ୍ଧ ଦୁଇ ବିଭିନ୍ନ ଜାତୀୟ ପଦାର୍ଥ ଦ୍ୱାରା ଯଦି ବାକ୍ୟର ଅର୍ଥ ଚମତ୍କାର ପ୍ରତୀତ ହେଉଥାଏ ତେବେ ଏହି ଅଳଙ୍କାର ହୁଏ । ଯଥା : –

ଶାସ୍ତ୍ର ଭୂଷି ରୋହିତାସ୍ୟ ଶତ୍ରୁ-ନାଭି ତଳେ,

ଓଟାରି ନେଲେ ତା’ ମୁନ ଶତ୍ରୁ-ପ୍ରାଣ ସହ,’’ (ମହାଯାତ୍ରା)

ଶାସ୍ତ୍ର ଓଟାରିବାବେଳେ ଶତ୍ରୁର ପ୍ରାଣ ଓଟାରି ନେଲେ କହିବାରୁ ବାକ୍ୟର ଅର୍ଥ ଚମତ୍କାର ପ୍ରତୀତ ହୁଏ ।

(୩୩) ବିନୋକ୍ତି–ବିନା, ବ୍ୟତୀତ, ବିହୀନ ପ୍ରଭୃତି ଶବ୍ଦ ଯୋଗରେ କୌଣସି ପଦାର୍ଥର ଉତ୍କର୍ଷ ବା ଅପକର୍ଷ ବର୍ଣ୍ଣନା କରିବା ଦ୍ୱାରା ଅର୍ଥ ଚମତ୍କାର ହେଲେ ଏହି ଅଳଙ୍କାର ହୁଏ । ଯଥା : –

“ଅଳକା-ଉର୍ଦ୍ଧ୍ୱେ ଝିଲିମିଲି ମାଳୀ

ଝଟକେ ଝଟକେ ଖଞ୍ଜିଲେ ଆଳୀ,

ଏମନ୍ତ ଅଦ୍ଭୁତ ନ ଥିଲା ଦେଖା,

ବିନା ମେଘରେ ସ୍ଥିର ବିଦ୍ୟୁରେଖା;” (ଲାବଣ୍ୟବତୀ)

‘ବିନା ମେଘରେ ସ୍ଥିର ବିଜୁଳି’ କହିବାରୁ ଅଳଙ୍କାର ଉପରେ ଥିବା ଝିଲିମିଲି ମାଳୀର ଶୋଭା ଉତ୍କୃଷ୍ଟ ବୋଲି ପ୍ରତୀତ ହୁଏ ।

(୩୪) ପର୍ଯ୍ୟାୟୋକ୍ତି (innuendo)–ବର୍ଣ୍ଣନୀୟ ବିଷୟଟି ପରିଷ୍ଫୁଟ ରୂପେ ଉଲ୍ଲିଖିତ ନୋହି ଅଭିବ୍ୟକ୍ତ–ଭଙ୍ଗିରୁ ଯଦି ସୂକ୍ଷ୍ମ ଅର୍ଥରୂପେ ବର୍ଣ୍ଣନୀୟ ବିଷୟ ପ୍ରତୀତ ହେଉଥାଏ ତେବେ ଏହି ଅଳଙ୍କାର ହୁଏ । ଯଥା : –

(୧)

“ସବ୍ୟେ ଧନୁ, ଟାଣନ୍ତେ ଯା’ଗୁଣ ବର୍ଣ୍ଣଯାଏ

 

ଶତ୍ରୁ-ସୀମନ୍ତିନୀ-ବର୍ଣ୍ଣ ବେଗେ ପଡ଼େ ଝଡ଼ି

 

କର୍ଣ୍ଣୋତ୍ପଳ, ତୁଟେ କରୁ କଙ୍କଣ, ଟଙ୍କାରେ,” (ମହାଯାତ୍ରା)

(୨)

“ଅସମ୍ଭାଳେ ଫିଟି କୁନ୍ତଳ

 

ଭୂମି ଯାଏ ପରଶି,

 

ଯେଣେ ଅନାଉଛି ଲଳନା

 

ଫୁଲ ଯାଏ ବରଷି ।’’ (ଚନ୍ଦ୍ରଭାଗା)

(୩)

“ଗନ୍ଧାମୋଦେ ଅନ୍ଧ ହୋଇ ଅଳିକୁଳ

 

ଗୁଞ୍ଜରି-ବାମାକୁ କରନ୍ତି ଆକୁଳ ।” (ଚିଲିକା)

 

 

(୪)

“ମୁହଁ ମାଡ଼ି କାଳେ କଚାଡ଼ି

 

ବାଳା ! ପଡ଼ିବୁ ଝୁଣ୍ଟି

 

କୁଶାଙ୍କୁର ଯିବ କୋମଳ

 

ଚାରୁ ଚରଣେ ଫୁଟି ।” (ଚନ୍ଦ୍ରଭାଗା)

 

ଶତ୍ରୁ ନିହତ ହୁଏ ଓ ତାହାର ସ୍ତ୍ରୀ ବିଧବା ହୁଏ ବୋଲି ପ୍ରଥମ, ଉଦାହରଣରେ ବର୍ଣ୍ଣିତ ହୋଇ ନାହିଁ । କିନ୍ତୁ ଶତ୍ରୁର ସ୍ତ୍ରୀର ହାତରୁ କଙ୍କଣ ଓ କର୍ଣ୍ଣରୁ କର୍ଣ୍ଣୋତ୍ପଳ ଝଡ଼ୁଥିବା ବର୍ଣ୍ଣିତ ହୋଇ ଥିବାରୁ ସ୍ୱାମୀର ମୃତ୍ୟୁ ଓ ସ୍ତ୍ରୀର ବୈଧବ୍ୟ ପ୍ରତୀତ ହୁଏ ।

 

ଦ୍ୱିତୀୟ ଉଦାହରଣର ସୂକ୍ଷ୍ମ ଅର୍ଥ ପଞ୍ଚମ ପରିଚ୍ଛେଦରେ କୁହାଯାଇଅଛି । ଭ୍ରମରମାନେ କାଞ୍ଚୀଜେମାଙ୍କ ଗନ୍ଧରେ ଅନ୍ଧ ହୋଇ ତାହାଙ୍କୁ ଆବୃତ କରୁଥିବା କୁହାଯାଉଥିବାରୁ ସେ ପଦ୍ମିନୀ-ଜାତୀୟା ସ୍ତ୍ରୀ ବୋଲି ବର୍ଣ୍ଣିତ ନୋହି ମଧ୍ୟ ସେହି ଜାତୀୟା ବୋଲି ତୃତୀୟ ଉଦାହରଣରୁ ସୂକ୍ଷ୍ମ ଅର୍ଥ ପ୍ରତୀତ ହୁଏ ।

 

ସୂର୍ଯ୍ୟ ତେଜସ୍ୱୀ । ସେ ବର୍ତ୍ତମାନ ଚନ୍ଦ୍ରଭାଗାର କୋମଳ, ଚରଣରେ କୁଶାଙ୍କୁର ଗଳି ଯିବା ଆଶଙ୍କାରେ ସହାନୁଭୂତିରେ ତରଳି ଯାଉଥିବା ତୃତୀୟ ଉଦାହରଣରୁ ସୂଚିତ ହେଉଅଛି । କୋମଳତା ଯେ ତେଜସ୍ୱିତାକୁ ଦୁର୍ବଳ କରେ, ଏପରି ସୂକ୍ଷ୍ମ ଅର୍ଥ ମଧ୍ୟ ତହିଁରୁ ପ୍ରତୀତ ହେଉଅଛି ।

 

(୩୫) ସୂକ୍ଷ୍ମ (pantomime)–କୌଣସି ସୂକ୍ଷ୍ମ ଅର୍ଥ ଶରୀର ଭଙ୍ଗି ଅଥବା କ୍ରିୟାର ବର୍ଣ୍ଣନାରୁ ପ୍ରକାଶ ପାଇଲେ ଏହି ଅଳଙ୍କାର ହୁଏ । ଯଥା : –

 

(୧)

“ଶୃଙ୍ଗେ ଉଠୁ ଉଠୁ ଉର୍ବଶୀର ମଠ

 

ଦେଖି ଡାକିବାରୁ ସଖୀ

 

କଣ୍ଟାବନେ ଲାଗି ପଣନ୍ତ ବାଳାର

 

ସହସା ଗଲା ଅଟକି ।

 

‘‘ରହ ଅଟକିଲା କଣ୍ଟାରେ ବସନ

 

ବୋଲିବାରୁ ଉରୁବଶୀ

 

ଅଟକିବ ଜାଣି ଥିଲି ଛଟକିନୀ

 

ସଜନୀ ବୋଇଲା ହସି ।” (ଉର୍ବଶୀ)

(୨)

“ଏଡ଼େ କପଟ କିମ୍ପା ନିଜ ଦାସକୁ–

 

ବୋଲି ମୁଁ ଯା’ନ୍ତେ ପ୍ରାଣବନ୍ଧୁ ପାଶକୁ

 

ଗଭାରୁ କରବୀର କୁସୁମ ତିନି

 

କାଢ଼ି ପକାଇ ଦେଲା ଘନଜଘନୀ ।’’ (ଭଞ୍ଜସଙ୍ଗୀତ)

(୩)

“ଦିନେ ମୁଁ ଯିବାବେଳକୁ ସେ ଶୋଇଥାନ୍ତି । ମୁଁ ତାଙ୍କୁ ଡାକିବାକୁ ସାହସ କଲିନାହିଁ । କଅଣ ବୋଲି ବା ଡାକିବି ? ଖାଲିଟାରେ ହାତରୁ ଖସି ପଡ଼ିବା ବାହାନାରେ ବହିଟାକୁ ଟେବୁଲ ଉପରେ କଚାଡ଼ି ଦେଲି । କିଛି ସମୟ ପରେ କାଶିବା ବାହାନାରେ ଖୁଁ ଖୁଁ ହୋଇ କାଶିଲି ।” (ଧରମ ଝିଅ)

 

ପୁରୁରବାଙ୍କୁ ଦେଖିବା ପାଇଁ କାଳ-ବିଳମ୍ବ ରୋଡ଼ କଣ୍ଟାରେ ଉର୍ବଶୀ ପଣନ୍ତ ଅଟକାଇ ସଖୀମାନଙ୍କୁ ରହ ବୋଲି କହିଥିଲା ଏହା ବର୍ଣ୍ଣିତ ନୋହି ମଧ୍ୟ ପ୍ରଥମ ଉଦାହରଣରୁ ପ୍ରତୀତ ହୁଏ ।

 

ରଜସ୍ୱଳା ହେଲା ବୋଲି ସରଳଭାବରେ ନ କହି ତିନିଦିନ କାମାଗ୍ନି (କ) ବିଗତ (ବି) କର ଅର୍ଥ ସୂଚାଇଲା । କନିଅର ଫୁଲ ଉତ୍କୃଷ୍ଟ-ରଙ୍ଗ-ବିଶିଷ୍ଟ ହୋଇ ଗନ୍ଧଶୂନ୍ୟ ହୋଇଥିବାରୁ ଦୁଃଖଦାୟକ (କୁମାର ସମ୍ଭବ) । ଏଣୁ ତିନୋଟି ଫୁଲ ଫିଙ୍ଗି ତିନିଦିନର ଦୁଃଖ ସୂଚନା କଲା । ଏହା ଦ୍ୱିତୀୟ ଉଦାହରଣରେ ବର୍ଣ୍ଣିତ ।

 

ତୃତୀୟ ଉଦାହରଣରେ ଅଳଙ୍କାରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଅଛି । “ଡାକିବାକୁ ସାହସ କଲି ନାହିଁ । କଅଣ ବୋଲି ବା ଡାକିବି ?” ଏସବୁ କଥା ଲେଖିବାର ପ୍ରୟୋଜନ ନ ଥିଲା । ଏହିପରି କାବ୍ୟ–ଲିଙ୍ଗ ଅଳଙ୍କାର ନ ଜାଣି ମଧ୍ୟ ଆଧୁନିକ ଲେଖକମାନଙ୍କର ଅଭିବ୍ୟକ୍ତି ଦୀର୍ଘ ହୋଇ ଯାଉଅଛି ।

 

(୩୬) ତତ୍‍ଗୁଣ–କୌଣସି ପଦାର୍ଥ ନିଜର ଗୁଣ ତ୍ୟାଗ କରି ଅନ୍ୟର ଉତ୍କୃଷ୍ଟ ଗୁଣ ଗ୍ରହଣ କଲେ ଏହି ଅଳଙ୍କାର ହୁଏ । ଯଥା : –

 

“ସୁମତି ଗତିରୁ ଅତି ଚଞ୍ଚଳତା

ଦୃଗଞ୍ଚଳକୁ ଆଶ୍ରେ କଲା,

କଟି ଉନ୍ନତ ପ୍ରାକଟି ଭୀରୁଚାରୁ–

ଉରୁ ଗୁରୁତା ବଢ଼ାଇଲା,

ଅତୁଳା ପିତୁଳା-ଲୀଳା-ସ୍ନେହ ତେଜି

ସଂବନ୍ଧ ବନ୍ଧ ପଟଳରେ ନିର୍ବନ୍ଧ

ସେ କାନ୍ତେ ଏକାନ୍ତେ ନିମର୍ଜ୍ଜି ।” (ବିଦଗ୍‍ଧ ଚିନ୍ତାମଣି)

 

ଏଠାରେ ରାଧାଙ୍କର ନେତ୍ର (ଦୃକ୍‍ଅଞ୍ଚଳ) ଗତିର ଚଞ୍ଚଳତା ଓ ଚିତ୍ତ ପିତୁଳା–ସ୍ନେହ ଛାଡ଼ି ବନ୍ଧ–ଚିତ୍ରର ସ୍ନେହ ଗ୍ରହଣ କରିଥିବ ।

 

*

ତତ୍‍ଗୁଣଃ ସଗୁଣତ୍ୟାଗ ଦତ୍ୟରୁଷ୍ଟ ଗୁଣ ଗ୍ରହଣଃ ।

 

ବର୍ଣ୍ଣିତ ହୋଇ ଥିବାରୁ ଏହା ତଦ୍‍ଗୁଣ-ଅଳଙ୍କାର । ବିଦଗ୍‍ଧ ଚିନ୍ତାମଣିର ପ୍ରାଚୀ–ସଂସ୍କରଣରେ ଟୀକାକାର ଏହାକୁ ଅତିଶୟୋକ୍ତି କିପରି କହିଲେ ବୁଝାଯାଏ ନାହିଁ ।

 

(୩୭) ଅତିଶୟୋକ୍ତି (hyperbole)–ଉପମେୟକୁ ଆଦୌ ଉଲ୍ଲେଖ ନ କରି ଉପମାନକୁ ଉପମେୟଠାରୁ ଅଭିନ୍ନ ବୋଲି ନିର୍ଦ୍ଦେଶ କଲେ ଏହି ଅଳଙ୍କାର ହୁଏ । *ଉତ୍‍ପ୍ରେକ୍ଷାରେ ଉପମେୟକୁ ଉଲ୍ଲେଖ କରି ତାହା ଉପମାନଠାରୁ ଅଭିନ୍ନ ବୋଲି ନିର୍ଦ୍ଦେଶ କରାଯାଏ । କିନ୍ତୁ ଏଥିରେ ଉପମେୟର ଆଦୌ ଉଲ୍ଲେଖ ନ ଥାଏ । ଯଥା : –

 

“ହରଧର ରଜତର ଦେଖି ମାର

ପର-ପରଶଂସା ନ ସହି,

କନକ-ମଞ୍ଜୁଳ ଶଇଳ ଯୁଗଳ

କି ସାର ଉରଦେଶେ ବିହି,

ବଢ଼ାଏ କ୍ରମେ କ୍ରମେ ତାର ଉନ୍ନତ

ମଦନ ମୋହନ ମିଶି ବେନିଜନ

ସଦନ ତହିଁ କଲେ ସତ । (ବିଦଗ୍‍ଧ ଚିନ୍ତାମଣି)

 

କୈଳାସ ପର୍ବତ (ହରଧର) ରୂପାରେ ଗଠିତ ହୋଇଥିବାରୁ କନ୍ଦର୍ପ (ମାର) ଶତ୍ରୁର (ପର) ସୌଭାଗ୍ୟ (ପ୍ରଶଂସା) ସହି ପାରିଲା ନାହିଁ । ଏଣୁ ସୁନାରେ (କନକ) ଗଢ଼ା ଦିଓଟି ପର୍ବତ ରାଧାଙ୍କ ଉତ୍କୃଷ୍ଟ (ସାର) ଉରଦେଶରେ ରଖିଲା । ଏପରି ବର୍ଣ୍ଣନାରେ କୁଚର ଆଦୌ ଉଲ୍ଲେଖ ନ ଥିବାରୁ ଏହା ଅତିଶୟୋକ୍ତି ।

 

*

ସିଦ୍ଧତ୍ୱେଽଧ୍ୟବସାୟସ୍ୟ ଅତିଶୟୋକ୍ତି ନିଗଦ୍ୟତେ ।

 

ଭେଦେଽପ୍ୟଭେଦଃ କାର୍ଯ୍ୟହେତ୍ୱେ ସା ପଞ୍ଚଧା ତତଃ ।

 

ଅତିଶୟୋକ୍ତି ପାଞ୍ଚ ପ୍ରକାର-ଭେଦରେ ଅଭେଦ, ସମ୍ୱନ୍ଧରେ ଅସମ୍ୱନ୍ଧ, ଅସମ୍ୱନ୍ଧରେ ସମ୍ୱନ୍ଧ, କାରଣର ପୌର୍ବାପର୍ବ୍ୟ ବିପର୍ଯ୍ୟୟ ଓ ଅଭେଦରେ ଭେଦ । ଏଥିରେ ଉପମେୟକୁ ଉଲ୍ଲେଖ କଲେ ଏହା ଉପମାନଠାରୁ ଅଭିନ୍ନ ବୋଲି ସୂଚାଇବା ଶବ୍ଦ ବାକ୍ୟରେ ବିନ୍ୟାସ କରିବା ଉଚିତ । ‘ତାହାର ନୟନ-ଯୁଗଳ କେବଳ ନୀଳ ଉତ୍ପଳ’ କହିଲେ ଭେଦରେ ଅଭେଦ ବୁଝାଏ । ‘କଳଙ୍କ-ଶୂନ୍ୟ ଶଶୀମୁଖ କହିଲେ ସମ୍ୱନ୍ଧରେ ଅସମ୍ୱନ୍ଧ ବୁଝାଏ । କାରଣ, କଳଙ୍କ ସହିତ ଶଶୀର ଚିରକାଳ ସମ୍ୱନ୍ଧ ଥିବା ସତ୍ତ୍ୱେ କଳ୍ପନା କରାଯାଉଅଛି ।

 

(୩୮) ଅନୁକୂଳ–ପ୍ରତିକୂଳତାର କାରଣଟି ଆନୁକୂଲ୍ୟର କାରଣ ହେଲେ ଏହି ଅଳଙ୍କାର ହୁଏ । ଯଥା:–

 

“ଯେଉଁ ପୁଷ୍ପାୟୁଧ ବିନ୍ଧିଲା ମୋ ହୃଦେ

ବିନ୍ଧୁଛି ସେହି ତା ହୃଦ,

ମଣିଥିଲି ଯାକୁ ଅରି କରି ଏବେ

ସେ ମୋର ଇଷ୍ଟ ସୁହୃଦ ।” (ଯଯାତିକେଶରୀ)

 

ପୁଷ୍ପାୟୁଧ ପ୍ରତିକୂଳ ହୋଇ ପୁଣି ଅନୁକୂଳ ହେଲା ବୋଲି ବର୍ଣ୍ଣିତ ହୋଇଥିବାରୁ ଏହା ଅନୁକୂଳ ଅଳଙ୍କାର ।

 

(୩୯) ସ୍ୱଭାବୋକ୍ତି–ଯେ କୌଣସି ସ୍ଥାନର, ଘଟନାର, ଦୃଶ୍ୟର ବା ପଦାର୍ଥର ହୃଦୟସ୍ପର୍ଶୀ ସ୍ୱାଭାବିକ ବର୍ଣ୍ଣନାକୁ ସ୍ୱଭାବୋକ୍ତି କହନ୍ତି । ଯଥା : –

 

“ଶିଶୁଗଣ ଏବେ ହରଷେ ରତ,

ଫୁଲ ଉପବନେ ବୁଲି ସନ୍ତତ,

କୁସୁମ-ପରାଗ ମୁଖରେ ବୋଳି,

ଧରି ପ୍ରଜାପତି କୁସୁମ ତୋଳି,

ନାନା ରଙ୍ଗେ ଖେଳି ତରୁ ତଳରେ,

କରନ୍ତି ସଙ୍ଗୀତ ଆନନ୍ଦଭରେ ।” (ବସନ୍ତ)

 

(୪୦) ବ୍ୟାଜସ୍ମୃତି–(irony)ନିନ୍ଦା ଛଳରେ ସ୍ତୁତି ବା ସ୍ତୁତି ଛଳରେ ନିନ୍ଦା ଉଲ୍ଲେଖ କଲେ ଏହି ଅଳଙ୍କାର ହୁଏ । ଯଥା : –

 

(୧)

“କରିଥାଏ ମାମୁ ମୋତେ କେଡ଼େ ସେନେହ

 

କରି ତା ଭାବନା ଦହି ହେଉଅଛି ହୃଦୟ ।” (ରସକଲ୍ଲୋଳ)

(୨)

“ଲୋକଟି ବଡ଼ ଧାର୍ମିକ; ବର୍ଷ ମଧ୍ୟରେ ଚବିଶଟା ଏକାଦଶୀ, ଚାଳିଶଟା ଥିଲେ ମଧ୍ୟ ଗୋଟାଏ ଛାଡ଼ ପଡ଼ନ୍ତା, ଏ କଥା କହିବାକୁ ଆମେ ନାରାଜ । ଏକାଦଶୀ ଦିନ ତୁଳସୀ-ପତ୍ର-ଜଳ-ମାତ୍ର ଅବଲମ୍ବନ ।” (ଛମାଣ–ଆଠଗୁଣ୍ଠ)

 

କଂସକୁ ବଧ କରିବା ଉତ୍ତାରେ ସ୍ତୁତି-ଛଳରେ ଶ୍ରୀକୃଷ୍ଣ କଂସକୁ ନିନ୍ଦା କରିଥିବା ପ୍ରଥମ ଉଦାହରଣରେ ବର୍ଣ୍ଣିତ । ସ୍ତୁତି ଛଳରେ ରାମଚନ୍ଦ୍ର ମଙ୍ଗରାଜଙ୍କ ନିନ୍ଦା-ଗାନ ଦ୍ୱିତୀୟ ଉଦାହରଣରେ ବର୍ଣ୍ଣିତ ।

 

(୪୧) ବ୍ୟାଜୋକ୍ତି–ଗୋପନୀୟ ବିଷୟକୁ ଭୟରୁ ଅଥବା ଇଚ୍ଛାରୁ ପ୍ରକାଶ କରି ନ ପାରି ତାହାକୁ ଘୋଡ଼ାଇବା ଉଦ୍ଦେଶ୍ୟରେ ଯେଉଁ କଥା କୁହାଯାଏ ତାହାକୁ ବ୍ୟାଜୋକ୍ତି କହନ୍ତି । ଯଥା-: –

 

“ମୋ ଟିଉଟର କିନ୍ତୁ ସେମିତ ନୁହନ୍ତି । ସେ ପରା ମତେ ଧରମ-ଝିଅ କରିଛନ୍ତି ।” (ଧରମ ଝିଅ) ।

 

ଶ୍ରୀନାଥ ବାବୁଙ୍କ ସହିତ ନିଜର ପ୍ରେମ-ସମ୍ପର୍କ ଘୋଡ଼ାଇବା ପାଇଁ ବାସନ୍ତୀ ଶ୍ରୀନାଥ ବାବୁଙ୍କ ଧରମ-ଝିଅ ବୋଲି କହିଥିଲା । ଏଣୁ ଏହା ବ୍ୟାଜୋକ୍ତି ।

 

(୪୨) ଅପ୍ରସ୍ତୁତ ପ୍ରଶଂସା–ପ୍ରସ୍ତୁତ ଅର୍ଥାତ୍‍ ବର୍ଣ୍ଣନୀୟ ବିଷୟଟି ଗୂଢ଼ ରଖି କୌଣସି ଅପ୍ରସ୍ତୁତ ଅର୍ଥାତ୍‍ ଅପ୍ରାସଙ୍ଗିକ ବିଷୟର ବର୍ଣ୍ଣନା କଲେ ଏହି ଅଳଙ୍କାର ହୁଏ । ଏହା ପ୍ରଧାନତଃ ଦୁଇ ପ୍ରକାର–ଅପ୍ରସ୍ତୁତ ସାମାନ୍ୟ ଅର୍ଥରୁ ପ୍ରସ୍ତୁତ ବିଶେଷ ଅର୍ଥର ପ୍ରକାଶ ଓ ଅପ୍ରସ୍ତୁତ ବିଶେଷ ଅର୍ଥରୁ ପ୍ରସ୍ତୁତ ସାମାନ୍ୟ ଅର୍ଥର ପ୍ରକାଶ ।

 

ଯଥା : –

 

“ଫୁଲ ନାଚେ ଫୁଲଛନ୍ଦେ

ଅନାଏ କି ଭଲ–ମନ୍ଦେ ?

ଫୁଲି ଫୁଲି ଉଠେ ମଧୁ

ଗୁଣୁଗୁଣେ ଭଁ’ର ବନ୍ଧୁ ।

ଆପେ ପିଇ ଆପେ ମଜେ

ଥାଉ ନା ସେ ତା’ର ଛନ୍ଦେ ।” (ପାଇକ-ପୁଅ)

 

ଏଠାରେ ଫୁଲ ବାସ୍ତବିକ ବର୍ଣ୍ଣନୀୟ ବିଷୟ ନୁହେଁ । ଏଥିରେ ଫୁଲର ସମସ୍ତ ବର୍ଣ୍ଣନା ଅଛି । ଏହି ବର୍ଣ୍ଣନାରେ ପୁଲି ଧନୁଆ ସହିତ ନିଜର ବିବାହରେ ଅସମ୍ମତି ଗୁଢ଼ ରଖି ଅଛି । ଏଣୁ ଫୁଲ ସମ୍ୱନ୍ଧରେ ସମଗ୍ର ଅର୍ଥକୁ ଅପ୍ରସ୍ତୁତ ବିଶେଷ ଅର୍ଥ ଓ ଫୁଲିର ଅସମ୍ମତିକୁ ପ୍ରସ୍ତୁତ ସାମାନ୍ୟ ଅର୍ଥ କହନ୍ତି । ଏହିପରି ବ୍ରହ୍ମଜ୍ଞ ମଧୁସୁଦନଙ୍କ ନଦୀପ୍ରତି କବିତାରେ ନଦୀର ଉତ୍ପତ୍ତି, ସାଗର ସହିତ ତାହାର ମିଳନ ଓ ସାଗର ଅଭିମୁଖରେ ତାହାର ଗତି ସମ୍ୱନ୍ଧରେ ଯେତେ ବର୍ଣ୍ଣନା ଅଛି ସେ ସମସ୍ତ ଅପ୍ରସ୍ତୁତ ବିଶେଷ ଅର୍ଥ । ମନୁଷ୍ୟର ଜନ୍ମ, ମୃତ୍ୟୁ ଉତ୍ତାରେ ଅନନ୍ତ ବ୍ରହ୍ମରେ ତାହାର ଲୟ ଓ ସେଥିପାଇଁ ଜୀବନ-ପଥରେ ତାହାର ଗତି ପ୍ରଭୃତିର ବର୍ଣ୍ଣନା ପ୍ରସ୍ତୁତ ସାମାନ୍ୟ ଅର୍ଥ । ୰କୁନ୍ତଳାକୁମାରୀଙ୍କ ପ୍ରେମ-ଚିନ୍ତାମଣିରେ ବର୍ଣ୍ଣିତ ପତି-ପତ୍ନୀର ପ୍ରେମ ଅପ୍ରସ୍ତୁତ ବିଶେଷ ଅର୍ଥ ଅଟେ; ଜୀବାତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ନିହିତ ପରସ୍ପର ପ୍ରେମ ପ୍ରସ୍ତୁତ ସାମାନ୍ୟ ଅର୍ଥ ଅଟେ ।

 

ଗୋଟିଏ ଦୀର୍ଘ କବିତା ସମ୍ପୂର୍ଣ୍ଣରୂପେ ଉଦ୍ଧାର ନ କଲେ ଅପ୍ରସ୍ତୁତ ସାମାନ୍ୟ ଅର୍ଥରୁ ପ୍ରସ୍ତୁତ ବିଶେଷ ଅର୍ଥର ପ୍ରତୀତି କିପରି ହୁଏ ତାହା ବୁଝାଇବା କଠିନ । କିନ୍ତୁ ପାଠକମାନେ ବ୍ରହ୍ମଜ୍ଞ ମଧୁସୁଦନଙ୍କ ବସନ୍ତ-ଭାବନା, ଧ୍ୱନି ପ୍ରଭୃତି କବିତା ଆବଶ୍ୟ ପଢ଼ିଥିବେ । ବସନ୍ତର ବର୍ଣ୍ଣନା ବସନ୍ତ ଭାବନାରେ ଅପ୍ରସ୍ତୁତ ସାମାନ୍ୟ ଅର୍ଥ । ଦୁଃଖୀର ନିରାଶ ହୃଦୟରେ ଆଶା ଓ ଉତ୍ସାହର ଜାଗରଣ ପ୍ରସ୍ତୁତ ବିଶେଷ ଅର୍ଥ । ସେପରି ଇନ୍ଦ୍ରିୟଗ୍ରାହ୍ୟ ଜଗତର ସମସ୍ତ ଧ୍ୱନି ଅପ୍ରସ୍ତୁତ ସାମାନ୍ୟ ଅର୍ଥରୂପେ ଓ ଅନନ୍ତର ବିବେକ-ବାଣୀ ପ୍ରସ୍ତୁତ ବିଶେଷ ଅର୍ଥ ରୂପେ ଧ୍ୱନି-କବିତାରେ ପ୍ରକାଶିତ ହୋଇଅଛି ।

 

କବିବର ରାଧାନାଥଙ୍କ ଚନ୍ଦ୍ରଭାଗାରେ ସୂର୍ଯ୍ୟଙ୍କ ସହିତ ମର କଳହ ଚନ୍ଦ୍ରଭାଗାର ପଛରେ ସୂର୍ଯ୍ୟଙ୍କର ଧାଇଁବା ଓ ସୂର୍ଯ୍ୟଙ୍କ ମନ୍ଦିରର ପତନ, ଅପ୍ରସ୍ତୁତ ବିଶେଷ ଅର୍ଥ ଅଟେ । ଅଭିମାନ ଜାତ ହେଲେ ବିବେକ ଲୁପ୍ତ ହୋଇ ଇନ୍ଦ୍ରିୟ-ସୁଖର କାମନା ଜାତ ହେଲେ ମନୁଷ୍ୟର ପଦାର୍ଥ ପ୍ରତି ଆକର୍ଷଣ ଜନ୍ମେ ଓ ଶରୀରର ପତନ ଘଟେ ପ୍ରସ୍ତୁତ ସାମାନ୍ୟ ଅର୍ଥ ଅଟେ ।

 

ଏହିପରି ବୀଜ ନିହିତ ଅଦୃଶ୍ୟ ସୂକ୍ଷ୍ମ ଅଙ୍କୁରର ବିକାଶକାର୍ଯ୍ୟ ବର୍ଣ୍ଣନା କଲେ ଅରୁପ ବ୍ରହ୍ମଙ୍କ ସୃଷ୍ଟିରେ ପ୍ରକାଶ ରୂପ ଅର୍ଥ ପ୍ରତୀତ ହୋଇପାରେ । ଏଥିରେ ଅପ୍ରସ୍ତୁତ କାର୍ଯ୍ୟର ବର୍ଣ୍ଣନାରୁ ପ୍ରସ୍ତୁତ କାରଣର ଅର୍ଥ ପ୍ରତୀତ ହେବ । ସାଗରର ବର୍ଣ୍ଣନା କରି ତହିଁରେ ମଧ୍ୟ ଇଶ୍ୱରଙ୍କ ବର୍ଣ୍ଣନା ଗୂଢ଼ ରଖା ଯାଇପାରେ । ତାହାହେଲେ ଅପ୍ରସ୍ତୁତ କାର୍ଯ୍ୟର ବର୍ଣ୍ଣନାରୁ ପ୍ରସ୍ତୁତ କାରଣର ବର୍ଣ୍ଣନା ପ୍ରତୀକ ହୋଇପାରେ ।

 

ଆଧୁନିକ ଯୁଗର କବିତାରେ ଅପ୍ରସ୍ତୁତ ଅଳଙ୍କାରର ଆଦର ବେଶୀ । କିନ୍ତୁ ଯଦି କବିତାରେ ପ୍ରସ୍ତୁତ ବିଷୟର ନାମ ଉଲ୍ଲେଖ କରାଯାଏ ତେବେ ପ୍ରକୃତ ଅପ୍ରସ୍ତୁତ ଅଳଙ୍କାର ହୁଏନାହିଁ-। ବସନ୍ତ ଭାବନା ଓ ଧ୍ୱନି କବିତାରେ ପ୍ରସ୍ତୁତ ବିଷୟର ନାମୋଲ୍ଲେଖ ଥିବାରୁ ତାହା ଯଥାର୍ଥ ଅପ୍ରସ୍ତୁତ ପ୍ରଶଂସା ଅଳଙ୍କାର ନୁହେ । ଇଂରେଜୀ (Rainbow)କବିତାରେ ଶେଷରେ ଯେପରି (The child is the father of man) କୁହାଯାଇଅଛି ସେପରି ଉକ୍ତ କବିତାମାନଙ୍କରେ କୁହା ହୋଇଥିଲେ ତାହା ଯଥାର୍ଥ ଅପ୍ରସ୍ତୁତ ପ୍ରଶଂସା ଅଳଙ୍କାର ହୋଇଥାଆନ୍ତା ।

 

(୪୩) ସମାସୋକ୍ତି–(personification)–ପ୍ରାସଙ୍ଗିକ ବିଷୟ ଉଲ୍ଲେଖ କରି ତହିଁରେ ଅପ୍ରାସଙ୍ଗିକ ବିଷୟ ଆରୋପ କଲେ ସମାସୋକ୍ତି ହୁଏ । ଯଥା : –

 

“ପ୍ରଶାନ୍ତ ନିଶାନ୍ତ-କାଳ ବିରାଜେ ଉଜ୍ଜ୍ୱଳେ

ଉଷାର ତୁଷାର-ଶୁଭ୍ର ଲଲାଟ-ମଣ୍ଡଳେ ।’’ (ଋଷିପ୍ରାଣେ ଦେବାବତରଣ)

 

ଏଥିରେ ଉଷା ପ୍ରାସଙ୍ଗିକ ବିଷୟ, ତହିଁରେ ଅପ୍ରାସଙ୍ଗିକ ଲଲାଟ ଆରୋପ କରାଯାଇଅଛି । ଉଷାର ଲଲାଟ ନ ଥିବାରୁ ତାହା ଉଷା ପକ୍ଷରେ ଅପ୍ରାସଙ୍ଗିକ, ଏଣୁ ଏହା ସମାସୋକ୍ତି ।

 

ସମାନ କାର୍ଯ୍ୟ, ସମାନ ଲିଙ୍ଗ ବା ସମାନ ବିଶେଷଣ ନ ଥିଲେ ସମାସୋକ୍ତି ହୁଏ ନାହିଁ । କୁଶାସକ ରାଜା ଯେପରି ମନ୍ଦ ପ୍ରକୃତିର କର୍ମଚାରୀ ରଖି ଶାସନ କରେ ସେପରି କାର୍ଯ୍ୟ କଳିଯୁଗରେ ସମ୍ପାଦିତ ହୁଏ ବୋଲି ମହାଯାତ୍ରାରେ କଳିଯୁଗକୁ କୁଶାସକ ରାଜା ରୂପେ ବର୍ଣ୍ଣନା କରାଯାଇଅଛି । ସମାନ କାର୍ଯ୍ୟ ଥିବାରୁ ଏହା ସମାସୋକ୍ତି । କାହାକୁ ଦେଖିଲେ ତାହାର ମୁଖ ଓ ଲଲାଟରେ ହଠାତ୍ ଦୃଷ୍ଟି ପଡ଼େ । ସେପରି ପୂର୍ବଦିଗର ଆକାଶକୁ ଦେଖି ଉଷାକାଳ ଚିହ୍ନାଯାଏ । ମନୁଷ୍ୟର ଲଲାଟ ଓ ପୂର୍ବାକାଶ ସମାନ ଲିଙ୍ଗ ହୋଇ ଥିବାରୁ ଉଦ୍ଧୃତ ସ୍ତବକରେ ସମାସୋକ୍ତି ହେଲା-

 

ବର୍ତ୍ତମାନ ସମାନ ବିଶେଷଣରେ କିପରି ସମାସୋକ୍ତି ହୁଏ । ତାହାର ଉଦାହରଣ ତଳେ ଦିଆ ଯାଉଅଛି : –

 

“ଥିଲାଗୋଟେ ବଡ଼ରାଜ୍ୟ ତା’ ନାମ ଶରୀର,

ସେ ଦେଶର ରାଜାର ନାମ ଆତ୍ମାରାମ ବୀର ।

ରାଜାଙ୍କର ଥିଲା ମନ୍ତ୍ରୀ ତାହା ନାମଜ୍ଞାନ,

ବିବେକ ନାମରେ ଜଣେ ଥିଲା ଦରୁଆନ ।

ଧର୍ମ-ଧନ ରାଜା ରଖିଥିଲେ ଗନ୍ତାଘରେ,

ବିବେକ-ପ୍ରହରୀ ଜଗିଥାଏ ନିରନ୍ତରେ । (ରାଜା ଓ ଫକୀର)

 

ଏଥିରେ କେବଳ ବିଶେଷଣ ସମାନ ଅଛି । ରାଜା, ମନ୍ତ୍ରୀ, ଦରୁଆନ, ପ୍ରହରୀ ପ୍ରଭୃତି ବ୍ୟକ୍ତି ବିଶେଷଙ୍କର ବିଶେଷଣରୂପେ ବ୍ୟବହୃତ ହୁଏ । ପରସ୍ପରିତ ରୂପକ ଓ ସମାସୋକ୍ତି ମଧ୍ୟରେ ପ୍ରଭେଦ ଜାଣିବା ଉଚିତ । ବ୍ରହ୍ମଜ୍ଞ ମଧୁସୁଦନଙ୍କ ‘ଆତ୍ମ-ସମର୍ପଣ’ କବିତାରେ ‘ପରସ୍ପରିତ-ରୂପକ’ ଅଳଙ୍କାର ଅଛି । ପରମାତ୍ମା ସବିତା ହେବାରୁ ଜୀବାତ୍ମାକୁ ବୀଜ ଓ ପରମାତ୍ମାଙ୍କ ପ୍ରେମକୁ ଆଲୋକ ରୂପରେ ବର୍ଣ୍ଣନା କରାଯାଇଅଛି ।

 

ସମାସୋକ୍ତି ସହିତ ନିମ୍ନୋଦ୍ଧୃତ ଶ୍ଲେଷାଳଙ୍କାରର ପ୍ରଭେଦ ବିଚାର କରିବା ଉଚିତ : –

 

“ଦିନକୁ କଲେ ବିନାଶ ବାରୁଣୀରେ ହେଲେ ବଶ

ଦ୍ୟୁମଣି ଦ୍ୱିଦୋଷ–ହତେ ସିନ୍ଧୁ–ମଜ୍ଜନ,” (ବିଦଗ୍‍ଧ ଚିନ୍ତାମଣି)

 

ସୂର୍ଯ୍ୟ (ଦ୍ୟୁମଣି) ପଦ (ତାରୁଣୀ) ପିଇ ଓ ଦରିଦ୍ରମାନଙ୍କୁ (ଦୀନ) ମାରି ଦୁଇ ପାପ ଛଡ଼ାଇବା ପାଇଁ (ହତେ) ସମୁଦ୍ରରେ ବୁଡ଼ିଲେ–ଏହି ଅର୍ଥ ମହତ ସନ୍ଧ୍ୟା-କାଳର ବର୍ଣ୍ଣନା ମଧ୍ୟ ଅଛି । ମାତ୍ର ଏକ ଶବ୍ଦ ଦୁଇ ଅର୍ଥରେ ବ୍ୟବହୃତ ହୋଇଥିବାରୁ ଏହା ଶ୍ଲେଷ-ଅଳଙ୍କାର । ସମାସୋକ୍ତି ନୁହେ-

 

(୪୪) ତୁଲ୍ୟଯୋଗିତା (Identity of attribute)–ପ୍ରାସଙ୍ଗିକ କିମ୍ବା ଅପ୍ରାସଙ୍ଗିକ ପଦାର୍ଥମାନଙ୍କର ସାଧାରଣ ଧର୍ମର ଅନ୍ୱୟ ବା ସାର୍ଥକତା ପ୍ରତିପାଦନ କଲେ ଏହି ଅଳଙ୍କାର ହୁଏ । ଯଥା : –

 

“ନାରୀମନ-ଚୋର ଚୋର ମହାବୀର

ଚୋର ନାମ ତେଣୁ ବହିଛି ମହୀର ।” (ନନ୍ଦିକେଶରୀ)

 

ଯେ ଚୋରାଏ ସେ ଚୋର । ରାଜାଙ୍କର ଚୋର ରୂପ ନାମର ସାର୍ଥକତା ପ୍ରତିପାଦନ ନିମନ୍ତେ ସେ ନାରୀମନ ଚୋରାନ୍ତି ବୋଲି ଏଠାରେ କୁହାଯାଇଅଛି ।

 

(୪୫) ଅଧିକ–ଆଧାର ଅଥବା ଆଧେୟକୁ ବଡ଼ ବୋଲି ବର୍ଣ୍ଣନା କଲେ ଏହି ଅଳଙ୍କାର ହୁଏ । ଯଥା;–

 

“କହେ ସଚିବ–ସୂତା ‘ସବୁ’ ବଡ଼ ଦଇବ

କାହା ମନେ ଥିଲା ଅଗାଧ ସମୁଦ୍ର,

ଚଳୁ ଭିତରେ ସମ୍ଭାଇବ ?” (ଲାବଣ୍ୟବତୀ)

 

ଏଠାରେ ଆଧାର ରଜ୍ଜୁଠାରୁ ଆଧେୟ ସମୁଦ୍ର ବଡ଼ ବୋଲି ବର୍ଣ୍ଣନା କରାଯାଇଅଛି । ଏହିପରି ‘ସମୁଦ୍ରରେ ଶଙ୍ଖେ ପଣା’ କହିଲେ ଆଧାର ଆଧେୟଠାରୁ ବଡ଼ ବୋଲି ପ୍ରତୀତ ହୁଏ ।

 

(୪୬) ଆକ୍ଷେପ–କୌଣସି କଥା କହିବା ପାଇଁ ପ୍ରଥମେ ନିଷେଧର ଆଭାସ ଦେଇ ପରେ କହିଲେ ଏହି ଅଳଙ୍କାର ହୁଏ । ଯଥା : –

 

“କହିବାର ନୁହେ ବଚନେ, ଘଟିଲା

ନିଶାଯୋଗେ ଯାହା ମାତଃ;

ଆଭାଗୀର କର୍ମ- ଦୋଷକୁ ହେଲା ସେ

ଦାରୁଣ ନିଶା–ପ୍ରଭାତ ।

ନିଦ୍ରାଭଙ୍ଗେ ମୁହିଁ ପର୍ଯ୍ୟଙ୍କୁ ପଡ଼ିଲି

ଭୂମି–ତଳେ ଦେଇ ଲମ୍ଫ,

ଏବେ ସୁଦ୍ଧା ସେହି ସ୍ମୃତି ଜନ୍ମାଉଛି

ଏ ଛାୟା ଦେହେ ପ୍ରକମ୍ପ ।” (ପାର୍ବତୀ)

 

‘କଥାରେ କହିବା ଉଚିତ ନୁହେ’–ଏହି ନିଷେଧର ଆଭାସ ଦେଇ ପରେ କହି ଥିବାରୁ ପର ସ୍ତବକରେ ଯେଉଁ ସାଧାରଣ ଅର୍ଥ ଅଛି ତାହା ଆହୁରି ଗୁରୁତର ପ୍ରତୀତ ହୁଏ ।

 

(୪୭) ଅନ୍ୟୋନ୍ୟ–ବସ୍ତୁଦ୍ୱୟ ପରସ୍ପର ଏକ କ୍ରିୟାର କାରଣ ହେଲେ ଏହି ଅଳଙ୍କାର ହୁଏ । ‘‘ପ୍ରଜାଙ୍କ ସୁଖରେ ରାଜାଙ୍କର ସୁଖ, ରାଜାଙ୍କ ସୁଖରେ ପ୍ରଜାଙ୍କର ସୁଖ” ଏପରି କଥାରେ ରାଜା ଓ ପ୍ରଜା ଉଭୟ ପରସ୍ପର ଏକ ସୁଖର କାରଣ ହେବାରୁ ଏଥିରେ ଅନ୍ୟୋନ୍ୟ ଅଳଙ୍କାର ହୁଏ-

 

(୪୮) ଏକାବଳୀ–ପୂର୍ବ କଥାରେ ଯାହା ବିଶେଷଣ ପର କଥାରେ ତାହା ବିଶେଷ୍ୟ ଓ ଏହି ବିଶେଷ୍ୟର ବିଶେଷଣ ପର କଥାରେ ବିଶେଷ୍ୟ–ଏହି ରୀତିରେ ଯେଉଁ ବାକ୍ୟଗୁଡ଼ିକ ହୁଏ ତହିଁରେ ଏକାବଳୀ ଅଳଙ୍କାର ହୁଏ । ‘‘ଏହି ସରୋବର କମଳରେ କମଳ ଭ୍ରମରରେ, ଭ୍ରମର ସଙ୍ଗୀତ-ଝଙ୍କାରରେ ଓ ସଙ୍ଗୀତ ମୂର୍ଚ୍ଛନାରେ ଶୋଭିତ” କହିଲେ ପ୍ରଥମ କଥାର ବିଶେଷଣ କ୍ରମକୁ ପର କଥାରେ ବିଶେଷ୍ୟ ରୂପେ ବ୍ୟବହୃତ । କମଳର ବିଶେଷଣ ଭ୍ରମର ପର କଥାରେ ବିଶେଷ୍ୟ । ଏପରି ରୀତିରେ ବାକ୍ୟ ରଚିତ ହୋଇଥିବାରୁ ଏହାକୁ ଏକାବଳୀ କହନ୍ତି ।

 

(୪୯) କାରଣମାଳା–କ୍ରମାନ୍ୱୟେ ପୂର୍ବବର୍ତ୍ତୀ ପଦାର୍ଥମାନ ପରବର୍ତ୍ତୀ ପଦାର୍ଥମାନଙ୍କର କାରଣ ହୋଇଥିଲେ ଏହି ଅଳଙ୍କାର ହୁଏ । ‘‘ବାଣିଜ୍ୟରୁ ଲାଭ, ଲାଭରୁ ଲୋଭ, ଲୋଭରୁ ମୃତ୍ୟୁ” ଏପରି କଥାରେ ବାଣିଜ୍ୟ ଲାଭର କାରଣ, ଲାଭ ଲୋଭର କାରଣ, ଲୋଭ ମୃତ୍ୟୁର କାରଣ ହେବାରୁ ଏଥିରେ କାରଣମାଳା ଅଳଙ୍କାର ହୁଏ ।

 

(୫୦) ଭାବିକ–ପରୋକ୍ଷ ଅଥବା ଭୂତ ବା ଭାବୀ ବିଷୟକୁ ପ୍ରତ୍ୟକ୍ଷ ପରି ବର୍ଣ୍ଣନା କଲେ ଏହି ଅଳଙ୍କାର ହୁଏ । ପୁରାଣ ଓ ଇତିହାସର ବିଷୟକୁ ପ୍ରତ୍ୟକ୍ଷ ପରି ମହାଯାତ୍ରାରେ ବର୍ଣ୍ଣନା କରାଯାଇଥିବା ପାଠକମାନେ ଜାଣନ୍ତି ।

 

(୫୧) ସଂସୃଷ୍ଟି–ଯେଉଁ ବାକ୍ୟରେ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ଉଭୟର ସମାବେଶ ଘଟିଥାଏ ତହିଁରେ ଏହି ଅଳଙ୍କାର ହୁଏ । ଯଥା : –

 

“ଅମଳ ନୀଳ କମଳରେ ଭ୍ରସଳ

ଯୁଗଳ ବସିବା ଚାହିଁ,

ତୃଷ୍ଣା କୃଷ୍ଣାନନ–ନୟନ ବିଚାରି

ଚାରିଗୁଣ ବୃଦ୍ଧି ତହିଁ,

ଶୁଣି କୀଚକ–ନାଦ

କୃଷ୍ଣ ବେଣୁ ଗୀତ ମଣି ମୃଦ ।’’ (ବିଦଗ୍‍ଧ ଚିନ୍ତାମଣି)

 

ଏଥିରେ ‘ଳ’, ’ନ’, ’ଣ’ ପ୍ରଭୃତି ସମଧ୍ୱନ୍ୟାତ୍ମକ ବର୍ଣ୍ଣମାନଙ୍କର ପୁନଃ ପୁନଃ ବ୍ୟବହାର ଥିବାରୁ ଅନୁପ୍ରାସ ନାମକ ଶବ୍ଦାଳଙ୍କାର ଅଛି । ପୁଣି ନୀଳ କମଳରେ ଭ୍ରମର (ଭ୍ରସଳ)–ଯୁଗଳ ଦେଖି ଓ ବାଉଁଶର (କୀଚକ)ନାଦ ଶୁଣି ସେଗୁଡ଼ିକୁ ଯଥାକ୍ରମେ କୃଷ୍ଣଙ୍କ ଚକ୍ଷୁ ଯୁଗଳ ଓ ବେଣୁ ସ୍ୱନ ମଣି ରାଧା ଆନନ୍ଦର ହୋଇଥିବାରୁ ଭ୍ରାନ୍ତିମାନ ନାମକ ଅର୍ଥାଳଙ୍କାର ଅଛି । ଏପରି ଦୂଇ ଅଳଙ୍କାର ଥିବାରୁ ଏହାକୁ ସଂସୃଷ୍ଟି କୁହାଯାଏ ।

 

(୫୨) ସଂକର–କୌଣସି ଗୋଟିଏ ବାକ୍ୟରେ ଏକାଧିକ ଅର୍ଥାଳଙ୍କାର ସନ୍ଦେହ ଜନ୍ମିଲେ ଏହି ଅଳଙ୍କାର ହୁଏ । ଯଥା : –

 

“ଦନ୍ତିଦନ୍ତ–ସମୁଦ୍ଗକ ପ୍ରବାଳ ଢାଙ୍କୁଣି ଟେକ

ଦିଗ ବଣିକ କି ଫେଡ଼ି ଭିନେ ଥୋଇଛି ?

ତା’ର ତାର–ତାରମୋତି ଗୋଟି ଗୋଟିକେ ଗଣନ୍ତି

କରୁଛି ପରା ଅମ୍ବରେ ପ୍ରତେ ହେଉଛି,

ସ୍ଥାନସ୍ଥିତ ନୀଳେନ୍ଦ୍ର ମଣି

ଗୋଟିକେ କି ଭ୍ରମ ଭାଳେ କି ହେବ ଗଣି ? (ବିଦଗ୍‍ଧ ଚିନ୍ତାମଣି)

 

ପୂର୍ଣ୍ଣମୀ ଦିନ ସନ୍ଧ୍ୟାରେ ପୂର୍ବାକାଶରେ ଚନ୍ଦ୍ର, ଆକାଶରେ ତାରା ଓ ତାରାମାନଙ୍କ ମଧ୍ୟରେ ବ୍ୟବହୃତ ନୀଳାକାଶ ଦେଖି କବି କଳ୍ପନା କଲେ ଯେ ହସ୍ତିଦନ୍ତ ନିର୍ମିତ ଫରୁଆର (ପଶ୍ଚିମ ପାଖସ୍ଥ ସୂର୍ଯ୍ୟ) ଚନ୍ଦ୍ର ଗୋଟିଏ ପୋହଳା–ଢାଙ୍କୁଣି । ଦିଗ-ବଣିକ ଫରୁଆ ପଟାଇ ଢାଙ୍କୁଣିଟି ଟେକି ରଖିଛି । ତା’ର ଫରୁଆ ମଧ୍ୟରେ ଥିବା ଉଜ୍ୱଳ (ତାର) ତାରକା (ତାରା)–ରୂପ ମୋତିଗୁଡ଼ିକୁ ଗୋଟି ଗୋଟି କରି ଥୋଇ ଗଣନା କରୁଅଛି । ଗଣିବାରେ ଭୁଲ ହେଲ ଭାବି ମୋତିଗୁଡ଼ିକ ଯେପରି ଏକତ୍ର ସଂଲଗ୍ନ ନ ହୁଅନ୍ତି ସେଥିପାଇଁ ସେ ମଧ୍ୟେ ମଧ୍ୟେ ଗୋଟିଏ ଗୋଟିଏ ଇନ୍ଦ୍ରନୀଳମଣି ରଖିଅଛି ।

 

ଏଥିରେ ସମାସୋକ୍ତି, ପରସ୍ପରିତ ରୂପକ ଓ ସନ୍ଦେହ ପ୍ରଭୃତି ଅଳଙ୍କାରର ସନ୍ଦେହ ଜନ୍ମେ-। “ଦିଗ-ବଣିକ କି ଫେଡ଼ି ଥୋଇଛି” ଓ “କରୁଛି ତାରା ଅମ୍ବରେ ପ୍ରତେ ହେଉଛି”–ଏହି ଦୁଇ କଥାରୁ ପ୍ରଥମଟିରେ ସନ୍ଦେହ-ଅଳଙ୍କାର ଓ ଦ୍ୱିତୀୟଟିରେ ଅନୁମାନ ଅଳଙ୍କାର ଅଛି । ପରସ୍ପରିତ ରୂପକ ଓ ସମାସୋକ୍ତିରେ ଏପରି ରହେ ନାହିଁ । ପୁଣି ଦିଗ-ବଣିକ ଓ ତାର ମୋତି କହିଥିବାରୁ ପରସ୍ପରିତ ରୂପକ ପରି ପ୍ରତୀତ ହୁଏ । ଦିଗମାନଙ୍କରେ ଗୋଟି ଗୋଟି ହୋଇଥିବା ତାରା ଓ ବଣିକ ମୋତି ଗୋଟି ଗୋଟି କରି ଥୋଇ ଗଣିବା ସମାନ କାର୍ଯ୍ୟ ଥିବାରୁ ଏହା ସମାସୋକ୍ତି ବୋଲି ମଧ୍ୟ ପ୍ରତୀତ ହୁଏ । ଏହିପରି ବିଭିନ୍ନ ଅଳଙ୍କାରର ସନ୍ଦେହ ଜନ୍ମଥିବାରୁ ଏହାକୁ ସଂକର-ଅଳଙ୍କାର କୁହାଯାଏ ।

Image

 

ଅଷ୍ଟମ ପରିଚ୍ଛେଦ

ଦୋଷ

 

ବ୍ୟାକରଣ ଅନୁସାରେ ଭାଷାର ରୀତି ମାନି, ରସ ଅନୁସାରେ ଶୈଳୀକୁ ଗୁଣବିଶିଷ୍ଟ କରି, ଯୋଗ୍ୟତା–ଆକାଙ୍‍କ୍ଷା ପ୍ରଭୃତି ବିଚାରଦ୍ୱାରା ବାକ୍ୟ ଗଠନ କରି, ସରଳ ଶବ୍ଦାଳଙ୍କାର ସମାବେଶ କରି ଓ ସୂକ୍ଷ୍ମ, ପର୍ଯ୍ୟାୟୋକ୍ତି, ଅପ୍ରସ୍ତୁତ ପ୍ରଶଂସା, ସମାସୋକ୍ତି ପ୍ରଭୃତି କୌଣସି ପ୍ରଧାନ ଅଳଙ୍କାରରେ ଭୂଷଣ କରି ଯେଉଁ ଅନୁଭୂତିକୁ ପ୍ରକାଶ କରାଯାଏ ତାହା ରସୋଦ୍ଦୀପକ (Persuasiva) ହୁଏ । ଯାହା ରସୋଦ୍ଦୀପନର ଅପକର୍ଷ ସାଧନ କରେ ତାହାକୁ ଦୋଷ କହନ୍ତି-। ପ୍ରାଚୀନ ଅଳଙ୍କାରିକମାନେ ଶବ୍ଦାର୍ଥ ଓ ରସାଦିର ଅପକର୍ଷ-ସାଧକ ବର୍ଣ୍ଣନାକୁ ଦୋଷ କହୁ ଶବ୍ଦଗତ.ଅର୍ଥଗତ ଓ ରସଗୀତ ଭେଦରେ ଦୋଷକୁ ତିନି ଶ୍ରେଣୀରେ ବିଭକ୍ତ କରି ପ୍ରତ୍ୟେକ ଶ୍ରେଣୀର ପୁଣି ନାନା ଉପବିଭାଗ କରିଅଛନ୍ତି । ଏଥି ମଧ୍ୟରୁ ଶବ୍ଦଗତ ଓ ଅର୍ଥଗତ ଦୋଷ ଜାଣିବା ଆମ୍ଭମନଙ୍କର ପ୍ରୟୋଜନୀୟ । ଏଣୁ ତାହା ଏଠାରେ ଆଲୋଚନା କରାଯିବ ।

 

ଶବ୍ଦଦୋଷ

 

ଶ୍ରୂତି କଟୁତା–ଯେଉଁ ବାକ୍ୟରେ ବ୍ୟବହୃତ ଶବ୍ଦ ଶ୍ରୂତି ପ୍ରୀତିକର ନୁହେଁ ଓ ଯେଉଁ ସ୍ତବକରେ କୌଣସି ପର୍ବ ନ୍ୟନାକ୍ଷର ବା ଅଧିକାକ୍ଷର ହୋଇ ଛନ୍ଦ–ଦୋଷ ଲକ୍ଷିତ ହୁଏ ତହିଁରେ ଶ୍ରୂତି କଟୁତା–ଦୋଷ ଉପଲବଧି କରାଯାଏ । ଉଚାରଣ–ପ୍ରକୃତିର ବିରୁଦ୍ଧ ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ଶ୍ରୂତି–ମଧୁର ହୁଏ ନାହିଁ । ଦଂଷ୍ଟା, ବକ୍ର ପ୍ରଭୃତି ତିନି–ସଂଯୁକ୍ତ ବ୍ୟଞ୍ଜନ ବୀର ଓ ରୌଦ୍ର ରମ୍ୟ ଛଡ଼ା ଅନ୍ୟ ରସର ବର୍ଣ୍ଣନାରେ ବ୍ୟବହୃତ ହେଲେ ଶ୍ରୂତିକଟୁ ହୁଏ । ଏହା ଛଡ଼ା ସ୍କୁଲ ଷ୍ଟେସନ ପ୍ରଭୃତି ବିଦେଶୀ ଶବ୍ଦକୁ ଓଡ଼ିଆ ଭାଷାର ଉଚ୍ଚାରଣ–ପ୍ରକୃତି ଅନୁସାରେ ନ ଲେଖି ବିଦେଶୀ ଉଚ୍ଚାରଣକୁ ଅକ୍ଷୂର୍ଣ୍ଣ ରଖିଲେ ଶ୍ରୂତିକଟୁ ହୁଏ । ପ୍ରୟୋଜନ ସ୍ଥଳରେ ବିଦେଶୀ ଶବ୍ଦ ଆଣି ତାହାକୁ ଜାତୀୟ ଉଚ୍ଚାରଣର ଅନୁରୂପ କରାଯାଇପାରେ । କିନ୍ତୁ ଜାତୀୟ ଉଚ୍ଚାରଣକୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କଲେ ତାହା ବିପଳ ହେବ ଓ ଜାତୀୟସାହିତ୍ୟର ଅମଙ୍ଗଳ ସାଧନ କରିବ ।

 

ଚ୍ୟୁତ ସଂସ୍କୃତି–ବ୍ୟାକରଣ ଦୃଷ୍ଟ ପଦ ପ୍ରୟୋଗ କଲେ ଚ୍ୟୁତସଂସ୍କୃତିଦୋଷ ହୁଏ । କେଉଁଠାରେ ବିଶେଷଣକୁ ବିଶେଷ୍ୟ ରୂପେ ଓ କି ଅର୍ଥରେ କେଉଁ ଅତ୍ୟୟର ବ୍ୟବହାର କରାଯାଏ ଏବଂ କିପରି ଅର୍ଥରେ କି ବିଭକ୍ତି ଶବ୍ଦରେ ଯୋଗ କରାଯାଏ ଓ କିପରି ଅର୍ଥରେ କି ବିଭକ୍ତି ଯୋଗ କରି ନୂତନ ଶବ୍ଦ ଗଠନ କରାଯାଏ–ଏହିପରି ନାନା କଥାର ଶୃଙ୍ଖଳା ବିଧି ବ୍ୟାକରଣରେ ନିର୍ଦ୍ଦେଶ କରାଯାଇଅଛି । ଯେଉଁ ପଦରେ ସେହି ବିଧିର ବ୍ୟତିକ୍ରମ ଦେଖାଯାଏ ତାହାକୁ ବ୍ୟାକରଣଦୁଷ୍ଟ ପଦ କହନ୍ତି । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବ୍ୟାକରଣ–ଦୃଷ୍ଟ ପଦର ବ୍ୟବହାର ପ୍ରଚୁର । ଏଠାରେ ଆଧୁନିକ ଓଡ଼ିଆ ସାହିତ୍ୟରୁ ଗୋଟିଏ ଉଦାହରଣ ଦିଆଯାଉଅଛି : –

 

“ଏ ବାଳାକୁ ବନ- ବାସ ସୁହାଇଲେ

ବିଧି ଆହା କି ବିଚାରେ ।” (ଯଯାତି କେଶରୀ)

 

‘ସଡ୍’ ଧାତୁରେ ପ୍ରେରକ କ୍ରିୟା କଥିତ ଓଡ଼ିଆରେ ପ୍ରଚଳିତ ନାହିଁ । କବିଙ୍କର ଆବଶ୍ୟକ ହେଲା । ରହ, କହ, ପ୍ରଭୃତି ଧାତୁରୁ ଯେପରି ବୁହା, କୁହା ପ୍ରଭୃତି ହୁଏ ସେପରି ‘ସୁହାଇଲେ’ ବ୍ୟାବହାର କରିଥିଲେ ସଙ୍ଗତ ହୋଇଥାଆନ୍ତା । ‘ସୁହାଇଲେ’ ବ୍ୟାକରଣ ଦୁଷ୍ଟ ପଦ ।

 

ଅପ୍ରଯୁକ୍ତତା–ଯେଉଁ ଶବ୍ଦ ଅଭିଧାନରେ ଅଛି, କିନ୍ତୁ ଜନ ସାଧାରଣରେ ପ୍ରଚଳିତ ନୁହେ ତାହାକୁ ରଚନାରେ ପ୍ରୟୋଗ କଲେ ଅପ୍ରୟକ୍ତତା ଦୋଷ ହୁଏ । ଯେପରି ଶବ୍ଦ ବ୍ୟବହାର କରିବା ପାଇଁ ପ୍ରୟୋଜନ ପଡ଼ିଲେ ତାହାର ଅର୍ଥ ପଦ–ଟିପ୍‍ପଣିରେ ହେବା ଉଚିତ । ତଥାପି ଏପରି ବହୁ ଶବ୍ଦ ବ୍ୟବହାର କରିବା ଅନୁଚିତ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏପରି ଶବ୍ଦ ପ୍ରଚୁର ପରିମାଣରେ ବ୍ୟବହୃତ ହୋଇ ଥିବାରୁ ଶୈଳୀର ପ୍ରସାଦ–ଗୁଣ ନଷ୍ଟ ହୋଇଅଛି ।

 

ଅବାଚକତା–ଅର୍ଥର କିଞ୍ଚିତ ସାଦୃଶ୍ୟ ନ ଦେଖି ଶବ୍ଦ ପ୍ରୟୋଗ କଲେ ଅବାଚକତା ଦୋଷ ହୁଏ । ଉପେନ୍ଦ୍ରଭଞ୍ଜ ‘ଯାମିନୀ ରୂପା’ କ୍ରିପା ବ୍ୟବହାର କରିଅଛନ୍ତି । ଯାମିନୀ ସହିତ କ୍ରପାର ସାଦୃଶ୍ୟ ନାହିଁ । କ୍ରପା ହୃଦୟ ଭାବର ନୀରବ ପ୍ରକାଶକ । ଯାମିନୀ କୌଣସି ପଦାର୍ଥର ପ୍ରକାଶକ ନୁହେ ।

 

ଅସର୍ମଥତା–ଯେଉଁ ଶବ୍ଦରୁ ଯେଉଁ ଅର୍ଥ ପ୍ରତୀତ ହୁଏ ନାହିଁ ସେହି ଶବ୍ଦକୁ ସେହି ଅର୍ଥର–ପ୍ରତୀତ ପାଇଁ ବ୍ୟବହାର କଲେ ଅସମର୍ଥତା ଦୋଷ ହୁଏ । ପ୍ରାଚୀନ କବିମାନେ ‘ଶ୍ରୂତି’ ଶବ୍ଦକୁ କର୍ଣ୍ଣ–ଅର୍ଥରେ ବ୍ୟବହାର କରିଅଛନ୍ତି । ‘ବିଭୀଷଣ’ ଶବ୍ଦର ବଦଳରେ ‘ବିଗତ ଯେ ଭୀଷଣ’ ଓ ‘ତୃତୀୟ’ଶବ୍ଦର ବଦଳରେ ‘ତିନି’ଶବ୍ଦ ବ୍ୟବହୃତ ହୋଇଅଛି । ଶବ୍ଦମାନଙ୍କୁ ଏପରି ବ୍ୟବହାର କଲେ ପ୍ରକୃତ ଅର୍ଥ ପ୍ରତୀତ ହୁଏ ନାହିଁ ।

 

ଅଶ୍ଲୀଳତା–କାହାରି ପାଖରେ ଯେଉଁ ଶବ୍ଦ ଉଚ୍ଚାରଣ କରିବାକୁ ବା ଯେଉଁ କଥା କହିବା ପାଇଁ ଯେ କୌଣସି ଲୋକ ସଂକୋଚ ବୋଧ କଲେ ସେପରି ଶବ୍ଦ ବା ସେପରି କଥା ରଚନାରେ ବ୍ୟବହୃତ ହେଲେ ଅଶ୍ଲୀଳତା–ଦୋଷ ହୁଏ । ଓଡ଼ିଶାର ଅନେକ ଅଞ୍ଚଳରେ ଜନସାଧାରଣ ‘ଦୁଧ’ ଶବ୍ଦ ଉଚ୍ଚାରଣ କରିବାକୁ ସଂକୋଚ ବୋଧ କରନ୍ତି । କିନ୍ତୁ ବଙ୍ଗଳାର ଅନୁକରଣରେ ଓଡ଼ିଶାର ନବ୍ୟ ଲେଖକମାନେ ଏହି ଶବ୍ଦକୁ ରଚନାରେ ବ୍ୟବହାର କରିବା ପାଇଁ ସଂକୋଚ ବୋଧ କରନ୍ତି ନାହିଁ ।

 

କ୍ଲିଷ୍ଟତା-ଶବ୍ଦର ଯେଉଁ ଅର୍ଥର ପ୍ରତୀତି ପାଇଁ ଅଭିଧାନ ଖୋଜି ବହୁ କ୍ଲେଶ ଭୋଗିବାକୁ ହୁଏ ସେପରି ଅର୍ଥରେ କୌଣସି ଶବ୍ଦ ରଚନରେ ବ୍ୟବହୃତ ହୋଇଥିଲେ କ୍ଲିଷ୍ଟତା ଦୋଷ ହୁଏ । ‘ହରି ପତି ପତି’ ପଦ ‘ଶିବ’ ଅର୍ଥରେ ପ୍ରାଚୀନ ସାହିତ୍ୟରେ ବ୍ୟବହୃତ ହୋଇଅଛି । ଅଭିଧାନ ଦେଖି ହରିର ଅର୍ଥ ସିଂହ ବୁଝାଯାଇ ପାରେ । କିନ୍ତୁ ‘ହରି–ପତି’ ପଦର ଅର୍ଥ ଦୁର୍ଗା ବୋଲି ବୁଝିବା କଠିନ, ପ୍ରଥମ ଅର୍ଥରେ ଅପ୍ରୟକ୍ତତା ଦୋଷ ଓ ଦ୍ୱିତୀୟ ଅର୍ଥରେ ଅସମର୍ଥତା–ଦୋଷ ଅଛି । ଉଭୟ ମିଶି କ୍ଲିଷ୍ଟ ହେଲା । ଉପେନ୍ଦ୍ରଭଞ୍ଜଙ୍କ କାବ୍ୟମାନଙ୍କରେ ଏପରି ଦୋଷ ପ୍ରଚୁର ପରିମାଣରେ ଅଛି । ଆଧୁନିକ ସାହିତ୍ୟରେ ବିରଳ ।

 

ପ୍ରତିକୂଳ ବର୍ଣ୍ଣିତା–ଯେଉଁ ରସମାନଙ୍କର ବର୍ଣ୍ଣନା ଶୈଳୀରେ ଯେଉଁ ବର୍ଣ୍ଣମାନ ବ୍ୟବହୃତ ହେବା ନିଷିଦ୍ଧ ତାହା ଶୈଳୀ ପରିଚ୍ଛେଦରେ କୁହାଯାଇଅଛି । ସେହି ରସର ବର୍ଣ୍ଣନାରେ ସେହି ନିଷିଦ୍ଧ ବର୍ଣ୍ଣମାନ ବ୍ୟବହୃତ ହେଲେ ପ୍ରତିକୂଳବର୍ଣ୍ଣତା-ଦୋଷ ହୁଏ । କୌଣସି କବି ଏହି ଦୋଷରୁ ତ୍ରାହି ପାଇ ନ ପାରନ୍ତି । ତଥାପି ନିଷିଦ୍ଧ ବର୍ଣ୍ଣମାନଙ୍କ ବ୍ୟବହାରର ପରିମାଣ ଅନୁଯାୟୀ ଏହି ଦୋଷ ବିଚାର କରାଯାଏ ।

 

ଅନବୀକୃତତା–ଏକ ଶବ୍ଦକୁ ଏକ ଅର୍ଥରେ ବାରଂବାର ବ୍ୟବହାର କଲେ ଅନବୀକୃତତା ଦୋଷ ହୁଏ । ଯମକାଳକାଂରର ସୃଷ୍ଟି ପାଇଁ ବିଭିନ୍ନ ଅର୍ଥରେ ବ୍ୟବହାର କଲେ ଏହି ଦୋଷ ହୁଏ ନାହିଁ । କେବଳ ଶବ୍ଦ ସମ୍ଭନ୍ଧରେ ଏହି ଦୋଷ ହୁଏ ନାହିଁ । କୌଣସି କାବ୍ୟରେ ବା ଉପନ୍ୟାସରେ ବା ନାଟକରେ ଏକରସ ଅଥବା ଶୈଳୀରେ ଏକ ଅଳଙ୍କାର ଥିଲେ ଏହି ଦୋଷ ହୁଏ । ‘ଧରମ ଝିଅ’ ଗଳ୍ପରେ କେବଳ ଆଦିରସ ଥିବାରୁ ତହିଁରେ ଏହି ଦୋଷ ଲକ୍ଷିତ ହୁଏ । ପ୍ରତ୍ୟେକ ବିଷୟର ସୀମା ଅଛି । ଜଳ ବିହୀନରେ ଓ ଜଳ ଗହଳରେ ସୃଷ୍ଟି ନାଶ ହୁଏ । ‘ମହାଯାତ୍ରା’ କାବ୍ୟରେ ରୂପକ-ଅଳଙ୍କାର ପ୍ରଚୁର ପରିମାଣରେ ବ୍ୟବହୃତ ହୋଇ ଥିବାରୁ ତାହା ମଧ୍ୟ ଦୋଷ ମଧ୍ୟରେ ଗଣ୍ୟ । ବିଶ୍ୱ-ସୃଷ୍ଟି ଯେପରି ବିଚିତ୍ର କବିର ସୃଷ୍ଟିରେ ସେପରି ଶବ୍ଦଗତ, ରସଗତ ଓ ଅଳଙ୍କାରଗତ ବିଚିତ୍ରତା ରହିବା ବାଞ୍ଛନୀୟ । ଶବ୍ଦାଳଙ୍କାର ପ୍ରଚୁର ବ୍ୟବହାର ହେତୁରୁ ଉପେନ୍ଦ୍ରଭଞ୍ଜଙ୍କ କାବ୍ୟ-ସୌନ୍ଦର୍ଯ୍ୟ ନଷ୍ଟ ହୋଇଅଛି । ତହିଁରେ କ୍ଲିଷ୍ଟତା, ବ୍ୟାକରଣ–ଦୁଷ୍ଟତା ଓ ଅଶ୍ଲୀଳତା ପ୍ରଭୃତି ବିବିଧ ଦୋଷ ଯେପରି ଅଛି ବିଭିନ୍ନ ରସ ସେପରି ନାହିଁ ।

 

ପ୍ରସିଦ୍ଧି ବିରୁଦ୍ଧତା–(violation of poetical convention)–ଆକାଶରେ ଓ ପାପରେ ମଳିନତା; ହାସ ଓ ଯଶରେ ଧବଳତା, ଅନୁରାଗ ଓ କ୍ରୋଧରେ ରକ୍ତିମା, ବର୍ଷାକାଳରେ ହଂସମାନଙ୍କର ମାନସରୋବରକୁ ଗମନ ଚକୋରର ଚନ୍ଦ୍ରିକା-ପାନ, କନ୍ଦର୍ପର ଧନୁ ପୃଷ୍ଠରେ, ଜ୍ୟା ଭ୍ରମରରେ ଏବଂ ପଞ୍ଚଶର ପୃଷ୍ଠରେ ନିର୍ମିତ; କାମଶରରେ ଓ ସ୍ତ୍ରୀର କଟାକ୍ଷରେ ଯୁବଜନ ହୃଦୟ ଭେଦ;ଦିବସରେ ପଦ୍ମ ବିବସିତ ଓ କୁମୁଦ ମୁଦ୍ରିତ ଏବଂ ରାତ୍ରିରେ ପଦ୍ମ ମୁଦ୍ରିତ ଓ କୁମୁଦ ବିକସିତ; ସୂର୍ଯ୍ୟଙ୍କର ପ୍ରିୟା ଛାୟା ଓ ପଦ୍ମିନୀ ଚନ୍ଦ୍ରଙ୍କର ପ୍ରିୟା ତାରକାବଳୀ ଓ କୁମୁଦିନୀ ମେଘ-ଗର୍ଜ୍ଜନରେ ମୟୂରମାନଙ୍କ ନୃତ୍ୟ; ଚକ୍ରବାକ-ମିଥୁନର ରାତ୍ରି-ବିରହ, କାମିନୀମାନଙ୍କ ଚରଣୀଘାତରେ ଅଶୋକ-ଲତାର ବିକାଶ ଓ ସେମାନଙ୍କ ମୁଖସେକରେ (ଛେପରେ) ଅଶୋକ-ଲତାରେ ପୁଷ୍ପ ମୁକୁଳର ଉଦଗମ; ବସନ୍ତ କାଳରେ ଜାତି ପୁଷ୍ପର ଅପ୍ରକାଶ ଓ ଚନ୍ଦନତରୁ ଫଳ-ପୁଷ୍ପ-ହୀନ–ଏହିସବୁ କବି ପ୍ରସିଦ୍ଧ ଅଛି ।

 

ବ୍ୟାଘ୍ର, ସିଂହ ଓ ମେଘର ଗର୍ଜ୍ଜନ; ଗୋରୁର ହମ୍ବାରଡ଼ି, ଛେଳିର ମେଁ ମେଁ ବିରାଡ଼ିର ମେଉଁ ମେଉଁ; କୁକୁରର ଭେଉଭେଉ; ଅଶ୍ୱର ବୃହିଂତି, ହ୍ରେଷା ବା ହେଁ ହେଁ ଭଗ୍ନ ବୃକ୍ଷର ମଡ଼ ମଡ଼; ଯାତ୍ରାର ଅନୁକୁଳ–ବେଳାରେ ଦହି, ମାଛ, ନେଉଳ, ଭଦଳିଆ ପକ୍ଷୀ ଓ ବାମରେ ଶୃଗାଳ ଦେଖିଲେ ଶୁଭ ସୂଚନା ଏବଂ ସର୍ପ, ଶୂନ୍ୟ କଳସ ଦେଖିଲେ ଅଶ୍ୱର ସୂଚନା–ଏହିପରି ଅନେକ ଲୋକ ପ୍ରସିଦ୍ଧି ଅଛି ।

 

କବି ପ୍ରସିଦ୍ଧି ବା ଲୋକ ପ୍ରସିଦ୍ଧିର ବିରୁଦ୍ଧ ପ୍ରୟୋଗକୁ ପ୍ରସିଦ୍ଧି ବିରୁଦ୍ଧତା କହନ୍ତି । ‘ଆନନ୍ଦ’ ଶବ୍ଦର ବିଶେଷଣରୂପେ ‘ଭୀଷଣ’ ଅଥବା ଶୋକର ବିଶେଷଣରୂପେ ‘ରମଣୀୟ’ ଶବ୍ଦ ବ୍ୟବହାର କରିବା ଦୂଷଣୀୟ । ହସ୍ତିର ଗର୍ଜନକୁ ଧୈବତ ସ୍ୱର କହିବା ସେପରି ଦୂଷଣୀୟ ହୋଇ ପ୍ରସିଦ୍ଧି ବିରୁଦ୍ଧତା ନାମରେ ଅଭିହିତ ହୁଏ ।

 

“ହସ୍ତୀ ଧୈବତ ସ୍ୱରରେ ବଣଜଙ୍ଗଲ ମତାଇ ଦିଏ ।” (ଧରମ ଝିଅ)

 

ନ୍ୟୂନପବତା–ବାକ୍ୟରେ କର୍ତ୍ତା, କର୍ମ ପ୍ରଭୃତି କୌଣସି ପଦର ଅଭାବରୁ ଯଦି ଅର୍ଥ ପ୍ରତୀତ ନ ହୁଏ ତେବେ ଏହି ଦୋଷ ହୁଏ । ‘‘ରାମ କଟକକୁ ଯାଇଥିଲା, ତିନିଦିନ ରହିଲା; କାହାକୁ କିଛି କହିଲା ନାହିଁ’’–ଏପରି କଥାରେ କେଉଁଠାରେ ରହିଲା ନ ଲେଖିଲେ ମଧ୍ୟ ଅର୍ଥ ପ୍ରତୀତ ହୁଏ, କିନ୍ତୁ ସେଠାରେ କାହାକୁ କିଛି କହିଲା ନାହିଁ କି ଫେରି ଆସି ଏଠାରେ କାହାକୁ କିଛି କହିଲା ନାହିଁ –ଏହା ବୁଝିବା କଠିନ ହୁଏ । ଏଣୁ ଉଲ୍ଲିଖିତ କଥାର ଶେଷ ବାକ୍ୟରେ ‘ଏଠାରେ’ ଅଥବା ‘ସେଠାରେ’ ପଦ ପ୍ରୟୋଗ କରିବା ଉଚିତ । ନୋହିଲେ ନ୍ୟୂନପଦତା–ଦୋଷ ହେବ । ଅନେକ ସ୍ଥଳରେ କୌଣସି ଗୋଟିଏ ପଦ କୌଣସି ବାକ୍ୟରେ ଉଲ୍ଲେଖ ନ କଲେ ମଧ୍ୟ ସେହି ପଦଟି ଉପରର ବାକ୍ୟରୁ ଗ୍ରହଣ କରି ଅର୍ଥପ୍ରତୀତି ଜନ୍ମେ । ଏପରି ସ୍ଥଳରେ ଦୋଷ ନୋହି ବରଂ କାବ୍ୟଲିଙ୍ଗ ଅଳଙ୍କାର ହୁଏ ।

 

ସମାପ୍ତ ପୁନରାତ୍ତତା–କର୍ତ୍ତା, କର୍ମ, କ୍ରିୟା ପ୍ରଭୃତି ଦ୍ୱାରା ବାକ୍ୟ ଶେଷ ହେବା ଉତ୍ତାରୁ ବାକ୍ୟ-ମଧ୍ୟରେ ପ୍ରଯୋଜ୍ୟ ପଦ ଯଦି ଶେଷରେ ପ୍ରୟୋଗ କରାଯାଏ ତେବେ ଏହି ଦୋଷହୁଏ । “ହରି ସକାଳୁ ଉଠି ପିତାଙ୍କ ଆଦେଶରେ ବଜାରକୁ ଯାଇଥିଲା ନ ଲେଖି” ହରି ପିତାଙ୍କ ଆଦେଶରେ ବଜାରକୁ ଯାଇଥିଲା ସକାଳୁ ଉଠି ‘ଲେଖିଲେ ସକାଳୁ’ ଉଠି ପଦ ଶେଷରେ ବ୍ୟବହାର କରିବାରୁ ସମାପ୍ତ ପୁନରାତ୍ତତା ଦୋଷ ହେବ । କିନ୍ତୁ ‘‘ମୁଁ ତାହାଙ୍କୁ ଆମ୍ବ, ପଣସ, କଦଳୀ ପ୍ରଭୃତି ଖାଇବାକୁ ଦେଇଥିଲି ନ ଲେଖି” ମୁଁ ତାହାଙ୍କୁ ଖାଇବାକୁ ଦେଇଥିଲି–ଆମ୍ବ, ପଣସ, କଦଳୀ ପ୍ରଭୃତି “ଲେଖିଲେ ଦୂଷଣୀୟ ହୁଏ ନାହିଁ । କାରଣ, କ୍ରିୟା ପଦର ସନ୍ନିକର୍ଷରେ କର୍ମ-ପଦ ବହୁଥିବାରୁ ଅର୍ଥ–ପ୍ରତୀତିରେ ବାଧା ଘଟେ ନାହିଁ ।

 

ଅର୍ଥଦୋଷ

 

ଦୁଷ୍କ୍ରମତା–ପ୍ରକାଶକ୍ରମର ଶୃଙ୍ଖଳା-ଭଙ୍ଗକୁ ଦୁଷ୍କ୍ରମତା ଦୋଷ କହନ୍ତି । ଯାଚକ ଦାତା ନିକଟକୁ ଯାଇ ପ୍ରଥମେ ଏକଶତ ଟଙ୍କା ମାଗିଲେ ଦାତା ଯଦି ନାହିଁ କରେ ତତ୍ପରେ ଯାଚକ ପଚାଶ ଟଙ୍କା ମାରିପାରେ । କିନ୍ତୁ ତାହା ନ କରି ସେପରି ସ୍ଥଳରେ ଯାଚକ ଦୁଇ ଶବ୍ଦ ଟଙ୍କା ମାଗିଲା ବୋଲି ଯଦି କେହି ଲେଖେ ତେବେ ସେପରି ଲେଖାରେ ଦୁଷ୍କ୍ରମତା-ଦୋଷ ହୁଏ । ପଡ଼ିବା ଉତ୍ତାରୁ ଉଠିବାକୁ ହୁଏ ବୋଲି “ପଡ଼ି ଉଠି କାମ କଲା “ନ ଲେଖି “ଉଠି ପଡ଼ି କାମ କଲା” ଲେଖିଲେ ପ୍ରସିଦ୍ଧି-ବିରୁଦ୍ଧତା-ଦୋଷ ହେବ, ବର୍ଣ୍ଣନା କରିବାବେଳେ ପ୍ରଥମେ ଭୋଜନର ବର୍ଣ୍ଣନା କରି ତତ୍ପରେ ପାନର ବର୍ଣ୍ଣନା କରିବାକୁ ହେବ । ଏହାର ବିପରୀତ ରୀତିରେ ବର୍ଣ୍ଣନା କଲେ ଦୁଷ୍କ୍ରମତାଦୋଷ ହେବ । ‘ସୁରନର’ ‘ପଶୁପକ୍ଷୀ’ ‘ଯିବାଆସିବା’ ପ୍ରଭୃତି ନ ଲେଖି’ ନରସ୍ୱର’, ’ପକ୍ଷୀପଶୁ’, ‘ଆସିବାଯିବା’ ପ୍ରଭୃତି ଲେଖିଲେ ମଧ୍ୟ ଏହି ଦୋଷହୁଏ ।

 

ସନ୍ଦିଗୁଡ଼ା–ଅର୍ଥବୋଧ ନିଶ୍ଚିତରୂପେ ନ ହେଉଥିବା ବାକ୍ୟରେ ଏହି ଦୋଷ ଆରୋପ କରାଯାଏ । ଯଥା : –

 

“ସସ୍ମିତେ ପୃଚ୍ଛିଲେ ଦିନେ ନୃପ ମୋତେ

‘କହିବୁଟି ଜେମାମଣି ।”

ଲାବଣ୍ୟ-ପ୍ରତିମା ଗ୍ରହଣ କରିବା

ଅନ୍ୟ ପକ୍ଷେ ତା’ କିମଣି ?” (ପାର୍ବତୀ)

 

ଦ୍ୱିତୀୟ ଚରଣର ଅର୍ଥ-ବୋଧ ସମ୍ୱନ୍ଧରେ ସନ୍ଦେହ ଜାତ ହୁଏ । ସେହି ଚରଣଟି ନିମ୍ନଲିଖିତ ପ୍ରକାରେ ପରିବର୍ତ୍ତନ କଲେ ଅର୍ଥ ପରିସ୍ଫୁଟ ହୁଏ ।

 

ରୋପୟିତାର କି କ୍ଷୁଧା-ନିବାରଣେ

ତରୁ ହଟେ ଦୋଷ ମଣି ?

 

ଗ୍ରାମ୍ୟତା (vulgarity)–ଅପକୃଷ୍ଟ ଭାଷା ଓ ଅପକୃଷ୍ଟଭାବ ରଚନାରେ ଥିଲେ ତାହାକୁ ଗ୍ରାମ୍ୟତା-ଦୋଷ କହନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠେ–ଅପ୍ରକୃଷ୍ଟ ଭାଷା କାହାକୁ କହନ୍ତି ? କେବଳ ତତ୍ସମ ଶବ୍ଦର ବ୍ୟବହାରରେ ବାକ୍ୟ ଗଠିତ ହେଲେ ତାହାକୁ ଉତ୍କୃଷ୍ଟ ଭାଷା କୁହାଯାଏ ନାହିଁ-। ଉତ୍କୃଷ୍ଟ ଭାଷାରେ ତଦ୍ଭବ ଓ ଦେଶଜ ଶବ୍ଦମାନ ମଧ୍ୟ ବ୍ୟବହାର କରାଯାଏ । କିନ୍ତୁ ଯେଉଁ ଦେଶଜ ଶବ୍ଦ ପ୍ରଦେଶର କୌଣସି ଏକ ଅଞ୍ଚଳରେ ଏକ ଶ୍ରେଣୀର ଲୋକଙ୍କ ମଧ୍ୟରେ ବ୍ୟବହୃତ ହୁଏ ସେପରି ଶବ୍ଦ ରଚନାରେ ବ୍ୟବହୃତ ହେଲେ ତାହାକୁ ଗ୍ରାମ୍ୟ ଶବ୍ଦ କୁହାଯାଏ । ସମ୍ବଲପୁର ଅଞ୍ଚଳରେ ଛେନାକୁ ଘଷି କହନ୍ତି । ପୁରୀ ଜିଲ୍ଲାର ଉଚ୍ଚ ଶ୍ରେଣୀର ବ୍ରାହ୍ମଣମାନେ ପିତାକୁ ନନା ଓ ମାତାକୁ ବୋଉ କହନ୍ତି । ଘଷି, ନନା, ବୋଉ ପ୍ରଭୃତିକୁ ସେପରି ଅର୍ଥରେ ସାହିତ୍ୟରେ ବ୍ୟବହାର କଲେ ଗ୍ରାମ୍ୟତା ଦୋଷ ହେବ । ଏପରି ଭାଷା ଉପନ୍ୟାସ ଓ ନାଟକରେ ସେହି ଲୋକମାନଙ୍କ କଥୋପକଥନରେ ବ୍ୟବହୃତ ହୋଇପାରେ । ଆହୁରି ମଧ୍ୟ ଭାଷାର ଉଚ୍ଚାରଣ ପ୍ରକୃତି ଅନୁସାରେ ତଦ୍ଭବ ଶବ୍ଦର ବନାନ ନ ଲେଖି ସାମାନ୍ୟ କେତେ ଜଣଙ୍କର ଉଚ୍ଚାରଣ ଅନୁସାରେ ବନାନ ଲେଖିଲେ ତାହା ଦୋଷଯୁକ୍ତ ହେବ । ଚୂର୍ଣ୍ଣ, ପର୍ଣ୍ଣ ପ୍ରଭୃତି ଚୂନ, ପାନ ପ୍ରଭୃତିରେ ପରିଣତ ହେଉଥିବାରୁ ‘ର୍ଣ୍ଣ’-କୁ ‘ନ’ ରୂପେ ଉଚ୍ଚାରଣ କରିବା ଓଡ଼ିଆ ଭାଷାର ପ୍ରକୃତି ବୋଲି ଜଣାଯାଏ । ଏଣୁ ‘କର୍ଣ୍ଣିକାଲ’ ଶବ୍ଦର ଅପଭ୍ରଷ୍ଟ ‘କର୍ଣ୍ଣିଅର’ ରୂପେ ନ ଲେଖି ‘କନିଅର’ ରୂପେ ଲେଖିବା ସଙ୍ଗତ, ଓଡ଼ିଆରେ ସନ୍ଧି ନ ଥିବାରୁ ତାହାକୁ ‘କନ୍ୟାର’ ରୂପେ ଲେଖିବା ଉଚିତ ନୁହେ ।

 

ମନୁଷ୍ୟର ଶୟନ, ଭୋଜନ ପ୍ରଭୃତି ସାଧାରଣ ଦୈନନ୍ଦିନ କର୍ମ ଓ ଚିନ୍ତାକୁ ଗ୍ରାମ୍ୟଭାବ କହନ୍ତି । ସମାଜ ସହିତ ମନୁଷ୍ୟର ସମ୍ପର୍କ, ଜୀବନର ଉଦ୍ଦେଶ୍ୟ ପ୍ରଭୃତି ଉଚ୍ଚ ଚିନ୍ତା ନ ଥାଇ ଯେଉଁ ରଚନାରେ କେବଳ ଶୟନ, ଭୋଜନ ପ୍ରଭୃତି ସାଧାରଣ ଦୈନନ୍ଦିନ ଚିନ୍ତା ଓ କର୍ମ ବର୍ଣ୍ଣିତ ହୋଇଥାଏ ତହିଁରେ ଗ୍ରାମ୍ୟତା-ଦୋଷ ମଧ୍ୟ ଆରୋପ କରାଯାଏ । ଭଞ୍ଜ ସାହିତ୍ୟ ଏ ଦୋଷରୁ ମୁକ୍ତ ନୁହେ ।

 

ନିର୍ହେତୁତ୍ୱ–ବକ୍ତବ୍ୟ ବିଷୟର ହେତୁ ନ ଥିଲେ ଏହି ଦୋଷ ହୁଏ । ଯାତକ କାହାକୁ କିଛି ମାଗିଲେ କାହିଁକି ସେ ମାଗେ ତାହା କହେ, “ଖାଇବାକୁ ପାଇସାଟିଏ ଦିଅ” କହିଲେ ଖାଇବାପାଇଁ ସେ ମାଗେ ବୋଲି ବୁଝାଯାଏ । କିନ୍ତୁ “ପଇସାଟିଏ ଦିଅ” କେବଳ କହିଲେ ତାହାର ହେତୁ ବୁଝାଯାଏ ନାହିଁ । ଏହିପରି ରଚନାରେ ଯେଉଁ ବାକ୍ୟର ବା ବାକ୍ୟ-ସମ୍ପ୍ରଦାୟର ହେତୁ ବୁଝାଯାଏ ନାହିଁ ତହିଁରେ ଏହି ଦୋଷ ଆରୋପ କରାଯାଏ ।

‘ଗଉଡ଼-ବିଜେତା’ ନାଟକରେ ଜଗନ୍ନାଥ ଦାସଙ୍କ ଆବିର୍ଭାବର ହେତୁ ଦେଖାଯାଏ ନାହିଁ । ବିଶେଷତଃ ମହାଯାତ୍ରାରେ ସାର୍‍ ସୁଢ୍‍ଳ ଦେବଙ୍କର ଓ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କର ସ୍ତୁତି ଗାନ କରିବାର କୌଣସି ହେତୁ ସେଠାରେ ନାହିଁ । ତାହାଦ୍ୱାରା କାବ୍ୟର ବାସ୍ତବତା ମଧ୍ୟ ଅନେକ ପରିମାଣରେ ନଷ୍ଟ ହୋଇଅଛି । ‘ଉଷା’ କାବ୍ୟରେ ନାୟକ ନାୟିକାଙ୍କ ଆକସ୍ମିକ ମୃତ୍ୟୁରେ ମଧ୍ୟ ଏହି ଦୋଷ ଲକ୍ଷିତ ହୁଏ । ଚରିତ୍ର ଓ କର୍ମରେ ପରିଣାମର କାରଣ ଥିବା ଉଚିତ ।

ବ୍ୟାହତତା–(inconsistency)–ପ୍ରଥମେ କୌଣସି ବିଷୟର ଉତ୍କର୍ଷ ବା ଅପବର୍ଷ ଅଥବା ଅସ୍ତି ବା ନାସ୍ତି ବର୍ଣ୍ଣନା କରିବା ଉତ୍ତାରୁ ତତ୍ପରେ ତାହାର ବିପରୀତ ବର୍ଣ୍ଣନା କଲେ ତାହାକୁ ବ୍ୟାହତତା ଦୋଷ କହନ୍ତି ।

ଯଥା : –

ଶୁଖିଛି ଚନ୍ଦ୍ର ବଦନ ନିରତେ ନୀର ଲୋଚନ

ତେବେ ହେଁ ଶୋଭାକୁ ଉପମା ଦେବାକୁ

 

 

ନାହିଁ ବା ତ୍ରୟ ଭବନ

ନାରୀ–ରତନ ।” (ବିଚିତ୍ର ରାମାୟଣ)

 

ଏଠାରେ ବଦନ ଚନ୍ଦ୍ର ପରି ବହିକା ଉତ୍ତାରେ ତାହାର ଉପମା ତିନିଭୁବନରେ ନାହିଁ ବୋଲି କହିବାରୁ ବ୍ୟାହତତ-ଦୋଷ ହେଲା ।

 

ପ୍ରକାଶିତ ବିରୁଦ୍ଧତ୍ୱ–ଯେଉଁଠାରେ ଶବ୍ଦାର୍ଥରୁ ବକ୍ତାର ଅଭିପ୍ରାୟର ବିରୁଦ୍ଧାର୍ଥ ପ୍ରକାଶିତ ହେଉ ନ ଥାଏ, କିନ୍ତୁ ବ୍ୟାଖ୍ୟା କଲେ ବିରୁଦ୍ଧ ଅର୍ଥ ପ୍ରତିପାଦିତ ହୁଏ ସେଠାରେ ଏହି ଦୋଷ ହୁଏ । ଏପରି ଦୋଷ ଆଧୁନିକ ସାହିତ୍ୟରେ ପ୍ରାୟ ଦେଖାଯାଏ ନାହିଁ ।

 

ଅନୌଚିତ୍ୟ–ଦେଶ, କାଳ, ପାତ୍ର ଅନୁସାରେ ଯେଉଁ ବ୍ୟବହାର ପ୍ରଚଳିତ ଅଛି ତାହାର ଅନ୍ୟଥା ବର୍ଣ୍ଣନା ହେଲେ ଏହି ଦୋଷ ହୁଏ । ବର୍ତ୍ତମାନ ଘଟଣାକୁ ଅତୀତ ବା ଭାବୀ ଘଟଣାରୂପେ ଅଥବା ଭାବୀ ଘଟଣାକୁ ଅତୀତ ବା ବର୍ତ୍ତମାନ ଘଟନା ରୂପେ ବର୍ଣ୍ଣନା କଲେ କାଳାନୌଚିତ୍ୟ ହୁଏ । ମାତା ନିକଟରେ ପୁତ୍ର ପିତାର କାମତୁତୋ ବର୍ଣ୍ଣନା କରିବା ବା ପିତା ନିଜର କାମାତୁରତା କନ୍ୟା ନିକଟରେ ପ୍ରକାଶ କରିବା ପାତ୍ରାନୌଚିତ୍ୟ ହୁଏ । ଏହିପରି ଅନେକ ପାତ୍ରାନୌଚିତ୍ୟ ଅଛି । ଏହାଛଡ଼ା ଯେଉଁ ଦେଶରେ, ଯେଉଁ କାଳରେ, ଯେଉଁ ପାତ୍ର ପକ୍ଷରେ ଯେପରି ସାମାଜିକ ପ୍ରଥା ଉପଯୋଗୀ ତାହାର ଅନ୍ୟଥା ବର୍ଣ୍ଣନା ହେଲେ ତାହା ମଧ୍ୟ ଅନୌଚିତ୍ୟ-ଦୋଷରେ ଦୂଷିତ ହୁଏ ।

 

ଦେଶ, କାଳ ପାତ୍ରରେ ସୀମାବଦ୍ଧ ହେଲେ ଯେ ଶିଲ୍ପୀ ନୂତନ ସୃଷ୍ଟି କରି ପାରିବ ନାହିଁ ଏପରି ନୁହେଁ । ବର୍ତ୍ତମାନ ଅବଶ୍ୟ ଓଡ଼ିଶାର ସମାଜରେ ଗାନ୍ଧିର୍ବ ବିବାହର ସ୍ଥାନ ନାହିଁ । କିନ୍ତୁ ସମାଜ-ପ୍ରଥାର ତୀବ୍ର କଟାକ୍ଷକୁ ଡରି ବର୍ତ୍ତମାନ ସୁଦ୍ଧା ଅନେକ ପ୍ରେମିକ-ପ୍ରେମିକା ଦେଶ ତ୍ୟାଗ କରନ୍ତି । କେବଳ କଲେଜରେ ସହାଧ୍ୟୟନ ଫଳରେ କେତେଜଣ ଛାତ୍ର-ଛାତ୍ରୀ ପରସ୍ପର ପ୍ରଣୟରେ ଆବଦ୍ଧ ହୋଇ ଅଛନ୍ତି ? ସେମାନଙ୍କ ପ୍ରେମ ଚିତ୍ତିଜ କି ଅବସ୍ଥା-ଜାତ ? କବି କହି ଅଛନ୍ତି : –

 

ସ୍ୱରୁପ, ଯୌବନ, ପ୍ରେମ ଏ ତିନିହେଁ

ବିବେକ-ବୈରୀ ସର୍ବଥା

ତିନିହେଁ ମିଳିଲେ ବିବେକର ବେକ

ମୋଡ଼ି ଦେବା କିବା କଥା ।

 

ଏଥିରେ ପ୍ରେମ ଶବ୍ଦର ବ୍ୟବହାର ଥିବାରୁ ଅବାଚକତା-ଦୋଷ ଘଟି ଅଛି । କାରଣ, ପ୍ରେମ ବିଶୁଦ୍ଧ ନିଷ୍କାମ ପଦାର୍ଥ ଅଟେ । ଏଣୁ ସେ ବିବେକ ଧ୍ୱଂସ ନ କରି ତାହାର ଉତ୍କର୍ଷ ସାଧନ କରେ । ‘ପ୍ରେମ’ ଶବ୍ଦର ବଦଳରେ ‘କାମ’ ଶବ୍ଦ ବ୍ୟବହୃତ ହୋଇଥିଲେ ଯଥାର୍ଥ ହୋଇଥାଆନ୍ତା । ଯାହାହେଉ କବିଙ୍କ ଅନୁଭୂତି ଯଥାର୍ଥ । ଯୌବନର ପ୍ରଭାବରେ ଛାତ୍ର-ଛାତ୍ରୀ ପଥଭ୍ରଷ୍ଟ ହୁଅନ୍ତି କି ସେମାନଙ୍କର ଚିତ୍ତଜପ୍ରେମ ଜାତ ହୁଏ ତାହା ଆଧୁନିକ ଗଳ୍ପ-ଉପନ୍ୟାସରୁ ବୁଝା-ଯାଏ ନାହିଁ । କିନ୍ତୁ ମଫସଲରେ ଚିତ୍ତିଜ ପ୍ରେମର ଅନେକ ଦୃଷ୍ଟାନ୍ତ ଦେଖାଯାଏ । ମନୁଷ୍ୟର ମନସ୍ତତ୍ତ୍ୱ ସବୁ ଦେଶରେ ସବୁ କାଳରେ ଅଛି । ଭାଷା-ଶିଳ୍ପୀ ତାହାକୁ ପ୍ରକାଶ କରିପାରିଲେ ତାହାକୁ ତାହାର ସୃଷ୍ଟି କହନ୍ତି ।

 

ସହଚର ଭିନ୍ନତା–କାହାର ଗୁଣ-ବର୍ଣ୍ଣନା ମଧ୍ୟରେ ତାହାର ଦୋଷ ଅଥବା ସୁଖ ବର୍ଣ୍ଣନା ମଧ୍ୟରେ ଦୁଃଖର ଉଲ୍ଲେଖ କଲେ ତାହାକୁ ସହଚର ଭିନ୍ନତା ଦୋଷ କହନ୍ତି ।

 

 

ପ୍ରକୃତି ବିପର୍ଯ୍ୟୟ–ନାୟକ ବା ନାୟକା ଯେଉଁ ପ୍ରକୃତିର ବ୍ୟକ୍ତି ତାହାର ସେହି ପ୍ରକୃତିର ବିରୁଦ୍ଧ ବର୍ଣ୍ଣନା ହେଲେ–ଏହି ଦୋଷ ହୁଏ । ତାହାଛାଡ଼ ମନୁଷ୍ୟରୂପେ ବର୍ଣ୍ଣନା କଲେ ମଧ୍ୟ ଏହି ଦୋଷ ହୁଏ । ଏଣୁ ଲେଖକର ସମସ୍ତଙ୍କ ପ୍ରକୃତିକୁ ଯଥାର୍ଥରୂପେ ଜାଣିଥିବା ଉଚିତ ।

 

ପ୍ରକୃତିର ତିନୋଟି ଗୁଣ ଅଛି–ସତ୍ତ୍ୱ, ରଜ ଓ ତମ । ଏହି ତିନି ଗୁଣର ପରିମାଣ-ତାରତମ୍ୟରେ ବିଚାର ଯାବତୀୟ ବସ୍ତୁ ଉତ୍ପନ୍ନ । ମନୁଷ୍ୟଠାରେ ସତ୍ତ୍ୱ, ରଜ ଓ ତମ ତିନି ଗୁଣ ଅଛି-। ତହିଁ ମଧ୍ୟରେ ସତ୍ତ୍ୱ-ଗୁଣ ଅଧିକ । ପଶୁଠାରେ ତିନି ଗୁଣ ଥିଲେ ମଧ୍ୟ ମନୁଷ୍ୟ ଅପେକ୍ଷା ତାହାଠାରେ ସତ୍ତ୍ୱ ଊଣା ଓ ତମ ଅଧିକ । ଏହି ପରି ସତ୍ତ୍ୱ ଯେତିକି ଊଣା ହୋଇ ତମ ବେଶୀ ହୁଏ ଅଚେତନତା ସେତିକି ବେଶୀ ହୁଏ । ଏପରି କ୍ରମରେ ଅଚେତନ ପଦାର୍ଥମାନଙ୍କର ସୃଷ୍ଟି ।

 

ସତ୍ତ୍ୱ-ଗୁଣର ତାରତମ୍ୟ ଅନୁସାରେ ମନୁଷ୍ୟ ଜାତିରେ ମଧ୍ୟ ବୁଦ୍ଧିର ତାରତମ୍ୟ ଘଟେ । ତଥାପି କୌଣସି ମନୁଷ୍ୟ ପଶୁ ସଙ୍ଗେ ସମାନ ନୁହେ । ପଶୁଠାରେ ଥିବା ତମ-ଗୁଣ ଅପେକ୍ଷା ମନୁଷ୍ୟର ତମଗୁଣ ଊଣା ହୋଇ ଥିବାରୁ ତାହାର ଅଚେତନତା ଊଣା । କିନ୍ତୁ ଉଭୟଙ୍କଠାରେ ତମ-ଗୁଣ ଥିବାରୁ ଦୁହିଁଙ୍କ କାର୍ଯ୍ୟ ମଧ୍ୟରେ କେତେକ ସାମଞ୍ଜସ୍ୟ ଦେଖାଯାଏ । ସେହି ସାମଞ୍ଜସ୍ୟ ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ମଧ୍ୟ ଅଛି; କବି ତାହା ଉପଲବଧି କରି ପ୍ରକାଶ କରେ । ଯେଉଁ କାବ୍ୟରେ ତାହା ପ୍ରକାଶିତ ହୋଇ ନ ଥାଏ ତହିଁରେ ପ୍ରକୃତ ବିପର୍ଯ୍ୟୟ ଦୋଷ ଘଟେ ।

 

ନିଜର କନ୍ୟାପ୍ରତି ପିତାର ହୃଦୟରେ ଯେଉଁ ବାତ୍ସଲ୍ୟ ଜନ୍ମେ ତହିଁରେ ପାଶବିକ କାମନାରେ ସତ୍ତା ନ ଥାଏ । କୌଣସି କବି କନ୍ୟା-ବାତ୍ସଲ୍ୟରେ ପିତାର ପାଶବିକ ପ୍ରବୃତ୍ତ ସମାବେଶ କରି ନାହାନ୍ତି । ଯଦି କୌଣସି ମନୁଷ୍ୟ ପ୍ରକୃତରେ ଏପରି କେତେ ଘଟୁ ଥାଏ ତେବେ ତାହା ଇନ୍ଦ୍ରିୟ-ଉତ୍ତେଜନାର କ୍ଷଣିକ ଫଳ ହୋଇ ପାରେ । ପର ମୁହୂର୍ତ୍ତରେ ପାଷଣ୍ଡ ଅନୁତାପରେ ଦଗ୍‍ଧ ହେବା ସ୍ୱଭାବିକ । ଏଣୁ ନିଜ କନ୍ୟା କୌଶଲ୍ୟା ସହିତ ଗଙ୍ଗେଶ୍ୱର ଦେବଙ୍କର ଯେଉଁ ପାଶବିକ ବ୍ୟବହାର ‘ପାର୍ବତୀ’ କାବ୍ୟରେ ବର୍ଣ୍ଣନା କରାଯାଇଅଛି ତାହା ପ୍ରକୃତ-ବିପର୍ଯ୍ୟୟ-ଦୋଷରେ ଦୂଷିତ । କବି ସ୍ୱଚକ୍ଷୁରେ ଏପରି ଘଟଣା ଦେଖିଥିଲେ ମଧ୍ୟ ବର୍ଣ୍ଣନା କରିବ ଉଚିତ ନ ଥିଲା । ପାଶବିକ ବ୍ୟବହାରର ଚରମ ବର୍ଣ୍ଣନା ବିଶେଷ ପରିମାଣରେ ଦୂଷଣୀୟ । ପ୍ରତ୍ୟହ ପାଶବିକ ବ୍ୟବହାର ଘଟି କନ୍ୟା-ବଧରେ ପରିଣତ ହେବା ଘୋରତର ଦୂଷଣୀୟ ।

 

ବୃହଦାରଣ୍ୟର ନାମକ ଉପନିଷଦରେ ଅଦ୍ୱୈତ ମତର ପ୍ରତିପାଦନ ନିମନ୍ତେ ସୂଷ୍ଟି କର୍ତ୍ତାଙ୍କର ନିଜ କନ୍ୟା ସହିତ ପାଶବିକ ବ୍ୟବହାର କଳ୍ପନା କରାଯାଇଥିଲା । ଜୈନ ସାହିତ୍ୟରେ ତାହା ପରିବର୍ତ୍ତିତ ଆକାରରେ ଅଛି । ତାହା ପୁଣି ଓଡ଼ିଶାରେ କିମ୍ବଦନ୍ତୀକୁ ଅଧିକ କରୁଚି-ସମ୍ପନ୍ନ ନ କରି ସ୍ୱରୁଚି-ସମ୍ପନ୍ନ କରି ପାରିଥିଲେ କବିର ସୃଷ୍ଟି-କୌଶଳ ପ୍ରତିଭାତ ହୋଇଥାଆନ୍ତା ।

 

କାମ ପ୍ରତ୍ୟେକ ପ୍ରାଣୀକୁ ଆକ୍ରମଣ କରେ । ମନୁଷ୍ୟର ବିବେକ ଦ୍ୱାରା ସେ କେବେ କେବେ ପରାଜିତ ହୁଏ, ଅଥବା ଦାହ୍ୟକୁ ଦହି ନିଜେ ଭସ୍ମୀଭୂତ ହୁଏ । ଏଣୁ ସେ ଫୁଲଶର ଓଲଟା ଯୋଖି ଚନ୍ଦ୍ରଭାଗାର ମନରେ ବିରାଗ ଜନ୍ମାଇବା ପ୍ରକୃତି-ବିପର୍ଯ୍ୟୟ କହିବାକୁ ହେବ ।

 

ଯେ କୌଣସି ଘଟନା ଚରମ-ସୀମାରେ ଉପନୀତ ହେଲେ ତାହାର ପ୍ରତିକ୍ରିୟା ସ୍ୱତଃ ଆରମ୍ଭ ହେବା ପ୍ରକୃତିର ନିୟମ । ‘ମାଟିର ମଣିଷ’ରେ ଏହି ନିୟମର ବ୍ୟତିକ୍ରମ ଦେଖାଯାଏ । ଯେଉଁ ସ୍ତ୍ରୀର ସନ୍ତାନ ନାହିଁ ସେ ଅନ୍ୟର ସନ୍ତାନ ଦେଖିଲେ ଆନନ୍ଦରେ କୋଳ କରେ । ଏକ ଗୃହରେ ବାସ କରୁଥିବା କେତେକ ମନୁଷ୍ୟଙ୍କ ମଧ୍ୟରୁ ଜଣେ ଅନ୍ତର ହେଲେ ଅନ୍ୟ ଲୋକଙ୍କ ମନରେ ବିଷାଦ ନିଜର ଛାୟା ବିସ୍ତାର କରେ । କିନ୍ତୁ ବରଜୁ ନିଜର ପରିବାର ଘେନି ଗୃହ ଛାଡି ଚାଲି ଯିବାରେ ଘଟନାର ଚରମ-ପରିଣତ ହେଲା, ଅଥଚ ନିଃସନ୍ତାନା ଛକଡ଼ିର ସ୍ତ୍ରୀର ହୃଦୟରେ ପ୍ରତିକ୍ରିୟାର ଇଙ୍ଗିତ ଦେଖାଗଲା ନାହିଁ । ଅଜ୍ଞାତସାରରେ ତାହାର ହାତରୁ ବାସନ ଖଣ୍ଡେ ସୁଦ୍ଧା ଖସି ପଡ଼ିନାହିଁ, ବରଂ ଆନନ୍ଦରେ ତାହାର ହୃଦୟ ନାଚି ଉଠୁଅଛି । ଏଣୁ ଏଥିରେ ମଧ୍ୟ ‘ପ୍ରକୃତି-ବିପର୍ଯ୍ୟୟ’ ଦୋଷ ଅଛି । ଏହି ଦୋଷରୁ ଭାଷା-ଶିଳ୍ପ ମୁକ୍ତ ହେଲେ ତାହା ସମଗ୍ର ଜନ-ସମାଜର ଚରିତ୍ରର ଉନ୍ନତି ସାଧନରେ ଧାତ୍ରୀସ୍ୱରୂପ ହୁଏ ।

Image